ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବ୍ୟସାଚୀ ମିଶ୍ର ଓ ସୋନୁ ସୁଦ୍। ଜଣେ ଓଲିଉଡ୍ର ଚକୋଲେଟ୍ ହିରୋ ଏବଂ ଅନ୍ୟ ଜଣେ ହେଉଛନ୍ତି ବଲିଉଡ୍ର ବେଷ୍ଟ ଆକ୍ଟର। ହେଲେ ଏବେ ବିନା ଲାଇଟ୍ ଆକ୍ସନ ଓ କ୍ୟାମେରାରେ ମଧ୍ୟ ଉଭୟ ଲାଇମ୍ ଲାଇଟ୍ରେ। ତାଲା ବନ୍ଦ ଯୋଗୁ ରିଲ ଲାଇଫ୍ରେ ତାଲା ପଡ଼ିଥିବା ବେଳେ ରିଏଲ ଲାଇଫ୍ରେ ଲୋକଙ୍କ ପାଇଁ ହିରୋ ସାଜି ସଭିଙ୍କ ହୃଦୟ ଜିତିନେଇଛନ୍ତି ଏ ଦୁହେଁ ଷ୍ଟାର। ଲକ୍ଡାଉନ୍ରେ ଫସିଥିବା ଲୋକଙ୍କ ପାଇଁ ସଙ୍କଟମୋଚକ ସାଜିଛନ୍ତି ଉଭୟ କଳାକାର। ମହାମାରୀ କରୋନା ସମୟରେ ମାନବିକତା ଦେଖାଇ ମନ କିଣିନେଇଛନ୍ତି ସବ୍ୟସାଚୀ ମିଶ୍ର ଓ ସୋନୁ ସୁଦ୍।
ରାଜସ୍ଥାନରେ ଫସିଥିବା କିଛି ଓଡ଼ିଆ ଛାତ୍ରଛାତ୍ରୀ ସାହାଯ୍ୟ ପାଇଁ ଅପିଲ୍ କରିବା ପରେ ସେମାନଙ୍କୁ ସହାୟତା ପାଇଁ ଆଗେଇ ଆସିଥିଲେ ସବ୍ୟସାଚୀ। ଏଥିପାଇଁ ସେ ଦୁଇଟି ବସ୍ର ବ୍ୟବସ୍ଥା କରିଥିଲେ। ଗୋଟିଏ ବସ୍ ଭୁବନେଶ୍ୱରରୁ ଏବଂ ଅନ୍ୟଟି ବାରିପଦାରୁ ରାଜସ୍ଥାନ ଯାଇ ଛାତ୍ରଛାତ୍ରୀଙ୍କୁ ନେଇ ଫେରିଥିଲା। ଖାଲି ସେତିକି ନୁହେଁ ଆନ୍ଧ୍ରପ୍ରଦେଶର ଫସିଥିବା ୨୯ ଜଣ ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ବସ୍ ପଠାଇ ସେମାନଙ୍କୁ ଓଡ଼ିଶା ଆଣିବାର ବ୍ୟବସ୍ଥା କରିଛନ୍ତି ସବ୍ୟସାଚୀ। ଆଗରୁ ମଧ୍ୟ ସାମାଜିକ ଦାୟିତ୍ୱବୋଧ ଦେଖାଇ ଚର୍ଚ୍ଚାରେ ଅଛନ୍ତି ସବ୍ୟସାଚୀ। କରୋନା ମୁକାବିଲା ପାଇଁ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଲକ୍ଷେ ଟଙ୍କା ଦାନ କରି ନିଜକୁ ବିପଦର ବନ୍ଧୁ ପରିଚୟ ସୃଷ୍ଟି କରିପାରିଛନ୍ତି।
ସେମିତି ଆଉ ଜଣେ ଦେବଦୂତ ହେଉଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ଲକଡାଉନ୍ ଦୁର୍ଦ୍ଦଶାରେ ଘାଣ୍ଟି ହୋଇ ଯେବେ ଶହ ଶହ ଶ୍ରମିକ ମାଇଲ ମାଇଲ କିମି ଚାଲିବା ଆରମ୍ଭ କରିଥିଲେ ସେତେବେଳେ ଶାନ୍ତିରେ ଶୋଇପାରି ନଥିଲେ ସୋନୁ। ମୁମ୍ବାଇରେ ଫଶି ଥିବା ଏମିତି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯାନବାହନର ବନ୍ଦୋବସ୍ତ କରିଥିଲେ ସେ। ପ୍ରଥମ ଦଫାରେ ୭୦୦ ଜଣ ପ୍ରବାସୀ ଶ୍ରମିକଙ୍କ ପାଇଁ ନିଜ ଘର ଉତ୍ତରପ୍ରଦେଶ ଓ ବିହାରକୁ ଯିବା ପାଇଁ ସୋନୁ ନିଜ ଖର୍ଚ୍ଚରେ ବନ୍ଦୋବସ୍ତ କରିଥିଲେ । ପରେ ପାଖାପାଖି ୧୨, ୦୦୦ ଲୋକଙ୍କୁ ନିଜ ଘରକୁ ଫେରାଇ ପାରିଛନ୍ତି ସୋନୁ। କେବଳ ସେତିକି ନୁହେଁ ଆହୁରୀ ୪୫,୦୦୦ ଲୋକଙ୍କୁ ସହାୟତା ପାଇଁ ଚିନ୍ତା କରିଛନ୍ତି ସୋନୁ।
ତାଙ୍କ କହିବା ଅନୁଯାୟୀ ଶେଷ ପ୍ରବାସୀ ଜଣକ ଘରେ ନ ପହଞ୍ଚିବା ପର୍ଯ୍ୟନ୍ତ ବିଶ୍ରାମ ନେବେ ନାହିଁ । ରିଲ୍ ଲାଇଫ୍ରେ ଅନେକ ସୁପରଷ୍ଟାର ହିରୋ ଥାଇପାରନ୍ତି ହେଲେ ବିପଦ ବେଳେ ବଦାନ୍ୟତା ଦେଖାଇଥିବା ଏମାନେ ଯେ, ରିଏଲ ଲାଇଫ୍ର ପ୍ରକୃତ ହିରୋ ତାହା ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲେଖା ହୋଇ ରହିବ।