ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ, ଦଶହରା ପୂର୍ବରୁ ଯିବେ ୩ ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍ ଜିଲ୍ଲା ଗସ୍ତରେ ଯିବେ। ଦଶହରା ପୂର୍ବରୁ ୬ ଦିନିଆ ଦିଲ୍ଲୀ ଗସ୍ତ ଶେଷକରି ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସପ୍ତାହରେ ୩ଟି ଜିଲ୍ଲା ଗସ୍ତ କରିବେ। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ସପ୍ତାହରେ ୩ଟି ଜିଲ୍ଲାକୁ ସରକାରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ […]

naveen patnaik

Ordigital Desk
  • Published: Friday, 01 October 2021
  • , Updated: 01 October 2021, 10:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍ ଜିଲ୍ଲା ଗସ୍ତରେ ଯିବେ। ଦଶହରା ପୂର୍ବରୁ ୬ ଦିନିଆ ଦିଲ୍ଲୀ ଗସ୍ତ ଶେଷକରି ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସପ୍ତାହରେ ୩ଟି ଜିଲ୍ଲା ଗସ୍ତ କରିବେ। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ସପ୍ତାହରେ ୩ଟି ଜିଲ୍ଲାକୁ ସରକାରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୀତିକ ଫାଇଦା ଉଠାଇବା ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୪ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡ ବାଣ୍ଟିବାର ଶୁଭାରମ୍ଭ କରିବା ସହ ୪୫୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଏହାପରେ ଆସନ୍ତା ୭ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ପ୍ରାୟ ୩୦୦କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅକ୍ଟୋବର ୯ତାରିଖରେ ମୁଖ୍ୟମନ୍ତ୍ରୀ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ଗଜପତି ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ ପାଇଁ ସରକାରୀସ୍ତରରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେଉଥିବାବେଳେ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇ ଦଶହରା ପୂଜା ପରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ବ୍ରହ୍ମଗିରି ଓ ଦେବଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପାଇଁ ଅଚାନକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଏସପି ଓ ବରିଷ୍ଠ ଅଧିକାରୀମାନେ ଆଜି ବ୍ରହ୍ମଗିରି ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣଠୁ ସଭା ପର୍ଯ୍ୟନ୍ତ ଏହି ସରକାରୀ ଗସ୍ତ କାର୍ଯ୍ୟକ୍ରମକୁ ବିଜେଡି ପକ୍ଷରୁ ଆଜି ଚୂଡ଼ାନ୍ତ ରୂପ ଦିଆଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅକ୍ଟୋବର ୮ରେ ବାରିପଦା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା। ଯାହାକୁ ଏବେ ସ୍ଥଗିତ ରଖାଯାଇଛି ଓ ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨୦ରୁ ୨୫ତାରିଖ ମଧ୍ୟରେ ବାରିପଦା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସମସ୍ତ ୩୦ଟି ଜିଲ୍ଲାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହି ଗସ୍ତରୁ ରାଜନୀତିକ ଫାଇଦା ଉଠାଇବାକୁ ବିଜେଡି ଜୋରଦାର ପ୍ରସ୍ତୁତି କରୁଥିବା ସୂଚନା ମିଳିଛି।

Related story