ନୂଆଦିଲ୍ଲୀ: "ମୋର ମୃତ୍ୟୁକୁ ଭୟ ନାହିଁ। ଶୀଘ୍ର ମରିବାର କୌଣସି ଅଭିପ୍ରାୟ ମଧ୍ୟ ନାହିଁ। କାରଣ ମରିବା ପୂର୍ବରୁ ଜୀବନରେ ଅନେକ କିଛି କରିବାକୁ ବାକି ଅଛି।" ଏକଥା କହିଥିଲେ ମହାନ ବୈଜ୍ଞାନିକ ଷ୍ଟିଫେନ୍ ହକିଂସ। ଯାହାଙ୍କ ଶରୀରର କୌଣସି ଅଙ୍ଗ କାମ କରୁ ନ ଥିଲା। ସେ ଚାଲିପାରୁ ନଥିଲେ କି କହି ପାରୁ ନ ଥିଲେ। କହିବାକୁ ଗଲେ ଚିନ୍ତା କରିବା ଛଡ଼ା ସେ ଆଉ କିଛି କରିପାରୁ ନଥିଲେ। ଏସବୁ ପ୍ରତିବନ୍ଧକ ଓ ସମସ୍ୟା ସତ୍ତ୍ୱେ ସେ ବଞ୍ଚି ରହିବା ପାଇଁ ଚାହୁଁଥିଲେ।
ତାଙ୍କ କହିବା ଅନୁଯାୟୀ ମୃତ୍ୟୁ ତ ସୁନିଶ୍ଚିତ। କିନ୍ତୁ ଜନ୍ମ ଏବଂ ମୃତ୍ୟୁ ଭିତରେ କେମିତି ବଞ୍ଚିବାକୁ ହେବ ତାହା ଆମ ଉପରେ ନିର୍ଭର କରେ। ଜୀବନ ଯେତେ କଠିନ ହେଉନା କାହିଁକି, ଆପଣ ସବୁବେଳେ କିଛି ନା କିଛି କରିପାରିବେ। ଆଉ ସଫଳ ହୋଇପାରିବେ।
ଷ୍ଟିଫେନଙ୍କ ଜନ୍ମ ୧୯୪୨ ମସିହା ଜାନୁୟାରୀ ୮ ତାରିଖରେ ଇଂଲଣ୍ଡର ଅକ୍ସଫୋର୍ଡ଼ ସହରରେ ହୋଇଥିଲା। ଯେତେବେଳେ ଷ୍ଟିଫେନଙ୍କ ଜନ୍ମ ହୋଇଥିଲା ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା। ଷ୍ଟଫେନଙ୍କ ବାପା ମା’ ଲଣ୍ଡନର ଯେଉଁ ଇଲାକାରେ ରହୁଥିଲେ ସେଠି ଘମାଘୋଟ ବମ୍ ଧମାକା ଚାଲିଥିଲା। ଯେଉଁ କାରଣରୁ ନିଜ ପୁଅର ଜନ୍ମ ପାଇଁ ସେମାନେ ଅକ୍ସଫୋର୍ଡ଼ ଚାଲି ଆସିଥିଲେ। ଯେଉଁଠି ସୁରକ୍ଷିତ ଭାବେ ଷ୍ଟିଫେନ୍ଙ୍କ ଜନ୍ମ ହୋଇପାରିଥିଲା।
ପିଲାବେଲୁ ଷ୍ଟିଫେନ୍ ଖୁବ୍ ବୁଦ୍ଧିମାନ ଥିଲେ। ତାଙ୍କ ବାପା ଜଣେ ଡାକ୍ତର ଏବଂ ମା ଗୃହିଣୀ ଥିଲେ। ପିଲାବେଳୁ ଷ୍ଟିଫେନ୍ଙ୍କୁ ଆଇନ୍ଷ୍ଟାଇଇନ୍ ଡକାଯାଉଥିଲା। ଗଣିତ ପାଠ ଷ୍ଟିଫେନ୍ଙ୍କ ଖୁବ୍ ପ୍ରିୟ ଥିଲା। ଏମିତିକି ସେ ପୁରୁଣା ଉପକରଣରୁ କମ୍ପ୍ୟୁଟର ତିଆରି କରିପାରୁଥିଲେ। ୧୭ ବର୍ଷ ବୟସରେ ସେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିଲେ। ସେଠାରେ ପଢିଲାବେଳେ ନିଜ ନିୟମିତ କାମ କରିବା ପାଇଁ ତାଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥଲା।
ଦିନେ ଛୁଟି କଟାଇବା ପାଇଁ ସେ ନିଜ ଘରକୁ ଆସିଥିଲେ। ତେବେ ଘରେ ଶିଢିରୁ ଓହ୍ଲାଇଲା ବେଳେ ତାଙ୍କ ଗୋଡ଼ ମୋଡ଼ି ହୋଇ ଯାଇଥିଲା। ଆଉ ସେ ତଳେ ପଡ଼ିଯାଇଥିଲେ। ପ୍ରଥମରୁ ସେ ଏହାକୁ ଛୋଟ ଏକ ଦୁର୍ଘଟଣା ଭାବି ବେଶୀ ଧ୍ୟାନ ଦେଲେ ନାହିଁ। କିନ୍ତୁ ପରେ ସେ ଧୀରେ ଧୀରେ ସେ ଅନେକ ସମସ୍ୟା ବାହାରିଲା। ତେବେ ଏନେଇ ପରୀକ୍ଷା କରିବାରୁ ସେ କେବେ ଆଉ ଭଲ ନହେଳା ଭଳି ରୋଗରେ ପୀଡ଼ିତ ହୋଇଛନ୍ତି ବୋଲି ଜଣାପଡ଼ିଲା। ମାତ୍ର ୨୨ ବର୍ଷ ବୟସରେ ୧୯୬୪ ମସିହାରେ ଏକ ବିରଳ ରୋଗ ମୋଟର୍ ନ୍ୟୁରନ୍ରେ ପୀଡ଼ିତ ହୋଇଥିଲେ। ସେତେବେଳେ ଡାକ୍ତର କହିଥିଲେ ଷ୍ଟିଫେନ୍ ଅତିବେଶିରେ ଆଉ ୨ ବର୍ଷ ବଞ୍ଚିପାରିବେ। କାରଣ ଆଗାମୀ ୨ବର୍ଷରେ ତାଙ୍କ ଶରୀର ଅକାମୀ ପରିସ୍ଥିତିକୁ ଚାଲିଆସିବ। ଏହାକୁ ନେଇ ଷ୍ଟିଫେନ୍ ବହୁତ ଚିନ୍ତିତ ଥିଲେ।
ହେଲେ ସେ କହିଥିଲେ ମୁଁ ଏମିତି ମରିପାରିବିନି। ଜୀବନରେ ଅନେକ କିଛି କରିବାକୁ ବାକି ଅଛି। ତୁରନ୍ତ ସେ ଏହି ରୋଗକୁ ଭୁଲି ଷ୍ଟିଫେନ୍ ତାଙ୍କ ବୈଜ୍ଞାନିକ ଜୀବନ ଆରମ୍ଭ କଲେ। ନିଜକୁ ସମ୍ପୂର୍ଣ୍ଣ ଭାବେ ନିଜକୁ ବିଜ୍ଞାନରେ ସମର୍ପିତ କରିଦେଇଥିଲେ। ଧୀରେ ଧୀରେ ତାଙ୍କ ଖ୍ୟାତି ବଢିବାକୁ ଲାଗିଲା। ଏହି ରୋଗକୁ ସେ ଏକ ବରଦାନ ସଦୃଶ ଭାବି ନେଇଥିଲେ।
ଅନ୍ୟପକ୍ଷରେ ତାଙ୍କ ଶରୀର ତାଙ୍କୁ ଆଉ ସାଥ୍ ଦେଉ ନଥିଲା। ଧୀରେ ଧୀରେ ତାଙ୍କ ବାମପଟ କାମ କରିବା ବନ୍ଦ କରିଦେଲା। ରୋଗ ବଢ଼ିବା ପରେ ତାଙ୍କୁ ହୁଇଲ ଚେୟାରର ସହଯୋଗ ନେବାକୁ ପଡ଼ିଲା। ତାଙ୍କର ଏହି ଚେୟାର ଏକ କମ୍ପ୍ୟୁଟର ସଂଲଗ୍ନ ହୋଇ ଥିଲା। ଯେମିତିକି ତାଙ୍କ ମୁଣ୍ଡ ଓ ହାତର ସ୍ପର୍ଶରେ ସେ କ’ଣ କହିବା ପାଇଁ ଚାହୁଁଛନ୍ତି ତାହା କମ୍ପ୍ୟୁଟର ଜାଣିପାରୁଥିଲା। ଧୀରେ ଧୀରେ ଷ୍ଟିଫେନ୍ଙ୍କ ପୂରା ଶରୀର କାମ କରିବା ବନ୍ଦ କରିଦେଲା।
ସେ ଏହି ରୋଗ ଯୋଗୁ ସେ ଶାରୀରିକ କ୍ଷେତ୍ରରେ ବିକଳାଙ୍ଗ ଥିଲେ। ହେଲେ ମାନସିକ ରୂପରେ ନୁହେଁ। ଏମିତି ସମୟ ଗଡ଼ି ଚାଲିଲା। ଆଉ ହକିଂସ ମୃତ୍ୟୁକୁ ମାତ ଦେଇଚାଲିଥିଲେ। ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ଏବଂ ସାର ଆଇଜାକ୍ ନ୍ୟୁଟନ୍ଙ୍କ ପରେ ତୃତୀୟ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ଷ୍ଟିଫେନ୍ ହକିଂଙ୍କ ସୁଖ୍ୟାତି ଓ ସଫଳତା ବିଶ୍ୱବିଦିତ । ୧୯୭୪ ମସିହାରେ ସେ ବ୍ରିଟେନ୍ର ‘ଦି ରୟାଲ ସୋସାଇଟି’ର ସର୍ବକନିଷ୍ଠ ଫେଲୋ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୯ ମସିହାରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଗଣିତ ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ।
ନୋବେଲ ପୁରସ୍କାରରୁ ବଞ୍ଚିତ ହୋଇଥିଲେ ମଧ୍ୟ ଗୁରୁତ୍ୱାକର୍ଷଣ, ବ୍ରହ୍ମାଣ୍ଡ ବିଜ୍ଞାନ, କ୍ୱାଣ୍ଟମ ଥିଓରି, ସୂଚନା ସିଦ୍ଧାନ୍ତ ଏବଂ ଥରମୋ ଡାୟନାମିକ୍ସ ଆଦିକୁ ଏକ ସଙ୍ଗରେ ଗବେଷଣା କରି ସେ ଅପାର ସଫଳତା ହାସଲ କରିଥିଲେ। ବ୍ଲାକ୍ହୋଲ୍ ବା କୃଷ୍ଣଗର୍ତ୍ତକୁ ନେଇ ଚାଲିଥିବା ଗବେଷଣାକୁ ଷ୍ଟିଫେନ୍ ନୂଆ ମୋଡ଼ ଦେବାରେ ସକ୍ଷମ ହୋଇଥିଲେ।
ମାର୍ଚ୍ଚ ୨୦୧୮ରେ ୭୬ ବର୍ଷ ବୟସରେ ବ୍ରିଟିଶ ୟୁନିଭର୍ସିଟି କେମ୍ବ୍ରିଜ୍ର ପରିସରସ୍ଥିତ ତାଙ୍କ ବାସଭବନରେ ଷ୍ଟିଫେନଙ୍କ ପରଲୋକ ହୋଇଥିଲା । ଷ୍ଟିଫେନ୍ ହକିଂ ଏକ ଏମିତି ନାମ ଯିଏ ଶାରିରୀକ ରୂପରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିଲେ ହେଁ ମଧ୍ୟ ନିଜ ଆତ୍ମବିଶ୍ୱାସ ବଳରେ ବିଶ୍ୱରେ ସବୁଠାରୁ ଅନନ୍ୟ ବୈଜ୍ଞାନିକଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।