କୋଭିଡ୍ ଦୁର୍ନୀତି ନେଇ ସରକାରଙ୍କୁ ୪ଟି ପ୍ରଶ୍ନ ପଚାରିଲେ ଅପରାଜିତା, କଣ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାସ୍କ ଓ କିଟ୍‌ କିଣାରେ ହୋଇଛି କେତେ କିକ୍‌ବ୍ୟାକ୍‌? କୋଭିଡ୍‌ ମହାମାରୀ ସମୟରେ କାହାକୁ ମିଳିଛି କି ସରକାରୀ ଅନୁକମ୍ପା? କୋଭିଡ୍‌ ହସ୍ପିଟାଲ୍‌ ନିର୍ମାଣରେ ଲାଗିଛି କେତେ ଟଙ୍କା? କୋଭିଡ୍‌ ଆକ୍ରାନ୍ତଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ ହୋଇଛି? କୋଭିଡ୍‌ ପରିଚାଳନା ଦୁର୍ନୀତିରେ ଧନ୍ଦି ହୋଇପଡିଥିବା ରାଜ୍ୟ ସରକାରଙ୍କୁ ଆଜି ଏଭଳି ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଦୁର୍ନୀତିରେ ଶ୍ରୀମତି ଷଡଙ୍ଗୀ ତାମିଲନାଡୁ ଲିଙ୍କର ମଧ୍ୟ ପର୍ଦ୍ଦାଫାଶ କରିଛନ୍ତି। […]

aparajita-sadangi

Manoranjan Sial
  • Published: Sunday, 09 August 2020
  • , Updated: 09 August 2020, 09:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାସ୍କ ଓ କିଟ୍‌ କିଣାରେ ହୋଇଛି କେତେ କିକ୍‌ବ୍ୟାକ୍‌? କୋଭିଡ୍‌ ମହାମାରୀ ସମୟରେ କାହାକୁ ମିଳିଛି କି ସରକାରୀ ଅନୁକମ୍ପା? କୋଭିଡ୍‌ ହସ୍ପିଟାଲ୍‌ ନିର୍ମାଣରେ ଲାଗିଛି କେତେ ଟଙ୍କା? କୋଭିଡ୍‌ ଆକ୍ରାନ୍ତଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ ହୋଇଛି? କୋଭିଡ୍‌ ପରିଚାଳନା ଦୁର୍ନୀତିରେ ଧନ୍ଦି ହୋଇପଡିଥିବା ରାଜ୍ୟ ସରକାରଙ୍କୁ ଆଜି ଏଭଳି ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

ଦୁର୍ନୀତିରେ ଶ୍ରୀମତି ଷଡଙ୍ଗୀ ତାମିଲନାଡୁ ଲିଙ୍କର ମଧ୍ୟ ପର୍ଦ୍ଦାଫାଶ କରିଛନ୍ତି। ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ୍ କିଣାଯାଇଥିବା ଅଭିଯୋଗ କରିଛନ୍ତି ଅପରାଜିତା। ପଞ୍ଜାବ ଓ ହରିୟାଣାର ବିଭିନ୍ନ ଫାର୍ମରୁ ଚଢା ଦରରେ ମାସ୍କ କିଣାର ବି ସେ ସତ ପଦାକୁ ଆଣିଛନ୍ତି। ରାଜ୍ୟ କୋଭିଡ୍‌ ସହ ଲଢୁଥିବା ବେଳେ ସାମଗ୍ରୀ କିଣାରେ ବ୍ୟାପକ ହେର୍‌ଫେର୍‌କୁ ନେଇ ବର୍ଷିଛନ୍ତି ଅପରାଜିତା। ସତ୍‌ସାହସ ଥିଲେ 5-T ନୀତି ଅନୁଯାୟୀ ରାଜ୍ୟ ସରକାର ଅଭିଯୋଗର ତଦନ୍ତ କରାନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି। ତେବେ ପ୍ରମାଣ ଥିଲେ ବିରୋଧୀ ଦିଅନ୍ତୁ ବୋଲି ବିଜେଡି କହିଛି।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି-“ମହାମାରୀ କରୋନା ସମୟରେ ରାଜ୍ୟ ସରକାର କେତେ ଟଙ୍କାରେ ପିପିଇ କିଟ୍‌ କିଣିଛନ୍ତି? କେତେ ପରିମାଣର ପିପିଇ କିଟ୍‌ କିଣାଯାଇଛି? ତାହାର ମାନ କଣ? ଏ ସମ୍ପର୍କରେ ରାଜ୍ୟ ସରକାର ଜନସାଧାରଣଙ୍କୁ ଜଣାଇବା କଥା। ଏହାର ଉତ୍ତର ନମିଳିଲେ ରାଜ୍ୟ ସରକାରଙ୍କୁ କଂଗ୍ରେସ ଘେରିବ।”

ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି-“କହିଲେ ହେବନାହିଁ। ପ୍ରମାଣ ଥିଲେ ଦିଅନ୍ତୁ। ଯଦି କିଛି ନିର୍ଦ୍ଦିଷ୍ଟ ପ୍ରମାଣ ଅଛି, ତେବେ ଦିଅନ୍ତୁ। କୋଭିଡ୍ ସମୟରେ ଆମେ ସକାରାତ୍ମକ ହେବା ଉଚିତ୍‌। କେବଳ ଫ୍ୟାକ୍ଟ କୁହନ୍ତୁ। ଯଦି କିଛି ତଥ୍ୟ ଅଛି ତେବେ ସାମ୍ନାକୁ ଆଣନ୍ତୁ।”

କେବଳ ବିରୋଧୀ ବିଜେପି କିମ୍ବା କଂଗ୍ରେସ ନୁହେଁ, କୋଭିଡ୍‌ ପରିଚାଳନାରେ ଦୁର୍ନୀତିକୁ ନେଇ ନାନା ପ୍ରଶ୍ନ ଉଠିବା ସହିତ କଥା ଚର୍ଚ୍ଚା ହେଉଛି। ତେଣୁ ଜନସାଧାରଣ କେଉଁ ପ୍ରସଙ୍ଗରେ ଜାଣିବାକୁ ଚାହୁଁଛନ୍ତି, କେଉଁ ଅଭିଯୋଗର ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି, ସେସବୁ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚୁ ଆମର ଉଦ୍ଦେଶ୍ୟ। କୋଭିଡ୍‌ କିଟ୍‌ କିଣା ହେଉ କି ରୋଗୀଙ୍କ ଚିକିତ୍ସା ଲାଗି ବିଭିନ୍ନ ହସ୍‌ପିଟାଲ ସହ କରାଯାଇଥିବା ଚୁକ୍ତି ସ୍ୱଚ୍ଛତା ରଖିବା ସହ ସରକାର ଯଦି ଏନେଇ ବିସ୍ତୃତ ତଥ୍ୟ ପ୍ରଦାନ ନକରନ୍ତି, ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେବା ସ୍ୱାଭାବିକ। ତେଣୁ ସରକାର ତୁରନ୍ତ ଯଦି ଏସଂପର୍କିତ ତଥ୍ୟ ପ୍ରକାଶ କରନ୍ତି, ତେବେ ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଓଟିଭି ସହଯୋଗ କରିବ। ଏହାଦ୍ୱାରା କୋଭିଡ୍ ପରିଚାଳନାରେ ଦୁର୍ନୀତି  ହୋଇଥିବା ନେଇ ଉଠିଥିବା ଝଡ଼ ପ୍ରଶମିତ ହେବା ସହ ଲୋକ ମୁଖରେ ଚାଲିଥିବା ବାରକଥା ମଧ୍ୟ ଆଉ ଶୁଣିବାକୁ ମିଳିବ ନାହିଁ।

କରୋନା ମୁକାବିଲା ପାଇଁ ପିପିଇ କିଟ୍ ଓ ମାସ୍କ କିଣାରେ ବ୍ୟାପାକ ଦୁର୍ନୀତି ନେଇ ପୂର୍ବରୁ ଅଭିଯୋଗ ଉଠିଥିଲା। ଯେଉଁ ମାସ୍କକୁ ‘ଗଭମେଣ୍ଟ ଇ-ମାର୍କେଟପ୍ଲେସ’ରୁ ଅନ୍ୟ ରାଜ୍ୟମାନେ ୧ ଟଙ୍କା ୩୪ ପଇସା ଓ ୨ଟଙ୍କା ୪ ପଇସାରେ କିଣିଥିଲେ। ସେହି ମାସ୍କ ପାଇଁ ଓଡ଼ିଶା ସରକାର ଦେଇଥିଲେ ୧୬ ଟଙ୍କା। ସେହିପରି ଟ୍ରିପଲ୍‌ ଲେୟାର ମାସ୍କ କିଣିବାକୁ ଓଡ଼ିଶା ଔଷଧ ନିଗମ ୧୦ ଟଙ୍କାରେ ଟେଣ୍ଡର କରିଥିଲେ ମଧ୍ୟ କିଣିଥିଲା ୧୬ ଟଙ୍କାରେ। ଏହା ବ୍ୟତୀତ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପିପିଇ କିଟ୍ ଓ ମାସ୍କ ମହଜୁଦ ଥିଲେ ମଧ୍ୟ ସରକାର ଅନ୍ୟ ରାଜ୍ୟରୁ ବିପୁଳ ପରିମାଣର ଏସବୁ ସାମଗ୍ରୀ ମଗାଇଥିଲେ। ମାତ୍ର ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ସରକାର ବିଭିନ୍ନ ଆଳ ଦେଖାଇ କିଛି ସାମଗ୍ରୀ ରଖି ଅନ୍ୟ ସମସ୍ତ ସାମଗ୍ରୀ ଫେରସ୍ତ କରିଥିଲେ। ତେବେ କଣ ପାଇଁ ଏତେ ସାମଗ୍ରୀ ମଗାଯାଇଥିଲା? ଏବାବଦକୁ କେତେ କ୍ଷତି ହେଲା? ସରକାର ସେନେଇ କିନ୍ତୁ କୌଣସି ହିସାବ ଦେଇନଥିଲେ।

Related story