ପ୍ରତିଷ୍ଠା ଦିବସରେ ବିଜେପିର ପ୍ରଶ୍ନ: ବିଜେଡି ପାଇଁ କିଏ ବଡ଼, ମହାପ୍ରଭୁ ଜଗନ୍ନାଥ ନା ଭିକେ ପାଣ୍ଡିଆନ?

ବିଜୁ ଜନତା ଦଳ ବିଫ୍ ଜନତା ଦଳ ହୋଇସାରିଛି ବୋଲି କହିଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ।

Anil Biswal

ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ

Tapaswini Nayak
  • Published: Tuesday, 26 December 2023
  • , Updated: 26 December 2023, 12:43 PM IST

ପ୍ରତିଷ୍ଠା ଦିବସରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ସୋଶାଲ୍‌ ମିଡିଆରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ସମାଲୋଚନା କରି କହିଛନ୍ତି, ଓଡ଼ିଆ ସ୍ୱାଭିମାନର କଥା କହି ପ୍ରତିଷ୍ଠା ହୋଇଥିବା ଏହି ଦଳ ଆଜି ଜଣେ ଅଣ ଓଡ଼ିଆଙ୍କ ରିମୋଟ କଣ୍ଟ୍ରୋଲରେ ଚାଲୁଛି। ଏହା କେଉଁ ରୂପାନ୍ତରିକରଣ? ସେହି ଅଣ ଓଡ଼ିଆ ଅଫିସରରୁ ନେତା ପାଲଟିଥିବା ବାବୁଜଣଙ୍କର ସଭାକୁ ବିଜେଡିର ଓଡ଼ିଆ ନେତାମାନେ, ଲୋକ ପ୍ରତିନିଧିମାନେ ଲୋକ ବୁହାଉଛନ୍ତି, ଟେଣ୍ଟ ବାନ୍ଧୁଛନ୍ତି, ସଭା ତଳେ ବସି ତାଳି ମାରୁଛନ୍ତି। ଏହା ବିଜୁବାବୁଙ୍କର କେଉଁ ସ୍ୱାଭିମାନର ପ୍ରତୀକ?

ସେ ଆହୁରି କହିଛନ୍ତି ଯେ, ଆଜି ବିଜୁ ଜନତା ଦଳର କେଉଁ ଜଣେ ବି ନେତା ଛାତିରେ ହାତ ରଖିକି କହିପାରିବେ କି ଯେ ସେ ଯେବେ ଚାହିଁବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ, ମୁଖ୍ୟମନ୍ତ୍ରୀଙ୍କୁ କୌଣସି ପ୍ରସଙ୍ଗରେ ମତାମତ ଦେଇପାରିବେ, ମୁଖ୍ୟମନ୍ତ୍ରୀଙ୍କ ପାଖରେ କିଛି ପ୍ରସଙ୍ଗରେ ନିଜର ଅଭିଯୋଗ କରିପାରିବେ?

୨୩ ବର୍ଷର ବିଜୁ ଜନତା ଦଳର ଶାସନରେ ବିଜେଡି ଧନୀ ହୋଇଛି, ବିଜେଡିର ନେତାମାନେ ଧନୀ ହୋଇଛନ୍ତି। କିନ୍ତୁ ଓଡ଼ିଆ ଲୋକେ ଗରିବ ହୋଇଛନ୍ତି। ଚାଷୀଙ୍କ ରୋଜଗାର, ଶିଳ୍ପାୟନ, ନିଯୁକ୍ତି, ପର୍ଯ୍ୟଟନ, ଭିତିଭୂମି, ସ୍କୁଲ ଶିକ୍ଷାର ମାନ, ଉଚ୍ଚ ଶିକ୍ଷାର ମାନ, ଶିଶୁ ଓ ମା’ମାନଙ୍କର ସ୍ୱାସ୍ଥ୍ୟର ସ୍ଥିତି ସବୁଥିରେ ଆଜି ଓଡ଼ିଶା ଦେଶରେ ସବୁ ରାଜ୍ୟଠାରୁ ପଛରେ। ଗୋମାଂସ ଖାଇ ଶ୍ରୀମନ୍ଦିରରେ ଜଣେ ବ୍ଲଗରଙ୍କ ପ୍ରବେଶ ପ୍ରସଙ୍ଗରେ ଯେଉଁଭଳି ଭାବରେ ସେହି ମହିଳାଙ୍କର ଏକ ମିଛ ସ୍ପଷ୍ଟୀକରଣ ଭିଡିଓକୁ ବିଜେଡିର ସବୁ ନେତାମାନେ ନିଜ ସୋଶାଲ ମିଡ଼ିଆରେ ପ୍ରଚାର କରାଇଲେ, ଆଉ ବୁଝିବା ପାଇଁ ବାକି ନାହିଁ ଯେ ବିଜେଡି ପାଇଁ କିଏ ବଡ଼? ମହାପ୍ରଭୁ ଜଗନ୍ନାଥ ନା ଭିକେ ପାଣ୍ଡିଆନ? ଗୋମାଂସ ଭକ୍ଷଣକାରୀ ନା କୋଟି କୋଟି ଜଗନ୍ନାଥ ଭକ୍ତ? ଏହା ଭିତରେ ସେହି ଦଳ ବିଫ୍ ଜନତା ଦଳ ହୋଇସାରିଛି କି ବୋଲି ପ୍ରଶ୍ନ କରିଛନ୍ତି ଅନୀଲ ବିଶ୍ୱାଳ।

ଏହାର ଜବାବରେ ବିଜେଡିର ଦେବୀ ମିଶ୍ର କହିଛନ୍ତି, ଆଖି ଥାଉ ଥାଉ ଅନ୍ଧ ହେଲେ କାହାକୁ କହିବା, ରୂପାନ୍ତରିକରଣ ଓଡ଼ିଶାବାସୀଙ୍କୁ ଦିଶୁଛି। କିନ୍ତୁ ବିରୋଧୀଙ୍କୁ ଦିଶୁନି। ଦାରିଦ୍ର୍ୟ ହ୍ରାସ, ରାସ୍ତା ଘାଟ ତିଆରିରେ ଓଡ଼ିଶା ଏକ ନମ୍ବର। ଏପରିକି ବିଭିନ୍ନ ସମୟରେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ବୋଲି କହିଛନ୍ତି ଦେବ ମିଶ୍ର।

Related story