ଓଡ଼ିଶାରେ ବିଜେଡିର ଅଙ୍କ ବିଗାଡ଼ିବ କି କେସିଆର-କେଜରିୱାଲ ଯୋଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଦୁଇ ରାଜନୀତିକ ଦଳ ଭାରତ ରାଷ୍ଟ୍ର ସମିତି(ବିଆରଏସ) ଓ ଆମ୍ ଆଦମୀ ପାର୍ଟି(ଆପ୍‌)ର ସକ୍ରିୟ ହୋଇ ରାଜ୍ୟରେ ଦୃଢ଼ ରାଜନୀତିକ ବିକଳ୍ପ ଭାବେ ଉଭା ହେବାକୁ ଯାଉଛନ୍ତି । ଦୁଇ ଦଳ ଓଡ଼ିଶାରେ ନିଜର ସଂଗଠନକୁ ସକ୍ରିୟ କରିବା ନିମନ୍ତେ ସୁଚିନ୍ତିତ ରଣନୀତିରେ ଆଗେଉଥିବାବେଳେ ଶାସକ ବିଜେଡିର ନିର୍ବାଚନୀ ଅଙ୍କକୁ ବିଗାଡ଼ିବାର ଆଶଙ୍କା ଦେଖାଦେଇଛି । ରାଜ୍ୟରେ ସରକାରୀବିରୋଧୀ ହାୱାକୁ ନିଜ ସପକ୍ଷରେ ନେବାରେ ଦୁଇ ମୁଖ୍ୟ […]

BRS_AAP

Ordigital Desk
  • Published: Tuesday, 17 January 2023
  • , Updated: 17 January 2023, 09:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଦୁଇ ରାଜନୀତିକ ଦଳ ଭାରତ ରାଷ୍ଟ୍ର ସମିତି(ବିଆରଏସ) ଓ ଆମ୍ ଆଦମୀ ପାର୍ଟି(ଆପ୍‌)ର ସକ୍ରିୟ ହୋଇ ରାଜ୍ୟରେ ଦୃଢ଼ ରାଜନୀତିକ ବିକଳ୍ପ ଭାବେ ଉଭା ହେବାକୁ ଯାଉଛନ୍ତି । ଦୁଇ ଦଳ ଓଡ଼ିଶାରେ ନିଜର ସଂଗଠନକୁ ସକ୍ରିୟ କରିବା ନିମନ୍ତେ ସୁଚିନ୍ତିତ ରଣନୀତିରେ ଆଗେଉଥିବାବେଳେ ଶାସକ ବିଜେଡିର ନିର୍ବାଚନୀ ଅଙ୍କକୁ ବିଗାଡ଼ିବାର ଆଶଙ୍କା ଦେଖାଦେଇଛି । ରାଜ୍ୟରେ ସରକାରୀବିରୋଧୀ ହାୱାକୁ ନିଜ ସପକ୍ଷରେ ନେବାରେ ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସକୁ ଆଖିଦୃଶିଆ ସଫଳତା ମିଳୁନଥିବା ତଥା ବିଜେଡି ପ୍ରତି କୋହଳ ଆଭିମୁଖ୍ୟ ହିଁ ପରୋକ୍ଷରେ ରାଜ୍ୟରେ ବିଜେଡିକୁ ଅଧିକ ସୁଦୃଢ଼ କରାଇବାରେ ଲାଗିଛି । ତେବେ ରାଜ୍ୟରୁ ଛୋଟ ଛୋଟ ରାଜନୀତିକ ଦଳଗୁଡ଼ିକ ଅସ୍ତିିତ୍ୱ ହରାଇବାକୁ ବସିଥିବାବେଳେ କେସିଆରଙ୍କ ବିଆରଏସ୍ ଓ ଅରବିନ୍ଦ କେଜରିୱାଲଙ୍କ ଆପ୍ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସକ୍ରିୟ ହେବା ହିଁ ସିଧାସଳଖ ଭାବେ ବିଜେଡିର ଭୋଟବ୍ୟାଙ୍କ ଖେଳକୁ ବିଗାଡ଼ିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆମ୍ ଆଦମୀ ପାର୍ଟି ଖୁବଶୀଘ୍ର ଓଡ଼ିଶାରେ ନିଜର କଳେବର ବୃଦ୍ଧି ସହ ବିଭିନ୍ନ ବର୍ଗର ଲୋକଙ୍କୁ ନିଜ ସହ ସାମିଲ କରାଇ ଅଧିକ ସୁଦୃଢ଼ ହେବାକୁ ରଣନୀତି ପ୍ରସ୍ତୁତ କରିଛି । ଦଳ ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ୧୪୭ଟି ଆସନରେ ପ୍ରାର୍ଥୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାରୁ ଏବେ କଂଗ୍ରେସ, ବିଜେପି ,ବିଜେଡି ଓ ଅନ୍ୟ ଦଳର କିଛି ନେତା ଓ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ସାମିଲ କରି ନିଜର କଳେବର ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ତାଙ୍କ ଦଳର ଫୋକସରେ ଥିବା ଦଳୀୟ ନେତାମାନଙ୍କୁ ସ୍ପଷ୍ଟ କରିଛନ୍ତି । ରାଜ୍ୟରେ ଦୁର୍ନୀତି ଓ ମହିଳା ହିଂସା ମାମଲା ବୃଦ୍ଧି ପାଉଥିବାବେଳେ ଏଥିରୁ ଫାଇଦା ଉଠାଇ ବିଜେଡି ଭୋଟବ୍ୟାଙ୍କରେ ଛିଦ୍ର କରି ରାଜ୍ୟବାସୀଙ୍କ ଆସ୍ଥା ଜିଣିବାକୁ ଆପ୍ ରଣନୀତି କରିଛି।

ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଓଡ଼ିଶା ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି । ଏଥିପାଇଁ ସେ ଚାଷୀ ନେତା ଅକ୍ଷୟ କୁମାର, ଆଦିବାସୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗୀଙ୍କୁ ସାକ୍ଷାତ କରି ଓଡ଼ିଶା ରାଜନୀତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ରାଜ୍ୟରେ ପ୍ରାୟ ୧୪ଲକ୍ଷ ତେଲଗୁ ଭୋଟର ଥିବାବେଳେ ଦକ୍ଷିଣ ଓଡ଼ିଶାର ୪ରୁ ୫ଟି ଜିଲ୍ଲାରେ ଏହି ତେଲଗୁ ଭାଷାଭାଷୀ ଲୋକମାନଙ୍କ ମାଧ୍ୟମରେ ଦଳ ବିଜେଡିର ଭୋଟକୁ ବିଭାଜନ ସହ ହାତେଇବାକୁ ଲକ୍ଷ୍ୟ ରଖିଛି । ବିଶେଷକରି ତେଲେଙ୍ଗାନା ଗୁଡ୍ ଗଭର୍ଣ୍ଣାନ୍ସ ମଡେଲ, ଚାଷୀଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ ଦଳିତ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ଭଳି ଆକର୍ଷଣୀୟ ସ୍କିମ୍ ହିଁ ଓଡ଼ିଶାରେ ବିଆରଏସକୁ ଅଧିକ ସଫଳ କରାଇବାର ସମ୍ଭାବନା ରହିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ନିଜର ଗୋଡ଼ଟଣା ନୀତି ପାଇଁ ଅସ୍ତିତ୍ୱ ହରାଉଥିବା କଂଗ୍ରେସ ଏବଂ ବିଜେଡି-ବିଜେପି ମଧ୍ୟରେ ସଲାସୁତୁରା ରାଜନୀତି ଯୋଗୁ ଲୋକେ ଏବେ ବିଜେଡିର ବିକଳ୍ପ ଭାବେ ଏହି ଦୁଇ ଦଳ ଆଡ଼କୁ ମୁହାଁଇବାର ସମ୍ଭାବନା ଅଧିକ । ତା’ଛଡ଼ା ଆପ୍ ଓ ବିଆରଏସ ସକ୍ରିୟ ଭୂମିକାରେ ଓଡ଼ିଶାରେ ଅବତୀର୍ଣ୍ଣ ହେବାକୁ ଯାଉଥିବାରୁ ରାଜନୀତିକ ବିକଳ୍ପ ଅନ୍ୱେଷଣରେ ଥିବା ବହୁ ନେତା ଏବେ ଉକ୍ତ ଦୁଇ ଦଳ ସହ ଯୋଗସୂତ୍ରରେ ରହିବା ସ୍ୱାଭାବିକ । ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବା ସତ୍ୟପ୍ରକାଶ ନାୟକଙ୍କ ସମେତ ବିଜେଡି ଓ ବିଜେପିରେ ଅଣଦେଖା ହୋଇରହିଥିବା ନେତାମାନେ ନିଜର ରାଜନୀତିକ ସ୍ଥିତି ରକ୍ଷା ପାଇଁ ଆପ୍ ଓ ବିଆରଏସକୁ ମୁହାଁଇବାର ସମ୍ଭାବନା ବେଶୀ । ଗତ ୫ବର୍ଷର ଓଡ଼ିଶା ରାଜନୀତିକ ପରିସ୍ଥିତିକୁ ଦେଖିଲେ ଶାସକ ବିଜେଡିର ବିକଳ୍ପ ହେବା ପାଇଁ ରାଜ୍ୟରେ ଉଭୟ କଂଗ୍ରେସ ଓ ବିଜେପିର ଇଚ୍ଛାଶକ୍ତିର ଅଭାବ ରହିଛି । ତେଣୁ ଓଡ଼ିଶାରେ ସୁଦୃଢ଼ ବିରୋଧୀ ଦଳର ବିକଳ୍ପର ଅଭାବ ରହିଥିବା ସ୍ପଷ୍ଟ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ସହ ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ଶାସକ ବିଜେଡି କ୍ରମାଗତ ଭାବେ ନିଜର ଭୋଟ ହାର ବୃଦ୍ଧି କରିବାରେ ସକ୍ଷମ ହୋଇଛି । ୨୦୧୯ ସାଧାରଣ ନିର୍ବାଚନରେ ମୋଟ ୨.୩୪କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିବାବେଳେ ବିଜେଡିକୁ ୧.୦୫କୋଟି, ବିଜେପିକୁ ୭୬.୯୦ଲକ୍ଷ ଓ କଂଗ୍ରେସକୁ ୩୭.୭୯ଲକ୍ଷ ଭୋଟ ମିଳିଥିଲା । ଅନ୍ୟ ଦଳଗୁଡ଼ିକ ପ୍ରାୟତଃ ନିଶ୍ଚିହ୍ନ ହୋଇଯାଇଥିବାବେଳେ କେବଳ ବିଏସପି ୧.୯୩ଲକ୍ଷ ଭୋଟ୍ ହାତେଇବାରେ ସକ୍ଷମ ହୋଇଥିଲା । ଜେଏମଏମକୁ ୧.୦୭ଲକ୍ଷ, ସିପିଆଇ ଓ ସିପିଏମଏଲକୁ ମୋଟ ୩୯ହଜାର, ତୃଣମୂଳ କଂଗ୍ରେସକୁ ୧୬,୧୭୭ଟି ଭୋଟ୍ ମିଳିଥିବାବେଳେ ସମାଜବାଦୀ ପାର୍ଟି କୌଣସି ପ୍ରାର୍ଥୀ ବି ଦେଇନଥିଲା । ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସକୁ ଛାଡ଼ିଦେଲେ ଅଧିକାଂଶ ରାଜନୀତିକ ଦଳ ନିଜର ପ୍ରାର୍ଥୀ ଦେବାକୁ ବି ଆଗ୍ରହ ଦେଖାଇନଥିଲେ । ଯେଉଁଥିପାଇଁ ଗତ ପଂଚାୟତ ନିର୍ବାଚନରେ ବିଜେଡିକୁ ୧.୧୦କୋଟି, ବିଜେପିକୁ ୬୩.୨୩ଲକ୍ଷ ଓ କଂଗ୍ରେସକୁ ୨୮.୫୩ଲକ୍ଷ ଭୋଟ ମିଳିଥିଲା । ଅନ୍ୟ ଦଳଗୁଡ଼ିକର ଅସ୍ତିତ୍ୱ ରହିନି । ତେଣୁ ବିଜେଡି ଭୋଟବ୍ୟାଙ୍କରେ ଛିଦ୍ର କରିବାରେ ଆପ୍ ଓ ବିଆରଏସ ପାର୍ଟିର ଆକ୍ରମଣାତ୍ମକ ଆଭିମୁଖ୍ୟ ବିଶେଷ ସହାୟକ ହେବ ତଥା ବିଜେଡି ହାତରୁ ୨୦ରୁ ୨୫ଟି ଆସନ ଛଡ଼ାଇବାରେ ଏହି ଦୁଇ ଦଳ ସକ୍ଷମ ହେବେ ବୋଲି ଚର୍ଚ୍ଚା।

Related story