ଭାଷା, ଜାତି ଓ ଧର୍ମରୁ ବହୁ ଊର୍ଦ୍ଧ୍ୱରେ ଯୋଗ

sudhanshu
ସୁଧାଂଶୁ ଶେଖର ଅଧିକାରୀ

ଯୋଗ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ ଅଙ୍ଗ। କିନ୍ତୁ ଦୁଃଖର ବିଷୟ ଯେ ଯୋଗ ଗିରି କନ୍ଦରରେ ଲୁକାୟିତ ଭାବରେ ରହିଥିଲା। କିଛି ଯୋଗୀ , ସନ୍ଥ ଓ ସାଧକଙ୍କ ମଧ୍ୟରେ ହିଁ ଏହା ସୀମିତ ରହିଥିଲା।

ସାଂପ୍ରତିକ କାଳରେ ବିକେସ ଆୟଙ୍ଗର, ଜଗ୍ଗି ବାସୁଦେବ, ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଭଳି ସୁନାମଧନ୍ୟ ସନ୍ଥ ଓ ଯୋଗୀମାନେ ଲୋକଲୋଚନକୁ ଆଣିଥିଲେ ମଧ୍ୟ ପୂଜ୍ୟ ସ୍ୱାମୀ ରାମଦେବ ଯୋଗକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। କୋଟି କୋଟି ଲୋକଙ୍କର ହୃଦୟର ସମ୍ରାଟ ଆଜି ସେ ପାଲଟିଛନ୍ତି।
ଯେ କୌଣସି ସ୍ଥାନରେ ଯେ କୌଣସି ପରିସ୍ଥିତିରେ ଯୋଗକୁ କରିହେବ ଏବଂ ଏହା ଏକ ରୋଗ ନିବାରଣର ପଦ୍ଧତି ଅଟେ। ଏକଥା ପ୍ରଥମ କରି ସ୍ୱାମୀ ରାମଦେବ ହିଁ କହିଥିଲେ। ବିଶ୍ୱର ବିଭିନ୍ନ ଭାଗରେ ଯୋଗକୁ ଆପଣାଉଥିଲେ ମଧ୍ୟ ପ୍ରଥମ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଦରଣୀୟ ନରେନ୍ଦ୍ର ମୋଦି ମହାଶୟ ଯୋଗକୁ ଜାତିସଂଘରେ ପ୍ରଥମ କରି ଆନୁଷ୍ଠାନିକ ଭାବରେ ଉପସ୍ଥାପିତ କରିଥିଲେ ଏବଂ ପରିଣାମତଃ ଡିସେମ୍ବର ୧୧, ୨୦୧୪ ଦିନ ଜାତିସଂଘ ଜୁନ୍‌ ୨୧କୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରିବା ନିମିତ୍ତ ଘୋଷଣା କରିଥିଲେ।

ଆଜି ୨୦୦ରୁ ଅଧିକ ଦେଶରେ ଏହା ପାଳନ କରାଯାଉଛି। ଋଷୀ ପରମ୍ପରାର ଉପହାର ଏହି ଯୋଗ ଆଜି ବିଶ୍ୱର ଘରେ ଘରେ ପରିଚିତ। ବଡ଼ ଗୌରବର କଥା ମୁସଲମାନ ବହୁଳ ଦେଶ ଗୁଡ଼ିକରେ ମଧ୍ୟ ଏହା ମହା ସମାରୋହରେ ପାଳନ କରାଯାଉଛି।

ଯୋଗ ଯେ ଭାଷା ଜାତି ଓ ଧର୍ମ ଠାରୁ ଯଥେଷ୍ଟ ଉର୍ଦ୍ଧରେ ଏହା ପ୍ରମାଣିତ ହୋଇ ସାରିଛି। ଆଧୁନିକତାର ଚାକଚକ୍ୟରେ ବୁଡ଼ି ରହି ସଭ୍ୟ ସମାଜର ତଥା କଥିତ ଆଧୁନିକ ମଣିଷ ତାର ଦିନଚର୍ଯ୍ୟାକୁ ସମ୍ପୂର୍ଣ୍ଣ ବିଶୃଙ୍ଖଳିତ କରିଦେଇଛି। ନା ଖାଇବାରେ ନା ଶୋଇବାରେ ନା କାର୍ଯ୍ୟ କରିବାରେ କିଛି ସମୟ ସାରଣୀ ରହୁନି। ପରିଣାମତଃ ଅସମୟରେ ବ୍ୟକ୍ତି ଅନେକ ବ୍ୟାଧୀରେ ପୀଡ଼ିତ ହୋଇଯାଉଛି।

ଯୋଗ ଆମକୁ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଶିଖାଇଥାଏ। ଯୋଗର ଅନ୍ୟନାମ ସନ୍ତୁଳନ,ସମାଧାନ,ସମାଧି ଓ ସିଦ୍ଧି। ତେଣୁ ପ୍ରତିକାତ୍ମକ ଭାବରେ ୨୧ଜୁନ୍‌କୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରି ବିଧି ତୁଲେଇ ଦେଲେ କୌଣସି ଲାଭ ହେବ ନାହିଁ। ଯଦି ଆମ ଦୈନଦିନ ଜୀବନରେ ଯୋଗକୁ ଆପଣାଇ ପାରିବା ଓ ନିୟମିତ ଅଭ୍ୟାସ କରିବ। ତେବେ ଯାଇ ବିଶ୍ୱ ଯୋଗ ଦିବସର ମହିମା ବାସ୍ତବରେ ପ୍ରତିପାଦିତ ହୋଇ ପାରିବ। ଆସନ୍ତୁ ଯୋଗ କରିବା। ନିରୋଗ ରହିବା ଓ ଏ ମଣିଷ ଜୀବନର ଯଥାର୍ଥ ଉପଯୋଗ କରିବା।

ସୁଧାଂଶୁ ଶେଖର ଅଧିକାରୀ( ଯୋଗଗୁରୁ),
ଅଞ୍ଜଳି ନିଳୟ, ନୟାପଲ୍ଲୀ, ଭୁବନେଶ୍ୱର
ମୋବାଇଲ୍‌ -୯୪୩୭୦୨୬୩୫୫