କାହିଁକି ଦେଖାଗଲାନି କରୋନା ବୁଲେଟିନ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ ବଳବତ୍ତର ରହିଥିବାବେଳେ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ମାତ୍ର ସାମାଜିକ ଦୂରତ୍ୱ ଆଳରେ ଗଣମାଧ୍ୟମର ପ୍ରଶ୍ନବାଣକୁ ଦୂରେଇବା ପାଇଁ ରାଜ୍ୟ ସରକାରଙ୍କ ରେକର୍ଡଂ ଭିଡିଓ ପ୍ରେରଣ କରିବା ଫର୍ମୂଲା ଆଜି ଫେଲ୍ ମାରିଛି। ପ୍ରତ୍ୟେକ ଦିନ ଅପରାହ୍ନ ସାଢ଼େ ୪ଟା ସମୟରେ ରାଜ୍ୟ ସରକାରଙ୍କ ନିୟମିତ ବୁଲେଟିନକୁ ଦେଖିବା ଆଜି ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବପର ହୋଇପାରିନି। ଏପରିକି […]

subrat-3

Manoranjan Sial
  • Published: Saturday, 18 April 2020
  • , Updated: 18 April 2020, 09:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ ବଳବତ୍ତର ରହିଥିବାବେଳେ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ମାତ୍ର ସାମାଜିକ ଦୂରତ୍ୱ ଆଳରେ ଗଣମାଧ୍ୟମର ପ୍ରଶ୍ନବାଣକୁ ଦୂରେଇବା ପାଇଁ ରାଜ୍ୟ ସରକାରଙ୍କ ରେକର୍ଡଂ ଭିଡିଓ ପ୍ରେରଣ କରିବା ଫର୍ମୂଲା ଆଜି ଫେଲ୍ ମାରିଛି। ପ୍ରତ୍ୟେକ ଦିନ ଅପରାହ୍ନ ସାଢ଼େ ୪ଟା ସମୟରେ ରାଜ୍ୟ ସରକାରଙ୍କ ନିୟମିତ ବୁଲେଟିନକୁ ଦେଖିବା ଆଜି ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବପର ହୋଇପାରିନି। ଏପରିକି ଟିଭି ଚ୍ୟାନେଲଗୁଡ଼ିକ ମଧ୍ୟ ଏହାର ସିଧାସଳଖ ପ୍ରସାରଣରୁ ବଂଚିତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସବୁଦିନ ଭଳି ଆଜି ମଧ୍ୟ ଅପରାହ୍ନ ସାଢ଼େ ୪ଟା ସମୟରେ କରୋନା ସମ୍ପର୍କିତ ତଥ୍ୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୀତଗୋବିନ୍ଦ ସଦନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଓ ସିଏମସି କମିଶନର ପ୍ରମୁଖ କୋଭିଡ-୧୯ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଓ ଅନ୍ୟ ହାତଗଣତି କର୍ମଚାରୀଙ୍କୁ ନେଇ ଆୟୋଜନ କରାଯାଇଥିବା ଏହି ବୁଲେଟିନ୍ ରେକର୍ଡିଂ ଦେଖିବା ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନି। ମାର୍ଚ୍ଚ ୨୪ ତାରିଖରୁ ଲକଡାଉନରେ ଘରେ ରହି କରୋନା ସଂକ୍ରାନ୍ତରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ଟିକିନିଖି ଖବର ଜାଣିବାକୁ ସାଧାରଣ ଲୋକମାନେ ଟିଭି ଚ୍ୟାନେଲ ଓ ସୋଶାଲ ମିଡିଆକୁ ଚାହିଁ ରହିଥିବାବେଳେ ଆଜି ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଅବଶ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପୂର୍ବଭଳି ଆଜି ଅପରାହ୍ନ ୪ଟା ୨୮ ଓ ୪ଟା ୩୬ମିନିଟରେ ଦୁଇଟି ଲିଙ୍କ୍ ଦେଇ ସିଧାସଳଖ ପ୍ରସାରଣ ଦେଖିବାକୁ ପରାମର୍ଶ ଦେଇଥିଲା। କିନ୍ତୁ ଏହି ଦୁଇଟି ଯାକ ଲିଙ୍କ୍ ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ଅକାମୀ ଥିବାବେଳେ ଅନ୍ୟ ଲିଙ୍କଟି ଦେଖିବା ସମ୍ଭବପର ନଥିଲା। ଯାହାଫଳରେ ଟିଭି ଚ୍ୟାନେଲଗୁଡ଼ିକ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀଙ୍କ ନିୟମିତ ବୁଲେଟିନର ସିଧା ପ୍ରସାରଣ ଦେଖିବାରୁ ବଂଚିତ ହୋଇଥିଲେ।

