ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପିପିଲି ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ କରିଛି। ଟିକେଟ୍ ପାଇବା ପରେ ରୁଦ୍ର କହିଛନ୍ତି, ମା ଓ ବାପାଙ୍କ ଆଶୀର୍ବାଦ, ନବୀନ ବାବୁଙ୍କର ବିଶ୍ୱାସ ଏବଂ ପିପିଲି ଓ ଡେଲାଙ୍ଗ ମାଟିର ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ଯୋଗୁ ମୋତେ ଏମଏଲଏ ପ୍ରାର୍ଥୀ କରିଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି।
ପିପିଲି ଓ ଡେଲାଙ୍ଗ ମାଟିରେ ଉନ୍ନତି ଓ ପ୍ରଗତି ହିଁ ମୋର ମୁଖ୍ୟ ଉଦ୍ଦେଶ୍ୟ। ତା'ସହ ମୋ ବାପାଙ୍କର ଯେଉଁ ଅଧୁରା ସ୍ୱପ୍ନ ରହିଯାଇଛି, ତାକୁ ଶୀଘ୍ର ପୂରଣ କରିବି। ଯେପରିକି ରାସ୍ତାଘାଟ କାମ ଏବଂ ଫନି ବାତ୍ୟାରେ ଯେଉଁମାନଙ୍କୁ ପଇସା ମିଳିନାହିଁ, ସେମାନଙ୍କୁ ସହାୟତା କରିବା ଉପରେ କାମ କରିବି। ରୁଦ୍ର ଆହୁରି କହିଛନ୍ତି, ମୁଁ ଟିକେଟ୍ ପାଇବା ଯାହା ମୋ ମା' ପାଇବା ସେୟା। ମୋ ସହ ମା'ଙ୍କର ଆଶୀର୍ବାଦ ସର୍ବଦା ଅଛି। ବାପା ଓ ମା'ଙ୍କ ବିନା ମୋର କିଛି ବି ଅସ୍ତିତ୍ୱ ନାହିଁ ବୋଲି କହିଛନ୍ତି ରୁଦ୍ର।
ଗତବର୍ଷ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ପରଲୋକ ପରଠାରୁ ପିପିଲି ବିଧାନସଭା ଆସନଟି ଖାଲିପଡ଼ିଛି। ସ୍ୱର୍ଗତ ମହାରଥୀଙ୍କ ପତ୍ନୀ ଓ ପୁତ୍ର ଉଭୟ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଥିଲେ। ଟିକେଟ୍ ପାଇବା ନେଇ ତାଙ୍କ ପରିବାରରେ ମତାନ୍ତର ମଧ୍ୟ ହୋଇଥିବା ଖବର ଆସିଥିଲା। ପ୍ରଦୀପ ମହାରଥୀଙ୍କ ଭାଇ ପୁତୁରା ରୁଦ୍ରଙ୍କ ସପକ୍ଷରେ ମଧ୍ୟ ଯୁକ୍ତି ବାଢ଼ିଥିଲେ। ତେବେ ଶେଷରେ ଦଳ ରୁଦ୍ରଙ୍କ ଉପରେ ଭରସା କରିଛି।
ରୁଦ୍ର ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବେଳେ ୨୦୧୯ ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ବିରୋଧରେ ଲଢ଼ି ସାରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ସେହି ନିର୍ବାଚନରେ ଆଶ୍ରିତ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ତେବେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ୧୫,୭୮୭ ଭୋଟରେ ଆଶ୍ରିତ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଏଯାଏ ତା’ର ପ୍ରାର୍ଥୀ ଘୋଷଣା କରି ନାହିଁ। ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ ୧୭ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ।