ବେସରକାରୀ ସ୍କୁଲଗୁଡ଼ିକରୁ ଚାନ୍ଦା ନେଉଛନ୍ତି ବିଜେଡି ନେତା : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ସାରା ଦେଶରେ ଏବେ ସ୍କୁଲ କଲେଜ ବନ୍ଦ ରହିଛି। ଏଭଳି ସମୟରେ ଅଭିଭାବକମାନଙ୍କ ଦୁଃଖକୁ ନବୁଝି ବେସରକାରୀ ସ୍କୁଲଗୁଡ଼ିକ ସେମାନଙ୍କୁ ଲୁଟ୍ କରି ଚାଲିଛନ୍ତି। ଆଉ ବିଜେଡି ନେତାମାନେ ଏସବୁ ବେସରକାରୀ ସ୍କୁଲଠୁ ଚାନ୍ଦା ନେଉଛନ୍ତି ବୋଲି କଂଗ୍ରେସ ପକ୍ଷରୁ ସଙ୍ଗୀନ ଅଭିଯୋଗ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ମାନସ ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କରୋନା ମହାମାରୀରେ ବି ନବୀନ […]

790

Tapas Behera
  • Published: Wednesday, 05 August 2020
  • , Updated: 05 August 2020, 07:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ସାରା ଦେଶରେ ଏବେ ସ୍କୁଲ କଲେଜ ବନ୍ଦ ରହିଛି। ଏଭଳି ସମୟରେ ଅଭିଭାବକମାନଙ୍କ ଦୁଃଖକୁ ନବୁଝି ବେସରକାରୀ ସ୍କୁଲଗୁଡ଼ିକ ସେମାନଙ୍କୁ ଲୁଟ୍ କରି ଚାଲିଛନ୍ତି। ଆଉ ବିଜେଡି ନେତାମାନେ ଏସବୁ ବେସରକାରୀ ସ୍କୁଲଠୁ ଚାନ୍ଦା ନେଉଛନ୍ତି ବୋଲି କଂଗ୍ରେସ ପକ୍ଷରୁ ସଙ୍ଗୀନ ଅଭିଯୋଗ କରାଯାଇଛି।

କଂଗ୍ରେସର ବରିଷ୍ଠ ନେତା ମାନସ ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କରୋନା ମହାମାରୀରେ ବି ନବୀନ ପଟ୍ଟନାୟକଙ୍କ ସରକାର ଅଭାବୀ ଅଭିଭାବକଙ୍କ କଥା ଚିନ୍ତା କରୁନାହାନ୍ତି। ବେସରକାରୀ ସ୍କୁଲଗୁଡ଼ିକଠୁ ବିଜେଡ଼ି ନେତାମାନେ ଚାନ୍ଦା ନେଉଥିବାରୁ ସରକାର ଏସବୁ ଅନ୍ୟାୟ ଦେଖିଲେ ବି ଆଖି ବୁଜି ଦେଉଛନ୍ତି। ସାରା ରାଜ୍ୟରେ ଏବେ ବେସରକାରୀ ସ୍କୁଲଗୁଡ଼ିକର ଚାପରେ ଅଭିଭାବକମାନେ ଚେପା ହୋଇଯାଇଛନ୍ତି। କରୋନା ପାଇଁ କେତେକ ଅଭିଭାବକଙ୍କର ଚାକିରୀ ପଳେଇଲାଣି, ସଟର ବନ୍ଦ ଥିବାରୁ ବ୍ୟବସାୟିକ କାରବାର ବି ଠପ ହୋଇଯାଇଛି। ଏଭଳି ସ୍ଥିତିରେ ଘର ଚଳାଇବା ବି ମୁସ୍କିଲ ହୋଇଗଲାଣି। ଗରିବ ହୁଅନ୍ତୁ କି ମଧ୍ୟବିତ୍ତ ସମସ୍ତଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କିନ୍ତୁ ବେସରକାରୀ ସ୍କୁଲଗୁଡ଼ିକର ବିଭିନ୍ନ ଫି’ ଆଦାୟ କରିବାରେ ଲାଗିଛନ୍ତି। ଘରେ ବସିବସି ବେସରକାରୀ ସ୍କୁଲଗୁଡ଼ିକ ଏବେ ମୋଟା ଅଙ୍କର ଟଙ୍କା ଗୋଟାଇବାରେ ଲାଗିଛନ୍ତି। ଏଭଳି ପଇସା ଖିଆ ଘରୋଇ ସ୍କୁଲ ବିରୋଧରେ ନବୀନ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ? ଖାଲି ଫିସ ଛାଡ଼ କରିବାକୁ ଅନୁରୋଧ କଲେ ଚଳିବ ନାହିଁ, ସେମାନଙ୍କୁ ନିର୍ଦ୍ଦେଶ ଦେବା ଦରକାର ବୋଲି ଶ୍ରୀ ଚୌଧୁରୀ ଦାବି କରିଛନ୍ତି।

ସେ ରାଜଧାନୀ ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଉଦାହରଣ ଦେଇ କହିଛନ୍ତି ଯେ, ସେ ସ୍କୁଲର ମାଲିକ ଏବେ ସରକାରଙ୍କ ଉପଦେଷ୍ଟା ସାଜିଛନ୍ତି। କିନ୍ତୁ ସେଠାରେ ଅଭିଭାବକମାନଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରୁଛନ୍ତି। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ପୁଲିସ କେସ୍ ବି କରାଯିବାର ନଜିର ରହିଛି। ଏଭଳି ଲୁଟେରା ଓ ଶୋଷକମାନେ କିଭଳି ଶିକ୍ଷାବିତ ହେବେ ବୋଲି ଶ୍ରୀ ଚୌଧୁରୀ ପ୍ରଶ୍ନ କରିଛନ୍ତି। ଏହାସହିତ ବେସରକାରୀ ସ୍କୁଲଗୁଡ଼ିକର ଫି’ ଆଦାୟ ଉପରେ ଲଗାମ ପାଇଁ ରାଜ୍ୟ ସରକାରଙ୍କୁ କେତେକ ପ୍ରସ୍ତାବ ମଧ୍ୟ କଂଗ୍ରେସ ପକ୍ଷରୁ ଦିଆଯାଇଛି।
ଆଜିର ଏହି ସାମ୍ବାଦିକ ସମ୍ମିଳନିରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ, ରଶ୍ମି ମହାପାତ୍ର, ରାଜୀବ ପଟ୍ଟନାୟକ, ଅଶୋକ ଦାସ, ବିଶ୍ୱଜିତ୍ ଦାସ, ନାସିର ନୱାଜ, ଆଶିଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Related story