ବ୍ରାହ୍ମଣଙ୍କୁ ଗୁଣ୍ଡିଚା ବାସନ୍ଦ ଓ ଶ୍ରୀମନ୍ଦିରରେ ବିଜୁଳି ଆଲୁଅକୁ ବାରଣ

haripanda
ହରିହର ପଣ୍ଡା

୧୯୦୫ ମସିହାରେ ଜୁଲାଇ ୪ ତାରିଖରେ ଗୁଣ୍ଡିଚା ଯାତ୍ରା ପଡ଼ିଥିଲା। ପୂର୍ବ ବର୍ଷ ପରି ଏ ବର୍ଷ ରଥ ଯାତ୍ରା ବେଶ୍‌‌ ସୁରୁଖୁରରେ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ନୂଆ ମ୍ୟାନେଜର୍‌‌ ଏଥିପାଇଁ ବିଶେଷ ଯତ୍ନବାନ ହୋଇଥିଲେ। ଗୋଟିଏ ଦିନରେ ରଥ ଗୁଣ୍ଡିଚା ମନ୍ଦିରରେ ଲାଗି ତା’ପର ଦିନ ପହଣ୍ଡି ହୋଇଥିଲା। ରାସ୍ତାଘାଟ ଓ ଯନ୍ତ୍ର କୌଶଳର ସୁବିଧା ନଥାଇ ଗୋଟିଏ ଦିନରେ ରଥ ଲାଗିବା ସମସ୍ତଙ୍କୁ ଚକିତ କରିଥିଲା। ପୁଣି ଶାସ୍ତ୍ରାନୁସାରେ ତା’ ପରଦିନ ପହଣ୍ଡି କରାଯିବା ଦ୍ୱାରା ଏବର୍ଷ ଗୁଣ୍ଡିଚା ମନ୍ଦିରରେ ୭ ଦିନ ଅନ୍ନ ଭୋଗ ହୋଇଥିଲା। ଏହା ବେଶ୍‌‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅବଶ୍ୟ ଏହା ପୂର୍ବ ବର୍ଷ ସମାନ ମ୍ୟାନେଜର୍‌ ଆଡ଼ପ ମଣ୍ଡପରେ ୬ ଦିନ ଅନ୍ନ ଭୋଗ କରାଇ ପ୍ରଶଂସା ଅର୍ଜନ କରିଥିଲେ। କାରଣ ଗୁଣ୍ଡିଚା ମନ୍ଦିରରେ ଏହା ପୂର୍ବରୁ ସାଧାରଣତଃ ଗୋଟିଏ ଦିନ ଅନ୍ନ ଭୋଗ ହୋଇପାରୁଥିଲା। ଅତି ବେଶୀରେ ଦୁଇ ଦିନ ଅନ୍ନ ଭୋଗ ହେଉଥିଲା ଓ ତାହାକୁ ଭାଗ୍ୟର ବିଷୟ ବୋଲି କୁହାଯାଉଥିଲା। ଏଥର ୭ ଦିନ ଅନ୍ନ ଭୋଗ ଯାତ୍ରୀଙ୍କ ପାଇଁ ସୁବିଧାଜନକ ହୋଇଥିଲା।

ହେଲେ ଏ ବର୍ଷ ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଥିଲା- ଗୁଣ୍ଡିଚା ମନ୍ଦିରରେ ଶାସନୀ ବ୍ରାହ୍ମଣଙ୍କୁ ବାସନ୍ଦ ପ୍ରସଙ୍ଗ। ପୁରୀ ସହରର ଆଖପାଖରେ ଥିବା ୧୬ ଶାସନ ଶ୍ରୀଜଗନ୍ନାଥଙ୍କ ରୀତିନୀତିରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥା’ନ୍ତି। ପଣ୍ଡିତ ସଭାରେ ସେମାନେ ବେଶ୍‌ ବଡ଼ ଭୂମିକା ନିଭାନ୍ତି। କିନ୍ତୁ ତାଙ୍କୁ ସେବାୟତମାନେ ବାରଣ କରିବା ସମସ୍ତଙ୍କୁ ଚକିତ କରିଥିଲା। ତେବେ ଏହାର କାରଣ ବେଶ୍‌ ସ୍ପଷ୍ଟ ଥିଲା। ତାହା ହେଲା- ଏହି ଶାସନୀ ବ୍ରାହ୍ମଣମାନେ ପ୍ରତିବର୍ଷ ରଥ ଟଣା ଦଉଡ଼ି ପାଇଁ କତା ଯୋଗାଇଥାଆନ୍ତି। ଏହି ଅଞ୍ଚଳରେ ନଡ଼ିଆ ଗଛ ବହୁତ ଥିବାରୁ ସେମାନେ ଜଗନ୍ନାଥଙ୍କୁ କତା ଦାନ ଦେବା ପରମ୍ପରା ରହିତ ଆସିଛି।  ଅବଶ୍ୟ ରାଜାଙ୍କ ପକ୍ଷରୁ ବେଠିଆ ଲଗାଯାଇ ତାହା ବଳାଯାଇଥାଏ। କିନ୍ତୁ ସେଥିରେ ଶାସନୀ ବ୍ରାହ୍ମଣଙ୍କ ଅବଦାନ ଅଧିକ ଥାଏ। ଏବର୍ଷ କୌଣସି କାରଣ ଯୋଗୁ ସେମାନେ କତା ନଯୋଗାଇବାରୁ ଦଉଡ଼ି କଲିକତାରୁ ଅଣାଯାଇଥିଲା। ଏଥିରେ ସେବାୟତମାନେ ବେଶ୍‌‌ ଖପ୍ପା ହୋଇ ସେମାନଙ୍କୁ ଗୁଣ୍ଡିଚା ବାରଣ କରିଥିଲେ।

