ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତରେ ପ୍ରତିବର୍ଷ ଦେଢ଼ ଲକ୍ଷ ଗାଡ଼ି ଦୁର୍ଘଟଣା ହେଉଛି । କୁହାଯାଉଛି, ଏହାର କାରଣ ବେପରୁଆ ଗାଡ଼ି ଚାଳନା ଏବଂ ବିପଦପୂର୍ଣ୍ଣ ସଡ଼କ। ତେବେ ଆପଣ ଅଜାଣତରେ ମଧ୍ୟ ଏପରି ଗାଡ଼ି ଦୁର୍ଘଟଣାର ଶିକାର ହୋଇ ପାରନ୍ତି।
ଆପଣ ଯଦି କୌଣସି ସଡ଼କ ଦୁର୍ଘଟଣାର ଶିକାର ହେଉଛନ୍ତି କିମ୍ୱା ଆପଣଙ୍କ ଆଖି ସାମ୍ନାରେ ଏହା ଘଟୁଛି, ତେବେ ସେହି ସମୟରେ ଏବଂ ପରେ କ’ଣ କରିବେ ? ଜାଣନ୍ତୁ, ଏନେଇ କ'ଣ ରହିଛି ଆଇନ୍ ବ୍ୟବସ୍ଥା।
୧.ଯଦି ଆପଣଙ୍କ ଆଖି ଆଗରେ କୌଣସି ଦୁର୍ଘଟଣା ଘଟିଛି, ତେବେ ପ୍ରଥମେ ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ସଂପୃକ୍ତ ବ୍ୟକ୍ତିଙ୍କୁ ଗୁରୁତର ଆଘାତ ଲାଗିଛି, ତେବେ ସହାୟତା ପାଇଁ ଅନ୍ୟମାନଙ୍କୁ ଡାକନ୍ତୁ ।
୨. ସାଧାରଣତଃ ଦୁର୍ଘଟଣା ଘଟିଥିବା ସ୍ଥାନରେ ଭିଡ଼ ଅଧିକ ହୋଇଥାଏ। ତେବେ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତି ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଯେପରି ଏକ ସୁରକ୍ଷିତ ଦୂରତା ରହିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
୩. ଦୁର୍ଘଟଣା ହୋଇଥିବା ଗାଡ଼ିର ଫଟୋ ପ୍ରଥମେ ଉଠାନ୍ତୁ। ପୁଲିସ୍ ସେହି ସ୍ଥାନରେ ପହଞ୍ଚି ପ୍ରମାଣ ଏକାଠି କରିବା ପୂର୍ବରୁ ଆପଣ ନିଜ ପାଖରେ ଏହି ପ୍ରମାଣକୁ ରଖିଥା'ନ୍ତୁ।
୪. ଦୁର୍ଘଟଣା ଘଟିବା ସମୟରେ ବାସ୍ତବରେ କ’ଣ ହୋଇଥିଲା, ତାହା ନିକଟସ୍ଥ ପୋଲିସ୍ ଷ୍ଟେସନ୍ରେ ଜଣାଇ ଏକ ଏଫାୟାର୍ ଦିଅନ୍ତୁ। ଏହାପରେ ଦୁର୍ଘଟଣା ହୋଇଥିବା ଗାଡ଼ିର ସଠିକ୍ ପ୍ରମାଣପତ୍ର ସଂଗ୍ରହ କରି ଏହାକୁ ପୁଲିସ୍ ଷ୍ଟେସନ୍ରେ ହସ୍ତାନ୍ତର କରନ୍ତୁ।
୫. ଦୁର୍ଘଟଣା ଘଟାଇଥିବା ଗାଡ଼ିର ଚାଳକଙ୍କୁ ଆଇନ୍ ଅନୁସାରେ ଦୋଷୀ କୁହାଯାଇଥାଏ। ତେବେ ଯଦି ସଂପୃକ୍ତ ଚାଳକଙ୍କ ବୟାନ ରେକର୍ଡ କରାଯାଇଥିବ, ତେବେ ଯାଇ କୋର୍ଟରେ ବିଚାରପତି ସେ ଦୋଷୀ କି ନୁହେଁ, ତାହା ବିଚାର କରିବେ। ସେଥିପାଇଁ ସୁଯୋଗ ମିଳିଲେ, ଦୁର୍ଘଟଣା ଘଟାଇଥିବା ଚାଳକଙ୍କ ବୟାନକୁ ରେକର୍ଡ କରି ପୁଲିସ୍ରେ ଦିଅନ୍ତୁ।
୬. ଦୁର୍ଘଟଣା ମାମଲାର ଶୁଣାଣି କୋର୍ଟରେ ଚାଲୁଥିବାବେଳେ ସେ ସମୟରେ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତ ଯେପରି ସେମାନଙ୍କ ଯୁକ୍ତି କୋର୍ଟରେ ଉପସ୍ଥାପନ କରିପାରିବେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ।
୭. ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କର ଯଦି ମୃତ୍ୟୁ ହୋଇଯାଏ, ତେବେ ବେପରୁଆ ଗାଡ଼ି ଚାଳନା ଯୋଗୁ ହିଁ ତାହା ହୋଇଛି ବୋଲି କୁହାଯାଇଥାଏ। କିନ୍ତୁ ଏହାର ପ୍ରମାଣ ପାଇଁ ଅନ୍ୟ ପୀଡ଼ିତଙ୍କ ସାକ୍ଷ୍ୟ ଆବଶ୍ୟକ। ଏହି ସାକ୍ଷ୍ୟ ପାଇବା ପରେ ଭାରତୀୟ ଦଣ୍ଡବିଧି ଆଇନ୍ର ଧାରା ୩୦୪ (କ) ଅନୁସାରେ ପୁଲିସ୍ ଏକ ଅପରାଧିକ ମାମଲା ରୁଜୁ କରେ।
୮. ନାଗରିକ ଏବଂ ଅପରାଧିକ ଆଇନ୍ ଅନୁସାରେ ଗାଡ଼ି ମାଲିକ ଏବଂ ଡ୍ରାଇଭର୍ ମଧ୍ୟରେ ଥିବା ସମ୍ପର୍କକୁ ‘ମାଷ୍ଟର୍’ ଏବଂ ‘ସର୍ଭ୍ୟାଣ୍ଟ୍’ ବୋଲି କୁହାଯାଇଥାଏ। ଆଇନ୍ ଅନୁସାରେ, ଡ୍ରାଇଭର୍ ଭୁଲ୍ କଲେ ମାଲିକକୁ ମଧ୍ୟ ଦୋଷୀ ବୋଲି କୁହାଯାଏ। ତେବେ ଏଥିପାଇଁ ସାବ୍ୟସ୍ତ କରିବାକୁ ପଡ଼ିବ ଯେ, ମାଲିକର ଅନୁମତିରେ ହିଁ ଡ୍ରାଇଭର୍ ଏହି ଭୁଲ୍ କରିଛି।
୯. ଆଇନ୍ ଅନୁସାରେ, ଦୁର୍ଘଟଣା ଘଟାଇଥିବା ଗାଡ଼ିର ଡ୍ରାଇଭର୍ଙ୍କ ଦାୟିତ୍ୱ ହେଉଛି, ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ୍ରେ ପହଞ୍ଚାଇବା । ଏହା ନ କଲେ ସେ ଦଣ୍ଡ ଭୋଗିବେ ।୧୦. ଦୁର୍ଘଟଣା ପରେ ଯଦି ପୀଡ଼ିତଙ୍କର ମୃତ୍ୟୁ କିମ୍ବା କୌଣସି ଅଙ୍ଗ ଅଚଳ ହୋଇଯାଏ, ତେବେ ଏଥିପାଇଁ ଗାଡ଼ି ମାଲିକଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିଥାଏ। ଏଥିପାଇଁ ମଧ୍ୟ ଧ୍ୟାନ ଦେବେ।
୧୧. ଦୁର୍ଘଟଣା ପରେ ବ୍ୟକ୍ତି ଏହା ଜାଣିବାକୁ ଚେଷ୍ଟା କରିଥାଏ ଯେ, ତାକୁ କେଉଁ ପ୍ରକାର ସହାୟତା ମିଳିବ। ଏହି ସମୟରେ ମୋଟରଯାନ ଆଇନ୍ - ୧୯୮୮ରେ ଥିବା ବ୍ୟବସ୍ଥା ସାହାଯ୍ୟ କରିଥାଏ।
୨୦୧୬, ମାର୍ଚ୍ଚ ୩୦ରେ ସୁପ୍ରିମ୍କୋର୍ଟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା କିଛି ନିୟମକୁ ‘ଫୋର୍ସ ଅଫ୍ ଲ’ ନାମରେ ମଞ୍ଜୁରୀ ଦେଇ ‘ସେଭ୍ ଲାଇଫ୍ ଫାଉଣ୍ଡେସନ୍’ର ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଥିଲେ।
ଆସନ୍ତୁ ଜାଣିବା, ଏଥିରେ କ'ଣସବୁ ଉଲ୍ଲେଖ ରହିଛି।
-ଦୁର୍ଘଟଣାରେ ପୀଡ଼ିତଙ୍କୁ ହସ୍ପିଟାଲ୍ ନେଇଥିବା ବ୍ୟକ୍ତି କୌଣସି ଆଇନଗତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ନାହିଁ। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପରେ ସେ ସେଠାରୁ ତୁରନ୍ତ ଆସିପାରିବେ।
-ସେ ନିଜ ନାମ ଏବଂ ପରିଚୟ ଦେବା ପାଇଁ ବାଧ୍ୟ ନୁହନ୍ତି।
-ଅନ୍ୟ ନାଗରିକଙ୍କୁ ସାହାଯ୍ୟ କରିଥିବା କାରଣରୁ ସେହି ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯିବ।
- ଯଦି ଦୁର୍ଘଟଣା ସମ୍ପର୍କିତ କୌଣସି ମାମଲାର ଶୁଣାଣି କୋର୍ଟରେ ହୁଏ, ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ସୁବିଧା ପାଇଁ ଗୋଟିଏ ଶୁଣାଣିରେ ଏହାର ଫୈସଲା ହେବା ଦରକାର।
-ପୀଡ଼ିତ ବ୍ୟକ୍ତିଙ୍କୁ ଯଦି ଡାକ୍ତର କିମ୍ୱା ପୁଲିସ୍ କୌଣସି ସମସ୍ୟାରେ ପକାନ୍ତି, ତେବେ ଆଇନ୍ ଅନୁସାରେ ସେମାନଙ୍କୁ ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି।
(ତଥ୍ୟ - ଦି ବେଟର୍ ଇଣ୍ଡିଆ)
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।