ସାଧାରଣ ନିର୍ବାଚନରେ ଶୋଚନୀୟ ପରାସ୍ତ ହୋଇଥିବା ବିଜେଡି ନିଜର ପରାଜୟର ସମୀକ୍ଷା କରୁନି ସତ, କିନ୍ତୁ କେଉଁ କାରଣରୁ ଦଳ ପରାଜିତ ହେଲା ତା’ର ସର୍ଭେ କରିଛି । ତା’ପୁଣି ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୨ଦିନ ପରେ । ୨.୨୫କୋଟି ଟଙ୍କା ଖର୍ଚ୍ଚ କରି ୧୫ଦିନ ଧରି ସର୍ଭେ କରି କାହିଁକି ଧରାଶାୟୀ ହେଲା ତା’ର କାରଣ ଖୋଜି ପାଇଛି । ଯଦିଓ ଏହି ପରାଜୟର କାରଣକୁ ଦଳ ଏପର୍ଯ୍ୟନ୍ତ ସାର୍ବଜନୀନ କରିନି କିନ୍ତୁ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଥିବା ନିର୍ବାଚନୀ ଖର୍ଚ୍ଚର ବିବରଣୀ ହିଁ ଏକଥା ପଦାରେ ପକାଇ ଦେଇଛି । ଏହାସହିତ ବିଜେଡି ଦାଖଲ କରିଥିବା ନିର୍ବାଚନୀ ଖର୍ଚ୍ଚ ହିସାବରେ ଦଳର ଅଘୋଷିତ ସର୍ବେସର୍ବା ‘ଭୈରବ.କାର୍ତ୍ତିକେୟନ ପାଣ୍ଡିଆନ’ ନିଜର ନାଁକୁ ‘କାର୍ତ୍ତିକ ପାଣ୍ଡିଆନ’କୁ ପରିବର୍ତ୍ତନ କରିଥିବାର ସନ୍ଦେଶ ମଧ୍ୟ ଦେଇଛି । ସାଧାରଣ ନିର୍ବାଚନରେ ୨୭୭.୦୧କୋଟି ଟଙ୍କା ଖର୍ଚ୍ଚ ପରେ ଦଳ ପାଖରେ ୬୨୫.୦୭କୋଟି ଟଙ୍କା ବଳକା ଥିବା ବିଜେଡି ତା’ର ଦସ୍ତାବିଜରେ ଦର୍ଶାଇଛି ।
ନିର୍ବାଚନ କମିଶନଙ୍କ ପକ୍ଷରୁ ସାର୍ବଜନୀନ କରାଯାଇଥିବା ବିଜେଡିର ନିର୍ବାଚନୀ ଖର୍ଚ୍ଚ ତାଲିକାରୁ ଜଣାପଡ଼ିଛି ଯେ, ନିର୍ବାଚନୀ ଫଳାଫଳ ଜୁନ୍ ୪ତାରିଖରେ ପ୍ରକାଶ ପାଇବା ପରେ ଦଳର ଶୋଚନୀୟ ପରାଜୟକୁ ବିଜେଡି ନେତୃତ୍ୱ ହଜମ କରିପାରିନଥିଲେ । ଏହି ପରାଜୟର ଖୋଜିବା ପାଇଁ ଦଳ ଜୁନ୍ ୬ରୁ ୨୦ତାରିଖ ପର୍ଯ୍ୟନ୍ତ ଏକ ସର୍ଭେ କରିଥିଲେ, ଯାହାବାବଦରେ ଦଳ ପ୍ରାୟ ୨.୨୫କୋଟି ଟଙ୍କା ଖର୍ଚ୍ଚ କରିଛି । ବିଜେଡିର ନିର୍ବାଚନୀ ପରାଜୟ ପାଇଁ ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରି ଦଳରେ ତୀବ୍ର ଅସନ୍ତୋଷକୁ ଦେଖି ଏହି ସର୍ଭେ ହୋଇଥିବା ଜଣାପଡ଼ିଛି । ଅବଶ୍ୟ ଏହି ସର୍ଭେ ରିପୋର୍ଟକୁ ଦଳ ଏପର୍ଯ୍ୟନ୍ତ ସାର୍ବଜନୀନ କରିନି । କିମ୍ବା ପରାଜୟର ସମୀକ୍ଷା ମଧ୍ୟ ଦଳୀୟସ୍ତରରେ କରିବାକୁ ଆଗଭର ହୋଇନାହିଁ । ଏହି ସର୍ଭେ କେବଳ ପାଣ୍ଡିଆନ ଓ ତାଙ୍କ ଟିମର ଦୋଷ ଛଡ଼ାଇବା ପାଇଁ ଓ ନବୀନଙ୍କ ଆଗରେ ସେମାନଙ୍କୁ କ୍ଲିନ୍ ସାର୍ଟିଫିକେଟ୍ ଦେବାକୁ ଉଦ୍ଦିଷ୍ଟ ଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।
ସେହିପରି ଏହି ତଥ୍ୟରୁ ଜଣାପଡ଼ିଛି ଯେ, ନିଜର ଷ୍ଟାର କ୍ୟାମ୍ପେନରଙ୍କ ୨୩୨ଥର ବିମାନ ଯାତ୍ରା ପାଇଁ ୨୫.୪୬କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ସେଥିରୁ କାର୍ତ୍ତିକ ପାଣ୍ଡିଆନ ଏକା କେବଳ ୧୫୭ଥର ବିମାନ ଧରି ପ୍ରଚାରକୁ ଯାଇଛନ୍ତି । ଆଉ ସବୁଠୁ ବଡ଼କଥା ହେଲା ଦଳ ପକ୍ଷରୁ ଦାଖଲ ଦସ୍ତାବିଜରେ ପାଣ୍ଡିଆନଙ୍କ ନାଁ କେବଳ ‘କାର୍ତ୍ତିକ ପାଣ୍ଡିଆନ’ ଉଲ୍ଲେଖ ରହିଛି । ଅର୍ଥାତ୍ ପାଣ୍ଡିଆନ ଇତିମଧ୍ୟରେ ନିଜର ପିତୃଦତ୍ତ ନାଁକୁ ପରିବର୍ତ୍ତନ କରିଥିବା ବିଜେଡି ପକ୍ଷରୁ ପରୋକ୍ଷରେ ସନ୍ଦେଶ ଦିଆଯାଇଛି । ନଚେତ୍ ନିର୍ବାଚନ କମିଶନଙ୍କଙ୍କ ପାଖରେ ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ରଖିବାକୁ ବିଜେଡି ସାହାସ କରିନଥାନ୍ତା ।
ସେହିପରି ଦଳ ପକ୍ଷରୁ ଗଣମାଧ୍ୟମ(ଉଭୟ ପ୍ରିଣ୍ଟ ଓ ଟିଭି ଚ୍ୟାନେଲ)ରେ ବିଜ୍ଞାପନ ବାବଦରେ ଦଳ ୪୭.୧୪କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ସୋସିଆଲ ମିଡିଆରେ ପ୍ରଚାରରେ ୮୩.୦୩କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେଡି ଯେଉଁ ୩ଟି କମ୍ପାନୀକୁ ଏହି ସୋସିଆଲ ମିଡିଆ ପ୍ରଚାର ଦାୟିତ୍ୱ ଦେଇଥିଲା ସେଥିରେ ହରିୟାଣାର ଦୁଇଟି କମ୍ପାନୀ ଏକ୍ସପ୍ଲସଡ୍ ଇଭେଂଟ ପ୍ରାଃ ଲିଃ ଓ ଏକ୍ସପେରିଏନ୍ସ ପ୍ଲାଟଫର୍ମ ପ୍ରାଃ ଲିଃ ହେଉଛି ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା କମ୍ପାନୀ । ଆଉ ଦୁଇ ଏହି କମ୍ପାନୀକୁ ୮୧.