ରଜ ଓ ଅଭୁଲା ଅତୀତ

ଭୁବନେଶ୍ୱର (ଜଗମୋହନ ମହାରଣା): ସ୍କୁଲ୍ ଖୋଲିବାକୁ ଆଉ ଅଳ୍ପ ଦିନ ବାକି ଥିବ। ଆମ୍ବ, ପଣସ ସରି ସରି ଆସୁଥିବ। ପାଣି କୁଣ୍ଡମୂଳେ ପଡ଼ିଥିବା ଆମ୍ବ ଟାକୁଆ ସବୁ ଦୁଇ ପତ୍ର ମେଲି ଗଛ ଗଜୁରୁଥିବ। ଝାଞ୍ଜି ପବନର ଦିନ ସରିଯାଉଥିବ। ଆଉ ସକାଳର ଆକାଶରେ ମେଘ ଖଣ୍ଡ ସବୁ ହାତୀ, ଘୋଡ଼ା ପରି ଦିଶୁଥିବ। ସମସ୍ତେ କହୁଥିବେ ଆଜି ରଜ ପାଗ ଦେଇଛି। ଚାଳରେ ପାଣି କଖାରୁ ମାଡ଼ିଥିବ। ଚୁଲିରେ ଭାତ ହାଣ୍ଡି ଗବ୍ ଗବ୍ […]

raja-8..

Niharika Rout
  • Published: Thursday, 13 June 2019
  • , Updated: 13 June 2019, 03:26 PM IST

ଭୁବନେଶ୍ୱର (ଜଗମୋହନ ମହାରଣା): ସ୍କୁଲ୍ ଖୋଲିବାକୁ ଆଉ ଅଳ୍ପ ଦିନ ବାକି ଥିବ। ଆମ୍ବ, ପଣସ ସରି ସରି ଆସୁଥିବ। ପାଣି କୁଣ୍ଡମୂଳେ ପଡ଼ିଥିବା ଆମ୍ବ ଟାକୁଆ ସବୁ ଦୁଇ ପତ୍ର ମେଲି ଗଛ ଗଜୁରୁଥିବ। ଝାଞ୍ଜି ପବନର ଦିନ ସରିଯାଉଥିବ। ଆଉ ସକାଳର ଆକାଶରେ ମେଘ ଖଣ୍ଡ ସବୁ ହାତୀ, ଘୋଡ଼ା ପରି ଦିଶୁଥିବ। ସମସ୍ତେ କହୁଥିବେ ଆଜି ରଜ ପାଗ ଦେଇଛି।

ଚାଳରେ ପାଣି କଖାରୁ ମାଡ଼ିଥିବ। ଚୁଲିରେ ଭାତ ହାଣ୍ଡି ଗବ୍ ଗବ୍ ଫୁଟୁଥିବ। ଧୂଆଁ ସବୁ ଚାଳ ଦେଇ ବାଦଲରେ ମିଶୁଥିବ। ଦୁଆର ସାରା ପଣସ ମଞ୍ଜି ବିଞ୍ଚି ହେଇ ପଡ଼ିଥିବ। ପଡିଶା ଘରୁ କେହିବି ଜଣେ ପେଷଣାରେ ମୁଗ, ବିରି, ରଗଡ଼ୁ ଥିବ। ଆଉ କେହି ଢିଙ୍କିଶାଳରେ ଚୁନା କୁଟୁଥିବ। ସେ ସମୟଟି ଏମିତି ଥିଲା। ବର୍ଷ ବର୍ଷ ଏମିତି ଦୃଶ୍ୟ ଦେଖିଛି ଏ ଆଖି।

ସାନ ଭଉଣୀଟି ଆଟୁ ଉପରୁକୁ ଡୁଙ୍ଗି ଡୁଙ୍ଗି କିଛିଗୋଟେ ଖୋଜୁଥିବ। ନ ପାଇଲାରୁ ମୁଁହ ଶୁଖେଇ କାନ୍ଦୁଥିବ। ମୋ ଦୋଳି ପଟା କିଏ ନେଲା ବୋଲି ଏଁ...ଏଁ...ହେଉଥିବ।

ବଡ଼ ଭଉଣୀ କହୁଥିବ ମୋ ପାଇଁ ଏଥର ବାଉଁଶ ଦୋଳୀ ନ ବାନ୍ଧିଲେ ଦେଖିବୁ ରହ। ବୁଢ଼ୀ ମାଆ କହୁଥିବ, ସଞ୍ଜବେଳକୁ ମୋର ପାନ,ଗୁଆ, ଗୁଣ୍ଡି, ଖଇର ଆଣିଦବୁ। ବାପା କହୁଥିବେ ଆଜି ଗାଁ ପୋଖରୀ ମରା ହେଉଛି। ଏଇ ବାଟେ 'ଘନ' ଆସିଲେ ତାଠୁ ମିରିକାଳି ନହଲେ ରୋହି ମାଛ ରଖିଦବ। ଜେଜେବାପା ନାଳବନ୍ଧ ବୁଲି ବୁଲି ଗୋଛେ ଦାନ୍ତକାଠି ଧରି ଫେରୁଥିବେ।

ସେତିକି ବେଳେ ଅଜା ଆସି ପହଞ୍ଚିବେ। ଅଜାଙ୍କୁ ମୁଣ୍ଡିଆ ମାରିଲା ବେଳେ ମାଆ ପାଣି ଢାଳଟେ ଧରି ଆସି ହାଜର ହେଉଥିବ। ପୁଣି ଚଟ୍ ପଟ୍ ହାଣ୍ଡିଶାଳକୁ ଯାଇ ସେ ଜମାନାରା ସ୍ୱାକ୍ସ ପାଣି କରୁଥିବ। ଅଜା ପିଇଲା ବେଳେ ମୋ ଭାଗରେ ବି ଗିଲାସେ ପଡ଼ୁଥିବ। ସେଇ ଦିନମାନ କେଡ଼େ ସ୍ମୃତି ମଧୁର ଥିଲା ସତରେ। ରଜ କଥା ଭାବିଲେ ଏମିତି କିଛି ଛବି ହିଁ ଆଖି ସାମ୍ନାକୁ ଆସେ ।

ରଜ ଓ ସଜ

ସେତେବେଳେ କ୍ଲିନିକ୍ ପ୍ଲସ୍ ସାମ୍ପୋଟିଏ ହେଲେ କେଡ଼େ କଥା ଥିଲା। ଝିଅମାନେ କାଞ୍ଚିରେ ନେଉଥିଲେ ତେଲ ଆଉ ହଳଦୀ। ଗାଧୁଆ ତୁଠରେ ଚହଲାପାଣିରେ ଆସ୍ତେ ଗୋଡ଼ ବୁଡୋଉଥିଲେ। ଗାଧୋଇସାରି ଓଦା ସଡ଼ ସଡ଼ ଲୁଗା ପିନ୍ଧି ମୁଁହ ପୋତି ପୋତି ଫେରୁଥିଲେ। ଆଣ୍ଠୁ ଲୁଚୁନଥିବା ଲୁଗାରେ ଦେଖାଯାଉଥିବା ତାଙ୍କ ହଳଦୀ ବୋଳା ଗୋରା ଗୋଇଠି, ସାବନା ରଙ୍ଗର ବେକ ଆଉ, ସୁନାପାତିଆ ରଙ୍ଗର କୁଆଁରୀ ଗାଲ ସତରେ ଆଜିର ସଂଙ୍ଖ ମଲ ମଲ ଗାଧୁଆଘର ଭିତରେ ହଜି ଯାଇଛି।

ସେତେବେଳ  ସଜବାଜ କହିଲେ, ପାଦରେ ଅଳତା, ମଥାରେ ଟିକିଲି ଆଉ ହାତରେ ଚୁଡ଼ି ପଟେ ପଟେ। ଟିକି ଝିଅମାନେ ମୁଣ୍ଡରେ ରିବନ ଭିଡ଼ୁଥିଲେ। ଆଉ ମଥାରେ କୁଙ୍କୁମ ବି। କେହି କେହି ଆଖିରେ କଜଳ। ବାସ୍  ହୋଇଗଲା ସଜ। ଆଉ ଅଧିକା ହେଲେ ହରଗୌରା ନ ହେଲେ ମଞ୍ଜୁଆତି ପତ୍ର ବାଟି ହାତରେ ମେହେନ୍ଦି କରୁଥୁଲେ। ରଜ ସଜ କହିଲେ ସେତେବେଳେ ସେତିକି ହିଁ ଥିଲା। ଆଜି ପରି ପାଣ୍ଟାଲୁନ୍, ବିଗବଜାର, ସେଣ୍ଟ୍ରାଲ ନଥିଲା।

