ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଦିନେ କି ୨ ଦିନ ନୁହେଁ, ପ୍ରାୟ ବର୍ଷେ ପାଖାପାଖି ହେବ ପଦଯାତ୍ରାରେ ବାହାରିଛନ୍ତି ସତ୍ୟବ୍ରତ ଦାସ ନାମକ ସମାଜସେବୀ। ପାଦ ଥକି ପଡ଼ୁଥିଲେ ବି ମନୋବଳ ସୁଦୃଢ ଥିବାରୁ ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି। ନିଜ ପଦଯାତ୍ରା ଦ୍ୱାରା ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହାସଲ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି । ଏଥିନିମନ୍ତେ ସେ ରାଜ୍ୟର ୩୧୪ ବ୍ଲକରୁ ପ୍ରାୟ ୧୯୦ଟି ବ୍ଳକ ଅତିକ୍ରମ କରି ସାରିଥିବା ବେଳେ ସମସ୍ତ ବ୍ଲକରେ ପହଞ୍ଚି ସାଧାରଣ ଲୋକଙ୍କୁ ସଚେତନ କରିବାର ଲକ୍ଷ୍ୟ ରଖିଛନ୍ତି।
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଭଗବାନସିନ୍ଧଲ ଗ୍ରାମର ଯୁବ ସମାଜସେବୀ ସତ୍ୟବ୍ରତ ଦାସ । ଗତବର୍ଷ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ରୁ ପଦଯାତ୍ରା ଆରମ୍ଭ କରିଥିଲେ। ସତ୍ୟବ୍ରତ ବର୍ତ୍ତମାନ ସୁଦ୍ଧା ୫,୫୦୦ କିଲୋମିଟର ଯାତ୍ରା କରିସାରିଛନ୍ତି।
ଇତି ମଧ୍ୟରେ ସେ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଦେବଗଡ଼, ବୌଦ୍ଧ, ନୂଆପଡ଼ା, ସୋନପୁର, କନ୍ଧମାଳ ଜିଲ୍ଲା ଅତିକ୍ରମ କରି ଗଜପତି ଜିଲ୍ଲାରେ ପହଞ୍ଚିଛନ୍ତି। ୩୩୫ ଦିନରେ ସେ ୧୯୦ଟି ବ୍ଲକ ଅତିକ୍ରମ କରି ବିଡିଓମାନଙ୍କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନିମନ୍ତେ ଦାବି ଜଣାଇଛନ୍ତି। ସେମାନଙ୍କ ଦ୍ୱାରା ସେ ରାଷ୍ଟ୍ରପତିଙ୍କ ନିକଟରେଳ ନିଜ ଦାବି ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି।
ପଦଯାତ୍ରାରେ ଏକୁଟିଆ ବାହାରିଥିଲେ ମଧ୍ୟ ଓଡ଼ିଶାର ସାଢେ ୪ କୋଟି ଜନତା ତାଙ୍କ ସଙ୍ଗେ ଥିବା କହିଛନ୍ତି ସତ୍ୟବ୍ରତ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବା ପର୍ଯ୍ୟନ୍ତ ସେ ବିଭିନ୍ନ ପନ୍ଥା ଅବଲମ୍ବନ କରି ଏହି ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। କରୋନା ପରି ମହାମାରୀ ସମୟରେ ଜନସଚେତନତା ସୃଷ୍ଟି କରିବାକୁ ମାସ୍କ ପିନ୍ଧୁଥିବା ବେଳେ ହାତକୁ ସବୁବେଳେ ସାନିଟାଇଜ କରିବାକୁ ବାର୍ତ୍ତା ଦେଇଛନ୍ତି।