୮୫କୋଟି ଟଙ୍କା (ଫେସବୁକ ପାଇଁ ପ୍ରାୟ ୭୫କୋଟି ଟଙ୍କା, ଇନଷ୍ଟାଗ୍ରାମ ପାଇଁ ୩.୪୦କୋଟି ଓ ଗୁଗଲ ବାବଦରେ ୩.୪୨କୋଟି) ଦିଆଯାଇଛି । ଆଉ ୧.୧୮କୋଟି ଟଙ୍କା ପାଟନାର ଏକ କମ୍ପାନୀକୁ ଭାବମୂର୍ତ୍ତି ସୁଧାରିବା ପାଇଁ ଦିଆଯାଇଥିବା ଦର୍ଶାଯାଇଛି ।
ବିଜେଡି ଦେଇଥିବା ତଥ୍ୟ ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନରେ ଦଳ ମୋଟ ୨୭୭ କୋଟି ୧ଲକ୍ଷ ୯୨ହଜାର ୪୪୩ଟଙ୍କା ଖର୍ଚ୍ଚ କରିଛି ଓ ସେଥିରୁ ୨୩.୩୮କୋଟି ଟଙ୍କା ଏବେବି ବାକି ପରିଶୋଧ କରିବାର ଅଛି । ନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ ପରେ ଦଳ ପାଖରେ ୬୨୫କୋଟି ୭ଲକ୍ଷ ୪୮ହଜାର ୫୩୨ଟଙ୍କା ବଳକା ରହିଥିବା ଦର୍ଶାଇଛି । ନିର୍ବାଚନ ଘୋଷଣା ହେବାବେଳେ ଦଳ ପାଖରେ ମୋଟ ୮୦୯.୬୪କୋଟି ଟଙ୍କାର ପାଣ୍ଠି ଥିଲା ଓ ନିର୍ବାଚନୀ ଘୋଷଣା ପରେ ଦଳକୁ ୬୦କୋଟି ଟଙ୍କା ଚାନ୍ଦା ମିଳିଛି । ସେଥିରେ ବେଦାନ୍ତ ୨୫କୋଟି, ଏବି ଜେନେରାଲ ଇଲୋକ୍ଟ୍ରୋରାଲ ଟ୍ରଷ୍ଟ ୨୦କୋଟି, ପ୍ରୋଗ୍ରେସିଭ୍ ଇଲୋକ୍ଟ୍ରୋରାଲ ଟ୍ରଷ୍ଟ ୧୦କୋଟି ଓ ପ୍ର୍ୟୁଡେଣ୍ଟ ଇଲେକ୍ଟ୍ରୋରାଲ ଟ୍ରଷ୍ଟର ୫କୋଟି ଟଙ୍କା ଚାନ୍ଦା ରହିଛି ।
ସେହିପରି ନିର୍ବାଚନରେ ଭୋଟରଙ୍କ ମୁଡ୍ ପରଖିବାକୁ ବିଜେଡି ୨୦୨୪ ଏପ୍ରିଲ ୧୭ରୁ ଜୁନ୍ ୧ତାରିଖ ମଧ୍ୟରେ ବିଭିନ୍ନ ଦଫାରେ ସର୍ଭେ କରିଛି ଓ ସେବାବଦରେ ୬.୦୨କୋଟି ଟଙ୍କା ବ୍ୟୟ କରିଛି । ଦଳ ରୋଡ୍ ଶୋ’ ଓ ଅଟୋ-ବସ୍ ବ୍ରାଣ୍ଡିଂ ପାଇଁ ୧୦.୯୬କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଦଳ ନିଜର ବିଧାନସଭା ପ୍ରାର୍ଥୀଙ୍କୁ ୩୦ଲକ୍ଷ ଓ ଲୋକସଭା ପ୍ରାର୍ଥୀଙ୍କୁ ୫୦ଲକ୍ଷ ଟଙ୍କା ଦେଇଥିବା ଦର୍ଶାଇଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।