ଅସନ୍ତୋଷ ବଢ଼ିବା ପରେ ଆସିଲା ବିଜେଡିର ସାନି ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେଲା ନିଜର ମହିଳା ୱିଙ୍ଗ ସଭାପତି ପଦକୁ ଖାଲି ରଖିଥିବା ବିଜେଡି ଏବେ ନେତ୍ରୀମାନଙ୍କୁ ତୁଷ୍ଟୀକରଣ ନୀତି ଆପଣାଇଛି। ଦଳରେ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସାନି ସଂଶୋଧିତ ତାଲିକା ଜାରି କରି ୧୮ ଜଣ ପରିବର୍ତ୍ତେ ୩୦ଜଣ ନେତ୍ରୀଙ୍କୁ ବିଭିନ୍ନ ସାଂଗଠନିକ ଜିଲ୍ଲାର ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଛି। କେବଳ ସେତିକି ନୁହେଁ ଜୁଲାଇ ପହିଲାରେ ଦଳ ନିଜର […]

BJD0

Manoranjan Sial
  • Published: Monday, 10 August 2020
  • , Updated: 10 August 2020, 09:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେଲା ନିଜର ମହିଳା ୱିଙ୍ଗ ସଭାପତି ପଦକୁ ଖାଲି ରଖିଥିବା ବିଜେଡି ଏବେ ନେତ୍ରୀମାନଙ୍କୁ ତୁଷ୍ଟୀକରଣ ନୀତି ଆପଣାଇଛି। ଦଳରେ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସାନି ସଂଶୋଧିତ ତାଲିକା ଜାରି କରି ୧୮ ଜଣ ପରିବର୍ତ୍ତେ ୩୦ଜଣ ନେତ୍ରୀଙ୍କୁ ବିଭିନ୍ନ ସାଂଗଠନିକ ଜିଲ୍ଲାର ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଛି। କେବଳ ସେତିକି ନୁହେଁ ଜୁଲାଇ ପହିଲାରେ ଦଳ ନିଜର ବରିଷ୍ଠ ଉପସଭାପତି ତାଲିକା ଘୋଷଣା କରିଥିଲେ ମଧ୍ୟ ପ୍ରାୟ ଦେଢ଼ମାସ ବିତିବାକୁ ବସିଥିଲେ ବି କର୍ମକର୍ତ୍ତାଙ୍କ ପୂର୍ଣ୍ଣାଙ୍ଗ ତାଲିକା ଜାରି କରିବାରେ ସକ୍ଷମ ହୋଇପାରିନି। ଦଳ ଏବେ ହାତଗଣତି ୨-୩ଜଣ ଅଫିସରଙ୍କ କବଜାରେ ଥିବାରୁ ସାଂଗଠନିକ ପଦାଧିକାରୀ ଚୟନ ପ୍ରକ୍ରିୟାରେ ଏଭଳି ବିଳମ୍ବ ହେଉଛି ବୋଲି ବିଜେଡି ମହଲରେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ବିଜେଡି ଆଜି ନିଜର ମହିଳା ୱିଙ୍ଗର ବିଭିନ୍ନ ସାଂଗଠନିକ ଜିଲ୍ଲାର ପ୍ରଭାରୀ ପାଇଁ ୩୦ଜଣିଆ ନେତ୍ରୀଙ୍କ ତାଲିକା ପ୍ରକାଶ କରିଛି। ଜୁଲାଇ ୧୩ତାରିଖ ଦଳ ମାତ୍ର ୧୮ଜଣ ନେତ୍ରୀଙ୍କୁ ଏହି ସାଂଗଠନିକ ଜିଲ୍ଲା ଦାୟିତ୍ୱ ଦେଇଥିଲା। ମାତ୍ର ଏହି ପ୍ରଭାରୀ ଦାୟିତ୍ୱକୁ ନେଇ ଦଳର ନେତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାପରେ ସେଥିରେ ସଂଶୋଧନ କରାଯାଇ ଅଧିକ ନେତ୍ରୀଙ୍କୁ ସାଂଗଠନିକ ପଦପଦବୀରେ ଥଇଥାନ କରାଯାଇଛି। ମାତ୍ର ଆଶ୍ଚର୍ଯ୍ୟର କଥା ବିଜେଡି ମହିଳା ୱିଙ୍ଗ ସଭାନେତ୍ରୀ ପଦରୁ ମିନତୀ ବେହେରା ଇସ୍ତଫା ଦେବାର ଏକ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଦଳ ତାଙ୍କ ସ୍ଥାନରେ ଜଣେ ଯୋଗ୍ୟ ନେତ୍ରୀଙ୍କୁ ଖୋଜିବାରେ ସକ୍ଷମ ହେଲାନି। ଦଳ ଏବେ ନେତ୍ରୀଙ୍କ ବଦଳରେ ବିଜେଡି ବ୍ୟାପାର ବୁଝୁଥିବା ଅଫିସରମାନଙ୍କୁ ‘ହାଁ ଜୀ’ କହିପାରୁଥିବା ମହିଳା ଗୁମାସ୍ତାଙ୍କ ଅନ୍ୱେଷଣରେ ଥିବାରୁ ସଭାନେତ୍ରୀ ଓ ରାଜ୍ୟ ମହିଳା ୱିଙ୍ଗ୍ କମିଟି ଗଠନରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି।

