ଶିକ୍ଷୟିତ୍ରୀ ନିଖୋଜ: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାୟୀ କଲା ପରିବାର, ନବୀନ ଚୁପ୍‌, ତଦନ୍ତ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକର ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ହେବା ଘଟଣାକୁ ନେଇ ଏବେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଉଜାଗର ହେବାରେ ଲାଗିଛି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। ମମିତା ନିଖୋଜ ହେବାର ୧୦ଦିନ ବିତିଯାଇଥିଲେ ବି ତାଙ୍କୁ ଠାବ କରିବାରେ ପୁଲିସ ଏପର୍ଯ୍ୟନ୍ତ ସକ୍ଷମ ହୋଇନଥିବାବେଳେ ଗୃହମନ୍ତ୍ରୀଙ୍କ ଘନିଷ୍ଠ ଭାବେ ପରିଚିତ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଥାନାରୁ ଫେରାର ହୋଇଯିବା […]

capt-divya-shankar-mishra

capt-divya-shankar-mishra

Ordigital Desk
  • Published: Monday, 18 October 2021
  • Updated: 18 October 2021, 07:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକର ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ହେବା ଘଟଣାକୁ ନେଇ ଏବେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଉଜାଗର ହେବାରେ ଲାଗିଛି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। ମମିତା ନିଖୋଜ ହେବାର ୧୦ଦିନ ବିତିଯାଇଥିଲେ ବି ତାଙ୍କୁ ଠାବ କରିବାରେ ପୁଲିସ ଏପର୍ଯ୍ୟନ୍ତ ସକ୍ଷମ ହୋଇନଥିବାବେଳେ ଗୃହମନ୍ତ୍ରୀଙ୍କ ଘନିଷ୍ଠ ଭାବେ ପରିଚିତ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଥାନାରୁ ଫେରାର ହୋଇଯିବା ଏବଂ ମମିତାଙ୍କ ପିତା ସିଧାସଳଖ ଏଥିପାଇଁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଦାୟୀ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି।

ମମିତା ଯେଉଁ ସ୍କୁଲରେ ଥିଲେ ସେଠାକୁ ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନ୍ତ୍ରୀମାନେ ଯାଉଥିଲେ ବୋଲି ମମିତାଙ୍କ ପିତାଙ୍କ ସଙ୍ଗୀନ ଅଭିଯୋଗ ପରେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି। ଏହାସହିତ ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତସାହାସ ଦେଖାନ୍ତୁ ଓ ମମିତାଙ୍କୁ ତୁରନ୍ତ ଉଦ୍ଧାର କରନ୍ତୁ ବୋଲି ଦାବି କରିଛନ୍ତି। ତେବେ ନାରୀଙ୍କ ପ୍ରତି ଏଭଳି ଅତ୍ୟାଚାର ଘଟଣାରେ ନବୀନ ପଟ୍ଟନାୟକ ସରକାର ଚୁପ୍ ରହିବା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ସଙ୍କଟରେ ପକାଇଛି, ଯାହାର ପରିଣାମ ବିଜେଡିକୁ ଆଗାମୀ ପଂଚାୟତ ନିର୍ବାଚନରେ ଭୋଗିବାକୁ ପଡ଼ିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି।

ମମିତା ନିଖୋଜ ହେବା ଘଟଣାରେ ତାଙ୍କ ପିତା ଆଜି ଗଣମାଧ୍ୟମ ସମ୍ମୁଖକୁ ଆସି ସିଧାସଳଖ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟୀ କରିଛନ୍ତି । ମମିତା ଚାକିରି କରିଥିବା ଘରୋଇ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠତା ଥିବା ଓ ଅନେକ ସମୟରେ ସେ ସ୍କୁଲକୁ ଯାଇ ଘଣ୍ଟା ଘଣ୍ଟା ସମୟ ବିତାଉଥିବା କଥା ମନ୍ତ୍ରୀ ନିଜେ ସ୍ୱୀକାର କରିଥିବାବେଳେ ମମିତାଙ୍କ ପିତା ମଧ୍ୟ ସେହି ସ୍କୁଲରେ ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନ୍ତ୍ରୀମାନେ ଆସିଥାନ୍ତି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି। ମମିତାଙ୍କ ପରିବାର ନ୍ୟାୟ ଦାବି କରି ତୁରନ୍ତ ତାଙ୍କ ଝିଅକୁ ଠାବ କରାଯାଉ ବୋଲି ଦାବି କରିଛନ୍ତି।

ଏପଟେ ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଭୂମିକାକୁ ନେଇ ଚର୍ଚ୍ଚା ହେଉଥିବାରୁ ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାର ସତସାହାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାନ୍ତୁ ବୋଲି କହିଛନ୍ତି। ବିଜେପିର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମା’କୁ ସମ୍ମାନ ଓ ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ନିଖୋଜର ୧୦ଦିନ ପରେ ବି କଳହାଣ୍ଡି ଜିଲ୍ଲାର ଜଣେ ଶିକ୍ଷୟିତ୍ରୀଙ୍କୁ ଠାବ କରିବାରେ ସକ୍ଷମ ହୋଇନି। ବିଜେଡି ସରକାରର ଛତ୍ରଛାୟାରେ ରହି ମହିଳାଙ୍କ ବିରୁଦ୍ଧରେ ଅନେକ ଅତ୍ୟାଚାର ଘଟଣା ଅତୀତରେ ହୋଇଛି ।

