ପ୍ରଭୁ ରାମଚନ୍ଦ୍ର ଲଙ୍କାପତି ରାବଣଙ୍କୁ ବଧ କରି ମାତା ସିତାଙ୍କୁ ଉଦ୍ଧାର କରିଥିଲେ। ରାବଣଙ୍କ ମୃତ୍ୟୁପରେ ଅଧର୍ମର ବିନାଶ ହୋଇ ଧର୍ମର ଜୟ ହେଲା। କିନ୍ତୁ ରାବଣ ଜଣେ ମହାନ ବିଦ୍ୱାନ ଓ ଜ୍ଞାନୀ ପୁରଷ ଥିଲେ ପତ୍ର। ଏକଥା ସ୍ୱୟଂ ରାମଚନ୍ଦ୍ର ବି ଜାଣିଥିଲେ। ରଣଭୂମିରେ ରାବଣଙ୍କ ଅନ୍ତିମ ସମୟରେ ରାମଚନ୍ଦ୍ର ତାଙ୍କଠାରୁ ଜ୍ଞାନ ଅର୍ଜନ କରିବାକୁ ଲକ୍ଷ୍ମଣଙ୍କୁ ଉପଦେଶ ଦେଇଥିଲେ।
ଲକ୍ଷ୍ମଣ ଜ୍ଞାନ ଅର୍ଜନ କରିବା ପାଇଁ, ରଣଭୂମିରେ ଭୂପତିତ ହୋଇ ଛଟପଟ ହେଉଥିବା ରାବଣଙ୍କ ମସ୍ତକ ପାଖରେ ଛିଡ଼ାହେଲେ। କିନ୍ତୁ ରାବଣ କିଛି ନ କହିବାରୁ ଲକ୍ଷ୍ମଣ ପୁନଃ ରାମଚନ୍ଦ୍ରଙ୍କ ନିକଟକୁ େେଫେରିଆସିଲେ। ରାମଚନ୍ଦ୍ର ପୁଣିଥରେ ତାଙ୍କୁ କହିଲେ ଜ୍ଞାନ ଆହରଣ କରିବାକୁ ହେଲେ ମସ୍ତକ ପାଖରେ ନୁହଁ ଚରଣ ପାଖରେ ଛିଡ଼ା ହେବା ଦରକାର। ଲକ୍ଷ୍ମଣ ପୁନଃ ଆହତ ରାବଣଙ୍କ ପାଖକୁ ଯାଇ ତାଙ୍କ ଚରଣ ପାଖରେ ଛିଡ଼ା ହେଲେ। ଏହାପରେ ରାବଣ ଲକ୍ଷ୍ମଣଙ୍କୁ ତିନୋଟି ଗୁରୁଜ୍ଞାନ ଦେଇଥିଲେ।
ପ୍ରଥମଟି ହେଲା ‘ଶୁଭସ୍ୟ ଶୀଘ୍ରମ୍’ ଅର୍ଥାତ୍ ଶୁଭ କାର୍ଯ୍ୟରେ ବିଳମ୍ବ କରିବନାହିଁ। ଯେତେ ଶୀଘ୍ର ପାରିବ ଶୁଭ କାର୍ଯ୍ୟ କରିଦେବା ଉଚିତ୍। ଏହାର ଉଦାହରଣ ଦେଇ କହିଥିଲେ, ମୁଁ ପ୍ରଭୁ ରାମଚନ୍ଦ୍ରଙ୍କୁ ଚିହ୍ନିବାରେ ବିଳମ୍ବ କଲି। ଯାହାଫଳରେ ମୋର ଆଜି ଏପରି ଦଶା ହୋଇଛି।
ଦ୍ୱିତୀୟ କଥାଟି ହେଲା ‘ନିଜ ଶତ୍ରୁକୁ କେବେ ବି ଦୁର୍ବଳ ଭାବିବନାହିଁ’। ବ୍ରହ୍ମାଙ୍କଠାରୁ ବରଦାନ ମାଗିଲା ବେଳେ ମୁଁ ଏହି ଭୁଲ କରିଥିଲି। ମନୁଷ୍ୟ ଓ ମର୍କଟଙ୍କୁ ଛାଡ଼ିଦେଲେ ମୋତେ ଆଉ କେହି ବଧ କରିପାରିବେନି ବୋଲି ବର ମାଗିଥିଲି। କାରଣ ମୁଁ ଏମାନଙ୍କୁ ତୁଚ୍ଛ ଭାବୁଥିଲି। କିନ୍ତୁ ଏମାନେ ହିଁ ମୋ ବିନାଶର କରାଣ ହେଲେ।
ତୃତୀୟ କଥାଟି ହେଲା ‘ନିଜ ଜୀବନର ଗୁଢ଼ ରହସ୍ୟ କାହା ପାଖରେ ଉନ୍ମୋଚନ କରିବ ନାହିଁ’। ମୁଁ ଏହି ଭୁଲ କରିଥିଲି। ମୋର ମୃତ୍ୟୁର ରହସ୍ୟ ବିଭୀଷଣ ଜାଣିଥିଲେ। ଯାହାଫଳରେ ରାମଚନ୍ଦ୍ର ମୋତେ ବଧ କରିପାରିଲେ। ଏହା ମୋ ଜୀବନର ସବୁଠାରୁ ବଡ଼ ଭୁଲ ଥିଲା।