ଶାସ୍ତ୍ରୀ- ସରଳ, ସ୍ୱାଭିମାନୀ ଓ ସାହସୀ

‘ସବୁଠୁ ବାଙ୍ଗରା ବ୍ୟକ୍ତି ଜଣଙ୍କ ସେଦିନ ଯେମିତି ସବୁଠୁ ଡେଙ୍ଗା ନିଷ୍ପତ୍ତି ନେଇଥିଲେ ତାହାକୁ ଭାରତୀୟ ସେନାବାହିନୀ କଦାପି ଭୁଲି ପାରିବ ନାହିଁ’

ଜି ହେଉଛି ଗାନ୍ଧି ଜୟନ୍ତୀ। ଆଜି ମଧ୍ୟ ଶାସ୍ତ୍ରୀ ଜୟନ୍ତୀ। ସାରା ଦେଶ ଆଜି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ସହିତ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ ପାଳନ କରୁଛି। ଲାଲ୍‌ ବାହାଦୁରଙ୍କ ବିଷୟରେ ସବୁଠୁ ବଡ଼ କଥା ହେଉଛି, ସେ ଜଣେ ସରଳ ବ୍ୟକ୍ତି ଥିଲେ। ସାଂସଦ, ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ତାଙ୍କଠାରେ ଏହି ସ୍ୱଭାବ ବଜାୟ ରହିଥିଲା। ବଡ଼ ପଦବୀରେ ବସିବାର ଔଦ୍ଧତ୍ୟ ଓ ଅହଙ୍କାର ତାଙ୍କ ମନରେ ନଥିଲା। ଆମେ ସମସ୍ତେ ଜାଣନ୍ତି, ଏକ ରେଳ ଦୁର୍ଘଟଣା ପରେ ସେ ନିଜକୁ ଦାୟୀ କରି ରେଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସରଳ ହେବା ସହିତ ସେ ସ୍ୱାଭିମାନୀ ଓ ସାହସୀ ବି ଥିଲେ। ଦେଶର ଅନ୍ୟତମ ବିଶିଷ୍ଟ ସାମ୍ବାଦିକ ସ୍ୱର୍ଗତ କୁଲ୍‌ଦୀପ୍‌ ନାୟାରଙ୍କ ଆତ୍ମଜୀବନୀ ‘ବିୟଣ୍ଡ ଦ ଲାଇନ୍‌ସ’ରେ ଉଲ୍ଲେଖ ରହିଥିବା କିଛି ଘଟଣାରୁ ଏହା ବେଶ୍ ସ୍ପଷ୍ଟ ହୁଏ। ମୁଁ ତାଙ୍କର ଏହି ମୂଳ ଇଂରାଜୀ ପୁସ୍ତକଟି ପଢ଼ି ନାହିଁ। ତେବେ ଏହାର ଓଡ଼ିଆ ଅନୁବାଦ ‘ଗୋଟିଏ ଜୀବନ ଯଥେଷ୍ଟ ନୁହେଁ’ ପଢ଼ିଛି। ସ୍ୱର୍ଗତ ଲାଲ୍‌ ବାହାଦୁର ଶାସ୍ତ୍ରୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଥିବା ବେଳେ ସ୍ୱର୍ଗତ ନାୟାର ତାଙ୍କର ସୂଚନା ଅଧିକାରୀ ଭାବେ କାମ କରିଥିଲେ ଏବଂ ତାଙ୍କ ସହିତ ମିଶିବାର ସୁଯୋଗ ପାଇଥିଲେ। ଏପରିକି ଶାସ୍ତ୍ରୀଜୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ତାଙ୍କର ଖୁବ୍ ନିକଟତର ଥିଲେ। ଏଣୁ ସେ ତାଙ୍କ ଆତ୍ମଜୀବନୀରେ ଶାସ୍ତ୍ରୀଜୀଙ୍କ ବିଷୟରେ ଅନେକ କଥା ଲେଖିଛନ୍ତି।

