କେବଳ ଭାରତୀୟ ନୁହେଁ, ପାକିସ୍ତାନୀଙ୍କୁ ବି ସାହାଯ୍ୟ କରିଥିଲେ ସୁଷମା

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କର ପରଲୋକ ହୋଇଯାଇଛି। ସେ ଜଣେ ଦକ୍ଷ ପ୍ରଶାସକ ଥିଲେ। ବୈଦେଶିକ ମନ୍ତ୍ରୀ ଭାବେ ସେ ନିଜ କାର୍ଯ୍ୟପ୍ରତି ଯେତିକି ନିଷ୍ଠାବାନ୍ ଥିଲେ, ମାନବିକତା ଦୃଷ୍ଟିକୋଣରୁ ସାଧାରଣ ଲୋକଙ୍କୁ ମଧ୍ୟ ସେତିକି ସାହାଯ୍ୟ କରୁଥିଲେ। ସେ ଟ୍ୱିଟର୍ ମାଧ୍ୟମରେ ସାରା ବିଶ୍ୱରେ ଥିବା ଭାରତୀୟଙ୍କ ସହିତ ଯୋଡ଼ି ହୋଇଥିଲେ ଓ ସେମାନଙ୍କ ଅସୁବିଧା କଥା ଶୁଣୁଥିଲେ ଏବଂ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲେ। […]

sushmaa

Chinmayee Roy
  • Published: Wednesday, 07 August 2019
  • , Updated: 07 August 2019, 03:41 PM IST

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କର ପରଲୋକ ହୋଇଯାଇଛି। ସେ ଜଣେ ଦକ୍ଷ ପ୍ରଶାସକ ଥିଲେ। ବୈଦେଶିକ ମନ୍ତ୍ରୀ ଭାବେ ସେ ନିଜ କାର୍ଯ୍ୟପ୍ରତି ଯେତିକି ନିଷ୍ଠାବାନ୍ ଥିଲେ, ମାନବିକତା ଦୃଷ୍ଟିକୋଣରୁ ସାଧାରଣ ଲୋକଙ୍କୁ ମଧ୍ୟ ସେତିକି ସାହାଯ୍ୟ କରୁଥିଲେ। ସେ ଟ୍ୱିଟର୍ ମାଧ୍ୟମରେ ସାରା ବିଶ୍ୱରେ ଥିବା ଭାରତୀୟଙ୍କ ସହିତ ଯୋଡ଼ି ହୋଇଥିଲେ ଓ ସେମାନଙ୍କ ଅସୁବିଧା କଥା ଶୁଣୁଥିଲେ ଏବଂ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲେ। ସେଥିପାଇଁ ଆଜି ସାରା ବିଶ୍ୱରେ ଭାରତୀୟମାନେ ତାଙ୍କୁ ଝୁରୁଛନ୍ତି। ସେ ଯେ କେବଳ ଭାରତୀୟମାନଙ୍କୁ ସାହାଯ୍ୟ କରିଥିଲେ ତାହା ନୁହେଁ, ପାକିସ୍ତାନ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି। ଏହାର ଅନେକ ନଜିର ରହିଛି।

ଚିକିତ୍ସା ପାଇଁ ଭିଜା ବ୍ୟବସ୍ଥା କରିଥିଲେ

ପାକିସ୍ତାନର ଜଣେ ମହିଳା ନୀଳିମା ଗଫ୍ଫାର ଭାରତକୁ ଆସି ଚିକିତ୍ସିତ ହେବାକୁ ଚାହୁଁଥିଲେ। ହେଲେ ତାଙ୍କୁ ଭିଜା ମିଳୁ ନଥିଲା। ସବୁ ପ୍ରକାର ଚେଷ୍ଟା କରି ବିଫଳ ହେବା ପରେ ତାଙ୍କ ସ୍ୱାମୀ ଏକ ଟ୍ୱିଟ୍ କରି ସୁଷମା ସ୍ୱରାଜଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହା ହେଉଛି ୨୦୧୭ ମସିହାର ଘଟଣା। ସୁଷମା ତାଙ୍କ ଟ୍ୱିଟ୍ ପଢ଼ି ଭିଜା ବ୍ୟବସ୍ଥା କରାଇଥିଲେ। ସେହିବର୍ଷ ଅକ୍ଟୋବର ୧୧ ତାରିଖରେ ନୀଳିମା ଓ ତାଙ୍କ ସ୍ୱାମୀଙ୍କୁ ଭିଜା ମିଳିଥିଲା। ସେମାନଙ୍କୁ ଭିଜା ଜାରି ହେବା ପରେ ନୀଳିମାଙ୍କ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ସୁଷମା ଲେଖିଥିଲେ, ଭାରତରେ ଆପଣଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ଆମେ ଭିଜା ଦେଉଛୁ।

