କାହିଁକି ଲଢ଼ିପାରୁନି ବିଜେପି ଓ କଂଗ୍ରେସ ? ପିପିଲି ରେଜଲ୍ଟ ବିଜେଡି ପାଇଁ ବି ସତର୍କ ଘଣ୍ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ୨୧ବର୍ଷ ଧରି କ୍ଷମତାସୀନ ବିଜେଡି ପୁଣିଥରେ ନିଜକୁ ଅପରାଜେୟ ଭାବେ ପ୍ରମାଣିତ କରିଛି । ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହେବାପରେ ବିଜେଡି ନିଜର ଅପରାଜେୟ ଛବିକୁ ସୁରକ୍ଷିତ ରଖିଥିଲେ ମଧ୍ୟ ଦଳ ଯେଭଳି ଢଙ୍ଗରେ ନିର୍ବାଚନ ଲଢ଼ିଥିଲା ସେହି ଅନୁସାରେ ଫଳାଫଳ ବିଶେଷ ଉତ୍ସାହଜନକ ହୋଇନାହିଁ। ତା’ଛଡ଼ା ଲଢ଼େଇ ମଇଦାନ ଏକତରଫା ଥିବାବେଳେ ବିଜେଡି ପ୍ରାର୍ଥୀ ଜିତିବାର ବ୍ୟବଧାନ ଦଳୀୟ ରଣନୀତିକାରଙ୍କୁ ଚିନ୍ତାରେ ପକାଇଛି। […]

congress-and-bjp

congress-and-bjp

Ordigital Desk
  • Published: Monday, 04 October 2021
  • Updated: 04 October 2021, 08:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ୨୧ବର୍ଷ ଧରି କ୍ଷମତାସୀନ ବିଜେଡି ପୁଣିଥରେ ନିଜକୁ ଅପରାଜେୟ ଭାବେ ପ୍ରମାଣିତ କରିଛି । ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହେବାପରେ ବିଜେଡି ନିଜର ଅପରାଜେୟ ଛବିକୁ ସୁରକ୍ଷିତ ରଖିଥିଲେ ମଧ୍ୟ ଦଳ ଯେଭଳି ଢଙ୍ଗରେ ନିର୍ବାଚନ ଲଢ଼ିଥିଲା ସେହି ଅନୁସାରେ ଫଳାଫଳ ବିଶେଷ ଉତ୍ସାହଜନକ ହୋଇନାହିଁ। ତା’ଛଡ଼ା ଲଢ଼େଇ ମଇଦାନ ଏକତରଫା ଥିବାବେଳେ ବିଜେଡି ପ୍ରାର୍ଥୀ ଜିତିବାର ବ୍ୟବଧାନ ଦଳୀୟ ରଣନୀତିକାରଙ୍କୁ ଚିନ୍ତାରେ ପକାଇଛି।

ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସର ତ୍ରୁଟିପୂର୍ଣ୍ଣ ରଣନୀତି ଓ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁ ବିଜେଡିକୁ ଫାଇଦା ମିଳିବାରେ ଲାଗିଛି। ୨୦୧୭ ପଂଚାୟତ ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତି ପାଇଁ ୟୁ-ଟର୍ଣ୍ଣ ହୋଇଥିଲେ ମଧ୍ୟ ଲୋକଙ୍କ ଆସ୍ଥାକୁ ନିଜ ସପକ୍ଷରେ ବାନ୍ଧି ରଖିବା ଓ ରାଜ୍ୟରେ ସଂଗଠନକୁ ଅଧିକ ସୁଦୃଢ଼ କରିବାରେ ମୁଖ୍ୟ ବିରୋଧୀ ଦଳ ବିଜେପି ଫେଲ୍ ମାରିଛି । ଆଉ ତୀବ୍ର ଗୋଷ୍ଠୀକନ୍ଦଳ ଓ ଶାସକ ଦଳ ସହ ସଲାସୁତରା ଯୋଗୁ କଂଗ୍ରେସ କ୍ରମାଗତ ନିଜର ଅମାତନ ହରାଇବା ସହ ରାଜ୍ୟରେ ପୋଷ୍ଟର ଦଳ ହେବାକୁ ଯାଉଥିବା ରାଜନୀତିକ ମହଲରେ ଚର୍ଚ୍ଚା।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୨୦୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ରୁଦ୍ରଙ୍କ ଦିବଂଗତ ପିତା ପ୍ରଦୀପ ମହାରଥୀଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ୫୦.୬୬% ଭୋଟ ମିଳିଥିବାବେଳେ ରୁଦ୍ରଙ୍କୁ ୫୩.୬ ପ୍ରତିଶତ ଭୋଟ୍ ମିଳିଛି । କିନ୍ତୁ ପ୍ରଦୀପଙ୍କ ତୁଳନାରେ ତାଙ୍କର ବିଜୟ ବ୍ୟବଧାନ ମାତ୍ର ୫୧୨୯ଖଣ୍ଡ ଅଧିକ। ଆଉ ଏହି ସଂଖ୍ୟା ହିଁ ଶାସକ ବିଜେଡି ପ୍ରତି ପିପିଲିରେ ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ପଦାରେ ପକାଇ ଦେଇଛି। ଏକଦା ନିଜର ଗଡ଼ ଥିବା ପିପିଲିରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଏଥର ଅମାନତ ରଖିବାରେ ସକ୍ଷମ ହୋଇନଥିବାବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରିପାରିଛନ୍ତି।

