କାମାକ୍ଷାନଗର (ବିଦ୍ୟାଧର ବରାଳ): ଜୀବନ ଉଜ୍ଜ୍ୱଳ ପାଇଁ ବାପା-ମାଆ ବେଶ ଆଦରରେ ପୁଅର ନାଁ ରଖିଥିଲେ ‘ରବି’। ଅନ୍ୟକୁ ଆଲୋକ ଦେଖାଇବା ବଦଳରେ ସେ ଆଜି ଅନ୍ଧାର ଭିତରେ ଦୁଃଖର ଆଗ୍ନେୟଗିରି ଜ୍ୱାଳାକୁ ନେଇ ଜୀବନ କାଟୁଛନ୍ତି। ଦାରିଦ୍ର୍ୟତା ସାଙ୍ଗକୁ ଶରୀରର ବ୍ୟାଧି ସବୁ କିଛି ଓଲଟ ପାଲଟ କରି ଦେଇଛି। ନାନା ଯାତନାରେ ଜୀବନ ଅତିବାହିତ କରୁଛନ୍ତି ରବି ମହାନ୍ତ। ସେପଟେ ସ୍ୱାମୀଙ୍କ ଜୀବନ ଭିକ୍ଷା କରିଛନ୍ତି ପତ୍ନୀ।
ପୂରା ଘଟଣାଟି ଏମିତି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କଣ୍ଟାପାଳ ପଞ୍ଚାୟତର ରଙ୍ଗମାଟିଆ ଗାଁ ରବି ମହାନ୍ତ। ପରିବାର କହିଲେ ରବି, ତାଙ୍କ ସ୍ତ୍ରୀ କୁନି ଓ ଦୁଇ ଝିଅ ମନ୍ଦଦୋରୀ ଏବଂ ସରସ୍ୱତୀ। ରବି ଦିନ ମଜୁରି କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ଯେଉଁଦିନ କାମ ନାହିଁ, ସେହି ଚୁଲି ବନ୍ଦ। ଖାଲି ପେଟ୍ରେ ପୂରା ପରିବାରକୁ ଶୋଇବାକୁ ପଡ଼େ। ଏତିକିରେ ରବିଙ୍କର ଦୁଃଖ ସରିନାହିଁ। ସେ କିଡ୍ନୀ ରୋଗରେ ଆକ୍ରାନ୍ତ ହେଲେ। ପରିବାର ଲୋକେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ।
ଆଜକୁ ୪ ବର୍ଷ ଧରି ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ଏହି ଚିକିତ୍ସା ବ୍ୟବହୁଳ ହୋଇଥିବାରୁ ପାଖରେ ଯାହା ଜମିବାଡ଼ି ଥିଲା, ସବୁ ବିକ୍ରି କରି ସାରିଲେଣି। ଏବେ କେବଳ ନିଜ ବାପା ଅଜାଙ୍କର ସେହି ଭିଟାମାଟିର ଘର ଖଣ୍ଡିକ ଛଡ଼ା ଆଉ ପାଖରେ କିଛି ନାହିଁ। ଏପରିସ୍ଥିତିରେ ରବି କେମିତି ଚିକିତ୍ସା ହେବେ? ପାଖରେ ଅର୍ଥ ନଥିବାରୁ ବର୍ଷେ ହେବ ସେ ଆଉ ଚିକିତ୍ସା ହେଉ ନାହାଁନ୍ତି। କେବଳ ଭଗବାନଙ୍କ ଭରଷାରେ ବଞ୍ଚିଛନ୍ତି। କେବଳ ଆଖିରେ ଆଖିଏ ଲୁହକୁ ନେଇ ବଞ୍ଚି ରହିଛନ୍ତି ରବି। ସେପଟେ ସ୍ୱାମୀଙ୍କ ଜୀବନ ଭିକ୍ଷା ମାଗିଛନ୍ତି ସ୍ତ୍ରୀ କୁନି। ଆଉ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅ।
ରବିଙ୍କ ରୋଜଗାର ବନ୍ଦ ହେବା ପରେ ସ୍ତ୍ରୀ କୁନି ପର ଘରେ ମୁଲ ଲାଗି ପରିବାର ଚଳାଉଛନ୍ତି। କେବଳ ସେତିକି ନୁହେଁ, ବାପାଙ୍କ କଷ୍ଟକୁ ସହି ପାରୁନାହାଁନ୍ତି ଦୁଇ ନାବାଳିକା ଝିଅ ମନ୍ଦଦୋରୀ ଓ ସରସ୍ୱତୀ। ମନ୍ଦଦୋରୀ ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସରସ୍ୱତୀ ଷଷ୍ଠ ଶ୍ରେଣୀର ଛାତ୍ରୀ। ହେଲେ ବାପାଙ୍କ ପାଇଁ ସେମାନଙ୍କ ପାଠ ପଢ଼ାରେ ଡୋରି ବନ୍ଧା ଯାଇଛି। ସେମାନେ ଭୁଲି ଯାଇଛନ୍ତି ବିଦ୍ୟାଳୟର ବହି ଏବଂ ବସ୍ତାନିକୁ। ପରିସ୍ଥିତି ହିଁ ତାଙ୍କୁ ବାଧ୍ୟ କରିଛି କୋମଳ ହାତରେ ପରିବାରର ବୋଝକୁ ଉଠାଇବା ପାଇଁ। ପାଠ ପଢିବାକୁ ବହୁତ ଇଚ୍ଛା ଥିଲେ ମଧ୍ୟ ବିଧିର ବିଧାନ ଆଗରେ ସବୁ କିଛି ତୁଚ୍ଛ ହୋଇ ଯାଇଛନ୍ତି।
ଏ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି।