ଦକ୍ଷତାବୃଦ୍ଧି ତାଲିମ୍ କେନ୍ଦ୍ର ଏବେ ଭୂତକୋଠି

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ବେକାର ଯୁବକଯୁବତୀମାନଙ୍କୁ ତାଲିମ୍ ଦେଇ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏସବୁ ଭାଙ୍ଗିରୁଜି ନଷ୍ଟ ହୋଇଯାଉଛି। ଏହାର ଏକ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲା ବିଷମକଟକ ସଦର ମହକୁମାରେ ଦେଢ଼ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଦକ୍ଷତାବୃଦ୍ଧି ତାଲିମ୍ କେନ୍ଦ୍ର। ଏବେ ଏହା ନଷ୍ଟ ହେବାକୁ ବସିଲାଣି। ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୃହଟିକୁ […]

uuuuuuuuuu0

Tapaswini Nayak
  • Published: Thursday, 20 February 2020
  • , Updated: 21 February 2020, 09:16 AM IST

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ବେକାର ଯୁବକଯୁବତୀମାନଙ୍କୁ ତାଲିମ୍ ଦେଇ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏସବୁ ଭାଙ୍ଗିରୁଜି ନଷ୍ଟ ହୋଇଯାଉଛି। ଏହାର ଏକ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲା ବିଷମକଟକ ସଦର ମହକୁମାରେ ଦେଢ଼ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଦକ୍ଷତାବୃଦ୍ଧି ତାଲିମ୍ କେନ୍ଦ୍ର। ଏବେ ଏହା ନଷ୍ଟ ହେବାକୁ ବସିଲାଣି।

୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୃହଟିକୁ ଉଦଘାଟନ କରିଥିଲେ। ପୂର୍ବତନ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଏହି କୋଠାଟିକୁ ଏକ ତାଲିମ୍ ସଂସ୍ଥାକୁ ହସ୍ତାନ୍ତର କରିଥିଲେ। ଏହି ସଂସ୍ଥା ମାଧ୍ୟମରେ ବେକାର ଯୁବକ ଯୁବତୀମାନେ ସିଲେଇ, ପାଣି ପାଇପ୍ ମରାମତି ଓ ମଟର ଯାନ ମରାମତି ଭଳି ତାଲିମ୍ ପାଇ ଚାକିରି କରିବାର ସୁଯୋଗ ପାଇ ପାରୁଥିଲେ। ଏହି କେନ୍ଦ୍ରରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଆବାସ ସ୍ଥଳ ମଧ୍ୟ ନିର୍ମାଣ କରାଯାଇଥିଲା। ଯେଉଁଠି ପିଲାମାନେ ରହି ପାଠ ପଢ଼ିବାର ସୁଯୋଗ ପାଉଥିଲେ।

ଦୁଇ ବର୍ଷ ଏହି ତାଲିମ କେନ୍ଦ୍ରଟି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ତା’ପରଠୁ ତାଲିମ କେନ୍ଦ୍ରଟି ବନ୍ଦ ହୋଇପଡ଼ିଛି। ଏହା ଏବେ ଭୂତକୋଠି ପାଲଟି ଗଲାଣି। ରକ୍ଷଣାବେକ୍ଷଣ ଅଭାବରୁ ନିର୍ମିତ ଘର ସବୁ ନଷ୍ଟ ହେବାକୁ ବସିଲାଣି। ଗଛଲତା ମାଡ଼ି ତାଲିମ କେନ୍ଦ୍ରଟି ଜଙ୍ଗଲରେ ପରିଣତ ହୋଇଗଲାଣି।ଲୋକେମାନେ ଏବେ ଏହି କେନ୍ଦ୍ରକୁ ଆସିବାକୁ ଭୟ କରୁଛନ୍ତି। ରାତିରେ ଏହା ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳି ପାଲଟିଯାଇଛି। ଏହି ତାଲିମ କେନ୍ଦ୍ରଟିକୁ ପୁନରୁଦ୍ଧାର କରି ଏହାକୁ ଚାଲୁ କରିବାକୁ ସାଧାରଣରେ ଦାବି ହେଉଛି I

ବିଷମକଟକ ଗ୍ରାମବାସୀ ପୁରୁଷୋତ୍ତମ ଗୌଡ଼ କହିଛନ୍ତି, “ଦୁଇ ବର୍ଷ ଏହି ତାଲିମ କେନ୍ଦ୍ରଟି ଚାଲିଲା, ତା’ପରେ ବନ୍ଦ ହୋଇଗଲା। ଏବେ ଏଠାରେ ଗଛଲତା ମାଡ଼୍ଡିଜଙ୍ଗଲ ହୋଇଗଲାଣି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି କେନ୍ଦ୍ରଟି ନିର୍ମାଣ କଲେ, ହେଲେ କିଛି ଲାଭ ହେଲା ନାହିଁ।”

ସ୍ଥାନୀୟ ବୁଦ୍ଧିଜୀବୀ ଦୀଲିପ ପଟ୍ଟନାୟକ କହିଛନ୍ତି, “ଦୁଇ ବର୍ଷ ଏହି ତାଲିମ କେନ୍ଦ୍ରଟି ଚାଲିବା ପରେ ଏହା ବନ୍ଦ ହୋଇଗଲା। ଏହି କେନ୍ଦ୍ରରେ ଗରିବ ପିଲାମାନେ ଆସି ତାଲିମ ନେଉଥିଲେ। କାହିଁକି ତାଲିମ କେନ୍ଦ୍ର ବନ୍ଦ ହୋଇଗଲା ସରକାର ତଦନ୍ତ କରୁ ନାହାନ୍ତି। ସରକାର ଏହି ତାଲିମ କେନ୍ଦ୍ରଟିକୁ ପୁଣି ଚାଲୁ କରନ୍ତୁ।”

ଶୀଘ୍ର ଏହି ତାଲିମ କେନ୍ଦ୍ରଟି କାର୍ଯ୍ୟକ୍ଷମ କରାଯିବ ବୋଲି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି।

Related story