ମୁଖ୍ୟମନ୍ତ୍ରୀ ବିଧାନସଭା ଆସି ଓଡ଼ିଆ ଲୋକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ବିଧାନସଭା ଆସି ସାଢ଼େ ଚାରି କୋଟି ଓଡ଼ିଆ ପଚାରିଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ। ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିବା ପାଇଁ ଆଜି ଏପରି ଚିଠି ଲେଖିଛନ୍ତି ବିଜେପି ବିଧାୟକମାନେ। ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠି ଡାକରେ ପଠାଯାଇଛି। ଚିଠି ପାଇବା ପରେ ଶୀଘ୍ର ଆସିବାକୁ ବିଧାୟକମାନେ ଅନୁରୋଧ କରିଛନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ଚାଲି ପାରୁନାହିଁ ପବିତ୍ର ବିଧାନସଭା। ବିରୋଧୀ […]

Naveen Patnik

Manoranjan Sial
  • Published: Monday, 06 December 2021
  • , Updated: 06 December 2021, 05:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ବିଧାନସଭା ଆସି ସାଢ଼େ ଚାରି କୋଟି ଓଡ଼ିଆ ପଚାରିଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ। ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିବା ପାଇଁ ଆଜି ଏପରି ଚିଠି ଲେଖିଛନ୍ତି ବିଜେପି ବିଧାୟକମାନେ। ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠି ଡାକରେ ପଠାଯାଇଛି। ଚିଠି ପାଇବା ପରେ ଶୀଘ୍ର ଆସିବାକୁ ବିଧାୟକମାନେ ଅନୁରୋଧ କରିଛନ୍ତି।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ଚାଲି ପାରୁନାହିଁ ପବିତ୍ର ବିଧାନସଭା। ବିରୋଧୀ ବାରମ୍ୱାର ହଟ୍ଟଗୋଳ କରୁଛନ୍ତି। ମମିତା ହତ୍ୟା ମାମଲାରେ ଛନ୍ଦି ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ। ଗୃହ ଚାଲି ପାରୁନଥିବାରୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂରେ ମମିତା ପ୍ରସଙ୍ଗର ଜବାବ ଦେଇଥିଲେ। ହେଲେ ଏଥିରେ ସନ୍ତୁଷ୍ଟ ହୋଇପାରୁ ନାହାନ୍ତି ବିରୋଧୀ। ମୁଖ୍ୟମନ୍ତ୍ରୀ ଗୃହକୁ ଆସି ସବୁ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ଲଗାତାର ଦୁଇ ଦିନ ଧରି ବିରୋଧୀ ବିଜେପି ଓ କଂଗ୍ରେସ ବିଧାନସଭାରେ ଗଙ୍ଗା ଜଳ, ଗୋବର ପାଣି, ତୁଳସୀ ପାଣି ପକାଇ ଶୁଦ୍ଧିକରଣ କରିଛନ୍ତି। ଆଜି ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି।

ବିଜେପି ଲେଖିଥିବା ଚିଠିର କିଅଦଂଶ….
….. ଅଞ୍ଜନା ମିଶ୍ର ଗଣବଳାତ୍କାର ପରେ ଆପଣ(ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ) ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନୈତିକତାର ପାଠ ପଢ଼ାଇ ଥିଲେ। ତାଙ୍କର ଇସ୍ତଫା ଦାବି କରିଥିଲେ। ସେତେବେଳେ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଧ୍ୱସ୍ତବିଧ୍ୱସ୍ତ ହୋଇଯିବା ଓ ମହିଳା ଅସୁରକ୍ଷିତ ହେବା ନେଇ ଜାନକୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଥିଲେ। ୨୦୦୦ ମସିହାରେ ନିର୍ବାଚନରେ ଆପଣଙ୍କ ଦଳର ପ୍ରମୁଖ ସ୍ଲୋଗାନ୍‌ ଥିଲା- ଅଞ୍ଜନା ଗଣଦୁଷ୍କର୍ମ ପାଇଁ ଦାୟୀ କିଏ- ଜନକୀ ପଟ୍ଟନାୟକ ଆଉ କିଏ? ଏବେ ଖୋଦ୍‌ ଅଞ୍ଜନା କହିଲେଣି, ଜାନକୀଙ୍କ ମୁଖ୍ୟମନ୍ତ୍ରୀତ୍ୱର ଓଡ଼ିଶା ଓ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱର ଓଡ଼ିଶା ମଧ୍ୟରେ କିଛି ଫରକ ନାହିଁ।

.....ଅଞ୍ଜନା ମାମଲାରେ ଯେମିତି ଇନ୍ଦ୍ରଜିତ ରାୟଙ୍କୁ ଦୋଷୀ କରାଯାଇଥିଲା ଠିକ୍‌ ସେମିତି ଏବେ ମମିତା ହତ୍ୟା ମାମଲାରେ ଆପଣଙ୍କ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶାବାସୀ ଦାୟୀ କରୁଛନ୍ତି। ଆପଣ ଜାନକୀଙ୍କୁ ପାଠ ପଢ଼ାଇଥିଲେ। ନୀତି ନୈତିକତାର ଦ୍ୱାହି ନେଇ ଆପଣଙ୍କର ଅନେକ ମନ୍ତ୍ରୀଙ୍କୁ ମଧ୍ୟ ବାହାର କରିଥିଲେ। ଏବେ ମମିତା ମାମଲାରେ ଆପଣଙ୍କର ଦୋମୁହାଁ ନୀତି କାହିଁକି? ଆପଣ ବିଧାନସଭା ନଆସି କେଉଁ ଗମ୍ଭୀରାରେ ଲୁଚିଛନ୍ତି? ଆପଣଙ୍କୁ ନପାଇ ଡାକ ଯୋଗେ ଏହି ପତ୍ର ଆପଣଙ୍କୁ ପ୍ରେରଣ କରୁଛୁ। ଆଶା ଏଇ ଚିଠି ପାଇବେ। ବିଧାନସଭାକୁ ଆସି ଓଡ଼ିଆ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ।

ଇତି

ବିଜେପି

ଚିଠି ନେଇ ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି- “ମୁଖ୍ୟମନ୍ତ୍ରୀଙ୍କର କାହା ପ୍ରତି ଟିକେ ବୋଲି ଖାତିର ନାହିଁ। ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କର ଏକ ସମ୍ୱେଦନଶୀଳ ପ୍ରସଙ୍ଗରେ ତାଙ୍କର ସାମାନ୍ୟ ଟିକେ ଆର୍ଦ୍ର ଭାବ ଥାଆନ୍ତା କି? ଆଦ୍ରଭାବ ଅର୍ଥାତ ଟିକେ ଓଦାଳିଆ ଥାଆନ୍ତି କି ତାଙ୍କ ହୃଦୟ? ତାହାହେଲେ ସେ ବିଧାନସଭା ଆସି ଏ ବିଷୟରେ କହିଥାଆନ୍ତେ। ସେ ପୂରାପୂରି ବେଖାତିର କରୁଛନ୍ତି। ହକି ଖେଳିବାକୁ ଯିବେ, ସ୍ମାର୍ଟ କାର୍ଡ଼ ବାଣ୍ଟିବେ, ଅଭିଯୁକ୍ତକୁ ପାଖରେ ବସାଇବେ। ହେଲେ ବିଧାନସଭା ଆସିବେ ନାହିଁ। କ’ଣ ତାଙ୍କର ହୋଇଛି ଆମେ ବୁଝି ପାରୁନାହୁଁ? ତେଣୁ ବାଧ୍ୟ ହୋଇ ଚିଠି ଲେଖିଲୁ।”

Related story