ବିଜେଡି ସୁନାମିରେ ବି ଫେଲ୍ ମାରିଲେ ୪ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ସମଗ୍ର ରାଜ୍ୟରେ କ୍ଲିନ୍ ସୁଇପ୍ କରିଥିବାବେଳେ ବିଜେପି ଓ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ବିଜେଡିର ଏକପାଖିଆ ସଫଳତା ସତ୍ତ୍ୱେ ଦଳର ୪ ମନ୍ତ୍ରୀ ଓ ବିଧାୟକଙ୍କୁ ନିଜ ଅଂଚଳରେ ଶକ୍ତ ଧକ୍କା ଲାଗିଛି । ମନ୍ତ୍ରୀ ପଦ୍ମନାଭ ବେହେରା, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପ୍ରେମାନନ୍ଦ ନାଏକଙ୍କ ଅଂଚଳରେ ବିଜେଡିର ପ୍ରଦର୍ଶନ ଖରାପ ରହିଥିବାବେଳେ ବରିଷ୍ଠ ବିଧାୟକ ଅନନ୍ତ ଦାସଙ୍କ ପୁଅଙ୍କୁ ମଧ୍ୟ ସମିତି ସଭ୍ୟ […]

bjd flag

Ordigital Desk
  • Published: Monday, 28 February 2022
  • , Updated: 28 February 2022, 09:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ସମଗ୍ର ରାଜ୍ୟରେ କ୍ଲିନ୍ ସୁଇପ୍ କରିଥିବାବେଳେ ବିଜେପି ଓ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ବିଜେଡିର ଏକପାଖିଆ ସଫଳତା ସତ୍ତ୍ୱେ ଦଳର ୪ ମନ୍ତ୍ରୀ ଓ ବିଧାୟକଙ୍କୁ ନିଜ ଅଂଚଳରେ ଶକ୍ତ ଧକ୍କା ଲାଗିଛି । ମନ୍ତ୍ରୀ ପଦ୍ମନାଭ ବେହେରା, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପ୍ରେମାନନ୍ଦ ନାଏକଙ୍କ ଅଂଚଳରେ ବିଜେଡିର ପ୍ରଦର୍ଶନ ଖରାପ ରହିଥିବାବେଳେ ବରିଷ୍ଠ ବିଧାୟକ ଅନନ୍ତ ଦାସଙ୍କ ପୁଅଙ୍କୁ ମଧ୍ୟ ସମିତି ସଭ୍ୟ ପଦବୀରେ ପରାଜିତ ହେବାକୁ ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ବିଶ୍ୱଜିତ୍ ଦାସ ଭୋଗରାଇ ବ୍ଲକର ସିଆଁରୋଇ ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ସ୍ୱାଧୀନ ପ୍ରାର୍ଥୀଙ୍କଠୁ ୮୮ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ସେହି ବ୍ଲକର ମହେଶ୍ୱର ପଂଚାୟତରେ ଅନନ୍ତ ଦାସଙ୍କ ସମ୍ପର୍କୀୟ ଅଚ୍ୟୁତାନନ୍ଦ ଦାସ ମଧ୍ୟ ସମିତି ସଭ୍ୟ ପ୍ରାର୍ଥୀ ଛିଡ଼ା ହୋଇ ପରାଜିତ ହୋଇଛନ୍ତି ।

ସେହିପରି ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିଜ ଶାଳକ ସୁକାନ୍ତ ଦାସ ବାଲିକୁଦା ବ୍ଲକର ଅଳାବୋଳ ପଂଚାୟତର ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ୩୦୫ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । କେବଳ ସେତିକି ନୁହେଁ ମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ଏରସମା ବ୍ଲକର ୪ ନମ୍ବର ଜୋନରେ କଂଗ୍ରେସ ଖାତାକୁ ଗୋଟିଏ ଜିଲ୍ଲା ପରିଷଦ ଆସନ ଯାଇଛି । ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଂଚଳରେ ବିଜେଡି ବିପକ୍ଷରେ ଏହି ନିର୍ବାଚନୀ ଫଳାଫଳ ଯିବାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।

କଂଗ୍ରେସର ପିନାକୀ ନାରାୟଣ ଦାସଙ୍କଠୁ ବିଜେଡି ପ୍ରାର୍ଥୀ ତାମିଲ କୁମାର ପ୍ରଧାନ ପରାଜିତ ହୋଇଥିବା ଜଣାପଡ଼ିଛି । ଯଦିଓ ଜଗତସିଂହପୁର ଜିଲ୍ଲାର ମୋଟ ୨୬ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୨୫ଟି ବିଜେଡି କବଜାରେ ରହିଛି । କେବଳ ସେତିକି ନୁହେଁ ମନ୍ତ୍ରୀ ଶ୍ରୀ ଦାସଙ୍କ ଅପାରଗତା ଯୋଗୁ ନିଜ ୱାର୍ଡରେ ମଧ୍ୟ ବିଜେଡି ସମର୍ଥିତ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅଧିକ ଭୋଟ୍ ମିଳିପାରିନି । ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ୨ଟି ଯାକ ବ୍ଲକ ବାଲିକୁଦା ଓ ଏରସମାର ପଂଚାୟତ ସମିତି ବିଜେଡି ହାତରେ ରହିବା ସମ୍ଭାବନା କ୍ଷୀଣ ।

ସେହିପରି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅନ୍ତତଃ ଘନିଷ୍ଠ ଭାବେ ଜଣାଶୁଣା ଜଣେ ମହିଳା ପ୍ରାର୍ଥୀ ପରାଜିତ ହୋଇଥିବାବେଳେ ତାଙ୍କ ନିର୍ବାଚନମଣ୍ଡଳୀର ଖଇରା ବ୍ଲକରେ ନିର୍ବାଚନୀ ପ୍ରଦର୍ଶନ ଭଲ ହୋଇନାହିଁ । ମନ୍ତ୍ରୀ ପ୍ରେମାନନ୍ଦ ନାଏକଙ୍କ ନିର୍ବାଚନମଣ୍ଡଳୀ ତେଲକୋଇରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପ୍ରଦର୍ଶନ ଭଲ ରହିନି ।

ସେହିପରି ବରିଷ୍ଠ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜେଡିର ପ୍ରଦର୍ଶନ ଭଲ ହୋଇନଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବିଜେଡି ଟିକେଟରେ ଭଦ୍ରକର ବନ୍ତ ବ୍ଲକରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଜେନା ବିଜୟୀ ହୋଇଛନ୍ତି ।

Related story