ମହାବାତ୍ୟାର ୨୦ ବର୍ଷ ପରେ ବି କମିନି ଦୁଃଖ; ଜରି ତଳେ କଟୁଛି ଜୀବନ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ୧୯୯୯ ମହାବାତ୍ୟାକୁ ୨୦ ବର୍ଷ ପୂରିଲାଣି। ତା’ରି ଭିତରେ କେତେ ସାମୁଦ୍ରିକ ଝଡ଼ ଆସି ଗଲାଣି। ହେଲେ ଏପର୍ଯ୍ୟନ୍ତ ମହାବାତ୍ୟାରେ ଯେଉଁମାନଙ୍କର ଘର ଭାଙ୍ଗି ଯାଇଥିଲା, ସେମାନଙ୍କୁ ଘର ଖଣ୍ଡିଏ ମିଳିନାହିଁ। ମୁଣ୍ଡ ଗୁଞ୍ଜିବାକୁ ଛାତ ନଥିବାରୁ ପଲିଥିନ ଟାଣି ରହିବାକୁ ପଡ଼ୁଛି।  ଘର ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକକୁ ଦୌଡ଼ିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଏଭଳି ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗୋଲାପଡା ଗାଁରେ […]

ula0

Tapaswini Nayak
  • Published: Monday, 16 December 2019
  • , Updated: 17 December 2019, 08:00 AM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ୧୯୯୯ ମହାବାତ୍ୟାକୁ ୨୦ ବର୍ଷ ପୂରିଲାଣି। ତା’ରି ଭିତରେ କେତେ ସାମୁଦ୍ରିକ ଝଡ଼ ଆସି ଗଲାଣି। ହେଲେ ଏପର୍ଯ୍ୟନ୍ତ ମହାବାତ୍ୟାରେ ଯେଉଁମାନଙ୍କର ଘର ଭାଙ୍ଗି ଯାଇଥିଲା, ସେମାନଙ୍କୁ ଘର ଖଣ୍ଡିଏ ମିଳିନାହିଁ। ମୁଣ୍ଡ ଗୁଞ୍ଜିବାକୁ ଛାତ ନଥିବାରୁ ପଲିଥିନ ଟାଣି ରହିବାକୁ ପଡ଼ୁଛି।  ଘର ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକକୁ ଦୌଡ଼ିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଏଭଳି ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗୋଲାପଡା ଗାଁରେ ରହୁଥିବା ଉଲା ନାୟକ।

ଉଲା ନାୟକଙ୍କୁ ୮୦ ଟପିଲାଣି। ମହାବାତ୍ୟାରେ ତାଙ୍କ ଘର ଭାଙ୍ଗି ଯାଇଥିଲା। ସେବେଠାରୁ ତାଙ୍କ ପରିବାର ପଲିଥିନ ଟାଣି ରହୁଛନ୍ତି। ଉଲାଙ୍କ ଦୁଇ ପୁଅ, ଦୁଇ ବୋହୂ ,ପାଞ୍ଚ ଜଣ ନାତି ନାତୁଣୀଙ୍କୁ ନେଇ ତାଙ୍କର ପରିବାର। ଏହି ୧୦ ପ୍ରାଣୀ କୁଟୁମ୍ବ ରହିବା ପାଇଁ ଛାତ ଖଣ୍ଡିଏ ନାହିଁ। ଆଜିକୁ ୨୦ ବର୍ଷ ହେବ ଭଙ୍ଗା ଝାଟି ମାଟି କୁଡ଼ିଆ ଘରେ ପଲିଥିନ ଟାଣି ରହି ଆସୁଛନ୍ତି। ଉଲାଙ୍କ ଘରର ଅବସ୍ଥା ଏଭଳି ଯେ , ସେଠି ଜଣେ ମଣିଷ ରହିବା ଭାରି କଷ୍ଟକର। ରାତିରେ ହେଲେ ସରୀସୃପର ଭୟ ରହିଥାଏ। ଏଭଳି ପରିସ୍ଥିତିରେ ଉଲାଙ୍କ ପରିବାର ସେହି ଘରେ ଖାଇବା, ଶୋଇବା ଓ ରୋଷେଇ କରିବା ସବୁ ସେଇଠି କରିଥାନ୍ତି। ହେଲେ ବର୍ଷା ଦିନରେ ସ୍ଥିତି ସଙ୍ଗୀନ ହୋଇପଡ଼ିଥାଏ। ପୂରା ପରିବାର ପର ଘରେ ଯାଇ ମୁଣ୍ଡ ଗୁଞ୍ଜିବାକୁ ପଡ଼ିଥାଏ। ଉଲାଙ୍କ ଦୁଇ ପୁଅ ଦିନ ମଜୁରୀଆ । ଯାହା ଦୁଇ ପୁଅ ରୋଜଗାର କରନ୍ତି, ସେହି ପଇସାରେ ପରିବାର ଚଳିଥାଏ।  ନିଜ ପଇସାରେ ଘର ଖଣ୍ଡିଏ ତିଆରି କରିବା ପାଇଁ ସେମାନଙ୍କ ପାଖରେ ସମ୍ବଳ ନାହିଁ। ଘର ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକ ଅଫିସକୁ ଦୌଡୁଥିଲେ ମଧ୍ୟ ସେମାନଙ୍କୁ ଘର ଖଣ୍ଡିଏ ମିଳିନାହିଁ ବୋଲି ଉଲା ନାୟକଙ୍କ ପୁଅ ବାୟା ନାୟକ କହିଛନ୍ତି।

ସେ ଆହୁରି କହିଛନ୍ତି,“ ଆମେ ଗରିବ ଲୋକ। ଦିନ ମଜୁରୀ ଲାଗି ପେଟ ପୋଷୁଛୁ। ଘର ଖଣ୍ଡିଏ ନଥିବାରୁ ଜରି ଟାଣି ରହିଛୁ। । ସରକାରୀ ସାହାଯ୍ୟ କହିଲେ କେବଳ ପାଞ୍ଚ କିଲ ଚାଉଳ ଆମକୁ ମିଳୁଛି।”

ସବୁଠୁ ଆଶ୍ଚର୍ଯ୍ୟ କଥା ଯେ  ୮୦ ବର୍ଷ ଟପିଥିଲେ ମଧ୍ୟ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ ବୋଲି ଉଲା କହିଛନ୍ତି। ସେ  ଆହୁରି କହିଛନ୍ତି,“ମହାବାତ୍ୟାରେ ଆମ ଘର ଭାଙ୍ଗି ଯାଇଥିଲା। ସମସ୍ତଙ୍କୁ ଘର ମିଳିଥିବା ବେଳେ ଏପର୍ଯ୍ୟନ୍ତ ଆମକୁ ଘର ଖଣ୍ଡିଏ ମିଳିନାହିଁ। ୨୦ବର୍ଷ ହେବ ଜରି ଟାଣି ବହୁ କଷ୍ଟରେ ରହିଛୁ। ବର୍ଷା ହେଲେ ପର ପିଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ପଡ଼ୁଛି। ”

ଗ୍ରାମବାସୀ ରମ୍ୟ ରଞ୍ଜନ ମଲ୍ଲିକ କହିଛନ୍ତି,“ ଉଲା ନାୟକଙ୍କୁ ୮୦ ବର୍ଷ ଟପିଲାଣି, ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ। ଏନେଇ ସେ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ହଁ କରିଦେବି ବୋଲି ସରପଞ୍ଚ କହୁଛନ୍ତି। ହେଲେ ତାଙ୍କୁ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ।  ତାଙ୍କର ମଧ୍ୟ ଘର ଖଣ୍ଡିଏ ନାହିଁ। ପଲିଥିନ ଟାଣି ତାଙ୍କ ପରିବାର ରହୁଛନ୍ତି। ସରକାରଙ୍କ ତରଫରୁ ତାଙ୍କୁ ଯଦି ଘର ଖଣ୍ଡିଏ ମିଳନ୍ତା, ତାହାହେଲେ ସେମାନେ ଉପକୃତ ହୁଅନ୍ତେ।”

ଏନେଇ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀଙ୍କୁ ଅବଗତ କରିବାରୁ ସେ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ। ଖୁବଶୀଘ୍ର ଉଲାଙ୍କ ପରିବାରକୁ ଆବାସ ତାଲିକାରେ ଅନ୍ତର୍ଭୁକ୍ତ କରି ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଉଲାଙ୍କ ଉପରେ ସରକାରଙ୍କ ଶୁଭଦୃଷ୍ଟି କେବେ ପଡ଼ୁଛି ଓ କେବେ ତାଙ୍କୁ ଘର ଓ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି , ତାହା ଦେଖିବା ବାକି ରହିଲା।

Related story