ବିଜେଡି ଦେଲା ଇସାରା, ବିଦା ହେବେନି ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିର୍ମମ ହତ୍ୟା ଓ ସେକ୍ସ ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠତାର ପୁଳାପୁଳା ପ୍ରମାଣ ଓ ଅଭିଯୋଗ ଥିବା ସତ୍ତ୍ୱେ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯିବ ନାହିଁ। ନିରୀହ ଶିକ୍ଷୟିତ୍ରୀ ମମିତା ଏବଂ ସେକ୍ସ ସ୍କାଣ୍ଡାଲର ଶିକାର ହୋଇଥିବା ଅନ୍ୟ ଝିଅମାନଙ୍କୁ ନ୍ୟାୟ ଦେବାକୁ ଜିଲ୍ଲା ବନ୍ଦଠୁ ଆରମ୍ଭ କରି ବିରୋଧୀ ଦଳର ହୋ-ହାଲ୍ଲା ଅବା ସାମାଜିକ ସଂଗଠନଗୁଡ଼ିକର ପ୍ରତିବାଦ ମଧ୍ୟ […]

Pramila-Mallick

Ordigital Desk
  • Published: Wednesday, 20 October 2021
  • , Updated: 20 October 2021, 10:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିର୍ମମ ହତ୍ୟା ଓ ସେକ୍ସ ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠତାର ପୁଳାପୁଳା ପ୍ରମାଣ ଓ ଅଭିଯୋଗ ଥିବା ସତ୍ତ୍ୱେ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯିବ ନାହିଁ। ନିରୀହ ଶିକ୍ଷୟିତ୍ରୀ ମମିତା ଏବଂ ସେକ୍ସ ସ୍କାଣ୍ଡାଲର ଶିକାର ହୋଇଥିବା ଅନ୍ୟ ଝିଅମାନଙ୍କୁ ନ୍ୟାୟ ଦେବାକୁ ଜିଲ୍ଲା ବନ୍ଦଠୁ ଆରମ୍ଭ କରି ବିରୋଧୀ ଦଳର ହୋ-ହାଲ୍ଲା ଅବା ସାମାଜିକ ସଂଗଠନଗୁଡ଼ିକର ପ୍ରତିବାଦ ମଧ୍ୟ ପ୍ରଭାବହୀନ। ବିଜେଡି ଉପସଭାନେତ୍ରୀ ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ସାମ୍ବାଦିକ ସମ୍ମିଳନୀରେ ଯେଉଁଭଳି ଢଙ୍ଗରେ ମମିତା ମେହେର ମୃତ୍ୟୁ ମାମଲାକୁ ଉପସ୍ଥାପିତ କଲେ ତାହା ସିଧାସଳଖ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷିତ ରଖିବା ପାଇଁ ବିଜେଡିର ରଣନୀତିକୁ ପଦାରେ ପକାଇଛି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ମନ୍ତ୍ରୀ ପଦ ସୁରକ୍ଷିତ ରଖିବା ପାଇଁ ବିଜେଡିର ଜିଦ୍ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ଫାଇଭ-ଟି ସ୍ଲୋଗାନକୁ ରାଜ୍ୟବାସୀଙ୍କ ନିକଟରେ ପ୍ରହସନରେ ପରିଣତ କରାଇଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଘଟଣାର ରାଜନୀତିକରଣ କରିବା ପାଇଁ ବିଜେପି ଉପରକୁ ଅଙ୍ଗୁଳି ଉଠାଇ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ସୁରକ୍ଷା ଦେବାକୁ ବିଜେଡି ଆଗେଇ ଆସିଥିବା ଜଣାପଡ଼ିଛି।