ବିଜେଡିକୁ ବୋଝ ବିଜୁ ଶ୍ରମିକ ସାମ୍ମୁଖ୍ୟ: ମହିଳା କାର୍ଡ ଫେଲ୍, ବଢ଼ୁଛି ଆକ୍ରୋଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନରେ ଫାଟ କରି ସେମାନଙ୍କ ଭୋଟ୍ ହାତେଇବା ପାଇଁ ‘ବିଜୁ ଶ୍ରମିକ ସାମ୍ମୁଖ୍ୟ’ ଗଢ଼ି ବିଜେଡି ରଚିଥିବା ଷଡ଼ଯନ୍ତ୍ର ଏବେ ଦଳ ପାଇଁ ବୁମେରାଂ ହେବାରେ ଲାଗିଛି । ଧାମନଗର ଉପନିର୍ବାଚନରେ ମହିଳା ଭୋଟ୍ ହାତେଇବା କୌଶଳ ବିଫଳ ହୋଇଥିବାବେଳେ ଏବେ ଦୀର୍ଘ ୧୭ଦିନ ଧରି ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ବସି ରହିବା ଏବଂ ପଦ୍ମପୁର ଉପନିର୍ବାଚନରେ ମହିଳା ସ୍ୱୟଂ ସହାୟିକା […]

BJD

BJD

Ordigital Desk
  • Published: Wednesday, 07 December 2022
  • Updated: 07 December 2022, 05:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନରେ ଫାଟ କରି ସେମାନଙ୍କ ଭୋଟ୍ ହାତେଇବା ପାଇଁ ‘ବିଜୁ ଶ୍ରମିକ ସାମ୍ମୁଖ୍ୟ’ ଗଢ଼ି ବିଜେଡି ରଚିଥିବା ଷଡ଼ଯନ୍ତ୍ର ଏବେ ଦଳ ପାଇଁ ବୁମେରାଂ ହେବାରେ ଲାଗିଛି । ଧାମନଗର ଉପନିର୍ବାଚନରେ ମହିଳା ଭୋଟ୍ ହାତେଇବା କୌଶଳ ବିଫଳ ହୋଇଥିବାବେଳେ ଏବେ ଦୀର୍ଘ ୧୭ଦିନ ଧରି ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ବସି ରହିବା ଏବଂ ପଦ୍ମପୁର ଉପନିର୍ବାଚନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି) ଦ୍ୱାରା ଭୋଟ୍ ହାତେଇବା ଫର୍ମୂଲା ଫେଲ୍ ମାରିବା ହିଁ ବିଜେଡିର ଏହି ଶ୍ରମିକ ସାମ୍ମୁଖ୍ୟର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନ ସହ ଜଡ଼ିତ ଲକ୍ଷ ଲକ୍ଷ ସଦସ୍ୟଙ୍କୁ ନିଜର ସ୍ଥାୟୀ ଭୋଟ୍ ବ୍ୟାଙ୍କ ଭାବେ ଉପଯୋଗ କରିବା ନିମନ୍ତେ ବିଜେଡି ୨୦୧୭ ମସିହା ଏପ୍ରିଲ ମାସରେ ‘ବିଜୁ ଶ୍ରମିକ ସାମ୍ମୁଖ୍ୟ’ ଗଠନ କରିଥିଲା । ଶାସକ ଦଳର ପ୍ରଭାବ ଓ ବିଶିଷ୍ଟ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂଙ୍କ ନେତୃତ୍ୱରେ ଏହି ଶ୍ରମିକ ସାମ୍ମୁଖ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଭିନ୍ନ କର୍ମଚାରୀ ଓ ଶ୍ରମିକ ସଂଗଠନରେ ଫାଟ କରି ନିଜର କଳେବର ବୃଦ୍ଧି କରିଥିଲେ ବି ତାହା ଗତ ୨-୩ବର୍ଷର୍ ଧରି ବିଜେଡିର ଦଳୀୟ ସଂଗଠନ ପରିବର୍ତ୍ତେ କେବଳ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂଙ୍କ ନିଜସ୍ୱ ସଂଗଠନ ମଧ୍ୟରେ ସୀମିତ ହୋଇଯାଇଥିବା ଜଣାପଡ଼ିଛି । ଯେଉଁଥିପାଇଁ ରାଜ୍ୟର ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଏବେ ଗ୍ରାମାଂଚଳରେ ଅନୁଭୂତ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ଆନ୍ଦୋଳନ ଦୀର୍ଘ ୧୭ଦିନରେ ପହଂଚିଥିବାବେଳେ ପ୍ରାୟ ୫୦ହଜାରରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ଝୁଲୁଛି।

ଅଙ୍ଗନୱାଡ଼ି କର୍ମୀମାନଙ୍କ ଅନୁପସ୍ଥିତିରେ ସେମାନଙ୍କ କାମ ୱାର୍ଡମେମ୍ବର ଓ ମହିଳା ଏସଏଚଜି ମାଧ୍ୟମରେ କରାଇବାର ଉଦ୍ୟମ ବି ଅନେକ ସ୍ଥାନରେ ଫେଲ୍ ମାରିଛି । ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କସ ଆସୋସିଏସନ ବ୍ୟାନରରେ ରାଜଧାନୀରେ ଅଙ୍ଗନୱାଡ଼ି କର୍ମୀମାନେ ନିଜର ଦରମା ବୃଦ୍ଧି, ପେନସନ ଓ ସାମାଜିକ ସୁରକ୍ଷା ଆଦି ଦାବିରେ ଦୀର୍ଘ ୧୭ଦିନ ଧରି ଆନ୍ଦୋଳନରେ ବସିଛନ୍ତି । ଏବେ ରାଜ୍ୟରେ ପ୍ରାୟ ୧.୪୨ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା କାର୍ଯ୍ୟରତ ଥିବାବେଳେ ସେମାନଙ୍କ ମଧ୍ୟରୁ ୧ଲକ୍ଷ ୧୫ହଜାର ୧୨୫ଜଣ କର୍ମୀ ଏହି ସଂଗଠନରେ ସାମିଲ ଅଛନ୍ତି । ନିଜର ଦାବି ପୂରଣ ପାଇଁ ନଭେମ୍ବର ୨୧ରେ ପ୍ରାୟ ୭୦ହଜାରରୁ ଅଧିକ କର୍ମୀ ରାଜଧାନୀରେ ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଏବେ ପ୍ରତିଦିନ ଗୋଟିଏ ଲେଖାଏଁ ଜିଲ୍ଲାରୁ ଅଙ୍ଗନୱାଡ଼ି କର୍ମୀ ରାଜଧାନୀର ଧାରଣାସ୍ଥଳକୁ ଆସି ପ୍ରତିବାଦ କରୁଛନ୍ତି । ଏହି ସଂଗଠନ ଆସନ୍ତା ୯ତାରିଖରେ ତା’ର କାର୍ଯ୍ୟକାରିଣୀ ଡାକି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ସଂଗଠନର କର୍ମକର୍ତ୍ତା ଅଞ୍ଜଳି ପଟେଲ୍ ସୂଚନା ଦେଇଛନ୍ତି।

ସେହିପରି ନିଜର ଦରମା ଓ ଅନ୍ୟାନ୍ୟ ଦାବିରେ ରାଜଧାନୀରେ ଆନ୍ଦୋଳନରତ ଆଶା କର୍ମୀମାନେ ଆସନ୍ତା ୧୪ତାରିଖରେ ସବୁ ଜିଲ୍ଲାରେ ଜେଲଭରୋ ଆନ୍ଦୋଳନ ଓ ୨୦ତାରିଖରେ ନବୀନ ନିବାସ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ସଭାନେତ୍ରୀ ମମତା ମହାନ୍ତି ଚେତାବନୀ ଦେଇଛନ୍ତି ।
ମହିଳା ଭୋଟ୍ ବ୍ୟାଙ୍କ ସହ ସିଧାସଳଖ ଜଡ଼ିତ ଓ ଭୋଟକୁ ପ୍ରଭାବିତ କରିବାର କ୍ଷମତା ଥିବା ଏହି ଅଙ୍ଗନୱାଡ଼ି ଏବଂ ଆଶା କର୍ମୀମାନଙ୍କୁ ହତାଦର କରିବାକୁ ରାଜ୍ୟ ସରକାର ପଛାଉନାହାନ୍ତି।

ତେବେ ପ୍ରଶ୍ନ ଉଠୁଛି, ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ ନଭେମ୍ବର ୧୫ତାରିଖରେ ଅଙ୍ଗନୱାଡ଼ି କର୍ମୀ ସଂଗଠନର ନେତ୍ରୀ ନନ୍ଦିନୀ ପଣ୍ଡା ଓ ୧୯ତାରିଖରେ ଆଶା କର୍ମୀ ସଂଗଠନ ନେତ୍ରୀ ମମତା ଦାସ ତଥା ସେମାନଙ୍କ ପ୍ରତିନିଧି ଦଳକୁ ଡାକି ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଉପସ୍ଥିତିରେ ଦାବି ପୂରଣର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ରାଜଧାନୀରେ କିଭଳି ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀଙ୍କ ବୃହତ୍ ଗୋଷ୍ଠୀ ଆନ୍ଦୋଳନକୁ ଜାରି ରଖିଛି । ଯେଉଁମାନଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ ଡାକି ଆଲୋଚନା କରିଥିଲେ, ସେମାନଙ୍କ ସହ କେତେ ସାଧାରଣ ଅଙ୍ଗନୱାଡ଼ି ଓ ଆଶା କର୍ମୀ ଅଛନ୍ତି ତାହା ସରକାର ନିଜସ୍ୱ ଗୁଇନ୍ଦା ଏଜେନ୍ସି ଅବା ପ୍ରଶାସନିକ କଳ ଲଗାଇ ଯାଂଚ କରିଛନ୍ତି କି?