ସେହିପରି ଗତ ଜୁଲାଇ ପହିଲାରେ ବିଜେଡି ନେତୃତ୍ୱ ଦଳର ବରିଷ୍ଠ ଉପସଭାପତି ଓ ଉପସଭାପତି ତାଲିକା ଜାରି କରି ବିଭିନ୍ନ ବିଭାଗ ନ୍ୟସ୍ତ କରିଥିଲେ। ସରକାରରେ ବିଭାଗ ବଣ୍ଟନ କରିବା ପରି ଛାୟା କ୍ୟାବିନେଟ ଗଠନ କରି ବିଭିନ୍ନ କ୍ଷେତ୍ରର ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ ହୋଇଥିଲା। ଦେଶରେ ବିଜେଡି ବୋଧହୁଏ ପ୍ରଥମ ରାଜନୀତିକ ଦଳ ଭାବେ ଶାସନରେ ଥାଇ ନିଜର ନେତାମାନଙ୍କୁ ଏଭଳି କ୍ଷେତ୍ରର ପ୍ରଭାରୀ ନିଯୁକ୍ତି ଦେଇଛି। ଯାହାକି ପରୋକ୍ଷରେ ସରକାରରେ ମନ୍ତ୍ରୀମାନେ ବା ନିଜ ଦଳର ନେତାମାନେ ସେମାନଙ୍କ କାର୍ଯ୍ୟ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ପରୋକ୍ଷରେ ସନ୍ଦେଶ ଦେଇଛି। ବିଜେଡିର ଏହି ପଦାଧିକାରୀ ତାଲିକା ଦେଢ଼ମାସ ପରେ ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ।

ବିଜେଡିର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ ‘ଦଳ ଏବେ ଯେଭଳି ଢଙ୍ଗରେ ଚାଲିଛି, ତାକୁ ନେଇ ବହୁ ପୁରୁଣା କର୍ମୀ ଓ ନେତା ଅସନ୍ତୁଷ୍ଟ। କିନ୍ତୁ କରୋନା ଯୋଗୁ ନିରବ ରହିବାକୁ ବାଧ୍ୟ ହେଉଛନ୍ତି। ବିଜେଡି ସୁପ୍ରିମୋଙ୍କ ନିରବତା ଓ ଦଳରେ ନେତାଙ୍କ ବଦଳରେ ଅଫିସରଙ୍କ ପ୍ରଭାବ ଅଧିକ ରହୁଥିବାରୁ ସାଂଗଠନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଆଗାମୀ ଦିନରେ ଏଭଳି ଧାରା ଜାରି ରହିଲେ ଦଳରେ ଅସନ୍ତୋଷ ବିସ୍ଫୋରକ ରୂପ ନେବାର ଆଶଙ୍କା ରହିଛି।

Related story