ଅନ୍ଧାର ଆଖିରେ ପ୍ରେମାନନ୍ଦଙ୍କ କଣ୍ଠରୁ ବାହାରୁଛି ସୁମଧୁର ସ୍ୱର

ବିନିକା (ଦିଲୀପ କୁମାର ସାହୁ): ଇଶ୍ୱର ଦୃଷ୍ଟି ଶକ୍ତି ଦେଇ ନାହାନ୍ତି । କିନ୍ତୁ ଦେଇଛନ୍ତି ସୁ ମଧୁର ସ୍ୱର, ଯିଏ ତାଙ୍କ ଗୀତ ଶୁଣୁଛି ମନ୍ତ୍ରମୁଗ୍ଧ ହେଉଛି। ଏହି ଐଶ୍ୱର୍ଯ୍ୟ ପ୍ରତିଭା ଥିବା ବାଳକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଦିବ୍ୟାଙ୍ଗ ଛାତ୍ର ପ୍ରେମାନନ୍ଦ ଶିକା। ନିଜର ପ୍ରଦତ୍ତ ପ୍ରତିଭା ତାଙ୍କୁ ଆଜି ଭେଟି ଦେଇଛି ଢେର୍‌ ଲୋକପ୍ରିୟତା ।

ପ୍ରେମାନନ୍ଦ ବିଶାଲପାଲି ଗାଁର ପ୍ରହଲ୍ଲାଦ ଶିକାଙ୍କ ପୁଅ। ସେ ସିଦ୍ଧାର୍ଥ ମହାବିଦ୍ୟାଳୟ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ନ୍ତି। ପ୍ରେମାନନ୍ଦ ଜନ୍ମରୁ ଦୃଷ୍ଟିହୀନ। ହେଲେ ପିଲାଦିନରୁ ସଙ୍ଗୀତ ପ୍ରତି ତାଙ୍କର ଥିଲା ବହୁତ ରୁଚି। ଛୋଟବେଳେ ସେ ଘରର କବାଟ ବାସନ କୁସନ ବଜାଇ ଗୀତ ଗାଉଥିଲେ। ଏହାସହ ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ମଧ୍ୟ ଗୀତ ଗାଇ ଶୁଣାନ୍ତି। ବଣ ମଲ୍ଲୀ ପରି ତାଙ୍କ ପ୍ରତିଭା ଧୀରେ ଧୀରେ ଲୋକଲୋଚନକୁ ଆସିଥିଲା। ଏବେ ନିଜର ଗୀତ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ।

ପ୍ରେମାନନ୍ଦ ବିଭିନ୍ନ ପ୍ରୋଗାମ ଓ ଫଙ୍କସନ୍‌ରେ ଗୀତ ଗାଇ ଅନେକ ପୁରସ୍କାର ଓ ମାନପତ୍ର ପାଇଛନ୍ତି। ଏହାସହ ଜିଲ୍ଲା ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଗୀତ ଗାଇ ମାନପତ୍ର ପାଇଛନ୍ତି। ଏହି ଦିବ୍ୟାଙ୍ଗ ଛାତ୍ର ଜଣଙ୍କ ବିନା ତାଲିମରେ ହାରମୋନିୟମ ଓ ତବଲା ବଜାଇ ପାରନ୍ତି। ହାରମୋନିୟମ ଓ ତବଲା ବଜାଇ ବିଭିନ୍ନ ପ୍ରୋଗାମ ଓ ଫଙ୍କସନ୍‌ରେ ଗୀତ ଗାଇଥାନ୍ତି।

ପ୍ରେମାନନ୍ଦ ଶିକା କହିଛନ୍ତି, “ମୁଁ ଜନ୍ମରୁ ଅନ୍ଧ। ମୋ ବାପା ବହୁତ କଷ୍ଟରେ ପାଠ ପଢ଼ାଉଛନ୍ତି। ମୁଁ ସାଙ୍ଗମାନଙ୍କ ସାହାଯ୍ୟରେ କଲେଜ ଆସିଥାଏ। ମୋର ସଙ୍ଗୀତ ପ୍ରତି ଆଗ୍ରହ ରହିଛି। ସରକାର ମୋ ପାଇଁ କିଛି ସୁବିଧା କରନ୍ତୁ।”

ପ୍ରେମାନନ୍ଦଙ୍କ ବାପା ପ୍ରହଲ୍ଲାଦ ଶିକା କହିଛନ୍ତି, “ମୋ ପୁଅ ଭଲ ଗୀତ ଗାଉଛି। ମୁଁ ଗରିବ ଲୋକ। ବିଭିନ୍ନ ଜାଗାରେ ଗୀତ ଗାଇ ସେ ବିଭିନ୍ନ ପୁରସ୍କାର ପାଇଛି। ସରକାର ତା ପାଇଁ  କିଛି ସୁବିଧା କଲେ ସେ ଆଗକୁ ଯାଇ ପାରିବ।”

ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟର ପ୍ରାଧ୍ୟାପିକା ରେଖା ପଧାନ କହିଛନ୍ତି, “ପ୍ରେମାନନ୍ଦ ଆମ କଲେଜରେ ପଢ଼ନ୍ତି। ସେ ଦେଖି ପାରୁନାହାନ୍ତି, କିନ୍ତୁ ପାଠପଢ଼ା ପ୍ରତି ତାଙ୍କର ବହୁତ ଆଗ୍ରହ ରହିଛି। ଏହାସହ ଭଲ ଗୀତ ଗାଇ ପାରନ୍ତି। ତବଲା ଓ ହାରମୋନିୟମ ମଧ୍ୟ ବଜାଇ ପାରନ୍ତି। ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେମାନନ୍ଦ ପ୍ରେରଣାର ଉତ୍ସ ପାଲଟିଛନ୍ତି।”