[caption id="attachment_394608" align="alignleft" width="147"]
ଯୋଗକୁ ଏକ ସାମାନ୍ୟ ବ୍ୟାୟାମ କହି ଆମେ ଏହାର ଅପମାନ କରିଥା’ନ୍ତି। ଯୋଗ ହେଉଛି ଶାରୀରିକ ସୁସ୍ଥତା, ମାନସିକ ସ୍ଥିରତା, ବୌଦ୍ଧିକ ବିକାଶ ଓ ଆତ୍ମୋନ୍ନତିର ସଂପୂର୍ଣ୍ଣ ପଦ୍ଧତି। ଯେଉଁଭଳି ଆମେ ଆହାର ଓ ଜଳ ସେବନ କରିଥା’ନ୍ତି, ଠିକ୍ ସେହିଭଳି ପାଖାପାଖି ୭୩ କୋଟି ନାଡ଼ି ମାଧ୍ୟମରେ କୋଟି କୋଟି କୋଷିକା ଗୁଡ଼ିକର ଆହାର ରୂପରେ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି।
ଆମେ ଆହାର ଓ ଜଳ ପାଇଁ ସଚେତନ, କିନ୍ତୁ ଶରୀରରେ ପର୍ଯ୍ୟାପ୍ତ ପରିମାଣର ମୁକ୍ତ ଅମ୍ଲଜାନ ପ୍ରବେଶ ନିମିତ୍ତ ସଚେତନ ନୁହଁନ୍ତି। ପରିଣାମତଃ ନାନା ବ୍ୟାଧିର ଶିକାର ହୋଇଥା’ନ୍ତି। ଆଜି ଆହାର ବିଷ, ଜଳ ବିଷ ଓ ବାୟୁ ପ୍ରଦୂଷିତ। ବ୍ୟକ୍ତିର ଆଉ ନିସ୍ତାର ନାହିଁ। ଯଦି ସେ ଯୋଗ ନ କରେ ତେବେ ରୋଗୀ ହେବା ନିଶ୍ଚିତ।
ପୂରା ଜଗତ ନିୟମରେ ବନ୍ଧା। ପଶୁପକ୍ଷୀ କୀଟ ପତଙ୍ଗ ଠାରୁ ଆରମ୍ଭ କରି ନଦୀ ସାଗର ବନଷ୍ପତି ଇତ୍ୟାଦି ନିଶ୍ଚିତ ନିୟମ ଦ୍ୱାରା ପରିଚାଳିତ। କିନ୍ତୁ ମନୁଷ୍ୟ ବିଜ୍ଞତାର ଦ୍ୱାହି ଦେଇ ଆଜି ବିଶୃଙ୍ଖଳିତ ଜୀବନ ଜୀଉଁଛି। ଏହାର ମୂଳ କାରଣ ହେଉଛି- ଅଖାଦ୍ୟ ଖାଇବା, ଅସମୟରେ ଖାଇବା, ଅତ୍ୟଧିକ ମାତ୍ରାରେ ଖାଇବା ଓ ଅତ୍ୟଧିକ ଭାବ ପ୍ରବଣତାର ସହ ଜୀଇଁବା।
ଶରୀର, ମନ, ବୁଦ୍ଧି ଓ ଆତ୍ମା ନିମିତ୍ତ ଆମକୁ ଯଥୋଚିତ ସମୟ ଦେବାକୁ ପଡ଼ିବ। ପ୍ରତ୍ୟେକ ଦିନ ଶରୀର ପାଇଁ ୧୫ ମିନିଟ୍ ବ୍ୟାୟାମ, ମନ ପାଇଁ ୩୦ ମିନିଟ୍ରୁ ୪୫ ମିନିଟ୍ ପ୍ରାଣାୟମ, ବୁଦ୍ଧି ପାଇଁ ୩୦ ମିନିଟ୍ର ସ୍ୱଧ୍ୟାୟ ଓ ଆତ୍ମା ପାଇଁ ୧୦ରୁ୧୫ ମିନିଟ୍ ଧ୍ୟାନ୍ୟ କରିବାକୁ ହିଁ ପଡ଼ିବ।
ଆପଣ ଖେଳନ୍ତୁ, ଚାଲନ୍ତୁ, ଦୌଡ଼ନ୍ତୁ, ସନ୍ତରଣ କରନ୍ତୁ ବା ବ୍ୟାୟାମଶାଳା ଯାଆନ୍ତୁ, କିନ୍ତୁ ଏକ ଘଣ୍ଟାରୁ ଦେଢ଼ ଘଣ୍ଟା ଅବଶ୍ୟ ଉପରୋକ୍ତ ଅଭ୍ୟାସ କରିବାକୁ ହିଁ ପଡ଼ିବ। ଏହାଠୁ ଆଉ ସହଜ ଉପାୟ ନାହିଁ।
ଭୋର୍ ୪ଟା କିମ୍ୱା ସାଢ଼େ ୪ଟା ସୁଦ୍ଧା ଶଯ୍ୟା ତ୍ୟାଗ କରନ୍ତୁ। ମାତ୍ର ୧୦ମିନିଟ୍ ଭିତରେ ଆରାମରେ ଶୌଚ ହୋଇଯିବ। ପରେ ମୁକ୍ତ ସ୍ଥାନରେ କିମ୍ବା ଝରକା ଖୋଲି ଏକ ପରିଷ୍କାର ଜାଗାରେ ବସିଯାନ୍ତୁ। ତା’ପରେ ବ୍ୟାୟାମ (କିଛି ଶରୀର ଚାଳନା କ୍ରିୟା ) କିମ୍ୱା ୧୧ଥର ସୂର୍ଯ୍ୟ ନମସ୍କାର କରିନିଅନ୍ତୁ। ସମସ୍ତ ଆସନର ସମାହାର ସୂର୍ଯ୍ୟ ନମସ୍କାରରେ ସମାହିତ। ପରେ ପରେ ଭିନ୍ନ ଭିନ୍ନ ଶ୍ୱାସର କ୍ରିୟା ପ୍ରାଣାୟମ କରନ୍ତୁ। ଯେମିତିକି ଭତ୍ସିକା ୫ମିନିଟ୍ ( ଏଥିରେ ଦୀର୍ଘ ଶ୍ୱାସ ନେବା ଓ ଦୀର୍ଘ ଶ୍ୱାସ ଛାଡ଼ିବା), କପାଳଭାତି ୧୦ ମିନିଟ୍ ( ବାରମ୍ବାର ଶ୍ୱାସକୁ ବାହାରକୁ ଛାଡ଼ିବା ପ୍ରୟାସପୂର୍ଣ୍ଣ ଭାବେ), ଅନୁଲୋମୀ ବିଲୋମୀ(ବାମ ନାସିକାରେ ବାୟୁ ନେବା ଓ ଦକ୍ଷିଣ ନାସିକାରେ ଛାଡ଼ିବା, ପୁନଃ ଦକ୍ଷିଣରେ ନେବା ଓ ବାମରେ ନିଶ୍ୱାସ ଛାଡ଼ିବା)।
ସେହିଭଳି ମାନସିକ ଅସ୍ଥିରତା ଯଦି ଲାଗି ରହୁଛି, ତେବେ ଭ୍ରାମରୀ ଓ ଓମ୍କାର ନାଦ (ଉଦ୍ଗୀତ୍) ପ୍ରାଣାୟାମ ମଧ୍ୟ ୫ରୁ ୧୧ଥର କରାଯାଇପାରେ ଏବଂ ପରେ ପରେ ୧୦ରୁ ୧୫ ମିନିଟ୍ ଧ୍ୟାନ କରିବା ଉଚିତ୍ । ଆଜ୍ଞା ଚକ୍ରରେ ଦୃଷ୍ଟିକୁ କେନ୍ଦ୍ରିତ କରି ଶ୍ୱାସ ପ୍ରଶ୍ୱାସକୁ ନିଗ୍ରହ ପୂର୍ବକ ସ୍ଥିର ସହଜ ଭାବରେ କୌଣସି ଏକ ଆସନ ବିଶେଷରେ ବସିଯିବେ। ଧୀରେ ଧୀରେ ଚିତ୍ତ ଏକାଗ୍ର ହୋଇଯିବ ଏବଂ ଭୌତିକ ବିଚାରରୁ ନିର୍ବିଚାର ଓ ନିର୍ବିଚାରରୁ ଦିବ୍ୟ ବିଚାର- ଏଭଳି ଭାବେ ଅଖଣ୍ଡ ଯାତ୍ରାର ପଥିକ ହୋଇଯିବେ।