କାରଣ ଖୋଜିଲା ବେଳକୁ ଶୁଣିବାକୁ ମିଳିଲା ଯେ, ଶ୍ରୀମନ୍ଦିରରେ ମ୍ୟାନେଜର ବିଜୁଳି ଆଲୁଅ ପାଇଁ ତାର ବିଛାଇଥିବାରୁ ଅସୁବିଧା ହୋଇଥିଲା। ସେବାୟତମାନେ ଏହାକୁ ପରମ୍ପରା ବିରୋଧୀ କହି ବିଜୁଳି ତାର ହଟାଇବାକୁ ଜିଦି ଧରିଥିଲେ।

ପ୍ରହରୀମାନେ ବ୍ରହ୍ମଣଙ୍କୁ ଦେଖିଲେ ପ୍ରଥମେ ସେମାନଙ୍କୁ ପରିଚୟ ମାଗୁଥିଲେ। ପରିଚୟ ଯାଞ୍ଚ ପରେ ସେ ଯଦି ଶାସନୀ ଗାଁରୁ ଆସିଥିବା ସ୍ପଷ୍ଟ ହେଉଥିଲା, ତା’ହେଲେ ତାଙ୍କୁ ଭିତରକୁ ଛଡ଼ା ଯାଉ ନଥିଲା। ବ୍ରାହ୍ମଣମାନଙ୍କୁ ଏବର୍ଷ ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କୁ ଦେଖିବାକୁ ବାରଣ କରିଥିଲା। ଆଗକୁ ପ୍ରଶାସନ ଏ ବିଷୟରେ ସତର୍କ ହୋଇ ଆଉ ବ୍ରାହ୍ମଣଙ୍କ କତାଦାନ ଉପରେ ନିର୍ଭର ନକରି କଲିକତାରୁ ଦଉଡ଼ି ଆମଦାନୀ ପାଇଁ ବ୍ୟବସ୍ଥା କଲେ। ଫଳରେ ପ୍ରତିବର୍ଷ ସେଠାରୁ କତା ଦଉଡ଼ି ଆସିଲା।

ଏ ବର୍ଷ ଆଉ ଏକ ବିଶେଷ ଅଘଟଣ ଘଟିଥିଲା ନିଳାଦ୍ରୀ ବିଜେ ଦିନ। ବାହୁଡ଼ା ପରଦିନ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଲା ପରେ ନିଳାଦ୍ରୀ ବିଜେ ପାଇଁ ବ୍ୟବସ୍ଥା ହେଲା। ଦିନ ଦୁଇଟାରେ ପହଣ୍ଡି ହେବ ବୋଲି ଶୁଣାଯିବାରୁ ପୁରୀ ସହରର ଆଖାପାଖ ବିଭିନ୍ନ ସ୍କୁଲ୍‌ ଛୁଟି ହୋଇଗଲା। ପରେ ଅଫିସ୍‌ ଓ କଚେରୀ ବନ୍ଦ ହେବାରୁ ଅମଲାମାନେ କାଖରେ ଛତା ଜାକି ସିଂହଦ୍ୱାର ସମ୍ମୁଖରେ ହାଜର ହେଲେ। ସ୍କୁଲ୍‌‌ ପିଲାମାନେ କାଖରେ ବହି ବସ୍ତାନି ଧରି ପହଣ୍ଡି ଦେଖିବାକୁ ଚାହିଁ ରହିଥିଲେ।  କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ପହଣ୍ଡି ହେଲା ନାହିଁ। ଏହା ଦେଖି ଅନେକ ଲୋକ ଫେରିଗଲେ।

କାରଣ ଖୋଜିଲା ବେଳକୁ ଶୁଣିବାକୁ ମିଳିଲା ଯେ, ଶ୍ରୀମନ୍ଦିରରେ ମ୍ୟାନେଜର ବିଜୁଳି ଆଲୁଅ ପାଇଁ ତାର ବିଛାଇଥିବାରୁ ଅସୁବିଧା ହୋଇଥିଲା। ସେବାୟତମାନେ ଏହାକୁ ପରମ୍ପରା ବିରୋଧୀ କହି ବିଜୁଳି ତାର ହଟାଇବାକୁ ଜିଦି ଧରିଥିଲେ। ଏପରିକି ମନ୍ଦିର ଭିତରେ ସେବାୟତ ଓ ଦୁଇ ମଠ ମହନ୍ତଙ୍କୁ ନେଇ ଏକ ବଡ଼ ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ଯେପର୍ଯ୍ୟନ୍ତ ତାର କାଢ଼ି ନିଆ ନଯାଇଛି ସେ ଯାଏଁ ଠାକୁରଙ୍କୁ ମନ୍ଦିର ଭିତରେ ପୂରାଇ ଦିଆଯିବ ନାହିଁ। ମ୍ୟାନେଜର୍‌ ମନ୍ଦିରକୁ ଆଲୋକିତ କରିବା ପାଇଁ ଏପରି ବ୍ୟବସ୍ଥା ଆରମ୍ଭ କରିଥିଲେ, ଯାହାକି ସମସ୍ତଙ୍କ ପାଇଁ ସୁବିଧାଜନକ ହୋଇଥା’ନ୍ତା। କିନ୍ତୁ ସେବାୟତଙ୍କ ବିରୋଧ ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ବାଧ୍ୟ ହୋଇ ଗର୍ଭଗୃହ ସମ୍ମୁଖରୁ ତାର ହଟାଇ ନେବାକୁ ଆଦେଶ ଦେଇଥିଲେ।  ତା’ପରେ ରାତି ୯ଟାରେ ପହଣ୍ଡି ହୋଇଥିଲା ଓ ଠାକୁର ମନ୍ଦିର ବିଜେ କରିଥିଲେ।