ଏବେ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ମନ୍ତ୍ରଣାଳୟର ପଦାଧିକାରୀମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ନେତୃତ୍ୱରେ ନିୟମିତ ଭାବେ ଦିଲ୍ଲୀ ଭଳି ସହରରେ ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରି ଟିକିନିଖି ବିବରଣୀ ଦେଶବାସୀଙ୍କୁ ଦେଉଥିବାବେଳେ ରାଜ୍ୟ ସରକାର କାହିଁକି ଗଣମାଧ୍ୟମ ପ୍ରତିନିଧିଙ୍କଠୁ ନିଜକୁ ଦୂରେଇ ରଖୁଛନ୍ତି? କେନ୍ଦ୍ର ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସାମାଜିକ ଦୂରତ୍ୱ ବଜାୟ ରଖାଯିବା ସହ ନିୟମିତ ଭାବେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଅଫିସରମାନେ ଦେଇଥାନ୍ତି। କିନ୍ତୁ ଏଠି ସାମାଜିକ ଦୂରତ୍ୱର ଆଳ ଓ ସଂକ୍ରମଣର ଆଳ ଦେଖାଇ ରାଜ୍ୟ ସରକାର ଗତ ୨୪ ଦିନ ଧରି ସାମ୍ବାଦିକ ସମ୍ମିଳନୀ ନାମରେ ଅଫିସରମାନଙ୍କର ରେକର୍ଡିଂ ଭିଡିଓକୁ ଗଣମାଧ୍ୟମ ଓ ସୋଶାଲ ମିଡିଆକୁ ନେଇ ନିଜର ପଦକ୍ଷେପ ସମ୍ପର୍କରେ ସୂଚନା ଦେଉଛନ୍ତି।

ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ସେତୁ ଭାବେ ‘ଗଣମାଧ୍ୟମ’ କାର୍ଯ୍ୟ କରୁଥିଲେ ମଧ୍ୟ କରୋନା ପରିଚାଳନା ସଂକ୍ରାନ୍ତ କୌଣସି ପ୍ରଶ୍ନ ଗ୍ରହଣ କରିବାକୁ ଚାହୁଁନଥିବା ସରକାରୀ ପଦାଧିକାରୀମାନଙ୍କ ମାନସିକତାରୁ ସ୍ପଷ୍ଟ ହୋଇଯାଇଛି। ତା’ହୋଇନଥିଲେ ସୂଚନା ଅଫିସରମାନଙ୍କ ମାଧ୍ୟମରେ ଗଣମାଧ୍ୟମର ପ୍ରତିନିଧିମାନେ ଦିନକୁ ବହୁ ପ୍ରଶ୍ନ କରୁଥିଲେ ମଧ୍ୟ ସରକାର ଗତ ପ୍ରାୟ ୨୫ ଦିନ ମଧ୍ୟରେ ମାତ୍ର ୫-୬ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି।

କୋଭିଡ-୧୯ ପରିଚାଳନାରେ ସରକାର ଏଭଳି ଗୋପନୀୟତା ଅବଲମ୍ବନ କରିବା ପଛରେ କ’ଣ କାରଣ ରହିଛି? ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ସିଧାସଳଖ ସମ୍ମୁଖୀନ ହେବାକୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି? କରୋନା ଭଳି ବିଶ୍ୱ ମହାମାରୀର ମୁକାବିଲା ପାଇଁ ଗଣମାଧ୍ୟମ ନିଜର ଦାୟିତ୍ୱ ନିର୍ବାହ କରୁଥିବାବେଳେ ସମାଜର ସବୁବର୍ଗର ଲୋକେ ଏବେ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ତଥାପି ଗଣମାଧ୍ୟମ ପ୍ରତିନିଧିଙ୍କଠୁ ଦୂରେଇ ରହି ସାଧାରଣ ଲୋକଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନ ଓ ଖବରରୁ ବଂଚିତ କରିବାକୁ କାହିଁକି ସରକାର ଆଗ୍ରହ ଦେଖାଉଛନ୍ତି? ଆଜିର ବୁଲେଟିନକୁ ରାଜ୍ୟବାସୀ ଦେଖିବାରୁ ବଂଚିତ ହେବାପରେ ସରକାରଙ୍କ ପ୍ରଚାର ପ୍ରସାର ଦାୟିତ୍ୱରେ ଥିବା ଅଫିସରମାନେ ନିଜର ମାନସିକତାରେ ପରିବର୍ତ୍ତନ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ମିଳିଥିବା ଶେଷ ଖବର ଅନୁଯାୟୀ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଉକ୍ତ ନିୟମିତ ବୁଲେଟିଂ ନିର୍ଦ୍ଧାରିତ ସମୟ ଅପରାହ୍ନରେ ସାଢ଼େ ୪ଟାରେ ପରିବେଷଣ ହୋଇ ପାରି ନଥିଲା। ତେବେ ପରେ ବିଭିନ୍ନ ଟିଭି ଚ୍ୟାନେଲ୍‌ ଏହାକୁ ସେମାନଙ୍କ ସୁବିଧା ମୁତାବକ ସମୟରେ ପ୍ରସାର କରିଥିଲେ।

Related story