ମମିତା ନିଖୋଜ ଘଟଣାରେ ଗୋବିନ୍ଦ ସାହୁ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇସାରିଛି ଓ ଶ୍ରୀ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଅତି ସୁସମ୍ପର୍କ ଥିବା ଚର୍ଚ୍ଚା ଓ ଆଲୋଚନାରୁ ମଧ୍ୟ ଜଣାପଡ଼ି ସାରିଲାଣି। ତେଣୁ ମମିତା ନିଖୋଜ ଘଟଣାକୁ ଚପାଇ ଦେବାକୁ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିଜେ ଏହି ଘଟଣାରେ ସମ୍ପୃକ୍ତ ଥିବାରୁ ନିରପେକ୍ଷ ତଦନ୍ତ ପୁଲିସ କରିବା ସମ୍ଭବପର ନୁହେଁ। ମନ୍ତ୍ରୀ ହୁଏତ କ୍ଷମତାର ଅପବ୍ୟବହାର କରି ତଥ୍ୟ ପ୍ରମାଣ ନଷ୍ଟ କରିପାରନ୍ତି। ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଅବିଳମ୍ବେ ବରଖାସ୍ତ କରାଯାଉ ଓ ସେ ପଦବୀରେ ରହିଲେ ତଦନ୍ତ ପ୍ରଭାବିତ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ମମିତାଙ୍କୁ ତୁରନ୍ତ ଠାବ କରି ତାଙ୍କ ପରିବାରକୁ ନ୍ୟାୟ ମଧ୍ୟ ଦିଆଯାଉ ବୋଲି ବିଜେପି ଦାବି କରିଛି।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ମମିତା ମେହେରଙ୍କ ନିଖୋଜ ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଥାନାରୁ ଫେରାର କରାଇବା ପଛରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ହାତ ଥିବା ଦାବି କରିଛନ୍ତି । ଗୋବିନ୍ଦୁ ସାହୁଙ୍କୁ ଗିରଫ କରିବା ପରେ କାହା ଇଙ୍ଗିତରେ ପୁଲିସ ଛାଡ଼ି ଦେଇଛି ବୋଲି ସେ ପ୍ରଶ୍ନ କରିବା ସହ ମନ୍ତ୍ରୀ ଶ୍ରୀ ମିଶ୍ର ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଘଟଣାର ତଦନ୍ତ ଭାର ସିବିଆଇ ହସ୍ତାନ୍ତର କରିବାକୁ ସେ ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ସ୍କୁଲରେ ସେକ୍ସ ସ୍କାଣ୍ଡାଲକୁ ନେଇ ତଥ୍ୟ ବାହାରିଛି । ସ୍କୁଲରେ ସେକ୍ସ ସ୍କାଣ୍ଡାଲ କଥା ମମିତା ମେହେର ଜାଣିଥିଲେ । ଏଭଳି କାର୍ଯ୍ୟ ବିରୋଧରେ ପ୍ରତିବାଦ କରିବାରୁ ତାଙ୍କୁ ଧମକ ମିଳିଥିଲା । ମମିତା ସ୍କୁଲ ଛାଡ଼ି ଚାଲି ଯାଇଥିଲେ । ମାତ୍ର ମିଟିଂ ଆଳରେ ମମିତାଙ୍କୁ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଡାକିଥିଲେ ଓ ସେଦିନଠୁ ସେ ନିଖୋଜ ହୋଇଯାଇଛନ୍ତି । ତେଣୁ ଗୋବିନ୍ଦ ସାହୁଙ୍କୁ କିଏ ଥାନାରୁ ଛାଡ଼ିଲା ଓ ତାଙ୍କୁ କିଏ ଫେରାର ହେବାକୁ ସୁଯୋଗ ଦେଲା ତା’ର ତଦନ୍ତ ହେବା ଜରୁରୀ । କାହିଁକି ଗୋବିନ୍ଦଙ୍କୁ ରିମାଣ୍ଡରେ ଅଣାଗଲାନି କିମ୍ବା କୋର୍ଟ ଚାଲାଣ କରାଗଲାନି । ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କ ଥିବା ମନ୍ତ୍ରୀ ନିଜେ ସ୍ୱୀକାର କରିସାରିଛନ୍ତି । ତେଣୁ ଏହି ସମସ୍ତ ଘଟଣାରେ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ନିରପେକ୍ଷ ତଦନ୍ତ ହେଉ । ମମିତାଙ୍କୁ ଠାବ କରାଯାଇ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ କଂଗ୍ରେସ ଦାବି କରିଛି ।

ସୂଚନାଯୋଗ୍ୟ, ମନ୍ତ୍ରୀ ଶ୍ରୀ ମିଶ୍ର ଏବେ ନବୀନ ସରକାରରେ ଏକକାଳୀନ ୪ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହିଛନ୍ତି । ମନ୍ତ୍ରୀ ପଦ ପାଇବା ପରଠୁ କ୍ଷମତାର ଅପବ୍ୟବହାର କରି ଶ୍ରୀ ମିଶ୍ର ଧରାକୁ ସରା ମଣିବାରେ ଲାଗିଥିବାର ଅଭିଯୋଗ ବିଭିନ୍ନ ସମୟରେ ହୋଇଆସିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଇ ପରୋକ୍ଷରେ ଏଭଳି ଅନ୍ୟାୟକୁ ପ୍ରଶୟ ଦେଉଥିବା ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos