ପାଣି ଘେରରେ ବିଦ୍ୟାଳୟ; କେବେ ଚେତିବ ପ୍ରଶାସନ

ବାସୁଦେବପୁର (କିରୀଟି ଦାସ): ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସରକାରଙ୍କର ବହୁ ଯୋଜନା ରହିଛି। ହେଲେ ସେଗୁଡ଼ିକ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଇପାରୁନାହିଁ। ସେଥିପାଇଁ କେଉଁଠି ଭିତ୍ତିଭୂମି ଭଲ ଥିଲେ ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶିକ୍ଷକ ଥିଲେ ଭିତ୍ତିଭୂମି ନାହିଁ। ଆଉ ଏ ଦୁଇଟି ଯାକରୁ ଗୋଟିକର ଅଭାବର ପ୍ରଭାବ ପିଲାଙ୍କ ଉପରେ ପଡ଼ିଥାଏ। ସେମାନେ ଉଚ୍ଚମାନର ଶିକ୍ଷା ପାଇବାରୁ ବଞ୍ଚିତ ହୁଅନ୍ତି। ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା କରଞ୍ଜିଆଡ଼ିଆ […]

bhadrak

Tapaswini Nayak
  • Published: Friday, 01 November 2019
  • , Updated: 01 November 2019, 03:53 PM IST

ବାସୁଦେବପୁର (କିରୀଟି ଦାସ): ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସରକାରଙ୍କର ବହୁ ଯୋଜନା ରହିଛି। ହେଲେ ସେଗୁଡ଼ିକ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଇପାରୁନାହିଁ। ସେଥିପାଇଁ କେଉଁଠି ଭିତ୍ତିଭୂମି ଭଲ ଥିଲେ ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶିକ୍ଷକ ଥିଲେ ଭିତ୍ତିଭୂମି ନାହିଁ। ଆଉ ଏ ଦୁଇଟି ଯାକରୁ ଗୋଟିକର ଅଭାବର ପ୍ରଭାବ ପିଲାଙ୍କ ଉପରେ ପଡ଼ିଥାଏ। ସେମାନେ ଉଚ୍ଚମାନର ଶିକ୍ଷା ପାଇବାରୁ ବଞ୍ଚିତ ହୁଅନ୍ତି। ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା କରଞ୍ଜିଆଡ଼ିଆ ମାଝିସାହି ପ୍ରାଥମିକ ବିଦ୍ୟାଳୟରେ।

ଏହି ବିଦ୍ୟାଳୟଟି ୨୦୦୮ ମସିହାରେ ସ୍ଥାପିତ ହୋଇଥିଲା। ଏବେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରହିଛି ଓ ପ୍ରାୟ ୧୩୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ବର୍ଷା ହେଲେ ପିଲାମାନେ ଓଦା ହେଉଛନ୍ତି ଓ ଥଣ୍ଡା ଏବଂ ଜରରେ ପଡ଼ୁଛନ୍ତି। ଏହି ବିଦ୍ୟାଳୟର ଆଉ ଏକ ବଡ଼ ସମସ୍ୟା ହେଉଛି ମନ୍ତେଇ ନଈର ଜୁଆର ପାଣି। ପ୍ରତି ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ନଈର ଜୁଆର ପାଣି ବିଦ୍ୟାଳୟ ପରିସରରେ ପଶିଥାଏ। ସ୍କୁଲ ପଡ଼ିଆରେ ଏହି ପାଣି ଜମି ରହୁଥିବା ଯୋଗୁ ପଡ଼ିଆଟି ସବୁବେଳେ କାହୁଅ ଓ ସନ୍ତସନ୍ତିଆ ରହେ। ଫଳରେ ପିଲାମାନେ ଖେଳ ଛୁଟିରେ ପଡ଼ିଆରେ ଖେଳି ପାରନ୍ତି ନାହିଁ।

ବର୍ଷା ଦିନରେ ଏଠିକାର ସମସ୍ୟା ଅଧିକ ସଙ୍ଗିନ୍ ହୋଇଯାଏ। ମନ୍ତେଇ ପାଣି ବିଦ୍ୟାଳୟ ପରିସରେ ଆଣ୍ଠୁଏ ଉଚ୍ଚରେ ଜମି ରହେ। ମନ୍ତେଇ ନଈରେ କୁମ୍ଭୀର ଥିବାରୁ ତାର ଭୟ ଲାଗି ରହିଥାଏ। ଏହାସହ ବିଷାକ୍ତ ସାପମାନଙ୍କର ଭୟ ମଧ୍ୟ ଲାଗି ରହିଥାଏ।

ବିଦ୍ୟାୟଳୟର ସମସ୍ୟାକୁ ନେଇ ପ୍ରଧାନ ଶିକ୍ଷକଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ବାରମ୍ବାର ଶିକ୍ଷା ବିଭାଗକୁ ଅବଗତ କରାଇ ଥିଲେ ମଧ୍ୟ ଆଜି ଯାଏ ସମାଧାନ ହୋଇ ପାରିନାହିଁ।

ପ୍ରଧାନଶିକ୍ଷକ ହିମାଂଶୁ ଶେଖର କାଠ କହିଛନ୍ତି, “ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରହିଛି। ହେଲେ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନାହିଁ। ଜୁଆର ପାଣି ଆସି ବିଦ୍ୟାଳୟରେ ପରିସରରେ ପଶୁଛି। ପଡ଼ିଆ କାଦୁଅ ରହୁଥିବାରୁ ପିଲାମାନେ ଖେଳି ପାରୁ ନାହାନ୍ତି। ନଦୀ ପାଣି ଆସିବା ଯୋଗୁ ସ୍କୁଲରେ ସାପ ମଧ୍ୟ ପଶୁଛନ୍ତି। ପୂର୍ବରୁ ଡିଇଓ ଆସି ସ୍କୁଲ ଘର ନାହିଁ ବୋଲି ବୁଝିକି ଯାଇଛନ୍ତି। ବିଇଓ ମଧ୍ୟ ସବୁ ଜାଣିଛନ୍ତି। ହେଲେ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନାହିଁ।”

ସତ୍ୟବ୍ରତ ଦାସ ନାମକ ଜଣେ ଛାତ୍ର କହିଛନ୍ତି, “ଆମର ଖେଳ ଛୁଟି ହେଉଛି। କିନ୍ତୁ ପଡ଼ିଆରେ ପାଣି ଜମି ରହୁ ଥିବାରୁ ଆମେ ଖେଳି ପାରୁନାହୁଁ।”

ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ କହିଛନ୍ତି, “ମାଝିସାହି ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଥିବା ନେଇ ମୁଁ ଅବଗତ ଅଛି। ମୁଁ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବି ଓ ଏହାସହ ବିଡ଼ିଓଙ୍କୁ ସ୍ୱତନ୍ତ୍ର ଭାବରେ ଚିଠି କରିବି।”

ଶିକ୍ଷାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ।  କେବେ ଏ ସ୍କୁଲ୍‌ ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିବ, ତାହା ଲୋକେ ଚାହିଁ ବସିଛନ୍ତି।

Related story