ବିଜେପି ଛାଡ଼ିଲେ ଜୟରାମ ପାଙ୍ଗି

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଜୟରାମ ପାଙ୍ଗି। ଆଜି ଉତ୍କଳ ଦିବସରେ କୋଟିଆରେ ଆୟୋଜିତ ଏକ ସଭାରେ ଯୋଗ ଦେବା ଅବସରରେ ସେ ବିଜେପି ଛାଡ଼ିବା କଥା ଘୋଷଣା କରିଛନ୍ତି। ମାଟି ମା’ ପାଇଁ କାମ କରିବାକୁ ସେ ଦଳ ଛାଡ଼ିଛନ୍ତି ବୋଲି କହିଛନ୍ତି। ଜୟରାମ ପାଙ୍ଗି କହିଛନ୍ତି, ଗତବର୍ଷ ଅକ୍ଟୋବର ୪ ତାରିଖରେ ଆମେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ (ଡିପିବିପି) ଗଠନ କରିଥିଲୁ। ସେଦିନ ମୁଁ କହିଥିଲେ […]

Pangi

Pangi

Jitendra Garnayak
  • Published: Friday, 01 April 2022
  • Updated: 01 April 2022, 09:40 PM IST

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଜୟରାମ ପାଙ୍ଗି। ଆଜି ଉତ୍କଳ ଦିବସରେ କୋଟିଆରେ ଆୟୋଜିତ ଏକ ସଭାରେ ଯୋଗ ଦେବା ଅବସରରେ ସେ ବିଜେପି ଛାଡ଼ିବା କଥା ଘୋଷଣା କରିଛନ୍ତି। ମାଟି ମା’ ପାଇଁ କାମ କରିବାକୁ ସେ ଦଳ ଛାଡ଼ିଛନ୍ତି ବୋଲି କହିଛନ୍ତି।

ଜୟରାମ ପାଙ୍ଗି କହିଛନ୍ତି, ଗତବର୍ଷ ଅକ୍ଟୋବର ୪ ତାରିଖରେ ଆମେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ (ଡିପିବିପି) ଗଠନ କରିଥିଲୁ। ସେଦିନ ମୁଁ କହିଥିଲେ ଯେ ଅକ୍ଟୋବର ୯ ତାରିଖରେ ମୁଁ ଦଳରୁ ଇସ୍ତଫା ଦେବି। କିନ୍ତୁ ସେତେବେଳେ ବିଜେପି ରାଜ୍ୟ ସଭାପତିଙ୍କ ଅନୁରୋଧକ୍ରମେ ମୁଁ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସମୟ ଦେଇଥିଲି। ପଞ୍ଚାୟତ ନିର୍ବାଚନ ଏବେ ଶେଷ ହୋଇଯାଇଛି। ଏହି କୋଟିଆ ପାଇଁ ଆମେ ଡିପିବିପି ଆରମ୍ଭ କରିଛୁ। ତେଣୁ ଆଜି ଉତ୍କଳ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ ମୁଁ କୋଟିଆ ମାଟିରେ ବିଜେପିରୁ ଇସ୍ତଫା କଥା ଘୋଷଣା କଲି। ଡିପିବିପିକୁ ଆହୁରି ଆଗେଇ ନେବା ପାଇଁ, ଅବିଭକ୍ତ କୋରାପୁଟ ଲୋକଙ୍କୁ ଏକଜୁଟ କରିବା ଓ ସଚେତନ କରାଇବା ସହିତ ଯେଉଁମାନେ ଆନ୍ଧ୍ର ପ୍ରଦେଶରେ ମିଶିବାକୁ ଚାହୁଁଛନ୍ତି ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସଚେତନ କରିବା ପାଇଁ ମୋତେ ଯଥେଷ୍ଟ ସମୟ ଦରକାର ହେଉଥିବା ଦୃଷ୍ଟିରୁ ମୁଁ ବିଜେପିରୁ ଇସ୍ତଫା ଦେଇଛି।

ସେ କହିଛନ୍ତି, ବିଜେପିର କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତ ନେତା ମୋତେ ସମ୍ମାନ ଦେଇଛନ୍ତି। ଯେତେବେଳେ ଯାହା ଆବଶ୍ୟକ କରିଛି ଦଳ ମୋତେ ଦେଇଛି। ଦଳ ସବୁବେଳେ ମୋତେ ସହଯୋଗ କରିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ଓ ଭବିଷ୍ୟତ ପାଇଁ ଆମେ ଡିପିବିପି ଗଠନ କରିଛୁ। ଆଉ ଏହାକୁ ଆହୁରି ଦୃଢ଼ କରିବାକୁ ମୁଁ ଦଳ ଛାଡ଼ିଛି।

୪୫ ବର୍ଷ ଧରି ଜୟରାମ ପାଙ୍ଗି ରାଜନୀତିରେ ଥିଲେ। ସେ ୪ ଥର ବିଧାୟକ ହୋଇଥିବା ବେଳେ ଥରେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ଟିକେଟ୍‌ରେ ସେ ପଟାଙ୍ଗି ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ତେବେ ସେଥର ଜନତା ଦଳ ଟିକେଟ୍‌ରେ ବିଧାନସଭାକୁ ଯାଇଥିଲେ। ୨୦୦୦ ଓ ୨୦୦୪ରେ ଜୟରାମ ପାଙ୍ଗି ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡି ଟିକେଟ୍‌ରେ କୋରାପୁଟ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos