ଅସ୍ପୃଶ୍ୟତା ଏକ ସାମାଜିକ ବ୍ୟାଧି ବୋଲି ମହାତ୍ମା ଗାନ୍ଧି ବେଶ୍ ଭଲ ଭାବେ ବୁଝିଥିଲେ। ତେଣୁ ଏହାକୁ ହଟାଇବା ପାଇଁ ସେ ପ୍ରୟାସ ଆରମ୍ଭ କରିଥିଲେ। ତେବେ ଏ କାମ ସେ ତାଙ୍କ ଘରୁ ଆରମ୍ଭ କରିଥିଲେ। କାରଣ ତାଙ୍କ ପତ୍ନୀ ଓ ଭଉଣୀଙ୍କର ବି ଛୋଟ ଜାତି ଓ ଉଚ୍ଚ ଜାତି ମନୋଭାବ ରହିଥିଲା।
୧୯୧୫ ମସିହା ମେ’ ମାସ ୨୫ ତାରିଖରେ ଗୁଜରାଟର ଅହମଦାବାଦ ସହରକୁ ଲାଗି ଥିବା ଏକ ଛୋଟ ଗାଁ କୋଚରବଠାରେ ପ୍ରତିଷ୍ଠା ହୋଇଥିଲା ଗାନ୍ଧିଜୀଙ୍କ ପ୍ରଥମ ଆଶ୍ରମ। ଜଣେ ଓକିଲଙ୍କ ବଙ୍ଗଳାକୁ ଭଡ଼ା ଆକାରରେ ନେଇ ସେ ଏହି ଆଶ୍ରମ ପ୍ରତିଷ୍ଠା କରିଥିଲେ। ଏହାର ନାଁ ରଖାଯାଇଥିଲା ‘ସତ୍ୟାଗ୍ରହ ଆଶ୍ରମ’। ଦିନ ଡୁଡା ନାମକ ଜଣେ ଅଚ୍ଛବ ବା ହରିଜନ ବ୍ୟକ୍ତି ତାଙ୍କ ପତ୍ନୀ ଦାନି ଓ ଛୋଟ ଝିଅ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ଆଶ୍ରମରେ ପହଞ୍ଚିଲେ। ସେମାନଙ୍କୁ ଗାନ୍ଧିଜୀ ଆଶ୍ରମରେ ରହିବାକୁ ଅନୁମତି ଦେଲେ। ଆଶ୍ରମର ଅନ୍ୟମାନେ ଏହାକୁ ଗ୍ରହଣ କରିପାରିଲେ ନାହିଁ। ତେବେ ସେମାନେ ଭୟରେ କିଛି କହି ପାରି ନଥିଲେ। କିନ୍ତୁ ପରିବାରଟିର ଆଶ୍ରମରେ ଚଳିବା କଷ୍ଟକର ହୋଇପଡ଼ିଲା। ବଙ୍ଗଳାର ଜଗୁଆଳ ସେମାନଙ୍କୁ କୂଅ ଛୁଇଁବାକୁ ଦେଲେ ନାହିଁ ଓ ଗାଳିଗୁଲଜ କଲେ। ଗାନ୍ଧିଜୀ ଏଥିରେ ହସ୍ତକ୍ଷେପ କଲେ ଓ ସମସ୍ତେ କୂଅରୁ ପାଣି ନେଇ ପାରିବେ ବୋଲି କହିଲେ। ଏହା ପରେ ଜଗୁଆଳ ଚୁପ୍ ରହିଥିଲେ। ଆଶ୍ରମର ଅନ୍ୟ ସଦସ୍ୟଙ୍କ ଭଳି ଗାନ୍ଧିଜୀଙ୍କ ପତ୍ନୀ ମଧ୍ୟ ଏ ହରିଜନ ପରିବାରଟିକୁ ବିରୋଧ କରିଥିଲେ। ଏମିତିକି ସେ ଆଶ୍ରମ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ଏହା ଶୁଣି ଗାନ୍ଧିଜୀ କହିଥିଲେ ଯେ ସେ ଆଶ୍ରମ ଛାଡ଼ି ଚାଲିଗଲେ ତାଙ୍କୁ ଖୁବ୍ କଷ୍ଟ ହେବ। ତଥାପି ସେ ତାଙ୍କୁ ଅଟକାଇବେ ନାହିଁ। ସେ ସମୟରେ ଗାନ୍ଧିଜୀ ତାଙ୍କ ପତ୍ନୀଙ୍କ ଉପରେ ଖୁବ୍ ରାଗି ଥିଲେ ଓ ଗାଳି କରିଥିଲେ ବୋଲି ତାଙ୍କ ଡାଏରୀରେ ବି ଉଲ୍ଲେଖ କରିଥିଲେ।