ଏତଦ୍ ବ୍ୟତୀତ ସୁଷମ ଖାଦ୍ୟ ମଧ୍ୟ ଖାଇବାକୁ ପଡ଼ିବ। ଯେମିତିକି ଗଜା ମୁଗ ଓ ବୁଟ ଇତ୍ୟାଦି। କାକୁଡ଼ି, ଟମାଟୋ ଓ ଗାଜରର ସାଲାଡ଼ ଓ ସୋୟାବିନ୍ ମଞ୍ଜି ପ୍ରୋଟିନ୍ରେ ଭରପୂର ଥାଏ। ଏଗୁଡ଼ିକୁ ଆମେ ଖାଇବା ଉଚିତ୍।
ଏହାଛଡ଼ା ସବୁଜ ପନିପରିବା, ଗୋ ଦ୍ରବ୍ୟ (କ୍ଷୀର, ଘୋଳଦହି, ପନୀର, ଛେନା), ଯାହା ଆପଣଙ୍କୁ ଭଲ ଲାଗେ ଖାଇ ପାରିବେ। ଆମେ ଅମୃତ ଭଣ୍ଡା ଓ ଲାଉର ପ୍ରୟୋଗ ନିଶ୍ଚିତ ଭାବେ ପ୍ରତ୍ୟେକ ଦିନ କରିବା ଉଚିତ୍। ଋତୁ ଅନୁଯାୟୀ ଫଳ ମଧ୍ୟ ଖାଆନ୍ତୁ। ଶରୀର ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଖଣିଜ ସାର ଓ ଭିଟାମିନ୍ ଇତ୍ୟାଦି ଆମେ ଉପରୋକ୍ତ ଆହାର ଗୁଡ଼ିକରୁ ପାଇଥା’ନ୍ତି।
ରାତିରେ ଶୋଇବା ପୂର୍ବରୁ ଅବଶ୍ୟ ଭଗବାନଙ୍କୁ କୃତଜ୍ଞତା ପ୍ରଦାନ କରିବା ଉଚିତ୍ ଏବଂ ଆମର ନିଦ୍ରା ଉପଲବ୍ଧି ଭରା ହେବା ଉଚିତ୍ । ଶୋଇବାର ଠିକ୍ ପୂର୍ବରୁ ସମସ୍ତ ଭୌତିକ ବିଚାର ଏତିକିଯେ , ... ତୁମେ ହିଁ ଦେଇଛ ଏ ଜୀବନ , ତୁମେ ହିଁ ଭରିଛ ଏହି ପ୍ରାଣରେ ସ୍ପନ୍ଦନ । ପ୍ରତି ମୁହୂର୍ତ୍ତ ମୋ ସହିତ ରହିଥାଅ । ମତେ ଯୋଡ଼ି ରଖିଥାଅ। ସଜାଡ଼ି ରଖିଥାଅ ପ୍ରଭୁ।
ଏକ ସୁସ୍ଥ ଶରୀରରେ ଏକ ସ୍ଥିର ମନ ବାସ କରେ । ସ୍ଥିର ମନରେ ହିଁ ସାତ୍ତ୍ୱିକ ବିଚାର ଆସେ ଏବଂ ସାତ୍ତ୍ୱିକ ବିଚାର ମାଧ୍ୟମରେ ଆମେ ଶୁଭ କର୍ମ କରିବାର ପ୍ରେରଣା ପାଇଥା’ନ୍ତି। ଆସନ୍ତୁ ଏହି ମୂଲ୍ୟବାନ୍ ଜୀବନର ଯଥାର୍ଥ ଉପଯୋଗ କରିବା । ସାଧନା ଓ ସେବାରେ ବ୍ରତୀ ହୋଇ ରାଷ୍ଟ୍ର କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା। ‘’ ଆତ୍ମ କଲ୍ୟାଣରୁ ହିଁ ରାଷ୍ଟ୍ର କଲ୍ୟାଣ ସମ୍ଭବ‘’ ।
ସୁଧାଂଶୁ ଶେଖର ଅଧିକାରୀ (ଯୋଗଗୁରୁ)
ଅଞ୍ଜଳି ନିଳୟ, ନୟାପଲ୍ଲୀ, ଭୁବନେଶ୍ୱର
ମୋବାଇଲ୍-୯୪୩୭୦୨୬୩୫୫