ମୁଣ୍ଡ ଉପରେ ବିପଦ; ପରିତ୍ୟକ୍ତ କୋଠାରେ ପଢ଼ୁଛନ୍ତି ପିଲା

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଉପାନ୍ତ ଅଞ୍ଚଳର ପିଲାମାନଙ୍କୁ ଶିକ୍ଷାର ସ୍ରୋତରେ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରୁଛନ୍ତି। ହେଲେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ତାହା ଫଳପ୍ରଦ ହୋଇପାରୁ ନାହିଁ। କେଉଁ ସ୍କୁଲରେ ଶିକ୍ଷକ ନାହାନ୍ତି ତ, କେଉଁ ସ୍କୁଲରେ ପିଲାମାନେ ପରିତ୍ୟକ୍ତ କୋଠାରେ ପାଠ ପଢ଼ୁଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ରୂଢାପଦର […]

677oooooooooooo

Tapaswini Nayak
  • Published: Monday, 04 November 2019
  • , Updated: 05 November 2019, 08:22 AM IST

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଉପାନ୍ତ ଅଞ୍ଚଳର ପିଲାମାନଙ୍କୁ ଶିକ୍ଷାର ସ୍ରୋତରେ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରୁଛନ୍ତି। ହେଲେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ତାହା ଫଳପ୍ରଦ ହୋଇପାରୁ ନାହିଁ। କେଉଁ ସ୍କୁଲରେ ଶିକ୍ଷକ ନାହାନ୍ତି ତ, କେଉଁ ସ୍କୁଲରେ ପିଲାମାନେ ପରିତ୍ୟକ୍ତ କୋଠାରେ ପାଠ ପଢ଼ୁଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ରୂଢାପଦର ପଞ୍ଚାଯତର ନାରାୟଣ ପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟରେ ସ୍କୁଲ ଘର ତିତଲି ବାତ୍ୟାରେ ଭାଙ୍ଗି ଯାଇଥିବାରୁ ପିଲାମାନେ ବିପଦସଙ୍କୁଳ ଅବସ୍ଥାରେ ଗାଁରେ ଥିବା ଆନନ୍ଦମୟ ଆଶା ସ୍କୁଲର ପରିତ୍ୟକ୍ତ କୋଠାରେ ବସି ପାଠ ପଢୁଛନ୍ତି। ହେଲେ ପିଲାମାନେ ପ୍ରତି କ୍ଷଣରେ ବିପଦ ମଧ୍ୟରେ ରହୁଥିବା ବେଳେ ସେଠାରେ ମଧ୍ୟ ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

୨୦୧୩ ମସିହାରେ ଏହି ବିଦ୍ୟାଳୟଟି ସ୍ଥାପିତ ହୋଇଥିଲା। ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏ ଶ୍ରେଣୀ ଥିବା ବେଳେ ୩୨ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପାଠପଢ଼ା ଆରମ୍ଭ ହୋଇଥିଲା। ସେତେବେଳେ ଏକ ଚାଳ ଘରେ ସ୍କୁଲ ଚାଲିଥିବା ବେଳେ ‘ତିତଲି’ ବାତ୍ୟାରେ ତାହା ଭାଙ୍ଗି ଯାଇଥିଲା। ଏହାପରଠୁ ପିଲାମାନେ ସ୍ଵେଚ୍ଛାସେବୀ ସଂଗଠନ ଓ ଗ୍ରାମବାସୀଙ୍କ ସହାୟତାରେ ନିର୍ମାଣ ହୋଇଥିବା ଆନନ୍ଦମୟ ଆଶା ସ୍କୁଲର ପରିତ୍ୟକ୍ତ କୋଠା ତଳେ ବସି ପଢୁଛନ୍ତି। ଏବେ ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ପାଇ  ୮ରେ ପହଞ୍ଚିଛି। ତଥାପି ଚେତୁନି ପ୍ରଶାସନ।

