ବିଜେଡି ପାଇଁ ମୁଣ୍ଡବ୍ୟଥା ‘ଆଧାର’ ନମ୍ବର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ପ୍ରଥମ ଥର ପାଇଁ ‘ଆଧାର’ ନମ୍ବରକୁ ବାଧ୍ୟତାମୂଳକ କରିଥିବା ବିଜେଡି ନିମନ୍ତେ ଦଳୀୟ ନେତା-ମନ୍ତ୍ରୀଙ୍କ ମାନସିକତା ଓ ଆନ୍ତରିକତା ବିହୀନ କାର୍ଯ୍ୟ ଚିନ୍ତାର ବିଷୟ ପାଲଟିଛି। ସଦସ୍ୟତା ଅଭିଯାନରେ ‘ଆଧାର ନମ୍ବର’କୁ ସଂଯୋଗ କରିବା ଦଳ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦଳ ଚଳିତ ଥର ପ୍ରାୟ ୧କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ ମଧ୍ୟ ‘ଆଧାର’ ନମ୍ବର ସଂଯୋଗ କଡ଼ାକଡ଼ି ହୋଇଥିବାରୁ ଏହି […]

cmodisha

Jitendra Garnayak
  • Published: Tuesday, 26 November 2019
  • , Updated: 26 November 2019, 10:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ପ୍ରଥମ ଥର ପାଇଁ ‘ଆଧାର’ ନମ୍ବରକୁ ବାଧ୍ୟତାମୂଳକ କରିଥିବା ବିଜେଡି ନିମନ୍ତେ ଦଳୀୟ ନେତା-ମନ୍ତ୍ରୀଙ୍କ ମାନସିକତା ଓ ଆନ୍ତରିକତା ବିହୀନ କାର୍ଯ୍ୟ ଚିନ୍ତାର ବିଷୟ ପାଲଟିଛି। ସଦସ୍ୟତା ଅଭିଯାନରେ ‘ଆଧାର ନମ୍ବର’କୁ ସଂଯୋଗ କରିବା ଦଳ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦଳ ଚଳିତ ଥର ପ୍ରାୟ ୧କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ ମଧ୍ୟ ‘ଆଧାର’ ନମ୍ବର ସଂଯୋଗ କଡ଼ାକଡ଼ି ହୋଇଥିବାରୁ ଏହି ସଂଖ୍ୟା ୫୦ଲକ୍ଷ ବି ଟପି ନପାରେ ବୋଲି ଆଶଙ୍କା କରାଯାଉଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ବିଭିନ୍ନ ଜିଲ୍ଲାର ସଭ୍ୟ ସଂଗ୍ରହ ଅଭିଯାନର ସ୍ଥିତି ଓ ଆଧାର ସଂଯୋଗକୁ ନେଇ ବିଧାୟକ-ମନ୍ତ୍ରୀମାନେ ଦେଇଥିବା ତ୍ରୁଟିପୂର୍ଣ୍ଣ ତଥ୍ୟକୁ ଦଳ ପକ୍ଷରୁ ଯାଞ୍ଚ କରାଯାଉଛି। ଏହାସହିତ ଜିଲ୍ଲାୱାରି ନେତା, ବିଧାୟକ ଓ ମନ୍ତ୍ରୀମାନଙ୍କୁ ଡାକି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭ୍ୟ ସଂଗ୍ରହ ଅଭିଯାନର ଅଗ୍ରଗତି ମଧ୍ୟ ସମୀକ୍ଷା କରୁଛନ୍ତି। ଅନେକ ସ୍ଥାନରେ ନିର୍ଦ୍ଧାରିତ ଫର୍ମାଟରେ ସଭ୍ୟ ସଂଗ୍ରହ ଅଭିଯାନ ଆଶାନୁରୂପକ ହୋଇନଥିବାରୁ ଦଳ ପକ୍ଷରୁ ଏହି ଅବଧିକୁ ପୁଣିଥରେ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅବଶ୍ୟ ‘ଓଡ଼ିଶା ରିପୋର୍ଟର’ ଗତ ୨୩ତାରିଖରେ ଦଳର ଏହି ସଭ୍ୟ ସଂଗ୍ରହ ଅଭିଯାନ ପୁଣିଥରେ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ନେଇ ଖବର ପ୍ରକାଶ କରିଥିଲା ।

ମାତ୍ର ଏବେ ସଭ୍ୟ ସଂଗ୍ରହ ଅଭିଯାନର ଡାଟାବେସ୍ ପ୍ରସ୍ତୁତ ଉପରେ ଦଳ ଗୁରୁତ୍ୱ ଦେଉଥିବାରୁ ନେତାମାନଙ୍କୁ ନିଶ୍ଚିତ ଭାବେ ସଦସ୍ୟଙ୍କ ଆଧାର ନମ୍ବର ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଛି । ଦଳ ପକ୍ଷରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ବିଧାୟକ ଓ ବିଧାୟକ ପ୍ରାର୍ଥୀଙ୍କୁ ଅତିକମରେ ୫୦ରୁ ୭୦ହଜାର ସଦସ୍ୟ ସଂଗ୍ରହ ନିମନ୍ତେ ଟାର୍ଗେଟ୍ ଦିଆଯାଇଥିଲା। କିନ୍ତୁ ଦଳର ସଭ୍ୟ ସଂଗ୍ରହକୁ ନେଇ ଅଧିକାଂଶ ବିଧାୟକ ଓ ମନ୍ତ୍ରୀ ଯେଉଁ ରିପୋର୍ଟ ଦାଖଲ କରିଛନ୍ତି ସେଥିରେ ଆଧାର ନମ୍ବର ତ୍ରୁଟିପୂର୍ଣ୍ଣ ରହିଛି। ଭୋଟର ଲିଷ୍ଟକୁ ଧରି ମନଇଚ୍ଛା କିଛି ନେତା ଏସବୁ ସଦସ୍ୟଙ୍କ ଡାଟା ପ୍ରସ୍ତୁତ କରି ପୈଠ କରିଛନ୍ତି। ଯାହାକୁ ଯାଞ୍ଚ ପରେ ଉକ୍ତ ସଦସ୍ୟ ତାଲିକାରେ ଆଧାର ନମ୍ବର ଭୁଲ୍ ଥିବା ଜଣାପଡ଼ିଛି। ଆଉ ଏସବୁ ଘଟଣାକୁ ନବୀନ ନିବାସ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାରକୁ ନେଇ ସମ୍ପୃକ୍ତ ବିଧାୟକ ଓ ନେତାମାନଙ୍କୁ ସାନି ସଭ୍ୟ ତାଲିକା ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛି। କେତେକ ସ୍ଥାନରେ ବିଧାୟକ ଓ ନେତାମାନେ ଧାର୍ଯ୍ୟଲକ୍ଷ୍ୟଠୁ ଅଧିକ ସଭ୍ୟ ସଂଗ୍ରହ କରିଥିବା ଦର୍ଶାଇଥିଲେ ମଧ୍ୟ ସେଥିରେ ତ୍ରୁଟିପୂର୍ଣ୍ଣ ଆଧାର ନମ୍ବର(ମନଇଚ୍ଛା ନମ୍ବର) ଥିବାରୁ ଏସବୁ ମନମୁଖୀ ପ୍ରସ୍ତୁତ ହୋଇଥିବା ନବୀନ ନିବାସ ଜାଣିବାକୁ ପାଇଛି।

ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କୁ ଅତିକମରେ ୫୦ହଜାର ଭୋଟ୍ ମିଳିଛି। ଦଳୀୟ ପ୍ରାର୍ଥୀ(ଉଭୟ ବିଜୟୀ ଓ ପରାଜିତ)ମାନଙ୍କୁ ଏହି ଦଳ ସମର୍ଥିତ ଭୋଟରଙ୍କୁ ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ କରିବାକୁ କୁହାଯାଇଥିଲା। ଅଧିକାଂଶ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବେଶ୍ ଅଧିକ ଭୋଟ୍ ପଡ଼ିଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୬୦ରୁ ୭୦ ହଜାର ସଦସ୍ୟ ସଂଗ୍ରହ ଉପରେ ଫୋକସ ଦେବାକୁ କୁହାଯାଇଥିଲା। ସେମାନଙ୍କର ଆଧାର ନମ୍ବର ଓ ଅନ୍ୟାନ୍ୟ ତଥ୍ୟକୁ ନେଇ କମ୍ପ୍ୟୁଟରୀକୃତ ଡାଟାବେସ୍ ପ୍ରସ୍ତୁତ କରିବାକୁ ଦଳ ଲକ୍ଷ୍ୟ ରଖିଛି। ଯାହାକି ସମଗ୍ର ଦେଶରେ ପ୍ରଥମ ବୋଲି ଦଳ ପକ୍ଷରୁ ଦାବି କରାଯାଉଛି। ମାତ୍ର ବିଜେଡି ନେତୃତ୍ୱଙ୍କ ଏଭଳି ଯୋଜନାକୁ ଦଳୀୟ ନେତାମାନେ ଗୁରୁତ୍ୱ ନଦେଇ ଚିରାଚରିତ ଢଙ୍ଗରେ ବିଗତ ବର୍ଷମାନଙ୍କରେ ଯେଭଳି ମନଇଚ୍ଛା ସଭ୍ୟ ସଂଗ୍ରହ କରନ୍ତି ସେପରି କରିଥିବାରୁ ସମସ୍ୟା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ୨୦୨୦ ଫେବୃୟାରୀ ୨୮ତାରିଖ ସୁଦ୍ଧା ସାଂଗଠନିକ ନିର୍ବାଚନ ସାରିବା ପାଇଁ ଦଳ ନିଷ୍ପତ୍ତି ନେଇଛି। କିନ୍ତୁ ସଭ୍ୟ ସଂଗ୍ରହକୁ ନେଇ ପ୍ରସ୍ତୁତ ହେଉଥିବା ଡାଟାବେସରେ ଏପର୍ଯ୍ୟନ୍ତ ମାତ୍ର ୩୦ରୁ ୩୨ଲକ୍ଷ ବୈଧ ସଭ୍ୟ ରହିଛନ୍ତି। ଯଦିଓ ପ୍ରାୟ ୫୦ଲକ୍ଷ ସଭ୍ୟଙ୍କ ତାଲିକା ଦଳ ପାଖରେ ଦାଖଲ ହୋଇଛି। ଯେଉଁଥିପାଇଁ ଦଳ ଏବେ ପୁଣିଥରେ ସଭ୍ୟ ସଂଗ୍ରହ ଅଭିଯାନକୁ ବୃଦ୍ଧି କରି ନେତାମାନଙ୍କୁ ‘ନୂଆ ସଦସ୍ୟଙ୍କ ଆଧାର’ ନମ୍ବରକୁ ସଠିକ୍ ଭାବେ ପୂରଣ କରି ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛି । ସମୀକ୍ଷା ବୈଠକରେ ମଧ୍ୟ ଦଳର ସୁପ୍ରିମୋ ଏହି ପ୍ରସଙ୍ଗ ଉଠାଉଥିବାରୁ ନେତାମାନେ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଛନ୍ତି। ଦିନରାତି ନିଜର ସହକର୍ମୀମାନଙ୍କ ମାଧ୍ୟମରେ ଲୋକମାନଙ୍କ ଆଧାର(ଦଳୀୟ ସମର୍ଥକ) ନମ୍ବର ଯୋଗାଡ଼ କରିବାରେ ଲାଗିଥିବା ଜଣାପଡ଼ିଛି।

Related story