୩ ମହାନଗରରେ କଂଗ୍ରେସର ବିପର୍ଯ୍ୟୟ, ବ୍ରହ୍ମପୁରରେ ‘ଆପ୍‌’ କଲା କମାଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୩ଟି ମହାନଗର ନିଗମରେ ବିଜେଡିର ମେୟର ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ କଂଗ୍ରେସ ପୁଣିଥରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପଂଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି କଂଗ୍ରେସ ଓ ବିଜେପିକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ବ୍ରହ୍ମପୁରରେ କଂଗ୍ରେସର ମେୟର ପ୍ରାର୍ଥୀ ମଞ୍ଜୁ ଦଳେଇ ମାତ୍ର ୬୭୬୮ଖଣ୍ଡ ଭୋଟ୍ ପାଇଁ ଚତୁର୍ଥ ସ୍ଥାନରେ ଥିବାବେଳେ ଆମ ଆଦମୀ ପାର୍ଟି(ଆପ)ର ୨୫ ବର୍ଷୀୟା ଏମବିଏ ଛାତ୍ରୀ ସି ପ୍ରିୟଙ୍କା ୭୪୫୩ […]

Congress-and-aap

Ordigital Desk
  • Published: Saturday, 26 March 2022
  • , Updated: 26 March 2022, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୩ଟି ମହାନଗର ନିଗମରେ ବିଜେଡିର ମେୟର ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ କଂଗ୍ରେସ ପୁଣିଥରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପଂଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି କଂଗ୍ରେସ ଓ ବିଜେପିକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ବ୍ରହ୍ମପୁରରେ କଂଗ୍ରେସର ମେୟର ପ୍ରାର୍ଥୀ ମଞ୍ଜୁ ଦଳେଇ ମାତ୍ର ୬୭୬୮ଖଣ୍ଡ ଭୋଟ୍ ପାଇଁ ଚତୁର୍ଥ ସ୍ଥାନରେ ଥିବାବେଳେ ଆମ ଆଦମୀ ପାର୍ଟି(ଆପ)ର ୨୫ ବର୍ଷୀୟା ଏମବିଏ ଛାତ୍ରୀ ସି ପ୍ରିୟଙ୍କା ୭୪୫୩ ଖଣ୍ଡ ଭୋଟ୍ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି । ଏପରିକି କଟକ ବାରବାଟୀରେ କଂଗ୍ରେସର ବିଧାୟକ ମହମ୍ମଦ ମୋକିମ୍ ଥିବା ସତ୍ତ୍ୱେ ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନରେ ୩୩ଟି ୱାର୍ଡରୁ ମାତ୍ର ୨ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇପାରିଛନ୍ତି । ଦଳର ମେୟର ପ୍ରାର୍ଥୀଙ୍କୁ ୪୫ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ପରାଜିତ ହେବାକୁ ପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ନିର୍ବାଚନରେ ବାରମ୍ବାର କଂଗ୍ରେସର ବିପର୍ଯ୍ୟୟ ସତ୍ତ୍ୱେ ଦଳ ଓଡ଼ିଶାରେ କିଛି ଶିଖିବା ସ୍ଥିତିରେ ନାହିଁ କି ଶିଖିବାକୁ ବି ଚାହୁଁନି। ଯେଉଁଥିପାଇଁ ୩ଟି ମହାନଗର ନିଗମରେ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଭୁବନେଶ୍ୱରରେ କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମାତ୍ର ୧୧୦୦୬ଖଣ୍ଡ ପାଇଥିବାବେଳେ ଦଳର ଜଣେ ବି ପ୍ରାର୍ଥୀ କର୍ପୋରେଟର ଭାବେ ବିଜୟୀ ହୋଇପାରିନାହାନ୍ତି । ଭୁବନେଶ୍ୱରରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ୧.୭୪ଲକ୍ଷ ଭୋଟ୍ ପାଇଁ ବିଜେପି ପ୍ରାର୍ଥୀଙ୍କଠୁ ୬୧୧୪୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ଭୁବନେଶ୍ୱର ମହାନଗର ନିଗମରେ ନୋଟାରେ ୨୩୫୧ଟି ଭୋଟ୍ ପଡ଼ିଥିବାବେଳେ ଓଜେପି ପ୍ରାର୍ଥୀ ନିରୋଜ ନଳିନୀ ସାମଲଙ୍କୁ ୩୧୩୬ଖଣ୍ଡ ଭୋଟ୍ ଓ ଆମ୍ ଆଦମୀ ପାର୍ଟିର ସରୋଜିନୀ ଖୁଂଟିଆଙ୍କୁ ୨୧୫୯ଟି ଭୋଟ୍‌, ବିଏସପିର କଳ୍ପନା ଭୋଇଙ୍କୁ ୧୯୧୦ଟି, କଳିଙ୍ଗ ସେନାର ସ୍ମିତା ମିଶ୍ରଙ୍କୁ ୫୬୯ଟି, ସ୍ୱାଧୀନ ପ୍ରାର୍ଥୀ ସଞ୍ଜୁକ୍ତା ଜେନାଙ୍କୁ ୧୧୯୭ଖଣ୍ଡ ଭୋଟ୍ ମିଳିଛି । ଭୁବନେଶ୍ୱରରେ ମୋଟ ୬୭ ୱାର୍ଡ ମଧ୍ୟରୁ ବିଜେଡିକୁ ୪୮ଟି, ବିଜେପିକୁ ୧୦ଟି ଓ ସ୍ୱାଧୀନ ପ୍ରାର୍ଥୀ ୯ଟି ଆସନରେ ବିଜୟୀ ହୋଇଛନ୍ତି । କଂଗ୍ରେସ ଭୁବନେଶ୍ୱରରେ ଖାତା ଖୋଲିପାରିନି। ଭୁବନେଶ୍ୱର ମହାନଗର ନିଗମରେ ମୋଟ୍‌ ୭ ଲକ୍ଷ ୨୫ ହଜାର ୭୫ ଭୋଟର ଥିବା ବେଳେ ମାତ୍ର ୩ ଲକ୍ଷ ୧୨ ହଜାର ୯୭୯ ଜଣ ଭୋଟ୍‌ ଦେଇଛନ୍ତି।

