ସ୍କୁଲ୍‌ ହତାରେ କିଚେନ୍‌ ଗାର୍ଡେନ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଦିନକୁ ଦିନ ବଜାରରେ ପରିବା ଦର ବଢ଼ୁଥିବାରୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସ୍କୁଲରେ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍କୁଲ୍‌ ହତାରେ କିଚେନ୍‌ ନ୍ୟୁଟ୍ରିସନ୍ ଗାର୍ଡେନ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରାଯାଉଛି। ଏଥିରୁ ବାହାରୁ ଥିବା ପରିବାକୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବ୍ୟବହାର କରାଯାଉଛି। ଏହି ବଗିଚା ଗୁଡ଼ିକରେ ମୂଳା, ଫୁଲକୋବି, ଟମାଟୋ, ଅମୃତଭଣ୍ଡା,ସାରୁ, ଲେମ୍ବୁ, କଖାରୁ, କଦଳୀ, ସଜନା ଓ ଲଙ୍କା […]

school9

Tapaswini Nayak
  • Published: Monday, 23 December 2019
  • , Updated: 23 December 2019, 03:38 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଦିନକୁ ଦିନ ବଜାରରେ ପରିବା ଦର ବଢ଼ୁଥିବାରୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସ୍କୁଲରେ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍କୁଲ୍‌ ହତାରେ କିଚେନ୍‌ ନ୍ୟୁଟ୍ରିସନ୍ ଗାର୍ଡେନ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରାଯାଉଛି। ଏଥିରୁ ବାହାରୁ ଥିବା ପରିବାକୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବ୍ୟବହାର କରାଯାଉଛି।

ଏହି ବଗିଚା ଗୁଡ଼ିକରେ ମୂଳା, ଫୁଲକୋବି, ଟମାଟୋ, ଅମୃତଭଣ୍ଡା,ସାରୁ, ଲେମ୍ବୁ, କଖାରୁ, କଦଳୀ, ସଜନା ଓ ଲଙ୍କା ଚାଷ କରାଯାଉଛି।  ସ୍କୁଲର ଛାତ୍ରଛାତ୍ରୀମାନେ ଏହି ଗଛ ଗୁଡ଼ିକ ଲଗାଉଛନ୍ତି। ଶିକ୍ଷକମାନେ ସେମାନଙ୍କୁ ଏ କାମରେ ସାହାଯ୍ୟ କରୁଛନ୍ତି। ସ୍କୁଲ୍‌ ଛୁଟି ହେଲେ ଛାତ୍ରଛାତ୍ରୀମାନେ ବଗିଚାରେ କାମ କରୁଛନ୍ତି। ସେମାନେ ପାଣି ଦେବା, ଘାସ ବାଛିବା ଓ ଗଛ ଲଗାଇବା କାମ କରୁଛନ୍ତି। ବିନା ସାରରେ ଜୈବିକ ପଦ୍ଧତିରେ ଏହି ଗଛ ଗୁଡ଼ିକ ଲଗାଯାଇଥାଏ। କିଛି ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଚାଷୀ ପରିବାରର ହୋଇଥିବାରୁ ସେମାନେ ଘରୁ ମଞ୍ଜି ଓ ଚାରା ଗଛ ଆଣି ସ୍କୁଲ ହତାରେ ଲଗାଉଛନ୍ତି।

ସ୍କୁଲ୍‌ ହତାରେ କରାଯାଇଥିବା କିଚେନ୍‌ ନ୍ୟୁଟ୍ରିସନ୍‌ ଗାର୍ଡେନରୁ ପରିବା ଆଣି ମଧ୍ୟାହ୍ନ ଭୋଜନରେ ଡାଲମା ଓ ତରକାରି ଆଦି କରାଯାଉଛି। ଫଳରେ ବଜାରରେ ପନିପରିବା ଦର ଉଚ୍ଚା ରହିଲେ ବି ଏହି ସବୁ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଖାଇବାକୁ ପାଇଥା’ନ୍ତି।

ପୁରୁଣାପାଟଣା ୟୁଜି ହାଇସ୍କୁଲ୍‌ର ଛାତ୍ରୀ ପୁଷ୍ପାଞ୍ଜଳି ମଲ୍ଲିକ କହିଛନ୍ତି, “ଆମ ସ୍କୁଲରେ କିଚେନ୍‌ ନ୍ୟୁଟ୍ରିସନ୍ ଗାର୍ଡେନ କରାଯାଇଛି। ସେଥିରେ ବିଭିନ୍ନ ପନିପରିବା ଲଗାଯାଇଛି। ସେହି ପନିପରିବାକୁ ମଧ୍ୟାହ୍ନ ଭୋଜନରେ ଆମକୁ ରୋଷେଇ କରି ଖାଇବାକୁ ଦିଆଯାଉଛି।”

ରାମପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜୁ ପ୍ରଧାନ କହିଛନ୍ତି, “ପ୍ରାୟ ଦେଢ଼ ବର୍ଷ ହେବ ଆମ ସ୍କୁଲରେ କିଚେନ୍‌ ନ୍ୟୁଟ୍ରିସନ୍ ଗାର୍ଡେନ କରାଯାଇଛି।ଏଥିରେ ବିଭିନ୍ନ ପ୍ରକାର ପନିପରିବା ଗଛ ଲଗାଯାଇଛି। ସେହି ପରିବା ତୋଳି ଆମେ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଖାଇବାକୁ ଦେଉଛୁ।”

ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା କହିଛନ୍ତି, “କିଚେନ୍‌ ନ୍ୟୁଟ୍ରିସେନ୍ ଗାର୍ଡେନ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ଚାଷ ଉପରେ ସମ୍ୟକ ଜ୍ଞାନ ପାଇବା ସହ ବୃକ୍ଷରୋପଣ ଓ ତା’ର ସୁରକ୍ଷା ବିଷୟରେ ଜାଣିପାରିବେ। ଭବିଷ୍ୟତରେ ଏହା ସେମାନଙ୍କ କାମରେ ବି ଆସିବ।”

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍କୁଲ୍‌ରେ ନିଆଯାଇଥିବା ଏହି ପଦକ୍ଷେପ ନିଶ୍ଚିତ ଭାବେ ରାଜ୍ୟର ଅନ୍ୟ ସ୍କୁଲ୍‌ଗୁଡ଼ିକ ପାଇଁ ଅନୁକରଣୀୟ। କାରଣ ଏହା ଦ୍ୱାରା ପିଲାମାନେ ପୁଷ୍ଟିକର ଖାଦ୍ୟ ପାଇ ପାରିବେ ଓ ତା’ ସହିତ ଚାଷବାସ ପ୍ରତି ସେମାନେ ସଚେତନ ହୋଇପାରିବେ।

Related story