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମମିତା ମେହେର ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏରେ କାର୍ଯ୍ୟ କରିଥିବା ଜଣେ ଦକ୍ଷ ଅଫିସରଙ୍କୁ ଦିଆଯାଇଛି। ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଜଣେ ଦୁଇଜଣଙ୍କୁ ପୁଲିସ ଧରିଛି ଓ ଆଉ ଯେଉଁମାନେ ଦୋଷୀ ସେମାନଙ୍କୁ ପୁଲିସ ଧରିବ ଓ ପୀଡ଼ିତା ନିଶ୍ଚିତ ଭାବେ ନ୍ୟାୟ ପାଇବେ। ତେବେ ଯେଉଁ ସ୍କୁଲ ଓ କଲେଜରେ ପିଲାମାନେ ପଢ଼ୁଛନ୍ତି ସେଠାରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବିଜେପି ନିନ୍ଦା ନକରି ପିଲାମାନଙ୍କ ଭବିଷ୍ୟତ ଅନ୍ଧକାରମୟ ନକରୁ ଏବଂ ସେ ଶିକ୍ଷାନୁଷ୍ଠାନ ବଦନାମ ନହେଉ ବୋଲି ପ୍ରମିଳା କହିଛନ୍ତି । ସ୍କୁଲ କଲେଜକୁ ନେତାମାନଙ୍କୁ ଗେଷ୍ଟ କରି ଡକାଯାଏ ଓ ସେଠାକୁ ଯାଉଥିବା ନେତା-ମନ୍ତ୍ରୀମାନେ ଅନୁଷ୍ଠାନର ବିକାଶ ପାଇଁ ଅନୁଦାନ ଦେଇଥାନ୍ତି। ଆଉ ନେତାମାନଙ୍କ ସହ ଫଟୋ ଉଠାଇଥିବା ବ୍ୟକ୍ତି ଯଦି ପରେ ଅପରାଧ କରେ ସେଥିପାଇଁ ସମ୍ପୃକ୍ତ ନେତା କି ମନ୍ତ୍ରୀଙ୍କୁ ଦାୟୀ କରିବା ଉଚିତ୍ ନୁହେଁ ବୋଲି ପ୍ରମିଳା କହିବା ସହ ଉତ୍ତରପ୍ରଦେଶରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅଙ୍କ ବିରୁଦ୍ଧରେ ଆସିଥିବା ଗଣହତ୍ୟା ଅଭିଯୋଗ କଥା କହି ଏଠି ମମିତା ମେହେର ମାମଲାର ରାଜନୀତିକରଣ କରାଇବାକୁ ପ୍ରୟାସ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ବିଜେଡି ଯଦି ବାସ୍ତବରେ ମମିତା ମେହେର ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଚାହୁଁଛି ତା’ହେଲେ ଗୃହ ବିଭାଗର ମନ୍ତ୍ରୀ ପଦରୁ କାହିଁକି ଦିବ୍ୟଶଙ୍କରଙ୍କୁ ହଟାଉ ନାହିଁ । ନିଜର ବସ୍ ବିରୁଦ୍ଧରେ ତଦନ୍ତ କରିବା କ’ଣ ଅଧସ୍ତନ ପୁଲିସ ଅଫିସର ପକ୍ଷେ ସମ୍ଭବ କି? ଅକ୍ଟୋବର ୮ରୁ ମମିତା ନିଖୋଜ ହେବାଠୁ ୧୭ତାରିଖରେ ଗୋବିନ୍ଦ ଥାନାରୁ ଫେରାର ହେବା ପର୍ଯ୍ୟନ୍ତ ସେ ମନ୍ତ୍ରୀ ଦିବ୍ୟଶଙ୍କର କିମ୍ବା ତାଙ୍କ ଅଫିସ ସହ ଯୋଗାଯୋଗରେ ନଥିଲା ବୋଲି ବିଜେଡି ସ୍ପଷ୍ଟ ଭାବେ କହିପାରିବ କି? ମନ୍ତ୍ରୀ ପଦରେ ଥାଇ ଦିବ୍ୟଶଙ୍କରଙ୍କ ମୋବାଇଲ ଫୋନକୁ ଯାଂଚ କରିବା ପୁଲିସ ପକ୍ଷେ ସମ୍ଭବ କି? ଦିବ୍ୟଶଙ୍କର ସେ କଲେଜକୁ କାହିଁକି ନିୟମିତ ଯାଉଥିଲେ ଓ ସେଠାରେ କ’ଣ କରୁଥିଲେ ତା’ର ତଦନ୍ତ ପୁଲିସ କରିପାରିବ କି? ତା’ଛଡ଼ା ପ୍ରମିଳା ଆଜି ଯେଭଳି ଢଙ୍ଗରେ ନିରୀହ ଝିଅ ମମିତାଙ୍କ ନିର୍ମମ ହତ୍ୟା ଘଟଣାକୁ ରାଜନୀତିକରଣ କରାଇଛନ୍ତି ସେଥିରୁ ସମ୍ପୃକ୍ତ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିବା ଆଶା କ୍ଷୀଣ। ବିଜେଡି ଏବେ ବିଜେପି ମୁଣ୍ଡରେ ଅଠା ବୋଳି ଘଟଣାର ରାଜନୀତିକରଣ କରି ପ୍ରକୃତ ଦୋଷୀଙ୍କୁ ଖସାଇ ଦେବାକୁ ଉଦ୍ୟମ ଆରମ୍ଭ କରିଲାଣି।

ମନ୍ତ୍ରୀ ଦିବ୍ୟଶଙ୍କର ସେ ସ୍କୁଲ ଓ କଲେଜ ସହ ୨୦୧୫ ମସିହାରୁ ଭଲ ଭାବେ ଜଡ଼ିତ ଓ ଦିବ୍ୟଶଙ୍କର ପ୍ରତିମାସରେ ସେହି କଲେଜକୁ ଯାଇଥାନ୍ତି । ଏହା ନିଜେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କହୁଥିବାର ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି । ଦିବ୍ୟଶଙ୍କରଙ୍କ ସହ ଛାଇ ଭଳି ଗୋବିନ୍ଦ ସାହୁ ରହି ଆସିଛନ୍ତି । ତା’ର ତଥ୍ୟପ୍ରମାଣ ସବୁ ଏବେ ଅନୁଷ୍ଠାନର ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ପଦାକୁ ଆଣୁଛନ୍ତି । କଲେଜରେ ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଯୌନ ନିର୍ଯାତନାର ଶିକାର ହେଉଥିଲେ କି ନାହିଁ ସେ ସମ୍ପର୍କରେ ମୁହଁ ନଖୋଲି ଓଲଟା ଅନୁଷ୍ଠାନକୁ ବଦନାମ ନକରିବାକୁ ପରାମର୍ଶ ଦେଉଛି । ଦିବ୍ୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ଏବେ ବିଜେଡି ପାଇଁ କାଠିକର ପାଠ ହୋଇଥିବାବେଳେ ତାଙ୍କୁ ମନ୍ତ୍ରୀ କରି ରଖିବା ମଧ୍ୟ ଏକପ୍ରକାରର ବାଧ୍ୟବାଧକତା ହୋଇଯାଇଛି । ତେଣୁ ଘଟଣାରେ ଯିଏ ଯେତେ ହୋ-ହାଲ୍ଲା କଲେ ବି ମମିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ବେବିନା, ଇତିଶ୍ରୀ, ମାଧବୀଲତା, ସସ୍ମିତା, ସ୍ମିତାରାଣୀ, ପରୀ, ମାହାଙ୍ଗା ଡବଲ ମର୍ଡର ଆଦି ଘଟଣା ପରି ଏହି ମାମଲାକୁ ଡିଲ୍ କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଆଉ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପଦବୀ ସୁରକ୍ଷିତ ବୋଲି ଆଜି ଶ୍ରୀମତୀ ମଲ୍ଲିକ ଇସାରାରେ କହିବା ସହ ବିଜେଡିର ଆଭିମୁଖ୍ୟକୁ ସ୍ପଷ୍ଟ କରାଇଛନ୍ତି ।

Related story