ଭାରତୀୟ ରାଜନୀତି ସମ୍ପର୍କରେ ଜ୍ଞାନ ଥିବା ପ୍ରତ୍ୟେକ ବ୍ୟକ୍ତି କଂଗ୍ରେସର କାମରାଜ ପ୍ଲାନ୍ ବିଷୟରେ ଜାଣିଥିବେ। ସେତେବେଳେ ଜବାହାରଲାଲ୍ ନେହରୁ ପ୍ରଧାନମନ୍ତ୍ରୀ ଥିଲେ। କାମରାଜ ପ୍ଲାନ୍ ଅନୁଯାୟୀ, ଦଳୀୟ ସଂଗଠନକୁ ମଜବୁତ କରିବାକୁ ଅନେକ ବରିଷ୍ଠ କଂଗ୍ରେସ ସଦସ୍ୟ ସରକାରରୁ ଇସ୍ତଫା ଦେଇଥିଲେ। ସେମାନଙ୍କ ମଧ୍ୟରେ ଲାଲ୍‌ ବାହାଦୁର ଶାସ୍ତ୍ରୀ ମଧ୍ୟ ଥିଲେ। ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଶାସ୍ତ୍ରୀଜୀ ପଣ୍ଡିତ୍ ଜବାହାରଲାଲ୍ ନେହରୁଙ୍କ ଅନୁଗତ ଥିଲେ। ତେଣୁ ସେ କାହିଁକି କାମରାଜ ପ୍ଲାନ୍‌ରେ ଇସ୍ତଫା ଦେଲେ ବୋଲି କୁଲ୍‌ଦୀପ୍‌ ନାୟାର ତାଙ୍କୁ ପ୍ରଶ୍ନ କରିଥିଲେ। ସେ ଏହାର ଏକ ସରଳ ଜବାବ ଦେଇଥିଲେ। ସେ କହିଥିଲେ ଯେ ତା’ ନହେଲେ ସାଧାରଣରେ ଏକ ବାର୍ତ୍ତା ଯାଇଥା’ନ୍ତା ଯେ ନେହରୁ ଜାଣି ଜାଣି ତାଙ୍କ ସମାଲୋଚକମାନଙ୍କୁ କେବଳ କାମରାଜ ପ୍ଲାନ୍‌ରେ ବଳି ପକାଇ ଦେଇଛନ୍ତି।

ସେହିଭଳି ଯେଉଁଦିନ ଶାସ୍ତ୍ରୀଜୀ ସରକାରରୁ ବିଦାୟ ନେଇଥିଲେ, ସେଦିନ ସନ୍ଧ୍ୟାରେ କୁଲ୍‌ଦୀପ୍‌ ନାୟାର ତାଙ୍କ ଘରକୁ ଯାଇଥିଲେ। ସେ ସେଠାରେ ପହଞ୍ଚିଲା ପରେ ଦେଖିଲେ ଡ୍ରଇଂ ରୁମ୍‌କୁ ଛାଡ଼ି ଘରଟି ଅନ୍ଧାର ହୋଇଥାଏ। ଭିତରକୁ ଯାଇ ସେ ଦେଖିଲେ ଶାସ୍ତ୍ରୀଜୀ ଏକାକୀ ଡ୍ରଇଂ ରୁମ୍‌ରେ ବସି ବହି ପଢ଼ୁଛନ୍ତି। ସେ ତାଙ୍କୁ ପଚାରିଥିଲେ, ବାହାରେ କାହିଁକି ଆଲୁଅ ଜଳୁ ନାହିଁ। ଏହାର ଉତ୍ତରରେ ଶାସ୍ତ୍ରୀଜୀ କହିଥିଲେ ଯେ ଏବେଠାରୁ ତାଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ଓ ସେ ଅଧିକ ଖର୍ଚ୍ଚ ଭରଣା କରିପାରିବେ ନାହିଁ। ମନରେ ଅହଙ୍କାର ଥିଲେ ବା ସରଳ ହୋଇ ନଥିଲେ, ଜଣେ କ’ଣ ଏମିତି ଉତ୍ତର ଦେଇ ପାରିବ?