ସେହିପରି ଶାସକ ବିଜେଡି ନିଜର ପ୍ରଶାସନିକ କଳ ମାଧ୍ୟମରେ ମହିଳା ଏସଏଚଜିଗୁଡ଼ିକୁ ଭୋଟବ୍ୟାଙ୍କ ଭାବେ ଉପଯୋଗ କରିବାରେ ସକ୍ଷମ ହେଉଥିଲେ ମଧ୍ୟ ସୁବାସ ସିଂଙ୍କ ଅପରିପକ୍ୱ ନିଷ୍ପତ୍ତି ଓ ବାହାସ୍ଫୋଟ ଯୋଗୁ ଏବେ ବେସରକାରୀ ଭାବେ ଏକାଧିକ ରାଜ୍ୟସ୍ତରୀୟ ଏସଏଚଜି ସାମ୍ମୁଖ୍ୟ ଗଠନ ହେଲାଣି । ଯଦିଓ ଏସଏଚଜିଗୁଡ଼ିକର ମହାସଂଘ ବ୍ଲକରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଗଠନ କରିବା ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଜାରି ରହିଛି ତଥାପ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା କରିବାକୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ଗତ କିଛିବର୍ଷ ଧରି ଏମବିକେ, ସିଆରପି ଓ ଜିପିଏଲଏଫମାନଙ୍କର ବିଭିନ୍ନ ସଂଗଠନକୁ ଜନ୍ମ ଦେଇ ଆଗାମୀ ଦିନରେ ଶାସକ ବିଜେଡି ପାଇଁ ଅଡ଼ୁଆ ବଢ଼ାଇବାର ଆଶଙ୍କା ରହିଛି । ଏପରିକି ଏସଏଚଜି ପରିଚାଳନା ଦାୟିତ୍ୱରେ ଥିବା ଏମବିକେ,ସିଆରପି, ଜିପିଏଲଏଫ ଓ ସଦସ୍ୟମାନଙ୍କ ମଧ୍ୟରେ ଛକାପଞ୍ଝା ଓ ଅସନ୍ତୋଷ ଧୀରେଧୀରେ ଅଧିକ ତୀବ୍ର ହେବାରେ ଲାଗିଛି।

ସେହିପରି ବିଜୁ ଶ୍ରମିକ ସାମ୍ମୁଖ୍ୟ ବ୍ୟାନରରେ ମହିଳା ଏସଏଚଜିଗୁଡ଼ିକୁ ମ୍ୟାନେଜ୍ କରିବାର ଫର୍ମୂଲା ଧାମନଗର ଉପନିର୍ବାଚନରେ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିବାର ଫଳ ବିଜେଡିକୁ ଭୋଗିବାକୁ ପଡ଼ିଲା । ଯେଉଁଥିପାଇଁ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମହିଳା ଏସଏଚଜିଗୁଡ଼ିକୁ ମ୍ୟାନେଜ୍ କରିବାର ଦାୟିତ୍ୱରୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓ ସେହି ସଂଗଠନ ସହ ଜଡ଼ିତ କର୍ମକର୍ତ୍ତାଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖିବାକୁ ବିଜେଡି ବାଧ୍ୟ ହୋଇଥିଲା।

ବିଜୁ ଶ୍ରମିକ ସାମ୍ମୁଖ୍ୟର କର୍ମକର୍ତ୍ତାଙ୍କ ବାହାସ୍ଫୋଟରୁ ବାହାରି ରାଜ୍ୟ ସରକାର ଆନ୍ଦୋଳନରତ କର୍ମଚାରୀ ଓ ଶ୍ରମିକ ସଂଗଠନଗୁଡ଼ିକର ଦାବି ପ୍ରତି ସକରାତ୍ମକ ଦୃଷ୍ଟିରୁ ବିଚାର ନକଲେ ଆଗାମୀ ଦିନରେ ବିଜେଡିକୁ ସେଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos