ତୁଳସୀ ଗଛ ବଞ୍ଚିଲେ, ସଞ୍ଜନା ବଞ୍ଚିବ

କେନ୍ଦୁଝର (ପ୍ରଣୟ ପାଣି): ଅନ୍ଧବିଶ୍ୱାସର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ଗୁଣିଆ କାଳେ କହିଛି, ତୁଳସୀ ଗଛ ବଞ୍ଚିଲେ କ୍ୟାନସରରେ ପୀଡ଼ିତ ଝିଅର ଜୀବନ ବଞ୍ଚିବ।  ତୁଳସୀ ଗଛ ମଲେ ଝିଅର ଜୀବନ ଚାଲିଯିବ। ଆଉ ଏବେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାଟି ଏହି ପରି। କେନ୍ଦୁଝର ସଦର ବ୍ଲକ୍ ଗୋପୀନାଥପୁର ପଞ୍ଚାୟତର ଧାତିକା ଗାଁରେ ରହନ୍ତି ସୁଜନ ମହାକୁଡ଼। କିଛି ବର୍ଷ ପୂର୍ବେ ଏକ ଅଜଣା ରୋଗରେ […]

keonjhar

Jyoshna Pradhan
  • Published: Saturday, 09 November 2019
  • , Updated: 09 November 2019, 03:15 PM IST

କେନ୍ଦୁଝର (ପ୍ରଣୟ ପାଣି): ଅନ୍ଧବିଶ୍ୱାସର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ଗୁଣିଆ କାଳେ କହିଛି, ତୁଳସୀ ଗଛ ବଞ୍ଚିଲେ କ୍ୟାନସରରେ ପୀଡ଼ିତ ଝିଅର ଜୀବନ ବଞ୍ଚିବ।  ତୁଳସୀ ଗଛ ମଲେ ଝିଅର ଜୀବନ ଚାଲିଯିବ। ଆଉ ଏବେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ଏହି ପରି। କେନ୍ଦୁଝର ସଦର ବ୍ଲକ୍ ଗୋପୀନାଥପୁର ପଞ୍ଚାୟତର ଧାତିକା ଗାଁରେ ରହନ୍ତି ସୁଜନ ମହାକୁଡ଼। କିଛି ବର୍ଷ ପୂର୍ବେ ଏକ ଅଜଣା ରୋଗରେ ବଡ଼ ଝିଅ ଆରପାରିକୁ ଚାଲିଗଲା। ଏବେ ପୁଅ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସାନ ଝିଅ ସଞ୍ଜନାକୁ ମାତ୍ର ୧୦ ବର୍ଷ ହୋଇଛି।  କିଛି ମାସ ତଳେ ସଞ୍ଜନା ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ କଟକ ନେଇଯିବାକୁ ପରାମର୍ଶ ଦେଇଥିଲେ।। ତେବେ ସୁଜନଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଝିଅକୁ କଟକ ନେଇ ନଥିଲେ। ଫଳରେ ଘରେ ପଡ଼ିପଡ଼ି ତାଙ୍କ ଅବସ୍ଥା ଆହୁରି ବିଗିଡ଼ିବାକୁ ଲାଗିଥିଲା। ଝିଅର ଚିକିତ୍ସା ପାଇଁ  ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସୁଜନ ପ୍ରଶାସନକୁ ଗୁହାରି କରିଥିଲେ ବି କିଛି ସାହାଯ୍ୟ ମିଳି ନଥିଲା। ପରେ ନିଜର ଜମିବାଡ଼ି ବିକି ଏକ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ସେ ସଞ୍ଜନାଙ୍କୁ କଟକ ନେଇଥିଲେ। ସେଠାରେ ତାଙ୍କୁ ବ୍ରେନ୍ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ଏହାପରେ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ତାଙ୍କର ଅପରେସନ୍ କରାଯାଇଥିଲା। ଘରକୁ ଆସିବା ପରେ ପୁର୍ନବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆଉ ଥରେ କଟକ ନିଆଯାଇଥିଲା। ସେଠାରେ ଡାକ୍ତର କ୍ୟାନସର ସନ୍ଦେହ କରି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ପଠାଇ ଦେଇଥିଲେ। ଆଚାର୍ଯ୍ୟ ହରିହର କେନ୍ଦ୍ରରେ ତିନି ଚାରି ଦିନ ରହିବାପରେ ରୋଗ ପୂର୍ଣ୍ଣ ମାତ୍ରାରେ ସଂକ୍ରମଣ ହୋଇଯାଇଛି ଆଉ କିଛି କରିହେବ ନାହିଁ ବୋଲି କହି ଡାକ୍ତର ସେମାନଙ୍କୁ ଘରକୁ ପଠାଇ ଦେଇଥିଲେ।