ସେହିପରି କଟକ-ବାରବାଟୀ ନିର୍ବାଚନମଣ୍ଡଳୀରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଥିବା ସତ୍ତ୍ୱେ ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩୩ଟି ୱାର୍ଡ ମଧ୍ୟରୁ ମାତ୍ର ୨ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧ ଓ ୧୫ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବା ମୋକିମଙ୍କ ରାଜନୀତିକ ଗୋଟିଚାଳନାକୁ ଶକ୍ତ ଧକ୍କା ହୋଇଛି । ଏପରିକି ନିଜ ୱାର୍ଡରେ ବି କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବାରେ ମୋକିମ୍ ସକ୍ଷମ ହୋଇପାରିନାହାନ୍ତି । ଯେଉଁ କାରଣରୁ କଂଗ୍ରେସର ମେୟର ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୬୮୩୫୬ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେଡିର ମେୟର ପ୍ରାର୍ଥୀ ସୁବାସ ସିଂଙ୍କୁ ୧.୧୩ଲକ୍ଷରୁ ଅଧିକ ଭୋଟ ମିଳିଥିଲା। ବିଜେପିକୁ ମାତ୍ର ୪୯୨୨୩ଖଣ୍ଡ ଭୋଟ୍ ମିଳିଛି । କଟକ ମହାନଗର ନିଗମର ମୋଟ ୫୯ଟି ୱାର୍ଡ ମଧ୍ୟରୁ ବିଜେଡିକୁ ୩୮ଟି, କଂଗ୍ରେସକୁ ୮ଟି, ବିଜେପିକୁ ୭ଟି ଓ ସ୍ୱାଧୀନ ପ୍ରାର୍ଥୀ ୬ଟି ୱାର୍ଡରେ ବିଜୟୀ ହୋଇଛନ୍ତି ।

ସେହିପରି ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୬୬୦୬୮ଖଣ୍ଡ ଭୋଟ୍ ପାଇଁ ବିଜେପିର ସବିତା ସୁଆରଙ୍କଠୁ ୨୦୨୮୬ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେପିର ସବିତାଙ୍କୁ ୪୫୭୮୨ଖଣ୍ଡ, ଆମ୍ ଆଦମୀ ପାର୍ଟିର ପ୍ରିୟଙ୍କାଙ୍କୁ ୭୪୫୩ଖଣ୍ଡ ଓ କଂଗ୍ରେସର ମଞ୍ଜୁ ଦଳେଇଙ୍କୁ ୬୭୬୮ଖଣ୍ଡ ଭୋଟ୍ ମିଳିଥିଲା । କଂଗ୍ରେସ ଏଠାରେ ୪ର୍ଥ ସ୍ଥାନକୁ ଖସି ଆସିଛି । ତେବେ ବ୍ରହ୍ମପୁରର ମୋଟ ୪୨ଟି ୱାର୍ଡ ମଧ୍ୟରୁ ବିଜେଡିକୁ ୩୦ଟି, ବିଜେପିକୁ ୭ଟି, ସ୍ୱାଧୀନ ପ୍ରାର୍ଥୀ ୪ଟି ୱାର୍ଡରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ମାତ୍ର ଗୋଟିଏ ୱାର୍ଡରେ ବିଜୟୀ ହୋଇ ନିଜର ଇଜ୍ଜତ ରକ୍ଷା କରିଛି।

Related story