Advertisment

ବେଗୁନିଆ-ଖୋର୍ଦ୍ଧା ଅଙ୍କ ଛିଡ଼ୁନି: ଆଶାୟୀଙ୍କୁ ବିଜେଡି କର୍ମୀଙ୍କ ବିରୋଧ, ସଭାକୁ ବି ଡାକିଲେନି

ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଇଁ ଉଭୟ ବେଗୁନିଆ ଓ ବୋଲଗଡ଼ରେ ବିଜେଡି ପକ୍ଷରୁ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

author-image
Ordigital Desk
Sankha bhawan BJD

Sankha bhawan BJD

୫ଟି ପର୍ଯ୍ୟାୟରେ ନିଜର ୧୨୬ଟି ଆସନରେ ବିଧାୟକ ପ୍ରାର୍ଥୀ ଘୋଷଣା କରିଥିବା ବିଜେଡି ଆଜି ବି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବାକି ଥିବା ୨ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନି । ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଓ ଅନିଶ୍ଚିତତାକୁ ଦେଖି ଏହି ଦୁଇ ଆସନ ବେଗୁନିଆ ଓ ଖୋର୍ଦ୍ଧାରେ ଦଳୀୟ ସମୀକରଣ ବିଗିଡ଼ିବାରେ ଲାଗିଛି । ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଏବେ ଖୋର୍ଦ୍ଧା ଆସନ ଉପରେ ଆଖି ପକାଇ ବେଗୁନିଆରୁ ଦୂରେଇ ଯାଇଥିବାବେଳେ ସେଠାରେ ଟିକେଟ୍ ଆଶାୟୀ ପ୍ରଦୀପ ସାହୁଙ୍କୁ ଖୋଲା ବିରୋଧ କରି ଦଳର ବ୍ଲକସ୍ତରୀୟ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିମାନେ ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିଛନ୍ତି । ଯାହାକୁ ନେଇ ଖୋର୍ଦ୍ଧା ରାଜନୀତି ଉଷ୍ମ ହେବାରେ ଲାଗିଛି । ବିଜେଡିର ମୁଖ୍ୟାଳୟ ଖୋର୍ଦ୍ଧା ଜିଲ୍ଲାରେ ଥିଲେ ମଧ୍ୟ ଦଳ ଏହି ଜିଲ୍ଲାର ୩ଟି ଆସନ ବେଗୁନିଆ, ଖୋର୍ଦ୍ଧା ଓ ଚିଲିକାରେ ନିଜର ପ୍ରାର୍ଥୀ ଘୋଷଣା କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଇଁ ଉଭୟ ବେଗୁନିଆ ଓ ବୋଲଗଡ଼ରେ ବିଜେଡି ପକ୍ଷରୁ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଦୁଇ ବ୍ଲକର ବିଜେଡି ସଭାପତିଙ୍କ ନେତୃତ୍ୱରେ ଭିନ୍ନ ଭିନ୍ନ ଭାବେ ବୋଲଗଡ଼ ଓ ବେଗୁନିଆରେ ଶ୍ରାଦ୍ଧଦିବସ ପାଳନ ହୋଇଥିଲା । ଏହି ଶ୍ରାଦ୍ଧ ଉତ୍ସବରେ ଦଳର ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କ ସମେତ ଯୁବ,ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। କିନ୍ତୁ ବିଧାୟକ ରାଜେନ୍ଦ୍ର ସାହୁଙ୍କ ଦେଖା ମିଳିନଥିଲା । ଏପଟେ ବେଗୁନିଆରୁ ବିଜେଡି ଟିକେଟ୍ ଆଶାୟୀ ପ୍ରଦୀପ ସାହୁଙ୍କୁ ଏହି କାର୍ଯ୍ୟକ୍ରମକୁ ଦୁଇ ବ୍ଲକ କର୍ମକର୍ତ୍ତା ଡାକି ନଥିବା ଜଣାପଡ଼ିଛି । ରାଜେନ୍ଦ୍ର ଓ ପ୍ରଦୀପଙ୍କ ବିନା ଆଜିର ବିଜୁ ଶ୍ରାଦ୍ଧ ଉତ୍ସବ ସୁରୁଖୁରୁରେ ପାଳନ ହୋଇଥିବାରୁ ସେଠାରେ ବିଜେଡିର ନେତୃତ୍ୱ କିଏ ନେଉଛି ଓ କାହା ଇଙ୍ଗିତରେ ଦଳୀୟ କାର୍ଯ୍ୟକ୍ରମ ସମ୍ପନ୍ନ ହେଲା ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି।

ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ ଏବେ ନିଜର ପୁରୁଣା ଆସନ ଖୋର୍ଦ୍ଧାରୁ ଲଢ଼ିବା ପାଇଁ ଇଚ୍ଛୁକ ଅଛନ୍ତି ଓ ସେଥିପାଇଁ ସେ ତାଙ୍କର ଲବି ଜାରି ରଖିଛନ୍ତି । ରାଜେନ୍ଦ୍ରଙ୍କ ପତ୍ନୀ ରଞ୍ଜିତାଙ୍କୁ ବିଜେଡି ଖୋର୍ଦ୍ଧା ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ବିଜେଡି ଏନେଇ ସମୟ ଗଡ଼ାଇ ଚାଲିଥିବାରୁ ରାଜେନ୍ଦ୍ର ଆଶଙ୍କାରେ ରହିଛନ୍ତି । ଆଉ ବେଗୁନିଆରେ ସାଂଗଠନିକ କାର୍ଯ୍ୟରୁ ନିଜକୁ ଦୂରେଇ ରଖିଥିବା ଓ ଖୋର୍ଦ୍ଧାରୁ ଟିକେଟ୍ ନେବା ପାଇଁ ଜିଦ୍ ଧରିଥିବା ଜଣାପଡ଼ିଛି।

Advertisment

ସେପଟେ ଗତ ପ୍ରାୟ ଦୁଇବର୍ଷ ତଳେ କଂଗ୍ରେସରୁ ଆଗତ ପ୍ରଦୀପ ସାହୁ ଏବେ ବେଗୁନିଆରୁ ବିଜେଡି ଟିକେଟ୍ ପାଇବା ପାଇଁ ଜଣେ ରାଜ୍ୟସଭା ସାଂସଦ ଓ ତୃତୀୟ ମହଲାର ଜଣେ ପ୍ରଭାବଶାଳୀ ଅଫିସରଙ୍କ ମାଧ୍ୟମରେ ଲବି ଜୋରଦାର କରୁଥିବା ଜଣାପଡ଼ିଛି । ଏହି ପ୍ରଭାବଶାଳୀଙ୍କ ଯୋଗୁ ସେ ଦଳୀୟ ଟିକେଟ୍ ପାଇବେ ବୋଲି ଆଶାବାଦୀ ଅଛନ୍ତି । ମାତ୍ର ପ୍ରଦୀପଙ୍କୁ ବେଗୁନିଆରେ ପୁରୁଣା ବିଜେଡି କର୍ମୀ ଓ ନେତାମାନେ କରୁଥିବା ବିରୋଧ ଯୋଗୁ ଦଳ ତାଙ୍କ ଉପରେ ଭରସା କରୁପାରୁନି ଓ ସେହି କାରଣରୁ ଦିନ ଗଡ଼ାଇ ଚାଲିଛି । ଦୀର୍ଘ ୨ବର୍ଷ ପରେ ବି ପ୍ରଦୀପଙ୍କୁ ବେଗୁନିଆରେ ବିଜେଡିର ପୁରୁଣା ସଂଗଠନ ଗ୍ରହଣ କରିପାରୁନି । ଯେଉଁଥିପାଇଁ ଆଜି ପ୍ରଦୀପଙ୍କୁ ନଡାକି ଦଳର ଦୁଇ ବ୍ଲକ ସଭାପତିି ବିଜୁ ଶ୍ରାଦ୍ଧ ଦିବସ ସମାରୋହକୁ ସଫଳତାର ସହ ପାଳନ କରିବାରେ ସକ୍ଷମ ହୋଇଛନ୍ତି । ବେଗୁନିଆରୁ କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ଦିବଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କୁ ମଇଦାନକୁ ଓହ୍ଲାଇବା ପରେ ପ୍ରଦୀପ ଚିନ୍ତାରେ ପଡ଼ିଛନ୍ତି । କଂଗ୍ରେସ ଭୋଟ୍ ତାଙ୍କଠୁ ଦୂରେଇ ଯାଇ ପୃଥ୍ୱୀଙ୍କୁ ଭାବଗତ ସମର୍ଥନ ଦେବେ । ଏପଟେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦେବ ମଧ୍ୟ କଟାକ୍ଷ କରି ୩ଥର ହାରିଥିବା ନେତାଙ୍କୁ ବିଜେଡି ଟିକେଟ୍ ଦେବାକୁ ଯାଉଛି ବୋଲି କହିବାକୁ ପଛାଇନାହାନ୍ତି । ବିଜେଡିର ପୁରୁଣା ନେତା-କର୍ମୀଙ୍କ ବିରୋଧ ଓ ସେପଟେ କଂଗ୍ରେସ ଭୋଟ୍ ହାତଛଡ଼ା ପରେ ପ୍ରଦୀପ ବ୍ୟାକଫୁଟରେ ଅଛନ୍ତି । ମାତ୍ର ଏସବୁ ସତ୍ତ୍ୱେ ଜଣେ ପ୍ରଭାବଶାଳୀ ବରିଷ୍ଠ ପୁଲିସ ଅଧିକାରୀଙ୍କ ମାଧ୍ୟମରେ ଦଳୀୟ ସର୍ଭେ ରିପୋର୍ଟକୁ ଟାମ୍ପରିଂ କରି ପ୍ରଦୀପଙ୍କ ସପକ୍ଷରେ ତଥ୍ୟ ଦିଆଯାଉଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି।

ସେହିପରି ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚିଲିକା ବିଧାନସଭା ଆସନରେ ବିଜେଡି ନିଜର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରିପାରୁନି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ସାମିଲ ହେବାପରେ ସେଠାରେ ଦଳର ଅନ୍ୟତମ ଦାବିଦାର ଭାବେ ରଘୁନାଥ ସାହୁ ଆଗକୁ ଆସିଛନ୍ତି । ପୂର୍ବତନ ବିଧାୟକ ଶ୍ରୀ ସାହୁ ଟିକେଟ୍ ଲବିର ଆଗରେ ଥିଲେ ମଧ୍ୟ ତାଙ୍କ ବଦଳରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ସେଠାରେ ପ୍ରାର୍ଥୀ କରାଯାଉ ବୋଲି ବିଜେଡିର ଗୋଟିଏ ଗୋଷ୍ଠୀ ଚାହୁଁଛି । ମାତ୍ର ପୂର୍ବରୁ କଂଗ୍ରେସ ଟିକେଟରେ ପରାଜିତ ହୋଇଥିବା ମାନସ ଏବେ ବିଜେଡିରେ ଆଗଧାଡ଼ିରେ ଥିଲେ ମଧ୍ୟ ଚିଲିକାରୁ ଜିତିବା ସହଜ ନୁହେଁ ଜାଣି ସେଥିପ୍ରତି ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି।

ଆଉ ଏସବୁ କାରଣରୁ ବିଜେଡି ଏବେ ଉଭୟ ଭୁବନେଶ୍ୱର ଓ ପୁରୀ ଲୋକସଭା ପ୍ରାର୍ଥୀଙ୍କ ଜିତିବାକୁ ନେଇ ଆଶଙ୍କାରେ ପଡ଼ିଥିବା ଚର୍ଚ୍ଚା ହେଉଛି।

BjD