ସୁଜନଙ୍କ ପକ୍ଷରେ ବାହାରକୁ ନେଇ ଝିଅର ଚିକିତ୍ସା କରାଇବା ସମ୍ଭବ ନଥିବାରୁ ସେମାନେ ଗୁଣିଆର ସାହାରା ନେଇଛନ୍ତି। ଗୁଣିଆ କଥା ଅନୁସାରେ ଗତ ୪ ମାସ ହେବ ଘରେ ପୂଜାର୍ଚ୍ଚନା ଚଳାଇଛନ୍ତି। ଗୁଣିଆଙ୍କ ପରାମର୍ଶରେ ଘରର ମୁଖ୍ୟ ଦ୍ୱାରର ଦିଗ ପରିବର୍ତ୍ତନ କରାଇବା ସହ ଅଗଣାରେ ଏକ ତୁଳସୀ ଗଛ ଲଗାଇ ତାକୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଗୁଣିଆ କହିବା ମୁତାବକ ଯେତେ ଦିନ ତୁଳସୀ ଗଛ ବଞ୍ଚିଥିବ ସେତେଦିନ ଝିଅର ଜୀବନ ବଞ୍ଚି ରହିବ। ସଞ୍ଜନା ଏବେ କୋମା ଅବସ୍ଥାରେ ଥିବା ବେଳେ ବାପା ମାଆ ୨ଜଣ ଯାକ ତୁଳସୀ ଗଛକୁ ଅନାଇ ବସିଛନ୍ତି।

ଏନେଇ ସଞ୍ଜନାର ମାଆ ଛବିରାଣୀ ମହାକୁଡ଼ କହିଛନ୍ତି, “ ଝିଅର ଦେହ ଭଲ ହେବା ପାଇଁ ଘର ବାହାରେ ତୁଳସୀ ଗଛ ଲଗାଇଛୁ। ତୁଳସୀ ଗଛ ବଞ୍ଚିଲେ, ଆମ ଝିଅ ମଧ୍ୟ ବଞ୍ଚିବା ନେଇ ଆମେ ଆଶା ରଖିଛୁ।”

ସମାଜସେବୀ ସଞ୍ଜୟ ସାହୁ କହିଛନ୍ତି, “ସଞ୍ଜନାଙ୍କୁ ବଞ୍ଚାଇବା ପାଇଁ ତା’ ବାପାମା’ ପ୍ରତିଦିନ ପୂଜାପାଠ କରୁଛନ୍ତି। ଗୁଣିଗାରେଡ଼ିକୁ ଭରସା କରିଛନ୍ତି। ଯେଉଁଠି ଡାକ୍ତର ଫେଲ୍ ମାରିଛନ୍ତି ସେଠି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତୁଳସୀ ଗଛ ସ୍ଥାପନ କରିଛନ୍ତି। ଗୁଣିଆର ପରାମର୍ଶରେ ତୁଳସୀ ଗଛ ବଞ୍ଚିଲେ ସଞ୍ଜନା ବଞ୍ଚିବ। ଏ ଆଶା ରଖି ଝିଅର ମାଆ ପ୍ରତିଦିନ ଧୂପଦୀପ ଦେଉଛନ୍ତି। ଏଥିସହ ତାଙ୍କ ଘର ମୁଖ୍ୟ ଦ୍ୱାରକୁ ପଶ୍ଚିମ ଦିଗକୁ କରି ଦେଇଛନ୍ତି।”

Related story