ଏହି ପରିତ୍ୟକ୍ତ କୋଠାରେ ପିଲାମାନେ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ୁଛନ୍ତି। କେଉଁଠି ପ୍ଲାଷ୍ଟର ଖସି ଯାଇଥିବା ବେଳେ କେଉଁଠି ଛାତ ଫାଟି ଆଁ କରିଛି। ସ୍କୁଲ ଘର ନିର୍ମାଣ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଏକ ଉତ୍ତମ ଶୈକ୍ଷିକ ପରିବେଶରୁ ଛାତ୍ରଛାତ୍ରୀମାନେ ବଞ୍ଚିତ ହୋଇଛନ୍ତି। ସ୍ଥାୟୀ ସ୍କୁଲ ଘର ନ ଥିବାରୁ ପିଲାମାନଙ୍କୁ ଅଭିଭାବକମାନେ ଆବାସିକ ସ୍କୁଲରେ ରଖି ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି।

ଏହି ବିଦ୍ୟାଳୟର ଆଉ ଏକ ସମସ୍ୟା ହେଉଛି ସ୍କୁଲରେ ଶିକ୍ଷକ ନାହାନ୍ତି। ସ୍କୁଲରେ ଦୁଇ ଜଣ ଶିକ୍ଷକ ନିୟୋଜିତ ଥିବା ବେଳେ କବିରାଜ ଯାନୀ ନାମକ ଶିକ୍ଷକ ନିୟମିତ ସ୍କୁଲ ଆସୁନଥିବା ଅଭିଯୋଗ ହୋଇଛି।

ନାରାୟଣ ପ୍ରସାଦ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟ ନାରାୟଣ ନାୟକ କହିଛନ୍ତି,“ ପୂର୍ବରୁ ଚାଳ ଘରେ ବିଦ୍ୟାଳୟଟି ଚାଲିଥିଲା। ତାହା ଭାଙ୍ଗିଯିବା ପରେ ଏବେ ଏହା ଆନନ୍ଦମୟ ଆଶା ସ୍କୁଲ ବାରଣ୍ଡାରେ ସ୍କୁଲ ଚାଲିଛି। ସ୍କୁଲ ଘର ନଥିବାରୁ ପିଲାମାନଙ୍କୁ ପାଠ ପଢ଼ିବାରେ ସମସ୍ୟା ହେଉଛି। ମଧ୍ୟାହ୍ନ ଭୋଜନ ଜଣଙ୍କ ଘରେ ରୋଷେଇ କରି ପିଲାଙ୍କୁ ଖାଇବାକୁ ଦିଆଯାଉଛି। ସରକାର ସ୍କୁଲ ଘର ନିର୍ମାଣ କଲେ ଅଧିକ ପିଲା ଏହି ସ୍କୁଲକୁ ଆସନ୍ତେ।”

ସ୍ଥାନୀୟ ବାସିନ୍ଦା ବିକ୍ରମ ଯାନୀ କହିଛନ୍ତି,“ ସ୍କୁଲ ଘର ନଥିବାରୁ ଆମ ପିଲାମାନେ ପାଠ ପଢ଼ିବାରେ ଅସୁବିଧା ହେଉଛି।”

ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା କହିଛନ୍ତି,“ସ୍କୁଲକୁ ଜଣେ ଶିକ୍ଷକ ନିୟମିତ ଆସୁନଥିବା  ସମ୍ପର୍କରେ ମୋ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ବିଇଓଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ। ଯଦି ଅଭିଯୋଗ ସତ ହୋଇଥିବ, ତାହାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ନିୟମିତ ସ୍କଲ ଆସୁନଥିବା ଶିକ୍ଷକ କବିରାଜ ଯାନୀ କହିଛନ୍ତି,“ ଦେହ ଖରାପ ଅଛି, ସେଥିପାଇଁ ଛୁଟିରେ ରହିଛି। ଛୁଟି ଦରଖାସ୍ତ ଲେଖିଥିଲି, କିନ୍ତୁ ଦେଇପାରିନାହିଁ।”

Related story