କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଥକି ପଡ଼ି ନାହାନ୍ତି ରାମ ସାର୍। ଦିବ୍ୟାଙ୍ଗ ହୋଇ ମଧ୍ୟ ୭୨ ବର୍ଷ ବୟସରେ ବେଶ୍ ଚଳଚଞ୍ଚଳ। ପିଲାଙ୍କ ସଙ୍ଗେ ପିଲା ହୋଇଯାଇଛନ୍ତି। ତିଆରି କରିଚାଲିଛନ୍ତି ଦେଶର ଭବିଷ୍ୟତ। ଆଉ ପିଲାମାନଙ୍କୁ ଦେଖାଇଛନ୍ତି ଜିଇଁବାର ବାସ୍ତା।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ବାରଡାଙ୍ଗ ଗାଁର ରାମଚନ୍ଦ୍ର ଭୋଳ। ପିଲା ବେଳୁ ଭିନ୍ନକ୍ଷମ। ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ବଙ୍କା ହୋଇଥିବାରୁ ସଳଖି ଚାଲି ପାରୁନାହାନ୍ତି। ଘୁଷୁଡି ଘୁଷୁଡି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ଯେଉଁଥିପାଇଁ ଚାଟଶାଳି ଯାଇପାରୁନଥିଲେ ରାମଚନ୍ଦ୍ର। ତେଣୁ ପରିବାର ଲୋକ ତାଙ୍କୁ କାଖେଇ ତିନି ଓଳି ଚାଟଶାଳିକୁ ନେଉଥିଲେ। ସେଠାରେ ପାଠ ପଢ଼ା ସରିବା ପରେ ନେଇ ଆସିଥିଲେ। ଏମିତି କରି ରାମଚନ୍ଦ୍ର ଗାଁରେ ସପ୍ତମ ପର୍ଯ୍ୟନ୍ତ ପଢ଼ିଛନ୍ତି।
ଶାରୀରିକ ଅକ୍ଷମତା ଓ ପରିବାରର ଆର୍ଥିକ ସ୍ଥିତି ତାଙ୍କୁ ଅଧିକ ପଢ଼ିବାକୁ ସୁଯୋଗ ଦେଇନଥିଲା। ତେଣୁ ତାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଥିଲା। ଏଥିରେ କିନ୍ତୁ ସେ ଭାଙ୍ଗି ପଡ଼ିନଥିଲେ। ଏପରିକି ଭୁଲି ଯାଇନଥିଲେ ସଂଘର୍ଷ। ବଳକା ସମୟକୁ ଉପଯୋଗ କରିବା ପାଇଁ ଖୋଲିଥିଲେ ଚାଟଶାଳି। ଆଉ ପିଲାଙ୍କ ସହିତ ପିଲା ହୋଇଯାଇଥିଲେ। ଛୋଟ ଛୋଟ ପିଲାଙ୍କୁ ଘରୁ ଡାକି ଆଣି ପାଠ ପଢ଼ାଉଥିଲେ। କିଛି ଦିନ ଭିତରେ ତାଙ୍କର ସେହି ଚାଟଶାଳି ପରିଚିତ ହୋଇଯାଇଥିଲା। ରାମଚନ୍ଦ୍ର ଭୋଳ ବନି ଯାଇଥିଲେ ରାମ ସାର୍। ଆଉ ତାଙ୍କୁ ପିଲାଙ୍କୁ ଡାକିବାକୁ ପଡ଼ିନଥିଲା। ପିଲାମାନେ ଆପେ ଆପେ ଧାଇଁ ଆସୁଥିଲେ ରାମ ସାରଙ୍କ ଚାଟଶାଳିକୁ।
ରାମ ସାର୍ ପିଲାଙ୍କୁ ପଢ଼ାଇବା ସହିତ ନିଜେ ପଢ଼ୁଥିଲେ। ମାଟ୍ରିକ୍ ପରୀକ୍ଷା ଦେଇ ସଫଳତାର ସହ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଥିଲେ। ଏବେ ତାଙ୍କ ଚାଟଶାଳିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପଢ଼ୁଛନ୍ତି। ଯିଏ ଯାହା ଦେଉଛି, ସେଥିରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ରାମ ସାର୍। ସେ ବାହା ହୋଇନାହାନ୍ତି। ଏବେ ତାଙ୍କୁ ହେଲାଣି ୭୨ ବର୍ଷ। ଦୀର୍ଘ ୫୮ ବର୍ଷରେ ସେ ନିଜ ଚାଟଶାଳିରେ ଗଢ଼ିଛନ୍ତି ଶତାଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ। ତାଙ୍କ ଛାତ୍ରମାନେ ଏବେ ଦେଶ ବିଦେଶରେ କାର୍ଯ୍ୟରତ ଅଛନ୍ତି।
ସରକାରଙ୍କ ପକ୍ଷରୁ ରାମ ସାରଙ୍କୁ ମିଳୁଛି ଭତ୍ତା। ରାସନ କାର୍ଡ ଓ ମୋ କୁଡିଆ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ମିଳିଛି। ସେଠାରେ ସେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।
ରାମ ସାର୍ କହିଛନ୍ତି-“ଭିନ୍ନକ୍ଷମ ଭାବି ନିଜକୁ ଭାଗ୍ୟ ପାଖରେ ସମର୍ପଣ କରନ୍ତୁ ନାହିଁ। ସଂଘର୍ଷ କରନ୍ତୁ। ସଂଘର୍ଷ କଲେ ସଫଳତା ନିଶ୍ଚିତ ମିଳିବ। ସମାଜ ଉପରେ କେବେ ବୋଝ ହୁଅନ୍ତୁ ନାହିଁ।”