ଏଭଳି ଆଉ ଏକ ଘଟଣା ଘଟିଥିଲା ପାକିସ୍ତାନର ଜଣେ ଶିଶୁ କ୍ଷେତ୍ରରେ। କାଶିଫ ଚାଚା ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ଅବଦୁଲ୍ଲାଙ୍କର ଚିକିତ୍ସା ଭାରତରେ କରାଇବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ବି ଭିଜା ମିଳୁ ନଥିଲା। ଏହା ପରେ ସେ ଟ୍ୱିଟ୍ କରି ସୁଷମାଙ୍କ ସାହାଯ୍ୟ ମାଗିଥିଲେ। ଏହାର ଉତ୍ତରର ସୁଷମା କହିଥିଲେ, ଆପଣଙ୍କ ପୁଅ ପାଇଁ ଚିକିତ୍ସା ବାଧା ଉପୁଜିବନି। ଏହାପରେ ସେ ସେମାନଙ୍କ ପାଇଁ ମେଡିକାଲ୍ ଭିଜା କରାଇଥିଲେ।

ଗୀତାଙ୍କୁ ଫେରାଇ ଆଣିଥିଲେ ଓ ଭାରତର ଝିଅ ବୋଲି କହିଥିଲେ

ଭୁଲ୍‌ରେ ପାକିସ୍ତାନକୁ ଚାଲି ଯାଇଥିବା ମୂକ, ବଧିର ଯୁବତୀ ଗୀତାଙ୍କୁ ଫେରାଇ ଆଣିବାରେ ବଡ଼ ଭୂମିକା ନିର୍ବାହ କରିଥିଲେ ସୁଷମା। ଗୀତା ସେଠାରେ ୧୦ ବର୍ଷ ଫସି ରହିଥିବା ବେଳେ ୨୦୧୫ ଅକ୍ଟୋବର ୨୬ ତାରିଖରେ ଭାରତକୁ ଫେରିଥିଲେ। ଗୀତା ପାକିସ୍ତାନରୁ ଫେରିବା ପରେ ସୁଷମା ତାଙ୍କୁ ଭାରତର ଝିଅ ବୋଲି କହିଥିଲେ। ଏପରିକି ତାଙ୍କ ବାପାମା’ଙ୍କ ଠିକଣା ସଂପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ। କେବଳ ଏତିକି ନୁହେଁ,  ସେ ଗୀତାଙ୍କ ପାଇଁ ଜୀବନସାଥୀ ମଧ୍ୟ ଖୋଜୁଥିଲେ। ସୁଷମାଙ୍କ ପରଲୋକ କଥା ଶୁଣି ଗୀତା ହତବାକ୍ ହୋଇଯାଇଛନ୍ତି।

ପାକ୍‌ ଜେଲରୁ ହମିଦ୍‌ଙ୍କୁ ମୁକୁଳାଇ ଥିଲେ

ରାଜସ୍ଥାନର ଯୁବକ ହମିଦ୍ ଅନ୍‌ସାରୀ ୬ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ଥିଲେ। ସୁଷମାଙ୍କ ପ୍ରୟାସ ଯୋଗୁ ସେ ସେଠାରୁ ମୁକୁଳି ଥିଲା। ସୋଶାଲ୍ ମିଡିଆ ମାଧ୍ୟମରେ ହମିଦ୍‌ ପାକିସ୍ତାନର ଜଣେ ଯୁବତୀଙ୍କ ବନ୍ଧୁ ପାଲଟି ଯାଇଥିଲେ। ତାଙ୍କୁ ଭେଟିବାକୁ ସେ ପାକିସ୍ତାନ ଯାଇଥିଲେ। ତେବେ ପାକିସ୍ତାନ ପୁଲିସ୍ ତାଙ୍କୁ ଗିରଫ କରି ନେଇଥିଲା। ତାଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଳା। ତେବେ ତା’ପରେ ବି ତାଙ୍କୁ ଜେଲ୍‌ରୁ ଛଡ଼ା ଯାଇ ନଥିଲା। ସୁଷମାଙ୍କ ଚେଷ୍ଟା ଯୋଗୁ ସେ ସେଠାରୁ ଫେରିଥିଲେ। ଗତକାଲି ସୁଷମାଙ୍କ ପରଲୋକ ଖବର ପାଇ ସେ ମର୍ମାହତ ହୋଇଯାଇଛନ୍ତି ଓ ତାଙ୍କ ମା’ ଚାଲିଗଲେ ବୋଲି କହିଛନ୍ତି।

 

 

Related story