ଗବେଷଣାରୁ ଜଣାପଡ଼ିଛି ଏହା ଆମ ଶରୀରର ଏକ ପ୍ରକ୍ରିୟା ଯୋଗୁଁ ହୋଇଥାଏ, ଯାହାକୁ ମୋଟୋର୍ ଥିଓରି ଅଫ୍ ପର୍ସେପସନ୍ କୁହାଯାଏ । ଶବ୍ଦକୁ ଗ୍ରହଣ କରିବା ପରେ ଏହା ମସ୍ତିଷ୍କର ଏକ ପ୍ରତିକ୍ରିୟାକୁ ବୁଝାଏ । ଶବ୍ଦ ଓ ଶରୀର ଚାଳନା ମଧ୍ୟରେ ଥିବା ଏହି ସମ୍ପର୍କ ଅନୁସାରେ, ଲୋକମାନେ ଯେତେବେଳେ କିଛି ଶୁଣନ୍ତି, ସେତେବେଳେ ତାହାକୁ ଭଲଭାବେ ବୁଝିବା ପାଇଁ ସେହି ଶବ୍ଦ ତିଆରି ପ୍ରକ୍ରିୟାରେ ନିଜକୁ ସାମିଲ କରାଇବା ଭଳି ଶରୀର ଚାଳନା କରନ୍ତି । ଅର୍ଥାତ୍ ଆମେ ଯେତେବେଳେ ଗୀତ ଶୁଣୁ, ଆମେ ସେହିଭଳି ଭାବେ ଗୋଡ଼ କିମ୍ବା ହାତ ହଲାଇବା ପସନ୍ଦ କରୁ, ସତେଯେପରି ଆମେ ସେହି ସଂଗୀତ ସୃଷ୍ଟିର ଏକ ଅଂଶ ବା ଆମେ ସେହି ମ୍ୟୁଜିକ ବଜାଇବାରେ ସାମିଲ ଅଛୁ ।
ଆଉ ଏକ ଗବେଷଣା କହେ, ସଂଗୀତର ତାଳ ବା ରିଦମ୍ ଭଳି ଆମ ଶରୀରର ମଧ୍ୟ ଏକ ଆଭ୍ୟନ୍ତରୀଣ ରିଦମ୍ ରହିଛି । ଆମେ ଯେତେବେଳେ କୌଣସି ଗୀତ ଶୁଣୁ, ଏହାର ଧ୍ୱନି ତରଙ୍ଗ ଆମ କାନ ପରଦା ନିକଟରେ ପହଞ୍ଚେ ଏବଂ କାନ ଏହି ଧ୍ୱନି ତରଙ୍ଗକୁ ଏକ ବୈଦ୍ୟୁତିକ ସିଗନାଲରେ ପରିବର୍ତ୍ତିତ କରି ମସ୍ତିଷ୍କକୁ ପଠାଏ । କିନ୍ତୁ ମସ୍ତିଷ୍କ ଜାଣିପାରେ ନାହିଁ ଯେ, ସଂଗୀତର ତାଳ ଅନୁସାରେ ନିରନ୍ତର ତା ପାଖକୁ ଆସୁଥିବା ଏହି ସିଗନାଲକୁ ସେ କେଉଁ କାର୍ଯ୍ୟ ପାଇଁ ବ୍ୟବହାର କରିବ । ତେଣୁ ସେ ଦ୍ୱନ୍ଦ୍ୱରେ ପଡ଼ି ଏହାକୁ ସେଣ୍ଟ୍ରାଲ୍ ନର୍ଭସ୍ ସିଷ୍ଟମକୁ ପଠାଇଦିଏ । ଏହି ବୈଦ୍ୟୁତିକ ସିଗନାଲ୍ ସେଣ୍ଟ୍ରାଲ ନର୍ଭସ୍ ସିଷ୍ଟମକୁ ଯିବା ପରେ ଏହା ସ୍ନାୟୁ ଜରିଆରେ ଗୋଡ଼ କିମ୍ବା ହାତ ଆଦିରେ ଥିବା ମାଂସପେଶୀକୁ ପ୍ରବାହିତ ହୁଏ ଏବଂ ଆମ ଶରୀର ରିଦମ୍ ସେହି ସଂଗୀତର ରିଦମ୍ ଅନୁସାରେ କାର୍ଯ୍ୟ କରିବାକୁ ଲାଗେ । ତେଣୁ ଆମେ ଗୀତର ତାଳ ଅନୁସାରେ ଗୋଡ଼ କିମ୍ବା ହାତ ହଲାଇବାରେ ଲାଗୁ।