ଦିବ୍ୟଶଙ୍କରଙ୍କୁ କାଢ଼ିବାକୁ ନବୀନଙ୍କ ପାଉନି ସାହସ, କିଏ ଦେଉଛି ସୁରକ୍ଷା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗସ୍ଥିତ ସନସାଇନ୍ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ହେବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ୨ଦିନର ଲୁଚକାଳି ପରେ ଆଜି ପୁଣିଥରେ ପୁଲିସ ଗିରଫ କରିଥିଲେ ମଧ୍ୟ ତା’ର ପୃଷ୍ଠପୋଷକଙ୍କ ପାଖରେ ପହଂଚିବାକୁ ରାଜ୍ୟ ପୁଲିସ ସକ୍ଷମ ହୋଇପାରିନି। ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଘନିଷ୍ଠତା ଓ ଛତ୍ରଛାୟାରେ ରହି ଗୋବିନ୍ଦ ଏହି ସ୍କୁଲ ପରିସରରେ ଅନୈତିକ […]

naveen-patnaik-and-dibya-sh

naveen-patnaik-and-dibya-sh

Ordigital Desk
  • Published: Tuesday, 19 October 2021
  • Updated: 19 October 2021, 10:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗସ୍ଥିତ ସନସାଇନ୍ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ହେବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ୨ଦିନର ଲୁଚକାଳି ପରେ ଆଜି ପୁଣିଥରେ ପୁଲିସ ଗିରଫ କରିଥିଲେ ମଧ୍ୟ ତା’ର ପୃଷ୍ଠପୋଷକଙ୍କ ପାଖରେ ପହଂଚିବାକୁ ରାଜ୍ୟ ପୁଲିସ ସକ୍ଷମ ହୋଇପାରିନି। ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଘନିଷ୍ଠତା ଓ ଛତ୍ରଛାୟାରେ ରହି ଗୋବିନ୍ଦ ଏହି ସ୍କୁଲ ପରିସରରେ ଅନୈତିକ କାର୍ଯ୍ୟ ଚଳାଇଥିବା ନେଇ ମମିତାଙ୍କ ପରିବାର ସମେତ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ବାରମ୍ବାର ଦାବି କରି ଆସୁଥିବାବେଳେ ସ୍କୁଲରେ ଚାଲିଥିବା ସେକ୍ସ ସ୍କାଣ୍ଡାଲରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ହୋଇଛି।

ମମିତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଭିତରେ ଗୋବିନ୍ଦଙ୍କ ପୃଷ୍ଠପୋଷକ ତଥା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ନହେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ଫାଇଭ-ଟି ଶାସନର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି। ମମିତା ନିଖୋଜ ଓ ହତ୍ୟା ଘଟଣାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ବିବାଦୀୟ ଥିବାବେଳେ ପୁଲିସର ତଦନ୍ତ କିପରି ନିରପେକ୍ଷ ହୋଇପାରିବ ତାକୁ ନେଇ ପ୍ରଶ୍ନ ଉଠିଛି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ତ୍ରାଣକର୍ତ୍ତା ଭାବେ ବିଜେଡର ଜଣେ ପ୍ରଭାବଶାଳୀ ବିଧାୟକ ରହିଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ନବୀନ ଓ ତାଙ୍କ ପରାମର୍ଶଦାତାଙ୍କ ପକ୍ଷେ ସମ୍ଭବପର ହୋଇପାରୁନଥିବା ବିଜେଡି ମହଲରେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ଆଜି ମହାଲିଙ୍ଗ ଷ୍ଟାଡ଼ିୟମରୁ ଜଣେ ମହିଳାଙ୍କ ଗଳିତ ଅର୍ଦ୍ଧଦଗ୍ଧ ଶବ ଜବତ ହେବା ଓ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ସଙ୍କଟରେ ପଡ଼ିଛି। କଳାହାଣ୍ଡିରେ ଉତ୍ତ୍ୟକ୍ତ ସାଧାରଣ ଲୋକେ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ରରେ ଚପଲ ମାଡ଼ କରିବା ସହ ନାରୀଙ୍କ ପ୍ରତି ବଢ଼ୁଥିବା ନିର୍ଯାତନାକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ମମିତା ନିଖୋଜ ଓ ହତ୍ୟା ଘଟଣା ଉଭୟ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଥିବାବେଳେ ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆଶା କରୁଛନ୍ତି, ମାତ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ଅବା ପରୋକ୍ଷ ସମ୍ପୃକ୍ତି ଯୋଗୁ ସରକାର ଚୁପ୍ ହୋଇ ବସିଥିବା ଜଣାପଡ଼ିଛି ।

ଯଦିଓ ଗୋବିନ୍ଦଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଅନେକ ଅଡ଼ିଓ ଓ ଭିଡିଓ ଭାଇରାଲ ହେଉଥିବାରୁ ପୁଲିସ୍ ଏହି ମାମଲାର କିଭଳି ନିରପେକ୍ଷ ତଦନ୍ତ କରିବ ତାକୁ ନେଇ ପ୍ରଶ୍ନ ଉଠିଛି । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ଏହି ସ୍କୁଲ ସେକ୍ସ ସ୍କାଣ୍ଡାଲକୁ ନେଇ ମମିତାଙ୍କ ପରିବାର ଓ ତାଙ୍କ ସହକର୍ମୀମାନେ ଅନେକ ଅଭିଯୋଗ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା ହିଁ ବିଜେଡି ସରକାରର ମହିଳାଙ୍କ ପ୍ରତି ଆଭିମୁଖ୍ୟକୁ ପଦାରେ ପକାଇଛି । ପୁଲିସ ଯେତେ ଯାହା କହିଲେ ମଧ୍ୟ ନିଜର ବସ୍‌(ମାଲିକ) ତଥା ଗୃହ ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅବା ତାଙ୍କର ସମ୍ପୃକ୍ତିକୁ ଲୋକଲୋଚନକୁ ଆଣିବାକୁ ସାହାସ କରିପାରିବ ନାହିଁ, ଓଲଟା ପାଇଥିବା ପ୍ରମାଣକୁ ବି ନଷ୍ଟ କରିବାର ଆଶଙ୍କା ରହିଛି ।

