ସମ୍ମାନ ରକ୍ଷା ପାଇଁ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ରାଜ୍ୟ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଜର ସମ୍ମାନ ରକ୍ଷା ପାଇଁ ରାଜ୍ୟ ବିଜେପି ଏବେ ଜୋରଦାର ରଣନୀତି ସହ ନିଜ ଦଳର ହେଭିୱେଟ୍ ନେତାଙ୍କୁ ପୌର ନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଚଳିତ ପୌର ନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ବୋଲି ରାଜ୍ୟ ବିଜେପି ସୂଚନା ଦେଇଛି। ରାଜ୍ୟ ବିଜେପି […]

Dharmendra Pradhan and Baijayant Panda

Ordigital Desk
  • Published: Wednesday, 09 March 2022
  • , Updated: 09 March 2022, 07:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଜର ସମ୍ମାନ ରକ୍ଷା ପାଇଁ ରାଜ୍ୟ ବିଜେପି ଏବେ ଜୋରଦାର ରଣନୀତି ସହ ନିଜ ଦଳର ହେଭିୱେଟ୍ ନେତାଙ୍କୁ ପୌର ନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଚଳିତ ପୌର ନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ବୋଲି ରାଜ୍ୟ ବିଜେପି ସୂଚନା ଦେଇଛି।

ରାଜ୍ୟ ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଓଡ଼ିଶାର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ର ଚଳିତ ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ୨-୩ଦିନ ମଧ୍ୟରେ ଏହି ୩ ତୁଙ୍ଗ ନେତାଙ୍କୁ ପୌର ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିବ। ରାଜ୍ୟରେ ପଂଚାୟତ ନିର୍ବାଚନବେଳେ ଦଳ ପକ୍ଷରୁ ଏହି ନେତାମାନଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିବାରୁ ସେମାନେ ଓଡ଼ିଶା ଆସିପାରିନଥିଲେ । ଏବେ ସେମାନେ ନିଜ ଘର ଓଡ଼ିଶା ଆସିବେ ଓ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପୌର ନିର୍ବାଚନରେ ପ୍ରଚାର କରିବେ । ପଂଚାୟତ ନିର୍ବାଚନରେ ଦଳର ସିଟ୍ ସଂଖ୍ୟା ଅଧିକ ପରିମାଣରେ କମିଛି ସତ କିନ୍ତୁ ଭୋଟ ହାର ସାମାନ୍ୟ ହ୍ରାସ ହୋଇଛି । ଏହାର ଆତ୍ମନିରୀକ୍ଷଣ ଚାଲିଛି । ବରିଷ୍ଠ ନେତାମାନେ ଓଡ଼ିଶା ଆସିଲେ ଏହି ଚର୍ଚ୍ଚା ଓ ଆଲୋଚନାକୁ ଅଧିକ ତ୍ୱରାନ୍ୱିତ କରାଯିବ ଓ ଦଳ କିଭଳି ଅଧିକ ସଫଳ ହେବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ପଂଚାୟତ ନିର୍ବାଚନରେ ବିଜେପି ଯେଉଁ ଢଙ୍ଗରେ ରାଜ୍ୟରେ ଲଢ଼ିବାର ଆବଶ୍ୟକତା ଥିଲା ସେଭଳି ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ନହେବାରୁ ତା’ର ଫଳ ଦଳକୁ ଭୋଗିବାକୁ ପଡ଼ିଛି । ଦଳର ଜିଲ୍ଲା ପରିଷଦ ସିଟ୍ ସଂଖ୍ୟା ୨୯୮ରୁ ୪୨କୁ ହ୍ରାସ ପାଇଥିବାବେଳେ ୨୦୧୭ ପଂଚାୟତ ନିର୍ବାଚନରେ ବିଜେପିର ଭୋଟ ହାର ୩୩% ଓ ୨୦୨୨ରେ ଏହା ୩୦.୦୭%କୁ କମିଛି । ତେବେ ବିଜେପି କୌଣସି ଗୋଟିଏ ବି ଜିଲ୍ଲାରେ ପରିଷଦ ଗଠନ କରିବାକୁ ସକ୍ଷମ ହୋଇପାରିନି । ୧୦ଟି ଜିଲ୍ଲାର ଜିଲ୍ଲା ପରିଷଦରେ ସମ୍ପୂର୍ଣ୍ଣ ମୂଳପୋଛ ହୋଇଯାଇଛି । ୨୦୧୭ରେ ବିଜେପି ୮ଟି ଜିଲ୍ଲାରେ ନିଜର ପରିଷଦ ଗଢ଼ିବାରେ ସକ୍ଷମ ହୋଇଥିଲା । ରାଜ୍ୟର ହେଭିୱେଟ୍ ନେତାମାନେ ଅନ୍ୟ ରାଜ୍ୟର ନିର୍ବାଚନୀ ଦାୟିତ୍ୱରେ ରହିବା ଏବଂ ଦଳର ରାଜ୍ୟ ନେତାମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଓ ଦୁର୍ବଳ ରଣନୀତି ଯୋଗୁ ବିଜେପି ଚଳିତ ପଂଚାୟତ ନିର୍ବାଚନରେ ଅନୁରୂପ ଫାଇଦା ଉଠାଇ ପାରିବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି ।

ପଂଚାୟତ ନିର୍ବାଚନ ଫଳାଫଳ ବିଜେପି କର୍ମୀ ଓ ନେତାଙ୍କ ଉତ୍ସାହକୁ ଫିକା ପଡ଼ିଥିବାରୁ ପୌର ନିର୍ବାଚନରେ ଦଳ ହେଭିୱେଟ୍ ରାଜ୍ୟ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ତୃଣମୂଳସ୍ତରର କର୍ମୀ ଓ ନେତାମାନଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ତେବେ ଜୁଲାଇ-ଅଗଷ୍ଟ ମାସରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାତୀୟ ରାଜନୀତିରେ ଏନଡିଏ ସରକାର ନିମନ୍ତେ ବିଜେଡିର ସମର୍ଥନ ଆବଶ୍ୟକ ପଡ଼ିବାର ସମ୍ଭାବନା ଥିବାରୁ ଏହି ହେଭିୱେଟ୍ ନେତାମାନେ ଓଡ଼ିଶାରେ ପୌର ନିର୍ବାଚନ ପ୍ରଚାର ସମୟରେ ବିଜେଡି ପ୍ରତି କେଉଁଭଳି ଆଭିମୁଖ୍ୟ ପୋଷଣ କରୁଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିଛି ।

Related story