ପିପିଲି ଉପନିର୍ବାଚନରେ ବିଜେଡି ୧୦୦ରୁ ଅଧିକ ରାଜ୍ୟସ୍ତରର ଦଳୀୟ ନେତାମାନଙ୍କ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ନିଜର ଉପସ୍ଥିତି ଜାହିର କରିଥିବାବେଳେ ବିଜେପିର ନିର୍ବାଚନୀ ରଣନୀତି ଯେଭଳି ରହିଲା, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆଶ୍ରିତଙ୍କ ନିଜସ୍ୱ ଭୋଟବ୍ୟାଙ୍କର ଫାଇଦା ଉଠାଇବା ପରିବର୍ତ୍ତେ ବିଜେପି ତାଙ୍କୁ ଏକାକୀ ନିର୍ବାଚନ ମଇଦାନରେ ଏକାକୀ କରିଦେଇଥିଲା । ପ୍ରଚାର ମଇଦାନରୁ ବିଜେପିର ହେଭିୱେଟ୍ ନେତା ଦୂରେଇ ରହିଥିଲେ, ଆଉ ଦଳୀୟ କର୍ମୀଙ୍କ ଜୋସ୍ ବଢ଼ାଇବାକୁ ବି ଦଳ ଆଶାନୁରୂପ ଉଦ୍ୟମ କରିନଥିଲା । ତଥାପି ଶାସକ ବିଜେଡିର ଚକ୍ରବ୍ୟୁହକୁ ଭେଦ କରି ଆଶ୍ରିତ ନିଜ ସପକ୍ଷରେ ଭୋଟ ବୃଦ୍ଧି କରିପାରିଛନ୍ତି । ଏପରିକି ଉପନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରଭାବଶାଳୀ ନେତା ଯୁଧିଷ୍ଠିର ସାମନ୍ତରାୟ ବିଜେଡିରେ ସାମିଲ ହୋଇଥିଲେ ବି ତା’ର ଫାଇଦା ବିଜେଡିକୁ ମିଳିଲା ନାହିଁ । ଓଲଟା କଂଗ୍ରେସର ଭୋଟ ବ୍ୟାଙ୍କ ବିଜେପି ଆଡ଼କୁ ପଳାଇଥିଲା ।

ନିର୍ବାଚନ ଜିତିବା ପାଇଁ ବିଜେଡି ଦୀର୍ଘଦିନ ଧରି ପ୍ରୟାସ କରିବା ସହ ନେତାମାନଙ୍କୁ ପଂଚାୟତ ୱାର୍ଡସ୍ତରରେ ରଖିବାର ଫାଇଦା ଦଳକୁ ସେଭଳି ମିଳିଲା ନାହିଁ । ଯେଉଁଥିପାଇଁ ଦଳର ବିଜୟ ମାତ୍ର ୨୧ହଜାର ମଧ୍ୟରେ ସୀମିତ ରହିଲା । ବିଜେଡିର ଦିବଂଗତ ପ୍ରଦୀପ ମହାରଥୀଙ୍କ ପ୍ରତି ସମବେଦନା ଓ ବିକାଶର ସ୍ଲୋଗାନ ପିପିଲିରେ ଫେଲ୍ ମାରିଛି । ଶାସକ ବିଜେଡି ଗତ ୮ମାସ ଧରି ପିପିଲିରେ ଉପନିର୍ବାଚନ ଜିତିବା ପାଇଁ କସରତ କରିଛି । ଶାସକ ଦଳ ଭାବେ ବିଜେଡି ଯେତିକି ଫାଇଦା ନେବା କଥା ଚଳିତ ନିର୍ବାଚନରେ ନିଜର ଶତାଧିକ ନେତାଙ୍କୁ ପଂଚାୟତରେ ମୁତୟନ କରି ବିଜେଡି ସେହି ଫାଇଦା ନେଇଥିବା ଚର୍ଚ୍ଚା ହେଉଛି।

ପ୍ରଥମଥର ପାଇଁ ବିଜେଡି ନିଜର ପୋଷ୍ଟରବଏ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପ୍ରଚାର ମଇଦାନରୁ ଦୂରେଇ ରଖିଥିଲା । ଦଳ ପିପିଲିରେ ବିଜୟୀ ହେବାକୁ ନେଇ ଦୃଢ଼ ନିଶ୍ଚିତ ଥିବାବେଳେ ନବୀନଙ୍କୁ ମଇଦାନରୁ ଦୂରେଇ ରଖି ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏବେଠୁ ପରୀକ୍ଷାମୂଳକ ପ୍ରୟୋଗ ଆରମ୍ଭ କରିଥିଲା । ବିରୋଧୀ ଦଳଙ୍କ ଆନ୍ତରିକ ବିହୀନ ଲଢ଼େଇ ଓ ନବୀନଙ୍କ ବିନା ପ୍ରଚାରରେ ବିଜେଡିକୁ ଯଦିଓ ପିପିଲିରେ ସଫଳତା ମିଳିଛି, ମାତ୍ର ଭୋଟ ବ୍ୟବଧାନ ହାର ୨୧ହଜାରରେ ସୀମିତ ରହିବା ହିଁ ଦଳର ନିର୍ବାଚନୀ ଷ୍ଟ୍ରାଟେଜୀ ଓ ସରକାରଙ୍କ ପ୍ରତି ଥିବା ଆକ୍ରୋଶକୁ ପଦାରେ ପକାଇଛି । ଶାସକ ବିଜେଡିର ସବୁ ପ୍ରୟାସ ସତ୍ତ୍ୱେ ଦେଢ଼ ଦଶନ୍ଧି ଧରି ଦଳର ଗଡ଼ ପିପିଲିରେ ଭୋଟ ବ୍ୟବଧାନ ୩୦ହଜାରରୁ ଅଧିକ ନହେବା ପରୋକ୍ଷରେ ଆଶ୍ରିତଙ୍କ ଲୋକପ୍ରିୟତା ଓ ସରକାର ପ୍ରତି ଅସନ୍ତୋଷକୁ ପ୍ରମାଣିତ କରାଇଛି । ବିଜେଡିକୁ ଆଗାମୀ ପଂଚାୟତ ଓ ପୌର ନିର୍ବାଚନବେଳେ ଏହାର ଆଭାସ ମିଳିବ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ବିଜେପି ଯଦି ନିଜର ତ୍ରୁଟିକୁ ସଂଶୋଧନ ନକରେ ତା’ହେଲେ ତା’ର ଫାଇଦା ବିଜେଡିକୁ ମିଳିବା ସ୍ୱାଭାବିକ ।

ତେବେ ପ୍ରଶ୍ନ ଉଠୁଛି, ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପି ରାଜ୍ୟର ଶାସକ ବିଜେଡି ସହ ଲଢ଼େଇ କରୁନି କାହିଁକି? କଂଗ୍ରେସ ନିଜର ଅମାନତ ହରାଉଥିଲେ ମଧ୍ୟ ଶାସକ ଦଳର ଗଣ୍ଡି ଭିତରକୁ ନିଜକୁ ସ୍ୱତନ୍ତ୍ର କରାଉ ନାହିଁ କାହିଁକି? ପ୍ରତ୍ୟେକଟି ଉପନିର୍ବାଚନ ପରେ କଂଗ୍ରେସର ରାଜ୍ୟ ମୁଖିଆଙ୍କ ବିରୁଦ୍ଧରେ କାହିଁକି ଦଳୀୟ ନେତାଙ୍କ ଅସନ୍ତୋଷ ପ୍ରକଟ ହେଉଛି । କଂଗ୍ରେସ ନେତାମାନେ ଶାସକ ବିଜେଡି ସହ ଭିତିରି ସମ୍ପର୍କରେ ରହିଥିବା ନେଇ ଖୋଦ୍ ଦଳୀୟ ନେତାମାନେ ଗଣମାଧ୍ୟମରେ କହିବାକୁ ପଛାଉ ନାହାନ୍ତି । ଯାହାର ପ୍ରଭାବ ସାଧାରଣ ଭୋଟରଙ୍କ ଉପରେ ପଡ଼ୁଛି ।

୨୦୧୭ ସାଧାରଣ ନିର୍ବାଚନରେ ବିଜେପିକୁ ଉଲ୍ଲେଖନୀୟ ସଫଳତା ମିଳିଥିବାବେଳେ ତାକୁ ଆଗକୁ ନେବାରେ ବିଜେପି ସକ୍ଷମ ହୋଇପାରିଲା ନାହିଁ କାହିଁକି? ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପି ନିଜର ସଂଗଠନକୁ ସୁଦୃଢ଼ କରି ରାଜ୍ୟରେ ନିଜ ସପକ୍ଷରେ ମାହୋଲ୍ କରିବା ପରିବର୍ତ୍ତେ ଉପନିର୍ବାଚନଗୁଡ଼ିକୁ ବିନା ଜୋସରେ ଲଢ଼ିବା ବି ଦଳର କର୍ମୀ ଓ ସାଧାରଣ ଜନତାଙ୍କୁ ନିରାଶ କରିଛି । ଶାସକ ବିଜେଡି ପ୍ରତି ଅସନ୍ତୁଷ୍ଟ ଥିବା ଭୋଟର ଏବେ ରାଜ୍ୟରେ ବିକଳ୍ପ ଦଳଟିଏ ବି ପାଉନାହାନ୍ତି । ବିଜେପୁର, ପାଟକୁରା, ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନରେ ବିଜେପିର ରଣନୀତି ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପାଟକୁରାରେ ହେଭିୱେଟ୍ ବିଜୟ ମହାପାତ୍ରଙ୍କ ଜିତିବାର ମାହୋଲ୍‌କୁ ବି ବିଜେପି ନିଜ ସପକ୍ଷରେ ନେଇପାରିଲା ନାହିଁ । ଶେଷ ମୁହୂର୍ତ୍ତରେ ପାଟକୁରାରେ ବିଜୟ ଓ ପିପିଲିରେ ଆଶ୍ରିତଙ୍କୁ ନିଜ ଦମରେ ଲଢ଼ିବାକୁ ପଡ଼ିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ଏପଟେ ବିଜେପି ନେତା ଐରଖାରବେଳ ସ୍ୱାଇଁ କହିଛନ୍ତି ଯେ, ବିଜେଡିକୁ ହରାଇବା ପାଇଁ ବିଜେପି ପାଖରେ ବିକଳ୍ପ ବ୍ୟବସ୍ଥା ନାହିଁ । ତେଣୁ ଓଡ଼ିଶାରେ ବିଜେପି ବାରମ୍ବାର ବିଫଳ ହେଉଛି । ଦଳରେ ସମନ୍ୱୟର ଅଭାବ ରହିଛି । ଓଡ଼ିଶାରେ ବିଜେପି କାହିଁକି ହାରୁଛି ତା’ର ସମୀକ୍ଷା କେନ୍ଦ୍ରୀୟ ନେତୃତ୍ୱ କରିବା ଉଚିତ୍ ।

ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, କଂଗ୍ରେସରେ ଦଳୀୟ କନ୍ଦଳ ନୂଆକଥା ନୁହେଁ । ନେତୃତ୍ୱ ପରିବର୍ତ୍ତନ ନେଇ ହାଇକମାଣ୍ଡ ବିଚାର କରିବେ । ଯାହାର ଅସୁବିଧା ହେଉଛି ହାଇକମାଣ୍ଡଙ୍କୁ ଜଣାନ୍ତୁ । ପିପିଲିରେ ଦଳୀୟ ପ୍ରାର୍ଥୀ ୩ ନମ୍ବରରେ ରହିବେ ବୋଲି ଆମେ ଆଗରୁ କହି ସାରିଛୁ ।

ଅନ୍ୟପକ୍ଷରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ସବୁ ଉପନିର୍ବାଚନରେ ବିଜେଡି ଜିତିଛି । ପିପିଲି ଫଳାଫଳ ପଂଚାୟତ ନିର୍ବାଚନରେ କର୍ମୀଙ୍କ ମନୋବଳ ବୃଦ୍ଧି କରିବ । ବିକାଶ ସହ ଲୋକେ ରହିଲେ । ପଂଚାୟତ ନିର୍ବାଚନରେ ଦଳ ବିପୁଳ ବିଜୟ କରିବ । ନବୀନ ପଟ୍ଟନାୟକ ୧ ନମ୍ବର ଥିଲେ ଓ ରହିଛନ୍ତି ମଧ୍ୟ । ନବୀନଙ୍କ ନେତୃତ୍ୱ ଉପରେ ଲୋକଙ୍କ ଆସ୍ଥା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos