ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ର ସାନ୍ସୀ ଅଞ୍ଚଳର ଜଣେ ମହିଳା ଏକ ପ୍ରକାର ପାରମ୍ପରିକ ମଦ ତିଆରି କରିବା ପାଇଁ ଅନ୍ଲାଇନ୍ରେ ସାପ ଅର୍ଡର କରିଥିଲେ। ଏ କଥାଟା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ମଦ ତିଆରି କରିବା ପାଇଁ ସାପର କ’ଣ ଆବଶ୍ୟକତା ରହିଛି? କିନ୍ତୁ ଏହା ସତ। ମହିଳା ଜଣଙ୍କ ଯେଉଁ ମଦ ତିଆରି କରିବା ପାଇଁ ସାପ ଅର୍ଡର କରିଥିଲେ, ତାହାକୁ ଚୀନ୍ର ପାରମ୍ପରିକ ‘ସ୍ନେକ୍ ୱାଇନ୍’ କୁହାଯାଏ।
ମହିଳା ଜଣକୁ ଜଣା ନ ଥିଲା ଯେଉଁ ସାପକୁ ସେ ମଦ ତିଆରି କରିବା ପାଇଁ ମଗାଇଛନ୍ତି, ସେହି ସାପ କାମୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହେବ। ସେହିପରି ହିଁ ହେଲା। ଅନ୍ଲାଇନ୍ରେ ଆସିଥିବା ସାପଟି ମହିଳାଙ୍କୁ କାମୁଡ଼ି ଦେବା ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରା ଯାଇଥିଲା। ହସ୍ପିଟାଲ୍ରେ ଭର୍ତ୍ତି ହେବାର ୮ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ମହିଳା ଜଣଙ୍କ ଯେଉଁ ଅନ୍ଲାଇନ୍ ପୋର୍ଟାଲ୍ରେ ସାପଟିକୁ ଅର୍ଡର କରିଥିଲେ, ତାହାର ନାମ ‘ଝୁଆନ୍ଝୁଆନ୍’। ସାପ ଡେଲିଭରୀ କରିଥିବା କମ୍ପାନୀର କହିବା ଅନୁସାରେ, ପ୍ୟାକେଟ୍ ଭିତରେ କ’ଣ ଥିଲା ସେମାନେ ଜାଣି ନ ଥିଲେ। ଚୀନ୍ର ଗୁଆନ୍ଡୋଙ୍ଗ୍ରେ ଅଧିକ ମାତ୍ରାରେ ସାପ ମିଳିଥାଏ। ସେଠାରୁ ଜଣେ ବିକ୍ରେତା ଏହି ସାପଟିକୁ ପଠାଇଥିଲେ। ପ୍ୟାକେଟ୍ ଉପରେ ସେମିତି କୌଣସି ଚେତାବନୀ ଚିହ୍ନ ନ ଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ମୃତ ମହିଳାଙ୍କ ମାଆଙ୍କ କହିବା ଅନୁସାରେ,“ମୋ ଝିଅ ପାରମ୍ପରିକ ମଦ ତିଆରି କରିବା ପାଇଁ ସାପ ଅର୍ଡର କରିଥିଲା। ଏହି ମଦ ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ଏହି ମଦକୁ ତିଆରି କରିବା ପାଇଁ ମୃତ ସାପକୁ ଆଲ୍କୋହଲ୍ରେ ପକା ଯାଇଥାଏ ଏବଂ ଏହାକୁ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ମୋ ଝିଅକୁ ଜୀବିତ ସାପ ଡେଲଭରୀ କରାଯାଇଥିଲା।” ଜୀବିତ ସାପକୁ ପଠାଇଥିବା କମ୍ପାନୀ ବିରୁଦ୍ଧରେ ଏତଲା ଦାଏର୍ କରିବେ ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ, ସାପଟି ଉକ୍ତ ମହିଳାଙ୍କୁ କାମୁଡି ଦେବା ପରେ ଘରୁ ବାହାରକୁ ଚାଲି ଯାଇଥିଲା। ଏହି ଘଟଣା ପରେ ଚୀନ୍ରେ ଜଙ୍ଗଲୀ ପ୍ରାଣୀଙ୍କୁ ଅନ୍ଲାଇନ୍ରେ ବିକ୍ରି କରିବା ପାଇଁ ମନା କରାଯାଇଛି। ଏହା ସହିତ କମ୍ପାନୀଗୁଡ଼ିକୁ ଏ ସମ୍ୱନ୍ଧୀୟ ବିଜ୍ଞାପନ ବନ୍ଦ କରିବା ପାଇଁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।