ଅପରାଜିତାଙ୍କ ଟ୍ୱିଟ୍‌ର ଜବାବ ଦେଲେ ଶ୍ରୀମୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଜଳ ନିଷ୍କାସନକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ୨୧ବର୍ଷର ଶାସନରେ ରାଜଧାନୀର ବିକଟାଳ ଚିତ୍ର ଶେୟାର କରିବା ଓ ଆଜି ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ଜଳ ନିଷ୍କାସନ ନିମନ୍ତେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପରାମର୍ଶ ସତ୍ତ୍ୱେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ନହେବାକୁ […]

aparajita-sarangi

Ordigital Desk
  • Published: Monday, 13 September 2021
  • , Updated: 13 September 2021, 08:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଜଳ ନିଷ୍କାସନକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ୨୧ବର୍ଷର ଶାସନରେ ରାଜଧାନୀର ବିକଟାଳ ଚିତ୍ର ଶେୟାର କରିବା ଓ ଆଜି ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ଜଳ ନିଷ୍କାସନ ନିମନ୍ତେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପରାମର୍ଶ ସତ୍ତ୍ୱେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ନହେବାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବାପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଆଉ ବିଜେଡିର ମାଳମାଳ ନେତା ଓ ମନ୍ତ୍ରୀ ଥିବା ସତ୍ତ୍ୱେ ଅପରାଜିତାଙ୍କୁ ଜବାବ ଦେବା ପାଇଁ ବିଜେଡି ନିଜର ସାଧାରଣ ସମ୍ପାଦକ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିଛି।

ପଶ୍ଚିମଓଡ଼ିଶା ଗସ୍ତରେ ଥିବା ଶ୍ରୀମୟୀ ସମ୍ବଲପୁରରୁ ନିର୍ଦ୍ଦିଷ୍ଟ କିଛି ଟିଭି ଚ୍ୟାନେଲକୁ ଡାକି ଅପରାଜିତାଙ୍କୁ କଡ଼ା ଜବାବ ଦେଇଛନ୍ତି। ଭୁବନେଶ୍ୱରର ବର୍ଷା ଜଳ ନିଷ୍କାସନକୁ ନେଇ ଉଭୟ ଅପରାଜିତା ଓ ଶ୍ରୀମୟୀଙ୍କ ମଧ୍ୟରେ ଚାଲିଥିବା ଟ୍ୱିଟ୍ ୱାର୍ ଏବେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁହାଁମୁହିଁ ସ୍ଥିତିକୁ ଆସିଛି। ଆଉ ଏହାସହିତ ଅପରାଜିତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ଏବେଠୁ ଶ୍ରୀମୟୀଙ୍କୁ ଆଗକୁ ଆଣିବା ମଧ୍ୟ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁସାରେ, ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜଧାନୀର ବିଭିନ୍ନ ସ୍ଥାନ ଜଳମଗ୍ନ ଅବସ୍ଥାରେ ରହିବାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ଟ୍ୱିଟରେ ଫଟୋ ଛାଡ଼ିବା ସହ ୨୧ବର୍ଷର ନବୀନ ପଟ୍ଟନାୟକ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ସଂସଦୀୟ ଷ୍ଟାଣ୍ଡିଂ କମିଟିର ପରାମର୍ଶସତ୍ତ୍ୱେ ଏହି ଜଳ ନିଷ୍କାସନ ନିମନ୍ତେ କାହିଁକି ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେଉନି ଓ ଏହାର ତ୍ୱରିତ୍ କାର୍ଯ୍ୟାନ୍ୱୟନ ହୋଇନି ବୋଲି ପ୍ରଶ୍ନ କରିଥିଲେ। ଆଜି ସକାଳେ ସାମ୍ବାଦିକ ସମ୍ମିଳନୀ କରି ଜଳ ନିଷ୍କାସନ କରିବାରେ ବିଏମସି ଓ ରାଜ୍ୟ ସରକାରଙ୍କ ମନ୍ଥର ଗତିକୁ କଡ଼ା ସମାଲୋଚନା କରିବା ସହ ସ୍ଥାୟୀ ସମାଧାନ ଦିଗରେ ସରକାର ଆନ୍ତରିକତା ଦେଖାଉନାହାନ୍ତି ଓ ରାଜନୀତିକ ଇଚ୍ଛାଶକ୍ତି ଅଭାବରୁ ସ୍ମାର୍ଟ ଭୁବନେଶ୍ୱରର ଏଭଳି ଅବସ୍ଥା ବୋଲି ଅପରାଜିତା କହିଥିଲେ। ଅପରାଜିତା ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନକୁ ଗସ୍ତ କରି ଜଳମଗ୍ନ ପରିସି୍ଥତି ଅନୁଧ୍ୟାନ କରିଛନ୍ତି।