ତେଣୁ ଏସବୁ ପରିଦୃଶ୍ୟରେ ମନ୍ତ୍ରୀ ଶ୍ରୀ ମିଶ୍ର ନୈତିକତା ଦୃଷ୍ଟିରୁ ନିଜ ଆଡ଼ୁ ଇସ୍ତଫା ଦେଇ ମମିତା ନିଖୋଜ ଓ ହତ୍ୟା ଘଟଣାର ତଦନ୍ତରେ ସହଯୋଗ କରିବାର ଆବଶ୍ୟକତା ରହିଛି । ନଚେତ୍ ଦୁର୍ନୀତି ଅବା ବିବାଦର ଗନ୍ଧ ବାରି ଅତୀତରେ ମନ୍ତ୍ରିମଣ୍ଡଳରୁ ମନ୍ତ୍ରୀମାନଙ୍କୁ ବାଦ୍ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଗୃହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ କ୍ଷେତ୍ରରେ ଅନୁରୂପ ନିଷ୍ପତ୍ତି ନେବା ଜରୁରୀ ହୋଇପଡ଼ିଛି ।

ବିଜେଡି ସୂତ୍ର ଅନୁସାରେ, ମନ୍ତ୍ରୀ ଶ୍ରୀ ମିଶ୍ର ଏବେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସବୁଠୁ ଅଧିକ ପାୱାରଫୁଲ୍ ବିଭାଗଗୁଡ଼ିକର ମନ୍ତ୍ରୀ । ଆଉ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପାଖରେ ଶକ୍ତି, ଶିଳ୍ପ, ଏମଏସଏମଇ ଓ ଗୃହ ଭଳି ବିଭାଗକୁ ଠୁଳ କରାଇବା ପଛରେ ବି ଜଣେ ଯୁବ ବିଧାୟକଙ୍କ ଭୂମିକା ରହିଛି । ତାଙ୍କୁ ମନ୍ତ୍ରୀ ପଦରେ ବସାଇ ପ୍ରଚ୍ଛଦପଟ୍ଟରେ ଏହି ଯୁବ ବିଧାୟକ ଏସବୁ ବିଭାଗର ଅଘୋଷିତ ସୁପର ମିନିଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଚର୍ଚ୍ଚା । ମମିତା ମାମଲାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ଆସୁଥିବା ଅଭିଯୋଗ ସମ୍ପର୍କରେ ଉଭୟ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ମଧ୍ୟ ତୃତୀୟ ମହଲାକୁ ଅବଗତ କରିସାରିଲାଣି । କିନ୍ତୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କଲେ ଏହି ଯୁବ ବିଧାୟକଙ୍କର ବ୍ୟବସାୟିକ ସାମ୍ପ୍ରାଜ୍ୟ ଭୁଷୁଡ଼ି ପଡ଼ିବାର ଆଶଙ୍କା ରହିଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ନବୀନ ଓ ତାଙ୍କ ପରାମର୍ଶଦାତା ସକ୍ଷମ ହୋଇପାରୁନାହାନ୍ତି ।

କଳାହାଣ୍ଡି ଜିଲ୍ଲାର ଜଣେ ଯୁବ ଠିକାଦାରଙ୍କର କରୋନାରେ ମୃତ୍ୟୁ ଯୋଗୁ ଏହି ଯୁବ ବିଧାୟକଙ୍କର ପ୍ରାୟ ୫୦ରୁ ୬୦କୋଟି ଟଙ୍କା ବୁଡ଼ି ଯାଇଥିବା ଗତ କିଛିମାସ ତଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମମିତା ନିଖୋଜ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠ ସମ୍ପର୍କ ଗୃହ ମନ୍ତ୍ରୀଙ୍କର ରହିଥିବା ଓ ସେ ସ୍କୁଲରେ ଅନେକ ସମୟ ବିତାଉଥିବାର ପ୍ରମାଣ ଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିକି ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ବିଜେଡିକୁ ମହଙ୍ଗା ପଡ଼ିବାର ଆଶଙ୍କା ଥିଲେ ବି ତାଙ୍କୁ ବହିଷ୍କାର କରିବାକୁ ନବୀନ ସାହାସ କରିପାରୁନାହାନ୍ତି । ଯେଉଁଥିପାଇଁ ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତବେଳେ ସଭା ମଂଚରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଦେଖିବାକୁ ମିଳିବ ଓ ସେ ଭାଷଣ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କାର୍ଯ୍ୟସୂଚୀରୁ ସ୍ପଷ୍ଟ ଜଣାପଡ଼ୁଛି । ତେଣୁ ନବୀନ ପଟ୍ଟନାୟକ ସରକାର ଏହି ଘଟଣାକୁ ବିଶେଷ ଗୁରୁତ୍ୱ ଦେଉନଥିବା ଅବା ମନ୍ତ୍ରୀଙ୍କୁ ବାଦ୍ ଦେବାକୁ ଚାହୁଁ ନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos