[caption id="attachment_401470" align="alignleft" width="130"]
ରଥଯାତ୍ରା ଆସିଲେ ଏହାର ସୁରୁଖୁରୁ ପରିଚାଳନା ନେଇ ସବୁଆଡ଼େ ଚର୍ଚ୍ଚା ଚାଲେ। ବିଶେଷକରି ଯେଉଁମାନେ ଶ୍ରୀଜଗନ୍ନାଥ ପ୍ରେମୀ ଏବଂ ଜଗନ୍ନାଥ ସଂସ୍କୃତି ଉପରେ ରୁଚି ରଖନ୍ତି, ସେମାନେ ଏହାକୁ ନେଇ ଉତ୍ସାହ ଦେଖାନ୍ତି। ରଥଗୁଡ଼ିକ କେତେବେଳେ ସିଂହଦ୍ୱାରେ ପହଞ୍ଚିବେ, ପ୍ରତିଷ୍ଠା କେତେବେଳେ ହେବ, ଠାକୁରଙ୍କ ପହଣ୍ଡି କେତେବେଳେ ଆରମ୍ଭ ହେବ ଆଉ ରଥ ଟଣା କେତେବେଳେ ହେବ- ଏମିତି ଭାବେ ରଥଯାତ୍ରାର ନିର୍ଘଣ୍ଟ ପ୍ରଚାର ହୁଏ। ଅବଶ୍ୟ ପ୍ରଶାସନ ବା ସେବାୟତଙ୍କ ପାଇଁ ଏହା କୌଣସି ନୂଆ କାମ ହୋଇ ନଥାଏ। ତଥାପି ନିର୍ଘଣ୍ଟ ଅନୁସାରେ କୌଣସି ନୀତି ଶେଷ ହେବା କ୍ୱଚିତ୍ ଦେଖାଯାଏ। ୧୮୯୫ ମସିହାରେ ଏମିତି କିଛି ଘଟଣା ଘଟିଥିଲା ଯାହାଦ୍ୱାରା ରଥଯାତ୍ରା ହୋଇପାରିବ କି ନା ସନ୍ଦେହ ଉପୁଜିଥିଲା। ହେଲେ ସବୁ କିଛି ମହାବାହୁଙ୍କ କୃପା। ରାତି ପାହିବାକୁ ଆଉ ଅଳ୍ପ କିଛି ସମୟ ବାକି ଅଛି ସେମାନେ ସ୍ୱୟଂ ବିଜେ କଲେ ରଥ ଉପରେ, ଆଦେଶ ଦେଲେ ରଥ ଟଣାଯାଉ...।
ଏ ବର୍ଷ ଜୁନ୍ ୨୪ ତାରିଖରେ ରଥଯାତ୍ରା ପଡ଼ିଥିଲା। ଏହାର ଦୁଇଦିନ ପୂର୍ବରୁ ଶ୍ରୀ ଜିଉଙ୍କ ନେତ୍ରୋତ୍ସବ ବା ଉଭା ଯାତ୍ରା ହୋଇଥିଲା। ତୁହାକୁ ତୁହା ବର୍ଷା ଫଳରେ ଯାତ୍ରୀଙ୍କ ସମାଗମ କମ୍ ହୋଇଥିଲା। ହେଲେ ବିଧି ଅନୁସାରେ ସବୁ କିଛି ଠିକ୍ ଚାଲିଥିଲା। କିନ୍ତୁ ସନ୍ଦେହ ହେଲା, ଏଥର ରଥଯାତ୍ରା ହୋଇପାରିବ ନା ନାହିଁ। କାରଣ ନବଯୌବନ ବେଶ ସରିବାକୁ ବସିଥିଲେ ବି ରଥ ତିଆରି ଶେଷ ହୋଇ ନଥିଲା।
ମହାରଣା ସେବକ ରଥ ତିଆରି ଶେଷ ହେଲା ବୋଲି କହିବା ପରେ ଇଞ୍ଜିନିୟର ତାକୁ ତର୍ଜମା କରି ସାର୍ଟିଫିକେଟ୍ ଦେବେ। ତା'ପରେ ରଥ ସିଂହଦ୍ୱାର ଆସିବ ଓ ରଥ ପ୍ରତିଷ୍ଠା ସହ ଅନ୍ୟାନ୍ୟ ରୀତିନୀତି ହେବ। କିନ୍ତୁ ସବୁ କିଛି ବିଳମ୍ୱରେ ଚାଲିଥିଲା। ଖାଲି ବିଳମ୍ୱ ତ ନୁହେଁ ଅତି ବିଳମ୍ୱ ହୋଇଥିଲା। ହେଲେ ଏହାର କାରଣ କ'ଣ?
ପହଣ୍ଡି ଆରମ୍ଭ କରି ଶ୍ରୀଜିଉଙ୍କୁ ରଥାରୂଢ଼ କଲେ। ସେତେବେଳେ ସମୟ ପାଖପାଖି ରାତି ତିନିଟା ହୋଇଯାଇଥିଲା। ପୂର୍ବରୁ ରାତି ତିନିଟା ସମୟରେ କେବେ ଶ୍ରୀଜିଉ ରଥାରୂଢ଼ ହେବାର ଦେଖା ଯାଇ ନଥିଲା।
‘ଉତ୍କଳ ଦୀପିକା'ର ଭାଗ ତିରିଶରେ ଏ ବିଷୟରେ ଏକ ରିପୋର୍ଟ ପ୍ରକାଶ କଲେ। ରଥ ତିଆରି ବିଳମ୍ୱର ମୁଖ୍ୟ କାରଣ ହେଉଛି- କାଠର ଅଭାବ। ଜଗତର ନାଥଙ୍କ ପାଠ କାଠର ଅଭାବ ହେବା ଧର୍ମୀୟ ମାନସିକତାକୁ ଆଘାତ ଦେଇଥାଏ। ଫଳରେ ଚାରିଆଡେ଼ ପ୍ରଶାସନ ଉପରେ ଚାପ ପଡ଼ୁଥିଲା। ପରେ ବାଧ୍ୟ ହୋଇ କମିଶନର ଏଥିରେ ହସ୍ତକ୍ଷେପ କରି ଆବଶ୍ୟକୀୟ କାଠ ବ୍ୟବସ୍ଥା କଲେ। କିନ୍ତୁ ସେଥିରେ ବିଳମ୍ୱ ହେବାରୁ ରଥ ନିର୍ମାଣ ବି ବିଳମ୍ୱିତ ହୋଇଥିଲା। ଯେତେବେଳେ କାଠ ଆସିଲା ସେତେବେଳଠୁ ବର୍ଷା ଏତେ ପରିମାଣରେ ହେଲା ଯେ ରଥ ତିଆରି ସମ୍ଭବ ହେଉ ନଥିଲା। ତେଣୁ ଅନେକଙ୍କ ମନ ଭିତରେ ରଥଯାତ୍ରା ହୋଇପାରିବ କି ନା ସେ ନେଇ ସଂଶୟ ସୃଷ୍ଟି ହୋଇଥିଲା। ଯାହା ହେଉ ବିଳମ୍ୱିତ ଅପରାହ୍ଣରେ ମହାରଣା ସେବକ କହିଲେ ରଥ କାର୍ଯ୍ୟ ଶେଷ ହେଲା। ଇଞ୍ଜିନିୟର ମଧ୍ୟ ଆଉ ବିଳମ୍ୱ କଲେ ନାହିଁ। ରଥ ଟଣା ହେଲା କିନ୍ତୁ ରାତି ହେବାରୁ ତାହା ବନ୍ଦ ହେଲା।
ପରଦିନ ରଥ ଟଣା ହୁଅନ୍ତେ ତ ଜଗନ୍ନାଥଙ୍କ ରଥର ଚକ ମୋଡ଼ି ହୋଇଗଲା। ଅନ୍ୟ ଦୁଇରଥକୁ ସିଂହଦ୍ୱାର ପହଞ୍ଚାଇବା ପାଇଁ ଉଦ୍ୟମ ହେଲା। ଜଗନ୍ନାଥଙ୍କ ରଥର "ପଇ' ବଦଳାଗଲା। ଶ୍ରୀଗୁଣ୍ଡିଚା ଦିନ ଅପରାହ୍ଣ ବେଳକୁ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ହେଲେ। ରଥ ତିଆରି କାର୍ଯ୍ୟ କିଛି ବାକି ଥିଲେ ମଧ୍ୟ ପ୍ରତିଷ୍ଠାଦି କାର୍ଯ୍ୟ ଆରମ୍ଭ ହେଲା। ଏସବୁ ସରିଲା ବେଳକୁ ରାତି ହୋଇଗଲା। ହେଲେ ନୀତି ବନ୍ଦ ନକରିବାକୁ ସେବକମାନେ ଚାହିଁଲେ। ପହଣ୍ଡି ଆରମ୍ଭ କରି ଶ୍ରୀଜିଉଙ୍କୁ ରଥାରୂଢ଼ କଲେ। ସେତେବେଳେ ସମୟ ପାଖପାଖି ରାତି ତିନିଟା ହୋଇଯାଇଥିଲା। ପୂର୍ବରୁ ରାତି ତିନିଟା ସମୟରେ କେବେ ଶ୍ରୀଜିଉ ରଥାରୂଢ଼ ହେବାର ଦେଖା ଯାଇ ନଥିଲା। ହେଲେ ସବୁ କିଛି ତ ତାଙ୍କର ଲୀଳା। ପର ଦିନ ରଥ ଟଣା ହେବା କଥା। କିନ୍ତୁ ରଥ ନିର୍ମାଣର ଯେଉଁ ଅଂଶ ବାକି ଥିଲା, ତାକୁ ପ୍ରଥମେ ସମ୍ପୂର୍ଣ୍ଣ କରିବାକୁ ପଡ଼ିଲା। ଏହି କାର୍ଯ୍ୟ ସବୁ ସରିଲା ବେଳକୁ ଅପରାହ୍ଣ ତିନିଟା ବାଜିଗଲା। ପରେ ରଥଟଣା ଆରମ୍ଭ ହେଲା। ପାଖାପାଖି ୨୦ ହଜାର ଯାତ୍ରୀଙ୍କ ମେଳରେ ରଥ ଗଡ଼ିଲା ଗୁଣ୍ଡିଚା ମନ୍ଦିର ଅଭିମୁଖେ।