ଆଉ ଅପରାଜିତାଙ୍କ ଟ୍ୱିଟର ଜବାବ ଦେଇ ବିଜେଡି ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ, ଭୁବନେଶ୍ୱର ଜଳ ନିଷ୍କାସନ ସମସ୍ୟାକୁ ନେଇ ଅପରାଜିତାଙ୍କ ବୟାନ ହାସ୍ୟାସ୍ପଦ । ନିଜକୁ ଭୁବନେଶ୍ୱରର ବୋହୂ ବୋଲି ଦର୍ଶାଇ ଶ୍ରୀମୟୀ କହିଥିଲେ, ଏହା ସାଂସଦ ଓ ପୂର୍ବରୁ ବିଏମସି କମିଶନର ଭାବେ ଅପରାଜିତାଙ୍କ ଅପାରଗତାକୁ ପଦାରେ ପକାଉଛି । ସେ ତାଙ୍କୁ ତାତ୍ସଲ୍ୟ କରି କହିଥିଲେ, ସାଢ଼େ ୩ବର୍ଷ ଧରି ବିଏମସି କମିଶନର ଦାୟିତ୍ୱରେ ଥିବା ଅପରାଜିତାଙ୍କ ଉନ୍ନତ ମସ୍ତିଷ୍କରେ ୨୦୦୬-୦୯ ମସିହା ମଧ୍ୟରେ ଯେଉଁ ଭଲ କାମ କରିଥିଲେ ତା’ର ପରିଣାମ ଏବେ ସହରବାସୀଙ୍କୁ ଭୋଗିବାକୁ ପଡ଼ୁଛି। ବିଏମସି କମିଶନର ଭାବେ ଅପରାଜିତାଙ୍କ କାମର ପ୍ରାୟଶ୍ଚିତ କରୁଛନ୍ତି। ଗୁଜୁରାଟ ମଡେଲର ଡିଣ୍ଡିମ ବିଜେପିି ପିଟୁଛି, ଆଉ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଅପରାଜିତା ଅହମ୍ମଦାବାଦରେ ୨-୪ଘଣ୍ଟା ଲଗାଣ ବର୍ଷାରେ ସହରର ବିକଳ ଚିତ୍ର ଦେଖି କାହିଁକି ଚୁପ୍ ଥିଲେ ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟବେଳେ ମାନବିକ ସମ୍ବେଦନାହୀନ କାର୍ଯ୍ୟ କରି ଅପରାଜିତା ଶସ୍ତା ଲୋକପ୍ରିୟତା ଚାହୁଁଛନ୍ତି ବୋଲି ଶ୍ରୀମୟୀ କହିଛନ୍ତି।

ତେବେ ବର୍ଷା ଜଳ ନିଷ୍କାସନ ଆଳରେ ଅପରାଜିତାଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ପକ୍ଷରୁ ଶ୍ରୀମୟୀଙ୍କୁ ଆଗକୁ ଅଣାଯିବାକୁ ନେଇ ଏବେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇପଡ଼ିଛି । ଶ୍ରୀମୟୀ ସମ୍ବଲପୁରରୁ ଗଣମାଧ୍ୟମକୁ ରାଜଧାନୀ ଭୁବନେଶ୍ୱରର ଜଳମଗ୍ନ ପରିସ୍ଥିତି ଓ ଅପରାଜିତାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିବା ପରେ, ଶ୍ରୀମୟୀଙ୍କୁ ଅପରାଜିତାଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରୁଥିବା ସ୍ପଷ୍ଟ ହୋଇଛି । ଆଗକୁ ବିଏମସି ନିର୍ବାଚନ ଥିବାରୁ ଶ୍ରୀମୟୀଙ୍କ ଏଭଳି ଆବିର୍ଭାବକୁ ଦେଖି ଉଭୟ ଅନନ୍ତ ନାରାୟଣ ଜେନା ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଜଳ ନିଷ୍କାସନ ପ୍ରସଙ୍ଗରେ ମୁହଁ ଖୋଲି ନିଜର ସ୍ଥିତି ରକ୍ଷା କରିଛନ୍ତି । ତେବେ ପଶ୍ଚିମଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କୁ ଆଗରେ ରଖିଥିବା ବିଜେଡି ପୂର୍ବ ଓଡ଼ିଶା ବିଶେଷକରି ରାଜଧାନୀ ରାଜନୀତିରେ ସମ୍ପୃକ୍ତ କରିବାପରେ ଶ୍ରୀମୟୀଙ୍କ ଗତି କୁଆଡ଼େ ତାହା ବି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

Related story