ଶାସ୍ତ୍ରୀଜୀଙ୍କ ସରଳତାର ଆଉ ଏକ ଉଦାହରଣ ମଧ୍ୟ ଏ ପୁସ୍ତକରେ ପଢ଼ିବାକୁ ମିଳେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଥିବା ବେଳେ ଥରେ ଏକ କାର୍ଯ୍ୟକ୍ରମ ସାରି ସେ କୁତବ୍‌ରୁ କାର୍ ଯୋଗେ ଫେରୁଥିଲେ। ତାଙ୍କ ସହିତ କୁଲ୍‌ଦୀପ୍‌ ନାୟାର ବି ଥିଲେ। ଏବର ଏମ୍‌ସ ପାଖରେ ପହଞ୍ଚିଲା ବେଳକୁ ରେଳ ଲେଭଲ୍‌କ୍ରସିଂ ବନ୍ଦ ଥିଲା। ଶାସ୍ତ୍ରୀଜୀ ଦେଖିଲେ ଯେ ପାଖରେ ଜଣେ ଦୋକାନୀ ଆଖୁରସ ବିକୁଛନ୍ତି। ସେ କାର୍‌ରୁ ଓହ୍ଲାଇ ଆଖୁରସ ପିଇବା ପାଇଁ ଗଲେ। ତାଙ୍କ ସହିତ କୁଲ୍‌ଦୀପ୍‌ ନାୟାର ବି ଗଲେ। ଆଖୁରସ ପିଇବା ପରେ ଶାସ୍ତ୍ରୀଜୀ ନିଜେ ଦୁଇ ଜଣଙ୍କ ପଇସା ଦେଲେ। ଏଠାରେ କୁଲ୍‌ଦୀପ୍‌ ନାୟାର ଲେଖିଛନ୍ତି, ସେଠାରେ ସେମାନଙ୍କୁ କେହି ଚିହ୍ନି ପାରି ନଥିଲେ। ଆଖୁ ଦୋକାନୀ ମଧ୍ୟ ଶାସ୍ତ୍ରୀଜୀଙ୍କୁ ଦେଖି କିଛି ସନ୍ଦେହ କରି ନଥିଲେ। ଯାହା ବି ସନ୍ଦେହ କରିଥା’ନ୍ତେ, କିନ୍ତୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଯେ ଆସି ତାଙ୍କ ପାଖରୁ ଆଖୁ ରସ ପିଇବେ, ତାହା ସେ କେବେ କଳ୍ପନା ହିଁ କରି ନଥିବେ। ଶାସ୍ତ୍ରୀଜୀ ଯେ ନେହରୁଙ୍କଠାରୁ କେତେ ସରଳ ଥିଲେ, ତାହା ଦର୍ଶାଇବା ପାଇଁ କୁଲ୍‌ଦୀପ୍‌ ନାୟାର ଏ କଥା ଲେଖିଛନ୍ତି।

ସେହିପରି ମନ୍ତ୍ରୀ ନଥିବା ବେଳେ ଶାସ୍ତ୍ରୀଜୀ ଯେତେବେଳେ ବି ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁଙ୍କୁ ଭେଟିବାକୁ ଯାଉଥିଲେ ସାଧାରଣ ଲୋକଙ୍କ ଭଳି ନିଜ ପାଳି ଆସିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଥିଲେ। ଏଥିରୁ ଜଣାପଡ଼ୁଛି ସେ ସରଳ ହେବା ସଙ୍ଗେ ସଙ୍ଗେ ସ୍ୱାଭିମାନୀ ମଧ୍ୟ ଥିଲେ। ତା’ସହିତ ସମସ୍ତଙ୍କ ପାଇଁ ଗୋଟିଏ ନିୟମ ବ୍ୟବସ୍ଥାରେ ବିଶ୍ୱାସ କରୁଥିଲେ ଓ ତାକୁ ପାଳନ କରୁଥିଲେ।

ଆଉ ଏକ ଘଟଣାରୁ ମଧ୍ୟ ଶାସ୍ତ୍ରୀଜୀ ସ୍ୱାଭିମାନୀ ବୋଲି ଜଣାପଡ଼େ। ୧୯୬୪ରେ କାଇରୋଠାରେ ଗୋଷ୍ଠୀ ନିରପେକ୍ଷ ସମ୍ମଳିନୀରେ ଶାସ୍ତ୍ରୀଜୀ ଯୋଗ ଦେବାକୁ ଯିବା ପୂର୍ବରୁ ଆମେରିକା ରାଷ୍ଟ୍ରଦୂତ ଚେଷ୍ଟର ବାଉଲ୍‌ସ ତାଙ୍କୁ ଭେଟିଥିଲେ। ସେତେବେଳେ ଶାସ୍ତ୍ରୀଜୀ ପ୍ରଧାନମନ୍ତ୍ରୀ ଥିଲେ। ବାଉଲ୍‌ସ ତାଙ୍କୁ ଭେଟି ଆମେରିକାର ରାଷ୍ଟ୍ରପତି ଲିଣ୍ଡନ ବି ଜନ୍‌ସନ୍‌ଙ୍କ ତରଫରୁ ସେଠାକୁ ଯାତ୍ରା କରିବାକୁ ନିମନ୍ତ୍ରଣ କରିଥିଲେ। ତେବେ ଶାସ୍ତ୍ରୀଜୀଙ୍କ ଆମେରିକା ଗସ୍ତ ଚୂଡ଼ାନ୍ତ ହେବା ପୂର୍ବରୁ ବାଉଲସ୍‌ ତାଙ୍କ ନିମନ୍ତ୍ରଣ ପ୍ରତ୍ୟାହାର କରି ନେଇଥିଲେ। କାରଣ ଶାସ୍ତ୍ରୀଜୀଙ୍କୁ ନ ଭେଟିବା ପାଇଁ ଆମେରିକା ଉପରେ ପାକିସ୍ତାନ ଚାପ ପକାଇଥିଲା। ଆମେରିକା ରାଷ୍ଟ୍ରପତିଙ୍କ ଏ ଅପମାନକୁ ଶାସ୍ତ୍ରୀଜୀ ଭୁଲି ନଥିଲେ। ସେଥିପାଇଁ କାନାଡ଼ା ଯିବା ବାଟରେ ଯେତେବେଳେ ରାଷ୍ଟ୍ରପତି ଲିଣ୍ଡନ ବି ଜନ୍‌ସନ୍‌ ତାଙ୍କୁ ଆମେରିକାକୁ ନିମନ୍ତ୍ରଣ କରିଥିଲେ ସେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। କୁଲ୍‌ଦୀପ୍‌ ନାୟାର ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଶାସ୍ତ୍ରୀଜୀଙ୍କ ପ୍ରତି ଏଭଳି ଆଚରଣ କରି ଆମେରିକା ରାଷ୍ଟ୍ରପତି ଅନୁତାପ କରିଥିଲେ। ଆଉ ଏ ବିଷୟରେ ବାଉଲ୍‌ସ ତାଙ୍କୁ ଜଣାଇଥିଲେ।

ଶାସ୍ତ୍ରୀଜୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୬୫ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏ ଯୁଦ୍ଧ ନେଇ କୁଲ୍‌ଦୀପ୍‌ ନାୟାର ଶାସ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଏଥିପାଇଁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ କି? ଏହାର ଉତ୍ତରରେ ଶାସ୍ତ୍ରୀଜୀ ତାଙ୍କୁ କହିଥିଲେ, ‘ହିଁ ମୁଁ ଦେଇଛି।’ କୁଲ୍‌ଦୀପ୍‌ ନାୟାର ଲେଖିଛନ୍ତି ଶାସ୍ତ୍ରୀଜୀଙ୍କ କହିବା ଅନୁଯାୟୀ ଯେତେବେଳେ ସେ ‘ମାଡ଼ିଚାଲ’ ବୋଲି ନିର୍ଦ୍ଦେଶ ଦେଇଥିଲେ ସେତେବେଳେ ଜେନେରାଲ ଚୌଧୁରୀ (ଜୟନ୍ତୋ ନାଥ ଚୌଧୁରୀ) ଓ ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ଏନେଇ କୁଲ୍‌ଦୀପ୍‌ ନାୟାରଙ୍କୁ ଲେଫ୍ଟନାଣ୍ଟ ହର୍‌ବକ୍‌ସ ସିଂହ କହିଥିଲେ ଯେ ସବୁଠୁ ବାଙ୍ଗରା ବ୍ୟକ୍ତି ଜଣଙ୍କ ସେଦିନ ଯେମିତି ସବୁଠୁ ଡେଙ୍ଗା ନିଷ୍ପତ୍ତି ନେଇଥିଲେ ତାହାକୁ ଭାରତୀୟ ସେନାବାହିନୀ କଦାପି ଭୁଲି ପାରିବ ନାହିଁ।’ ଏପରିକି ଶାସ୍ତ୍ରୀଜୀ ଜେନେରାଲ୍ ଚୌଧୁରୀଙ୍କୁ କହିଥିଲେ,‘ସେମାନେ କଶ୍ମୀରରେ ପହଞ୍ଚିବା ଆଗରୁ ମୁଁ ଲାହୋରରେ ପହଞ୍ଚିବାକୁ ଚାହେଁ’।

ଜଣେ ରାଜନେତା, ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ଭାବେ ଶାସ୍ତ୍ରୀଜୀଙ୍କ ବ୍ୟକ୍ତିତ୍ୱର ଏହି ସବୁ ଗୁଣଗୁଡ଼ିକ ଯେକୌଣସି ଭାରତୀୟକୁ ଭଲ ଲାଗିବ ତଥା ସେ ଗର୍ବ ଅନୁଭବ କରିବେ। ତେବେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ କି ଶ୍ରଦ୍ଧାଞ୍ଜଳି ହେବ ନାହିଁ। ଏଥିପାଇଁ ସେ ଚାଲିଥିବା ମାର୍ଗରେ ଚାଲିବାକୁ ପଡ଼ିବ।

ଉପସ୍ଥାପନା- ଜିତେନ୍ଦ୍ର ଗଡ଼ନାୟକ

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।