ଆଶ୍ରମରେ ଉକ୍ତ ହରିଜନ ପରିବାର ରହିବା କଥାକୁ ଗାନ୍ଧିଜୀଙ୍କ ବଡ଼ ଭଉଣୀ ବି ଗ୍ରହଣ କରି ପାରି ନଥିଲେ। ଏହା ଜାଣିବା ପରେ ଗାନ୍ଧିଜୀ ତାଙ୍କୁ ଆଶ୍ରମ ଛାଡ଼ି ଚାଲିଥିବାକୁ କହିଥିଲେ। ଏହା ନୁହେଁ ଯେ ସେ ତାଙ୍କ ଭଉଣୀଙ୍କୁ ଭଲ ପାଉ ନଥିଲେ। ତାଙ୍କ ଭଉଣୀଙ୍କୁ ସେ ଖୁବ୍ ଭଲ ପାଉଥିଲେ ଓ ସେ ବିଧବା ହେବା ପରେ ତାଙ୍କୁ ଏବଂ ତାଙ୍କର ଦୁଇ ପିଲାଙ୍କୁ ପାଳିଥିଲେ। ଏମିତିକି ସେମାନଙ୍କୁ ଦକ୍ଷିଣ ଆଫ୍ରିକା ମଧ୍ୟ ନେଇ ଯାଇଥିଲେ। ହେଲେ ଯେଉଁ ବ୍ୟାଧିକୁ ସେ ସମାଜରୁ ଦୂର କରିବାକୁ ଚାହୁଁଥିଲେ, ସେଥିପାଇଁ ସେ ତାଙ୍କ ପତ୍ନୀ କିମ୍ବା ଭଉଣୀଙ୍କ ସହିତ ସାଲିସ କରିବାକୁ ଚାହୁଁ ନଥିଲେ। ନିୟମଟି ସମସ୍ତଙ୍କ ସମାନ ହେବା ଉଚିତ୍ ବୋଲି ସେ ଭାବୁଥିଲେ। ସେଥିରେ ସେ ପାତରଅନ୍ତର ଚାହୁଁ ନଥିଲେ।
ଉକ୍ତ ହରିଜନ ପରିବାରଟି ପାଇଁ ଗାନ୍ଧିଜୀଙ୍କୁ ଯେ କେବଳ ଆଶ୍ରମ ଭିତରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା, ତା’ ନୁହେଁ, ଆଶ୍ରମକୁ ଆର୍ଥିକ ସହାୟତା ଦେଉଥିବା ଲୋକେ ବି ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ। ସେମାନେ ଅନୁଦାନ ଦେବା ବନ୍ଦ କରି ଦେଲେ। ସେ ଏକ ପ୍ରକାର ସାମାଜିକ ବାସନ୍ଦର ସମ୍ମୁଖୀନ ହୋଇଥିଲେ। ତେବେ ଏସବୁକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଥିଲେ। ଏପରିକି ଦରକାର ପଡ଼ିଲେ ହରିଜନ ବସ୍ତିରେ ଯାଇ ରହିବେ ବୋଲି କହିଥିଲେ। ଆଶ୍ରମର ପାଣ୍ଠି ସରି ଆସୁଥିବା ବେଳେ ଦିନେ ଅପ୍ରତ୍ୟାଶିତ ଭାବେ ଜଣେ ଶେଠ ଆସି ପହଞ୍ଚିଥିଲା ଓ ଗାନ୍ଧିଜୀଙ୍କ ହାତକୁ ତେର ହଜାର ଟଙ୍କା ବଢ଼ାଇ ଦେଇଥିଲେ। ତାଙ୍କୁ ପୂର୍ବରୁ କେହି ଆଶ୍ରମରେ ଦେଖି ନଥିଲେ। ଏହି ଅର୍ଥ ଦ୍ୱାରା ଗାନ୍ଧିଜୀଙ୍କୁ ଆଶ୍ରମର ବର୍ଷକର ଖର୍ଚ୍ଚ ମିଳିଗଲା ଓ ସମାଜ ସହିତ ଲଢ଼ିବାକୁ ବଳ ବି ମିଳିଗଲା।
ସମାଜ ସହିତ ସେ ଘର ଲୋକଙ୍କ ସହିତ ବି ଲଢ଼ୁଥିଲେ। କସ୍ତୁରବାଙ୍କ ମନରୁ ସେହି ହରିଜନ ପରିବାର ପ୍ରତି ଥିବା ଘୃଣା ମନରୁ ଯାଇ ନଥାଏ। ହରିଜନ ସ୍ତ୍ରୀଟି ରୋଷେଇ ଘରେ ପଶି ରାନ୍ଧିବା ଓ ସେମାନଙ୍କ ସହ ମିଶି ଖାଇବା କଥାକୁ କସ୍ତୁରବା ଗ୍ରହଣ କରିପାରି ନଥିଲେ। ଗାନ୍ଧିଜୀ ଯେତେ ବୁଝାଇଲେ ବି ବିଶେଷ ଫରକ ପଡ଼ୁ ନଥାଏ। ଯେତେବେଳେ ସେ ଦେଖିଲେ ଯେତେ ଯାହା କଲେ କସ୍ତୁରବାଙ୍କ ମନରୁ ଘୃଣା ହଟୁ ନାହିଁ, ସେ ଉକ୍ତ ହରିଜନ ପରିବାରର ଝିଅ ଲକ୍ଷ୍ମୀକୁ ନିଜ ଝିଅ ଭାବେ ଗ୍ରହଣ କଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ଏହା ସହିତ କସ୍ତୁରବା ମଧ୍ୟ ଲକ୍ଷ୍ମୀଙ୍କ ମା’ ହେଲେ। ତେଣୁ ଆଉ ତାଙ୍କ ମନରେ ଘୃଣା ରହିବ ନାହିଁ। ଏ କଥା ସେତେବେଳେ ପୂରା ଦେଶରେ ଆଲୋଚ୍ୟର ବିଷୟ ହୋଇଥିଲା।
ଅସ୍ପୃଶ୍ୟତା ଦୂର କରିବା ପାଇଁ ଗାନ୍ଧିଜୀ କେବଳ ବକ୍ତୃତା ଦେଇ ଲୋକଙ୍କୁ ବୁଝାଇବାରେ ଓ ସଚେତନ କରିବାରେ ବିଶ୍ୱାସ କରୁ ନଥିଲେ। କାର୍ଯ୍ୟ ମାଧ୍ୟମରେ ଲୋକଙ୍କଠାରୁ ଏହି ଘୃଣାଭାବ ଦୂର କରିବାକୁ ଚାହୁଁଥିଲେ। ଅସ୍ପୃଶ୍ୟମାନେ ଯେଉଁ କାମ କରନ୍ତି, ଉଚ୍ଚ ଜାତିର ଲୋକେ ତାକୁ ଘୃଣା କରନ୍ତି। ପାଇଖାନା ସଫା କରିବା ସବୁଠୁ ଘୃଣ୍ୟ କାର୍ଯ୍ୟ ଭାବେ ବିବେଚିତ କରାଯାଉଥିଲା। ତେଣୁ ଗାନ୍ଧିଜୀ ନିଜେ ପାଇଖାନା ସଫା କଲେ। ତାଙ୍କୁ ଦେଖି ଆଶ୍ରମର ଅନ୍ୟମାନେ ବି ଏ କାମ କଲେ।
(ତଥ୍ୟ ସୌଜନ୍ୟ- ଗାନ୍ଧି ମଣିଷ)