ଏଥର କମିଲା ପଞ୍ଚାୟତ ମତଦାନ ହାର, ୯% ବଢ଼ିଲା ବିଜେଡି ଭୋଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ପଂଚାୟତ ନିର୍ବାଚନରେ ବିଜେଡିକୁ ଏକପାଖିଆ ସଫଳତା ମିଳିଥିବାବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ତେବେ ଏଥର ପଂଚାୟତ ନିର୍ବାଚନରେ ମତଦାନ ହାର ଗତଥର ତୁଳନାରେ ପ୍ରାୟ ୩ ପ୍ରତିଶତ ହ୍ରାସ ପାଇଥିବାବେଳେ ବିଜେଡିର ଭୋଟହାର ୯%ରୁ ଅଧିକ ବଢ଼ିଛି। କଂଗ୍ରେସର ଭୋଟ ହାର କ୍ରମାଗତ ହ୍ରାସ ପାଇ ୧୩.୫୭%ରେ ସୀମିତ ରହିଥିବାବେଳେ ବିଜେପିର ଭୋଟହାର ହାରାହାରି ୩% କମିଥିବା ଜଣାପଡ଼ିଛି। ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ […]

bjd

Ordigital Desk
  • Published: Tuesday, 01 March 2022
  • , Updated: 02 March 2022, 08:48 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ପଂଚାୟତ ନିର୍ବାଚନରେ ବିଜେଡିକୁ ଏକପାଖିଆ ସଫଳତା ମିଳିଥିବାବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ତେବେ ଏଥର ପଂଚାୟତ ନିର୍ବାଚନରେ ମତଦାନ ହାର ଗତଥର ତୁଳନାରେ ପ୍ରାୟ ୩ ପ୍ରତିଶତ ହ୍ରାସ ପାଇଥିବାବେଳେ ବିଜେଡିର ଭୋଟହାର ୯%ରୁ ଅଧିକ ବଢ଼ିଛି। କଂଗ୍ରେସର ଭୋଟ ହାର କ୍ରମାଗତ ହ୍ରାସ ପାଇ ୧୩.୫୭%ରେ ସୀମିତ ରହିଥିବାବେଳେ ବିଜେପିର ଭୋଟହାର ହାରାହାରି ୩% କମିଥିବା ଜଣାପଡ଼ିଛି।

ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଫେବୃୟାରୀ ୧୬ରୁ ୨୪ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ହୋଇଥିବା ପଂଚାୟତ ନିର୍ବାଚନରେ ମୋଟ ୨.୭୯କୋଟି ଭୋଟରଙ୍କ ମଧ୍ୟରୁ ୨କୋଟି ୧୦ଲକ୍ଷ ୨୮ହଜାର ୪୦୩ଜଣ ଭୋଟ୍ ଦେଇଛନ୍ତି । ଯାହାକି ମୋଟ ଭୋଟର ହାରାହାରି ୭୫.୨୭% ଓ ୨୦୧୭ ପଂଚାୟତ ନିର୍ବାଚନର ମତଦାନ ହାର ତୁଳନାରେ ପ୍ରାୟ ୩ ପ୍ରତିଶତ କମ । ୨୦୧୭ ପଂଚାୟତ ନିର୍ବାଚନରେ ମତଦାନ ହାରାହାରି ୭୮.୦୩% ଥିଲା । ୨୦୧୭ ପଂଚାୟତ ନିର୍ବାଚନରେ ମୋଟ ୨.୬୧କୋଟି ଭୋଟର ଥିଲେ । ୨୦୧୨ ମସିହା ପଂଚାୟତ ନିର୍ବାଚନରେ ଯେତିକି ମତଦାନ ହାର ଥିଲା ୨୦୧୭ ନିର୍ବାଚନରେ ତା’ର ପ୍ରାୟ ୩.୭୩% କମ୍ ଭୋଟ ପଡ଼ିଥିଲା ବୋଲି ଜଣାପଡ଼ିଛି ।

ସେହିପରି ଚଳିତ ପଂଚାୟତ ନିର୍ବାଚନରେ ବିଜେଡିକୁ ୫୨.୭୩% (୧କୋଟି ୧୦ଲକ୍ଷ ୮୯ହଜାର ୭୧୨) ଭୋଟ ମିଳିଥିବାବେଳେ ବିଜେପିକୁ ୩୦.୦୭% (୬୩.୨୩ଲକ୍ଷ), କଂଗ୍ରେସକୁ ୧୩.୫୭% (୨୮.୫୪ଲକ୍ଷ) ଭୋଟ, ସ୍ୱାଧୀନ ଓ ଅନ୍ୟ ଦଳକୁ ୭ ପ୍ରତିଶତ(୭.୬୦ଲକ୍ଷ) ଭୋଟ୍ ମିଳିଛି । ତେବେ ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡିକୁ ୪୩%, ବିଜେପିକୁ ୩୩%, କଂଗ୍ରେସକୁ ୧୬%, ସ୍ୱାଧୀନ ଓ ଅନ୍ୟ ଦଳଗୁଡ଼ିକୁ ପ୍ରାୟ ୮% ଭୋଟ୍ ମିଳିଥିଲା । ତେବେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଗୋଟିଏରେ ନିର୍ବାଚନ ସ୍ଥଗିତ ଥିବାବେଳେ ଅନ୍ୟ ୮୫୨ଟି ଆସନ ମଧ୍ୟରୁ ବିଜେଡିକୁ ରେକର୍ଡ ପରିମାଣର ୭୬୬ଟି(୮୯.୯୦%) ସିଟ୍ , ବିଜେପିକୁ ୪୨(୪.୯୨%), କଂଗ୍ରେସକୁ ୩୭ଟି(୪.୩୪%), ସ୍ୱାଧୀନ ଓ ଅନ୍ୟ ଦଳକୁ ୭ଟି ସିଟ୍ (୦.୮୨୧%) ମିଳିଛି ।  ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଭୋଟହାର ୨୦୧୭ ତୁଳନାରେ ପ୍ରାୟ ୯ରୁ ୧୦% ବଢ଼ିଛି। କଂଗ୍ରେସ ୧୮ଟି ଜିଲ୍ଲାରେ ଶୂନ ହୋଇଥିବାବେଳେ ବିଜେପି ୧୦ଟି ଜିଲ୍ଲାରେ ମୂଳପୋଛ ହୋଇଯାଇଛି । ବିଜେଡି ସମସ୍ତ ଜିଲ୍ଲାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସହ ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଛି ।

ଅନ୍ୟପକ୍ଷରେ ୨୦୧୭ ଓ ୨୦୧୯ ନିର୍ବାଚନରେ ବିଜେପି ଯେଉଁ ସବୁ ଜିଲ୍ଲାରେ ନିଜର ଦବଦବା ଦେଖାଇଥିଲା, ତାହା ଚଳିତ ପଂଚାୟତ ନିର୍ବାଚନରେ ଧୂଳିସାତ ହୋଇଯାଇଛି । ଏପରିକି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁଙ୍କ ଜିଲ୍ଲା ମୟୂରଭଞ୍ଜରେ ବିଜେପି ଖାତା ଖୋଲିବାକୁ ସକ୍ଷମ ହୋଇନଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଅନୁଗୁଳରେ ୨୮ରୁ ମାତ୍ର ୧ଟି ଆସନ ବିଜେପି ଖାତାକୁ ଯାଇଛି । ଗତଥର ମୟୂରଭଞ୍ଜ ଓ ମାଲକାନଗିରିରେ ପରିଷଦ ଗଢ଼ିଥିବା ବିଜେପି ସେଠାରେ ମୂଳପୋଛ ହୋଇଯାଇଛି।

Related story