ଖୁଣ୍ଟ ପୋତି ଭୁଲି ଯାଇଛି ପ୍ରଶାସନ! ଗାଁକୁ ପହଞ୍ଚିପାରିନି ବିଜୁଳି

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗାଁ ଗାଁରେ ଘରେ ଘରେ ଲୋକଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ସରକାରୀ ସ୍ତରରେ ରହିଛି ଅନେକ ଯୋଜନା। ହେଲେ ଏବେବି ଏମିତି ଅନେକ ଗାଁ ଅଛି ଯେଉଁଠି ବିଜୁଳି ଆଲୁଅ ସାତ ସପନ। ଏମିତି ଏକ ଗାଁ ହେଉଛି ବଂଜର। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୋକଳବା ପଞ୍ଚାୟତରେ ଅଛି ଏହି ଗାଁ। ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାରୁ ମାତ୍ର ଗୋଟାଏ  କିଲୋମିଟର ଦୂରରେ ରହିଛି ବଂଜର ଗାଁ। ଏଠାରେ ୪୦ଟି […]

light-9

Tapaswini Nayak
  • Published: Friday, 18 October 2019
  • , Updated: 18 October 2019, 04:29 PM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗାଁ ଗାଁରେ ଘରେ ଘରେ ଲୋକଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ସରକାରୀ ସ୍ତରରେ ରହିଛି ଅନେକ ଯୋଜନା। ହେଲେ ଏବେବି ଏମିତି ଅନେକ ଗାଁ ଅଛି ଯେଉଁଠି ବିଜୁଳି ଆଲୁଅ ସାତ ସପନ। ଏମିତି ଏକ ଗାଁ ହେଉଛି ବଂଜର। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୋକଳବା ପଞ୍ଚାୟତରେ ଅଛି ଏହି ଗାଁ।

ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାରୁ ମାତ୍ର ଗୋଟାଏ  କିଲୋମିଟର ଦୂରରେ ରହିଛି ବଂଜର ଗାଁ। ଏଠାରେ ୪୦ଟି ପରିବାର ବସବାସ କରନ୍ତି। ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ଚାଷବାସ ଓ ମୂଲ ଲାଗି ସେମାନେ ପେଟ ପୋଷନ୍ତି।

ଏହି ଗାଁକୁ ପକ୍କା ରାସ୍ତା ଓ ପାନୀୟ ଜଳର ସୁବିଧା ରହିଛି। ତେବେ ବିଜୁଳି ଆଲୁଅ ନଥିବାରୁ ଅଭିଶପ୍ତ ଜୀବନ ବିତାଉଛନ୍ତି ଗାଁ ଲୋକେ। ସନ୍ଧ୍ୟା ହେଲେ ଆଉ କେହି ଘରୁ ବାହାରନ୍ତି ନାହିଁ। ହିଂସ୍ର ଜନ୍ତୁଙ୍କ ଭୟ ଥିବାରୁ ସଞ୍ଜ ନଇଁ ଗଲେ କବାଟ କିଳି ଘରେ ରୁହନ୍ତି। ଡିବିରି ଓ ଲଣ୍ଠନ ଆଲୁଅରେ ପିଲାଙ୍କ ପାଠପଢ଼ା ଏବଂ ଘରର ରୋଷେଇ କାମ ହୋଇଥାଏ। ଅନ୍ୟପକ୍ଷରେ ଗ୍ରାମବାସୀଙ୍କୁ ମାସକୁ ମୁଣ୍ଡ ପିଛା ଅଧା ଲିଟର ହିସାବରେ କିରୋସିନି ମିଳିଥାଏ। ସେତିକିରେ ମାସ ସାରା ଚଳିବା କଷ୍ଟକର ହୋଇଥାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗାଁର ଉର୍ମିଳା ଯାନୀ କହିଛନ୍ତି, “କରେଣ୍ଟ ନଥିବାରୁ ପିଲାମାନେ ପାଠ ପଢ଼ି ପାରୁ ନାହାନ୍ତି। କିରୋସିନ ନ ଥିଲେ କାଠ ଜଳାଇ ରହୁଛୁ। ସରକାର ଆମ ଗାଁକୁ ଶୀଘ୍ର କରେଣ୍ଟ ଯୋଗାଇ ଦିଅନ୍ତୁ।”

ଗାଁକୁ ବିଜୁଳି ସଂଯୋଗ ଦେବା ପାଇଁ ବାରମ୍ବାର ଦାବି କରାଯିବା ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା। ତେବେ କେବଳ ବିଦ୍ୟୁତ୍ ଖୁଣ୍ଟ ପୋତିବା ପର୍ଯ୍ୟନ୍ତ ସେହି ତତ୍ପରତା ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦେଖିବାକୁ ମିଳିଥିଲା। ତା’ପରଠୁ କାହାରି ଦେଖା ଦର୍ଶନ ନାହିଁ।  ତା’ପରେ ଯେତେ କହିଲେ ସପ୍ତାହେ ଓ ମାସେ କହି ସେମାନେ ଦିନ ଗଡ଼ାଇ ଥିଲେ। ଆଉ ତା’ର ପରିଣତି ଏହା ଯେ ୟା ଭିତରେ ୧୦ ବର୍ଷ ବିତିଗଲାଣି, କିନ୍ତୁ ତାର ଟଣା ହୋଇପାରିଲାନି କି ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇପାରିଲାନି।

ଗ୍ରାମବାସୀ ନିର ପ୍ରଧାନ କହିଛନ୍ତି, “ବହୁବର୍ଷ ହେବ ଆମ ଗାଁରେ ଇଲେକ୍ଟ୍ରି ପୋଲ ପୋତାଯାଇଛି। ହେଲେ କରେଣ୍ଟ ଆସି ନାହିଁ। ଜେଇ ଓ ଏସଡିଓଙ୍କୁ ଏନେଇ ଆମେ ବାରମ୍ବାର ଲଖିତ ଅଭିଯୋଗ କରିଛୁ, ହେଲେ ଆମ କଥା କେହି ଶୁଣୁ ନାହାନ୍ତି।”

ଏନେଇ ବିଦ୍ୟୁତ୍‌ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏନ୍‌. ଏନ୍‌. ପଣ୍ଡାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, “ଦିନଦୟାଲ ଗ୍ରାମ ଜ୍ୟୋତି ଯୋଜନାରେ ଗୁପ୍ତା ପାଓ୍ୱାରକୁ କାମ ଦିଆଯାଇଛି। କେତେ ଗୁଡିଏ ଗାଁକୁ ଉକ୍ତ କମ୍ପାନୀ ବିଦ୍ୟୁତ ସଂଯୋଗ କାର୍ଯ୍ୟ ସଂପୂର୍ଣ୍ଣ କରିପାରିନି। କାମ ତୁରନ୍ତ ଶେଷ କରିବାକୁ କମ୍ପାନୀକୁ କୁହାଯାଇଛି। ଯଥାଶୀଘ୍ର ସବୁ ଗାଁ ଗୁଡ଼ିକୁ ବିଦ୍ୟୁତ ଯୋଗାଇ ଦିଆଯିବ।”

 

Related story