ନୂଆଦିଲ୍ଲୀ: ଆଜିର ସମାଜରେ ଲୋକଙ୍କ ଭିତରୁ ଧୀରେ ଧୀରେ ଉଭେଇ ଗଲାଣି ମଣିଷ ପଣିଆ । କେହି ଅସୁବିଧାରେ ପଡ଼ିଲେ ସାହାଯ୍ୟ କରିବା ତ ଦୂରର କଥା। ଆଜିକାଲି ଲୋକେ ଆହା ପଦେ ବି କହୁନାହାଁନ୍ତି । କିନ୍ତୁ କଥାଟି ପୂରା ଠିକ୍ ନୁହେଁ । କେଉଁଠି ନା କେଉଁଠି ମଣିଷ ପଣିଆ ତ ନିଶ୍ଚୟ ରହିଛି । ନହେଲେ ଏ ଦୁନିଆ ଭଲରେ ଚାଲିବା ସମ୍ଭବ ନୁହେଁ । ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି 16 ବର୍ଷୀୟା କିଶୋରୀ ଜିଆ ମେହେତା।
ଜିଆଙ୍କ ପାଇଁ ଏବେ ସମସ୍ତେ ଗର୍ବିତ । ଘର ଲୋକଙ୍କଠାରୁ ଆରମ୍ଭ କରି ସ୍କୁଲ ଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ । ଜିଆ ଏବେ ପଢୁଛନ୍ତି ଯୁକ୍ତଦୁଇ ଶ୍ରେଣୀରେ । ଭାରି ଦରଦୀ ମନ ତାଙ୍କର । ଦୁଃଖୀ ଲୋକର କଥା ଶୁଣିଲେ ଭିତରେ ଭିତରେ ତରଳି ଯାଆନ୍ତି । ଗୋଟିଏ ଧାଡ଼ିରେ କହିଲେ, ସେ ଅନ୍ୟର ଦୁଃଖ ପଢ଼ି ପାରନ୍ତି ।
ଘଟଣାଟି ହେଲା, କିଛିଦିନ ପୂର୍ବରୁ ଜିଆ ଜଣେ ମହିଳା କର୍କଟ ରୋଗୀଙ୍କ ସଂପର୍କରେ ଜାଣିବାକୁ ପାଇଲେ । ରୋଗ ଭଲ ହେବାକୁ ମହିଳା ଜଣକ ବାରମ୍ବାର କେମୋ ନେଇଥିବାରୁ ତାଙ୍କର ସବୁ କେଶ ଝଡ଼ି ଯାଇଥିଲା । ଏଥିରେ ସେ ଅତ୍ୟନ୍ତ ଦୁଃଖୀ ହୋଇ ପଡ଼ିଥିଲେ । ଦୁଃଖର ମାତ୍ରା ଏତେ ଯେ, ମହିଳା ଜଣକ ଡିପ୍ରେସନକୁ ଚାଲି ଯାଇଛନ୍ତି । ଜିଆ ଏ ଖବରଟି ଜାଣିବା ପରେ ଖୁବ୍ ମର୍ମାହତ ହୋଇପଡ଼ିଥିଲେ । ମହିଳାଙ୍କ ମୁହଁରେ ଟିକିଏ ସୁଖ ଦେବାକୁ ସେ ଏକ ଚରମ ନିଷ୍ପତ୍ତି ନେଲେ । ସେ ତାଙ୍କର 28 ଇଞ୍ଚ ଲମ୍ବ କେଶକୁ କାଟି ସେହି ମହିଳାଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ସେ ଜାଣିପାରୁ ନଥିଲେ କେମିତି ମହିଳାଙ୍କୁ ସାହାଯ୍ୟ କରିବେ । ପରେ ସେ ମଦତ ନାମକ ଏକ ସ୍ୱେଚ୍ଛାସେବୀ
ସଂପର୍କରେ ଜାଣିବାକୁ ପାଇଲେ। ଯାହାକି କ୍ୟାନସର ପିଡିତଙ୍କୁ ସାହାଯ୍ୟ କରିଥାଏ । ସେହି ଏନଜିଓ ସହ ଯୋଗାଯୋଗ କରି ଜିଆ ସଂପୃକ୍ତ ମହିଳାଙ୍କୁ ତା କେଶ ଦାନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।