ପଦ୍ମପୁର ମଡେଲ: ବିଜେଡି-ବିଜେପି ମୁହିାଁମୁହିଁ, ବିଜେଡିର ୟୁ-ଟର୍ଣ୍ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ଜିତିବାର ସେଲିବ୍ରେସନ୍ ପାଳନ ଦିନ ‘ପଦ୍ମପୁର ମଡେଲ’କୁ ଆଗାମୀ ଦିନରେ ସବୁ ନିର୍ବାଚନମଣ୍ଡଳୀରେ ଲାଗୁ କରାଯିବ ବୋଲି ଦମ୍ଭୋକ୍ତି ବାଢ଼ିଥିବା ଶାସକ ବିଜେଡି ଆଜି ୟୁ-ଟର୍ଣ୍ଣ ମାରିଛି । ବିଜେଡିର ପଦ୍ମପୁର ଫର୍ମୂଲାକୁ ବିଜେପି ସମାଲୋଚନା କରିବା ସହ ଏହା ଦୁର୍ନୀତିର ମଡେଲ ବୋଲି କହିବା ପରେ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ବିକାଶ ଓ ସୁଶାସନ ହିଁ ବିଜେଡିର ମଡେଲ ବୋଲି କହିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ […]

war

Ordigital Desk
  • Published: Saturday, 17 December 2022
  • , Updated: 17 December 2022, 10:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ଜିତିବାର ସେଲିବ୍ରେସନ୍ ପାଳନ ଦିନ ‘ପଦ୍ମପୁର ମଡେଲ’କୁ ଆଗାମୀ ଦିନରେ ସବୁ ନିର୍ବାଚନମଣ୍ଡଳୀରେ ଲାଗୁ କରାଯିବ ବୋଲି ଦମ୍ଭୋକ୍ତି ବାଢ଼ିଥିବା ଶାସକ ବିଜେଡି ଆଜି ୟୁ-ଟର୍ଣ୍ଣ ମାରିଛି । ବିଜେଡିର ପଦ୍ମପୁର ଫର୍ମୂଲାକୁ ବିଜେପି ସମାଲୋଚନା କରିବା ସହ ଏହା ଦୁର୍ନୀତିର ମଡେଲ ବୋଲି କହିବା ପରେ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ବିକାଶ ଓ ସୁଶାସନ ହିଁ ବିଜେଡିର ମଡେଲ ବୋଲି କହିଛନ୍ତି।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡିର ପଦ୍ମପୁର ମଡେଲ ହେଉଛି ଦୁର୍ନୀତିର ମଡେଲ । ଲୋକେ ଏହାକୁ କଦାପି ସ୍ୱୀକାର କରିବେ ନାହିଁ । ଗୁଜୁରାଟ ମଡେଲ ହେଉଛି ଶ୍ରେଷ୍ଠ ସୁଶାସନ ମଡେଲ । ଯେଉଁଠି ଦଳ ୧୫୬ଟି ସିଟରେ ଜିତିଛି । ଗୁଜୁରାଟ ମଡେଲକୁ ସବୁ ଜାଗାରେ ଆଣିବାର ଆବଶ୍ୟକତା ଅଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଧାମନଗର ଓ ପଦ୍ମପୁର ଉପନିର୍ବାଚନ ଆମକୁ ଶିକ୍ଷା ଦେଇଛି । ବିଜେପି ଏବେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳର ଭୂମିକାରେ ରହିଛି । ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା, ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରାଯିବ । ଲୋକମାନେ ମଧ୍ୟ ଆମଠୁ ଏହା ଅପେକ୍ଷା ରଖିଛନ୍ତି । ବିଜେଡି ପାଖରେ ପଦ୍ମପୁର ମଡେଲ ଥିଲେ ବିଜେପି ପାଖରେ ଧାମନଗର ମଡେଲ ଅଛି।

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଦୁଇପାଦ ଆଗେଇ ଯାଇ ‘ପଦ୍ମପୁର ମଡେଲ’ର ଗୁମର ଖୋଲିଛନ୍ତି । ସେ ଖୋଲାଖୋଲି ଭାବେ ବିଜେଡିର ପଦ୍ମପୁର ମଡେଲ ଅର୍ଥ ହେଉଛି ଗୋଟିଏ ଆସନ ଜିତିବା ପାଇଁ ୧୦୦କୋଟି ଟଙ୍କା ଖର୍ଚ୍ଚ କରିବା, କଂଗ୍ରେସ ଭୋଟକୁ କିଣାବିକା କରିବା, ପୁଲିସ ଲଗାଇ ବିଜେପି କର୍ମୀମାନଙ୍କୁ ଧମକ ଦେବା, କଂଗ୍ରେସ ନେତାମାନଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ମ୍ୟାନେଜ କରିବା ହିଁ ହେଉଛି ବିଜେଡିର ପଦ୍ମପୁର ମଡେଲ ବୋଲି ସେ କହିଛନ୍ତି । ଏହାସହିତ ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ଯେ ପଦ୍ମପୁରରେ କଂଗ୍ରେସ ସହ ବିଜେଡିର ଡିଲ୍ ହୋଇଥିଲା । ମନ୍ତ୍ରୀ ନବ ଦାସ ଏହି ଡିଲ୍ କରିଥିଲେ । କଂଗ୍ରେସ ନେତାଙ୍କ ସହ ୩ ଘଣ୍ଟା ଧରି ଆଲୋଚନା କରିଥିଲେ । କଂଗ୍ରେସ ଭୋଟ୍ ବିଜେଡିକୁ ଯିବା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ ସବୁକିଛି ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିଲା ବୋଲି ସେ କହିଛନ୍ତି।

ତେବେ ବିଜେପି ଆଜି ବିଜେଡିର ପଦ୍ମପୁର ମଡେଲକୁ ଦୁର୍ନୀତିର ମଡେଲ କହି କଡ଼ା ସମାଲୋଚନା କରିବା ପରେ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ସବୁବେଳେ ବିକାଶରେ ବିଶ୍ୱାସ କରେ । ବିଜେଡି କୌଣସି ନିର୍ବାଚନର ବିଜୟକୁ ମଡେଲ ଭାବେ ଗ୍ରହଣ କରେ ନାହିଁ । ସବୁବେଳେ ଲୋକଙ୍କ ବିକାଶ ଉପରେ ଗୁରୁତ୍ୱ ଦିଏ । ୨୨ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା ବିଜେଡି କରି ଆସୁଛି । ଫାଇଭ-ଟି, ମୋ ସରକାର ଆଦି ହେଉଛି ରାଜ୍ୟ ସରକାରଙ୍କ ସୁଶାସନର ମଡେଲ । ଦେଶରେ ଓଡ଼ିଶା କେମିତି ଏକ ନମ୍ବର ମଡେଲ ହୋଇପାରିବ ତାହା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ତେଣୁ ନିର୍ବାଚନର ବିଜୟକୁ ସୁଶାସନର ମଡେଲ ଭାବେ ବିଜେପି ଗ୍ରହଣ ନକରୁ ବରଂ ଓଡ଼ିଶାବାସୀଙ୍କ ସେବା ପାଇଁ ସୁଶାସନର ମଡେଲକୁ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ୩ଦିନ ତଳେ ନବୀନ ନିବାସରେ ପଦ୍ମପୁର ଉପନିର୍ବାଚନ ଫଳାଫଳ ସମୀକ୍ଷା ପରେ ବିଜେଡି ନେତାମାନେ ଆଗାମୀ ନିର୍ବାଚନରେ ‘ପଦ୍ମପୁର ମଡେଲ’କୁ ଉପଯୋଗ କରାଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ।

Related story