ଦୋଳି

ରଜ ଦୋଳି ଝିଅଟିଏ ପାଇଁ ଏକ ସ୍ୱପ୍ନର ପାରିଜାତ। ଦୋଳିରେ ବସିଲେ ହିଁ ତା କୁଆଁରୀ ମନର ସ୍ୱପ୍ନ ସବୁ ପହଁରିବାକୁ ଲାଗେ। ସଜ ଫୁଟା ମଲ୍ଲି ଫୁଲ ପରି ତା ସ୍ୱପ୍ନ ସବୁ ତାକୁ ଅନ୍ୟମନସ୍କ କରାଏ। ଦୋଳି ଝୁଲିଲା ବେଳେ ହିଁ ତା ଇପସିତ୍‌ ପୁରୁଷର ପ୍ରତିଛବି ସିଏ ଆଙ୍କେ। ଦୋଳି ତା କୁଆଁରୀ ମନକୁ ଦୋହଲେଇ ଦେଉଥିବା ଝୁଲଣଟିଏ। ତାକୁ ଭାବିବାକୁ ବାଧ୍ୟ କରେ କିଏ ତା ମନକୁ ବୁଝିବ ଆଉ ସାରା ଜୀବନ ପ୍ରେମ ଝୁଲଣରେ ଝୁଲେଇବ ତାକୁ....

ସାଙ୍ଗ

ସେତେବେଳର ସମୟ ନିର୍ମାୟା ଥିଲା। ନିର୍ମମ ନଥିଲା। ସମସ୍ତେ ସମସ୍ତଙ୍କ ଘରକୁ ଯାଇ ପାରୁଥିଲେ। ଗୋଟିଏ ଜାଗାରେ ମାଆ,  ଖୁଡ଼ି, ଝିଅ, ଝିଆରୀ ସମସ୍ତେ ବସି ଅଳତା ଲଗାଉଥିଲେ, କଉଡ଼ି ଖେଳୁଥିଲେ। ମିଠା ନାଲିପାନ ଖାଉଥିଲେ। ଖିଲି ଖିଲି ହସୁଥିଲେ। ଏବେର ସମୟ ତ ଅବିଶ୍ୱାସର ସମୟ। ଆପାର୍ଟମେଣ୍ଟରେ ଜୀବନ କାଟୁଥିବା ସମୟ। ନିତି ନିତି ଘଟୁଥିବା ଲୋମଟାଙ୍କୁରା ବିଭତ୍ସ ଘଟଣାର ସମୟ।

ପିଠା

ରଜ ୪ଦିନ ଯାଏଁ ପିଠା ପଣା ଚାଲିଥିବ। ସମସ୍ତେ ସମସ୍ତଙ୍କ ପିଠା ଖାଉଥିବେ। କିଏ କହୁଥିବ ଆମ ଚୁନା ଟିକେ ନରମିଗଲା। କିଅ କହୁଥିବ ସୋଦୁଅ ଭଲକି ଫେଣେଇ ହେଇନି। ଆଉ କିଏ କହୁଥିବ ଜନ୍ତନି ପାଗିଲାନି। ନିଜ ପିଠାକୁ ବାହୁନି ପଡ଼ିଶା ଘର ପିଠାକୁ ସମସ୍ତେ ପସନ୍ଦ କରନ୍ତି।

କଟା-ବଟା

ରଜରେ ମା, ଖୁଡ଼ି କେହି କିଛି କଟାବଟା କରନ୍ତିନି। ପ୍ରକୃତରେ କାଳେ କିଛି କରିବା କଥାନୁହେଁ। ସେଥିପାଇଁ ଆମ ପୁଅମାନେ ହିଁ ପନିପରିବା କାଟୁ। କେତେ ଥର ପନିକିରେ ହାତ ଯେ କଟିଚି... ଶିଳରେ ହାତ ଚାପି ବି ହେଇ ଯାଇଛି। ଆଜି ସେ ବେଳର ମହତ୍ତ୍ୱ ବୁଝିଲା ବେଳକୁ ଲାଗୁଛି ସତରେ କେଡ଼େ ମହାନ ଏ ରଜ ପର୍ବ।

ଯେଉଁ କଥା ଟି ହୁଏତ ସବା ଉପରେ ଲେଖିବା କଥା ସେଇ କଥାଟି ସବା ତଳେ ଲେଖୁଚି।

ଆଜି ପରା ମାଟି ମାଆ ରଜସ୍ୱଳା ?  ତୋ ପାଦତଳେ କୋଟି ମୁଣ୍ଡିଆ। ତୋ ଦୁଃଖ କୋଉ ଯୁଗ ବୁଝିଲା ନା କୋଉ ପୁରୁଷ ?  ଯୁଗ ଯୁଗଧରି ସବୁକୁ ସହି ଆସୁଥିବା ତୋ ପରି ମାଆର ଚରଣରେ କୋଟି ମୁଣ୍ଡିଆ।

Related story